Unknown

 

 

 

 

 

 

 

 

 

କବି ବ୍ରଜନାଥ ବଡ଼ଜେନା

ଡକ୍ଟର ରବୀନ୍ଦ୍ର କୁମାର ପ୍ରହରାଜ

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

 

ଦ୍ୱିତୀୟ ସଂସ୍କରଣ ସମ୍ପର୍କରେ

 

ଓଡ଼ିଆ ବାଣୀ ମନ୍ଦିରର ଯେଉଁ ପ୍ରଖ୍ୟାତ ସାଧକଗଣ ସେମାନଙ୍କର ସୃଷ୍ଟି ଓ ସାଧନା ବଳରେ ଆମ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଛନ୍ତି, ସେହି କାଳଜୟୀ ଅନନ୍ୟ ସ୍ରଷ୍ଟାଗଣଙ୍କୁ ଉତ୍ତରପିଢ଼ି ସାରସ୍ୱତ ସାଧକମାନଙ୍କ ନିକଟରେ ପରିଚିତ କରାଇବା ନିମନ୍ତେ ସେମାନଙ୍କ ଉପରେ ମନୋଗ୍ରାଫ୍‌ମାନ ପ୍ରକାଶ ପୂର୍ବକ ଏକାଡେମୀ ପକ୍ଷରୁ ଅନେକ ଦିନ ତଳୁ ଉଦ୍ୟମ ଆରମ୍ଭ କରାଯାଇଛି । ଏହି ଉଦ୍ୟମ ଅନ୍ତର୍ଗତ କବି ବ୍ରଜନାଥ ବଡ଼ଜେନା ମନୋଗ୍ରାଫଟି ସର୍ବପ୍ରଥମେ ଆତ୍ମପ୍ରକାଶ କରିଥିଲା ୧୯୮୨ ମସିହାରେ । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ପଚିଶ ବର୍ଷ ମଧ୍ୟରେ ଏକାଡେମୀ ପକ୍ଷରୁ ଅନେକ ମନୋଗ୍ରାଫମାନ ପ୍ରକାଶ ପାଇ ଅଶେଷ ପାଠକୀୟ ଆଦୃତି ଲାଭ କରିପାରିଛି । ଓଡ଼ିଆ ସାହିତ୍ୟ ଇତିହାସର ମଧ୍ୟଯୁଗୀୟ କାବ୍ୟ ସାହିତ୍ୟର ଅନ୍ୟତମ ପ୍ରତିଭାଧର ସ୍ରଷ୍ଟା କବି ବ୍ରଜନାଥ ବଡ଼ଜେନା (୧୭୩୦ -୧୮୦୦) ଏକ ବହୁମୁଖୀ ସୃଜନଶୀଳ ପ୍ରତିଭା । ସେ ଏକାଧାରରେ କବି, ସଙ୍ଗୀତଜ୍ଞ, ବହୁଶାସ୍ତ୍ରବିତ୍‌ ସୁପଣ୍ଡିତ ଥିଲେ । ତାଙ୍କର ଅଜସ୍ର ସୃଷ୍ଟି ସମ୍ପଦରେ ଓଡ଼ିଆ ସାହିତ୍ୟ ଭଣ୍ଡାର ଋଦ୍ଧିମନ୍ତ ଓ ପୁଷ୍କଳ ହୋଇଛି । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାରସ୍ୱତ ଦାୟାଦ ଭାବରେ ପରିଚିତ କବି ବ୍ରଜନାଥ ବଡ଼ଜେନା ଭଞ୍ଜୀୟ କାବ୍ୟାଦର୍ଶରେ ଅନୁପ୍ରାଣିତ ହୋଇ ଅନେକ କାବ୍ୟ ଆମ ଭାଷାରେ ରଚନା କରିଥିଲେ । ତନ୍ମଧ୍ୟରୁ ଅମ୍ବିକା ବିଳାସ, କେଳିକଳାନିଧି, ବିଚକ୍ଷଣା ଆଦି କ୍ଲିଷ୍ଟପଦାବଳୀଯୁକ୍ତ ଆଳଙ୍କାରିକ ଗ୍ରନ୍ଥ ଅନ୍ୟତମ । ତେବେ ସାଧାରଣ ପାଠକମାନଙ୍କ ବୋଧଗମ୍ୟ ହେବାଭଳି ସରଳ ଦେଶୀୟ ଭାଷାରେ ଶ୍ୟାମ ରାସୋତ୍ସବ, ଗୋପୀବିଳାସ, ତଅପୋଇ ଓ ବିଦେଶାନୁଚିନ୍ତା ପ୍ରଭୃତି କାବ୍ୟ ଗ୍ରନ୍ଥ ରଚନା କରିଯାଇଛନ୍ତି । ତାଙ୍କ କାବ୍ୟସିଦ୍ଧିର ଉତୁଙ୍ଗ ଶିଖର ସ୍ପର୍ଶ କରିଥିବା ‘ସମର ତରଙ୍ଗ’ ଓଡ଼ିଆ ସାହିତ୍ୟର ବହୁ ଚର୍ଚ୍ଚିତ ଐତିହାସିକ ବାସ୍ତବ କଥାବସ୍ତୁ ଅବଲମ୍ବନରେ ରଚିତ ଏକ ଅନନ୍ୟ କାବ୍ୟ ଗ୍ରନ୍ଥ ।

 

ଏହିଭଳି ଜଣେ ପ୍ରଖାତ ସାରସ୍ୱତ ପୁରୁଷ କବି ବ୍ରଜନାଥ ବଡ଼ଜେନାଙ୍କ ସମ୍ପର୍କରେ ମନୋଗ୍ରାଫ୍‌ଟିର ପ୍ରଥମ ସଂସ୍କରଣ ଏକାଡେମୀରୁ ଅନେକଦିନ ହେବ ଶେଷ ହୋଇଯାଇଥିଲା । ବିଭିନ୍ନ ସମୟରେ ବହୁ ପାଠକ, ଗବେଷକ ତଥା ଅଧ୍ୟାପକ ଏହି ପୁସ୍ତକଟିର ପୁନଃ ମୁଦ୍ରଣ ନିମନ୍ତେ ଏକାଡେମୀ ନିକଟରେ ଦାବି କରିଆସୁଥିଲେ । ସେମାନଙ୍କର ଆଗ୍ରହକୁ ଦୃଷ୍ଟିରେ ରଖି ଏକାଡେମୀ ଏହି ପୁସ୍ତକଟିକୁ ପୁନର୍ବାର ସଂସ୍କରଣ କରି ପାଠକମାନଙ୍କୁ ଭେଟି ଦେବାକୁ ଯାଉଅଛି ।

 

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠାର ପଚାଶ ବର୍ଷ ପୂର୍ତ୍ତି ସୁବର୍ଣ୍ଣ ଜୟନ୍ତୀ ପାଳନ ଅବକାଶରେ ଏହି ମନୋଗ୍ରାଫଟିର ଦ୍ୱିତୀୟ ସଂସ୍କରଣ ପ୍ରକାଶ ପାଉଥିବା ଅତ୍ୟନ୍ତ ଆନନ୍ଦର ବିଷୟ । ଉକ୍ତ ପୁସ୍ତକଟି ଓଡ଼ିଆ ସାହିତ୍ୟର ଜଣେ ପ୍ରଖ୍ୟାତ କବି ବ୍ରଜନାଥ ବଡ଼ଜେନାଙ୍କ ସମ୍ପର୍କରେ ଅନେକ ନିର୍ଭରଯୋଗ୍ୟ ତଥ୍ୟ ଜାଣିବାରେ ଲେଖକ ଓ ଗବେଷକମାନଙ୍କୁ ସାହାଯ୍ୟ କରିବା ସଂଗେ ସଂଗେ ବିଦଗ୍ଧ ଓଡ଼ିଆ ପାଠକ/ପାଠିକା ଓ ବିଦ୍ୱାନମଣ୍ଡଳୀଙ୍କଦ୍ୱାରା ଏହା ପୂର୍ବଭଳି ଆଦର ଲାଭ କଲେ ଏକାଡେମୀର ଶ୍ରମ ସାର୍ଥକ ହେବ ବୋଲି ଆଶା କରୁଅଛି ।

 

ଭୁବନେଶ୍ୱର

ଡକ୍ଟର ହରପ୍ରସାଦ ପରିଛା ପଟନାୟକ

ଦଶହରା – ୨୦୦୮

ସଚିବ

 

ମୁଖବନ୍ଧ

 

ଓଡ଼ିଆ ସାହିତ୍ୟରେ ବ୍ରଜନାଥ ବଡ଼ଜେନାଙ୍କର ସ୍ୱତନ୍ତ୍ର ସ୍ଥିତି ରହିଛି ।

 

ମଧ୍ୟଯୁଗ ଏବଂ ଆଧୁନିକ ଯୁଗର ସନ୍ଧି-କାଳରେ ପ୍ରଭାବ ବିସ୍ତାର କରିଥିବା ଏହି ବିଶିଷ୍ଟ କବିଙ୍କର ସାହିତ୍ୟ ସୃଷ୍ଟିରେ ମଧ୍ୟଯୁଗୀୟ ସାହିତ୍ୟର ବିଭିନ୍ନ ବିଭାବ ସହିତ ଆଧୁନିକତାର ସ୍ୱାଦ ଓ ଶୈଳୀର ଆଭାସ ଏକତ୍ର ବିଦ୍ୟମାନ । ଓଡ଼ିଆ ଗଦ୍ୟ ରଚନାର ଆଦ୍ୟପ୍ରବର୍ତ୍ତକ,ବ୍ୟଙ୍ଗ ଓ ଜାତୀୟତାବାଦୀ ସାହିତ୍ୟ ରଚନା କ୍ଷେତ୍ରରେ ଅଗ୍ରଗଣ୍ୟ କବି ବଡ଼ଜେନା ଓଡ଼ିଆ ସାହିତ୍ୟରେ ଯଥାର୍ଥରେ ବିଶିଷ୍ଟ ଆସନର ଅଧିକାରୀ ।

 

୧୯୬୫ ମସିହାରେ ଏହି ଏକାଡେମୀ ପକ୍ଷରୁ କବି ବ୍ରଜନାଥଙ୍କର ରଚନାବଳୀ ଶ୍ରୀ ସୁଧାକର ପଟ୍ଟନାୟକଙ୍କଦ୍ୱାରା ସଂକଳିତ ଓ ସଂପାଦିତ ହୋଇ ପ୍ରକାଶ କରାଯାଇଛି । “ଓଡ଼ିଆ ସାହିତ୍ୟର ନିର୍ମାତା’’ ପର୍ଯାୟରେ ବ୍ରଜନାଥ ବଡ଼ଜେନାଙ୍କର ଜୀବନୀ ତଥା ସାହିତ୍ୟ ସୃଷ୍ଟିର ସମ୍ୟକ ପରିଚୟ ସମ୍ବଳିତ ଏହି ପୁସ୍ତକ ସାଧାରଣ ପାଠକଙ୍କଠାରେ ମଧ୍ୟ ବ୍ରଜନାଥଙ୍କୁ ପରିଚିତ କରାଇବା ପାଇଁ ଉଦ୍ଦିଷ୍ଟ ।

 

ଏହି ପୁସ୍ତକଟି ପାଠକ ଗୋଷ୍ଠୀର ଆଦରଣୀୟ ହେବ ବୋଲି ଆଶା କରୁଛି ।

 

ରାଇଚରଣ ଦାସ

ସମ୍ପାଦକ

 

ଭୂମିକା

 

ଓଡିଶାର ସାହିତ୍ୟିକ-ସଂସ୍କୃତି ଯେପରି ପ୍ରାଚୀନ ସେହିପରି ବୈଚିତ୍ର୍ୟମଣ୍ଡିତ । ଏଥିରେ କ୍ରମବିବର୍ତ୍ତନର ଚିହ୍ନ ସୁସ୍ପଷ୍ଟ । ଏହାର ପରିଚିତି ଏକ ଜାତୀୟ ଆବଶ୍ୟକତା । ବିଳମ୍ବରେ ହେଲେ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ସାହିତ୍ୟରେ ନିର୍ମାତା ପର୍ଯ୍ୟାୟରେ କୃତୀ ସାହିତ୍ୟ ସାଧକମାନଙ୍କର ସାହିତ୍ୟିକ ସାଧନାର ଇତିବୃତ୍ତି ଓ ମର୍ମକଥା ସର୍ବସାଧାରଣରେ ପ୍ରଚାର ଓ ବୋଧଗମ୍ୟ କରାଇବା ଲାଗି ଯେଭଳି ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ସର୍ବାଦୌ ବନ୍ଦନୀୟ ।

 

ଯେ କୌଣସି ଜାତିର ବିଶିଷ୍ଟତା ତା’ର ସାହିତ୍ୟ, ସଙ୍ଗୀତ, ନୃତ୍ୟ ଓ ଶିଳ୍ପ-ସ୍ଥାପତ୍ୟରେହିଁ ସର୍ବାଧିକ ପ୍ରତିଫଳିତ ହୋଇଥାଏ । ସେଥିମଧ୍ୟରୁ ସାହିତ୍ୟକୁ ସର୍ବୋତ୍କୃଷ୍ଟ ମାଧ୍ୟମରୂପେ ଏଇଥିପାଇଁ ଗ୍ରହଣ କରାଯାଇଥାଏ ଯେ ଏହାର ପ୍ରଚାର ଓ ପ୍ରସାର ଜନ ମାନସରେ କେବଳ ସହଜଗମ୍ୟ ହୁଏନାହିଁ, କାଳ କାଳ ସ୍ଥାୟୀ ପ୍ରଭାବ ବିସ୍ତାର କରିଥାଏ । ମାତ୍ର ଏ ସାହିତ୍ୟ ଯେତେବେଳେ ଗତାନୁଗତିକ ଲିଖନ-କର୍ମରେ ପର୍ଯ୍ୟବସିତ ହୋଇଥାଏ, ତାହା ସ୍ୱତନ୍ତ୍ର ଆବେଦନ ହରାଇ ବସେ । ଓଡ଼ିଆ ସାହିତ୍ୟର ଇତିହାସରେ ମଧ୍ୟଯୁଗୀୟ ସାହିତ୍ୟର ବୈଚିତ୍ର୍ୟହୀନ ସ୍ୱରୁପ ଏହି ମନ୍ତବ୍ୟର ଯଥାର୍ଥତାହିଁ ପ୍ରତିପାଦନ କରେ । ସପ୍ତଦଶ ଶତାବ୍ଦୀର କବି ଲୋକନାଥ ବିଦ୍ୟାଧର ତାଙ୍କର ‘ନୀଳାଦ୍ରି ମହୋତ୍ସବ’ କାବ୍ୟର ୧୦ମ ଛାନ୍ଦର ୬୭-୭୦ ପଦରେ ଏହି ଭାବ ଅଭିବ୍ୟକ୍ତ କରି କହିଛନ୍ତି :-

 

ତଥାପି ଏମନ୍ତ ଚିନ୍ତି

କେବଳ ପ୍ରବନ୍ଧ ରୀତି

ପୂର୍ବରୁ କବି ସଂହତି

କରିଅଛନ୍ତି ଏ ॥୬୭॥

ଯଥା କଥୋଚିତ ହୋଇ

ସଦୃଶ ଉପମା ପାଇଁ

ସମ ଉପମା ଯଦ୍ୟପି

ନାହିଁ କିମପି ଏ ॥୬୮॥

ତେବେହେଁ ବର୍ଣ୍ଣନା କରି

ନୋହିଲେ କବି ଚାତୁରୀ

କବିତ୍ୱ ଲକ୍ଷଣ ନୁହେଁ

ଭଲେ ନ ରହେ ଏ ॥୬୯॥

ଶୋଭିତ ବଚନ ନାହିଁ

ନ କହିଲେ ହେଁ ନୁହଇ

ତେଣୁ କରି ସିନାକହି

ନୋହିଲେ କାହିଁ ଏ ॥୭୦॥

 

ଉପେନ୍ଦ୍ର ଭଞ୍ଜଙ୍କର ଚୂଡ଼ାନ୍ତ ଆଳଙ୍କାରିକ ସିଦ୍ଧି ଉତ୍କଳୀୟ କବିମାନଙ୍କର କାବ୍ୟଚେତନାକୁ ଯେତେବେଳେ ନିସ୍ପନ୍ଦ ଓ ବସ୍ତୁତଃ ସ୍ଥାଣୁ କରିଦେଇଥିଲା, ସେତେବେଳେ ସୌଭାଗ୍ୟବଶତଃ ଆବିର୍ଭୂତ ହୋଇଥିଲେ ପ୍ରତିଭାଧର କବିତ୍ରୟୀ- ବ୍ରଜନାଥ ବଡ଼ଜେନା, ବଳଦେବ ରଥ ଓ ଗୋପାଳକୃଷ୍ଣ ପଟ୍ଟନାୟକ । ଏମାନେ ପ୍ରତ୍ୟେକ ସ୍ୱତନ୍ତ୍ର ସାହିତ୍ୟ ଚେତନାର ବାହକ ନ ଥିଲେ, ଥିଲେ ଉଦବୋଧକ । ଏମାନଙ୍କ ମଧ୍ୟରେ କବି ବ୍ରଜନାଥ ବୟୋଜ୍ୟେଷ୍ଠ ।

 

ବ୍ରଜନାଥ ଭଞ୍ଜ ପରମ୍ପରାରେ ଲାଳିତ ଓ ଦୀକ୍ଷିତ ହୋଇଥିଲେ ମଧ୍ୟ ସାହିତ୍ୟ ନିର୍ମାଣ କ୍ଷେତ୍ରରେ ଥିଲେ ସ୍ୱତନ୍ତ୍ର ବ୍ୟକ୍ତିତ୍ୱସମ୍ପନ୍ନ ପ୍ରତିଭା । ରାଜପୃଷ୍ଠପୋଷକତାର ଅପରିହାର୍ଯ୍ୟ ପ୍ରଭାବରୁ ଆପଣା ସାହିତ୍ୟ ସୃଷ୍ଟିକୁ ମୁକ୍ତ ରଖିବାକୁ ସେ ଯେପରି ପ୍ରଚେଷ୍ଟା ଓ ପ୍ରୟାସ କରିଛନ୍ତି, ତାହା ଆଜିର ଉଗ୍ରପନ୍ଥୀ, ମୁକ୍ତଚେତା ଗ୍ରାହକମାନଙ୍କ ନିକଟରେ କ୍ଷୀଣ ଓ କୃତ୍ରିମ ପ୍ରତିପନ୍ନ ହେଲେ ମଧ୍ୟ ସମାଜ, ସମୟ ଓ ସଂଗତି ଦୃଷ୍ଟିରୁ ଏହା ଯେ ଏକ ସାହସିକ ପଦକ୍ଷେପ - ସ୍ୱୀକାର କରିବାକୁ ହେବ ।

 

ବ୍ରଜନାଥ ଯୁଗଚେତନାର କବି ଓ ସାହିତ୍ୟସ୍ରଷ୍ଟା । ତାଙ୍କର ପ୍ରତ୍ୟେକଟି ସାହିତ୍ୟକୃତି ନିଜସ୍ୱ ଦୃଷ୍ଟିଭଙ୍ଗୀଦ୍ୱାରା ନିୟନ୍ତ୍ରିତ ଓ ପରିପୁଷ୍ଟ । ତାଙ୍କର ସାହିତ୍ୟିକ ଜୀବନର ପ୍ରାରମ୍ଭରେ ସେ ଭଞ୍ଜାନୁଗ ଆଦର୍ଶ ପ୍ରତି ସବିଶେଷ ଧ୍ୟାନ ଦେଇଥିଲେହେଁ ପରବର୍ତ୍ତୀ କାଳରେ ବର୍ଣ୍ଣନାତ୍ମକ କାବ୍ୟ ରଚନାରେ ତଥା ସର୍ବପ୍ରଥମ ଓଡ଼ିଆ ଗଳ୍ପ ସାହିତ୍ୟ ସୃଷ୍ଟି କରିବାରେ ବଳିଷ୍ଠ ଦୃଷ୍ଟିଭଙ୍ଗୀର ପରିଚୟ ଦେଇଯାଇଛନ୍ତି । ସେଥିପାଇଁ ସେ ତାଙ୍କ ସାହିତ୍ୟ ସାଧନ ମାର୍ଗରେ ସେ କାଳରେ ଥିଲେ ନିଃସଙ୍ଗ ପଥିକ ।

 

ପରିପ୍ରଚାର ଅଭାବରୁ ବ୍ରଜନାଥ ୧୯୦୪ ମସିହା ପର୍ଯ୍ୟନ୍ତ ଥିଲେ ଅଜ୍ଞାତ । ତାଙ୍କର ‘ସମରତରଙ୍ଗ’ ଓ ‘ଚତୁର ବିନୋଦ କଥା’ କ୍ରମଶଃ ପ୍ରକାଶିତ ହୋଇ ବିଦ୍ୱଜ୍ଜନଙ୍କର ଦୃଷ୍ଟି ଆକର୍ଷଣ କଲା । ଶ୍ରୀଯୁକ୍ତ ସୁଧାକର ପଟ୍ଟନାୟକଙ୍କର ନିରବଚ୍ଛିନ୍ନ ଦୀର୍ଘ ସାଧନା, ଅନୁଧ୍ୟାନ ଓ ଅନ୍ୱେଷଣ ଫଳରେ ବ୍ରଜନାଥ ଗ୍ରନ୍ଥାବଳୀ ପ୍ରକାଶିତ ହେବାପରେ ବ୍ରଜନାଥଙ୍କର ସୃଷ୍ଟି ସମ୍ଭାର ଆଜି ଲୋକ ସମକ୍ଷରେ ଉପସ୍ଥାପିତ ହୋଇପାରିଛି ।

 

ଓଡ଼ିଶା ସାହିତ୍ୟ ଏକାଡେମୀ ଯେଉଁ ଉଦ୍ଦେଶ୍ୟରେ ବ୍ରଜନାଥଙ୍କ ସମ୍ପର୍କରେ ଜ୍ଞାତବ୍ୟ ତଥ୍ୟ ସମ୍ବଳିତ ସୂଚନାତ୍ମକ ଗ୍ରନ୍ଥଟିଏ ରଚନା କରିବା ଦାୟିତ୍ୱ ମୋ’ଠାରେ ନ୍ୟସ୍ତ କରିଥିଲେ, ତାହା ମୁଁ ଯଥାସାଧ୍ୟ ସମ୍ପାଦନ କରିଛି । ବ୍ରଜନାଥଙ୍କର ବିଶିଷ୍ଟତା ସମ୍ପନ୍ନ ସାହିତ୍ୟକୃତିର ପରିଚୟ ମାଧ୍ୟମରେ ମୁଁ ତାଙ୍କର କୃତିତ୍ୱ ଓ ସ୍ୱାତନ୍ତ୍ର୍ୟ ପ୍ରତି ପାଠକ ମାନଙ୍କର ଦୃଷ୍ଟି ଆକର୍ଷଣ କରିବାର ପ୍ରୟାସ ମାତ୍ର ଏଥିରେ କରିଛି ।

 

ଓଡ଼ିଶା ସାହିତ୍ୟ ଏକାଡେମୀଙ୍କର ଉଦ୍ଦେଶ୍ୟ ସାଧିତ ହେଲେ ମୋର ଶ୍ରମ ସାର୍ଥକ ହୋଇଛି ବୋଲି ମୁଁ ଅନୁଭବ କରିବି ।

 

ତା୧୬-୧୦-୮୨

ରବୀନ୍ଦ୍ର କୁମାର ପ୍ରହରାଜ

ଶ୍ରୀକ୍ଷେତ୍ର

ଦାଣ୍ଡିମାଳ ସାହି, ପୁରୀ

 

ସୂଚୀପତ୍ର

୧.

ଜନ୍ମ, ଜୀବନ ଓ ସାଧନା

୨.

ବ୍ରଜନାଥଙ୍କ ସାହିତ୍ୟକୃତି: କାଳ ଓ କଳନା

୩.

କେଳିକଳାନିଧି

୪.

ବିଚକ୍ଷଣା

୫.

ଶ୍ୟାମ ରାସୋତ୍ସବ

୬.

ଦଶପୋଈ

୭.

ଗୋପୀବିଳାପ

୮.

ଅମ୍ବିକା ବିଳାସ

୯.

ଚତୁର ବିନୋଦ

୧୦.

ଚତୁର ବିନୋଦର କାହାଣୀ- ଆମୁଖ

୧୧.

ହାସ ବିନୋଦ କଥା

୧୨.

ଅତିହାସ ବିନୋଦ କଥା

୧୩.

ରସ ବିନୋଦ କଥା

୧୪.

ନୀତି ବିନୋଦ କଥା

୧୫.

ପ୍ରୀତି ବିନୋଦ କଥା

୧୬.

ଚତୁର ବିନୋଦର ସୃଜନ ବୈଶିଷ୍ଟ୍ୟ

୧୭.

ତୁଳନାତ୍ମକ ଦୃଷ୍ଟିରେ ଚତୁର ବିନୋଦର ଗଦ୍ୟଶୈଳୀ

୧୮.

ଚତୁର ବିନୋଦର କାହାଣୀ କଳା

୧୯.

ଚତୁର ବିନୋଦରେ ହାସ ଓ ବିନୋଦ

୨୦.

ଚତୁର ବିନୋଦରେ ବ୍ରଜନାଥଙ୍କ କବିତ୍ୱ ଓ ଚାତୁର୍ଯ୍ୟ

୨୧.

ଚତୁର ବିନୋଦରେ ସମାଜ ଚେତନା ଓ ଚରିତ୍ର-ଚିତ୍ର

୨୨.

ଓଡ଼ିଆ ସାହିତ୍ୟରେ ଚତୁର ବିନୋଦର ସ୍ଥାନ

୨୩.

ସମରତରଙ୍ଗର ସୃଜନ ବୈଚିତ୍ର୍ୟ

୨୪.

ସମର କାବ୍ୟ ସମର ତରଙ୍ଗ

୨୫.

ସମରତରଙ୍ଗ ବର୍ଣ୍ଣିତ ସମରର ଐତିହାସିକତା

୨୬.

ସମରତରଙ୍ଗରେ କବିତ୍ୱ ଓ ଚାତୁର୍ଯ୍ୟ

୨୭.

ସମରତରଙ୍ଗର ରଚନା-ଶିଳ୍ପ

୨୮.

ସମରତରଙ୍ଗର ସାହିତ୍ୟିକ ପ୍ରଭାବ

୨୯.

ଗୁଣ୍ଡିଚାବିଜେ: ହିନ୍ଦୀ ଭାଷାବିରଚିତ ବର୍ଣ୍ଣନାତ୍ମକ କାବ୍ୟ

୩୦.

ଅନ୍ୟାନ୍ୟ ରଚନା

 

(କ) ରାଜସଭା

 

(ଖ) ସଙ୍ଗୀତ ଚଉପଦୀ

୩୧.

ସାହିତ୍ୟିକ ବ୍ୟକ୍ତିତ୍ୱ: ଏକ ଆକଳନ

 

ଜନ୍ମ, ଜୀବନ ଓ ସାଧନା

 

ଉତ୍କୃଷ୍ଟ କଳାର ଭୂମି ଉତ୍କଳ ବକ୍ଷରେ ଜନ୍ମ ଗ୍ରହଣ କରି ଯେଉଁ କେତେକ ବାଣୀସାଧକ ପ୍ରତିଭା ଓ ସାଧନାର ପରିଚୟ ଦେଇଯାଇଛନ୍ତି ସେମାନଙ୍କ ମଧ୍ୟରେ ବ୍ରଜନାଥ ବଡ଼ଜେନା ଅନ୍ୟତମ ସ୍ମରଣୀୟ ନାମ । ଢେଙ୍କାନାଳ ରାଜ୍ୟରେ ତାଙ୍କର ଜନ୍ମ । ଅଧୁନାତନ ଢେଙ୍କାନାଳ ସହରର ଉତ୍ତର ଦିଗର ପ୍ରାୟ ୧୬ ମାଇଲ ଦୂରରେ ଯୋରନ୍ଦା ମହିମାଗାଦୀ ସନ୍ନିକଟବର୍ତ୍ତୀ କାବରା ଗ୍ରାମରେ ଆନୁମାନିକ ୧୭୩୦ ଖ୍ରୀଷ୍ଟାବ୍ଦରେ ବାଲୁଙ୍କେଶ୍ୱର ପଟ୍ଟନାୟକଙ୍କର ତୃତୀୟ ପୁତ୍ରରୂପେ ବ୍ରଜନାଥ ଭୂମିଷ୍ଠ ହୋଇଥିଲେ । ସେତେବେଳକୁ ଗଡ଼ଜାତ ଢେଙ୍କାନାଳରେ ରାଜଶାସନ ପ୍ରଚଳିତ ଥିଲା । ଓଡ଼ିଶା ପ୍ରଦେଶର ହର୍ତ୍ତାକର୍ତ୍ତା ଥିଲେ ମୁସଲମାନ ଓ ପରେ ମରହଟ୍ଟା । ୧୭୫୧ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ମରହଟ୍ଟାମାନଙ୍କଦ୍ୱାରା ଅଧିକୃତ ହେବା ସମୟକୁ ଯୁଦ୍ଧବିଗ୍ରହ, ଲୁଣ୍ଠନ ଓ ଅର୍ଥ ଶୋଷଣଦ୍ୱାରା ଦେଶବାସୀଙ୍କର ସ୍ୱାଭାବିକ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ୧୭୭୨ ଖ୍ରୀ:ଅ.ବେଳେ ତ୍ରିଲୋଚନ ମହୀନ୍ଦ୍ର ବାହାଦୂର ନାମକ ଜନୈକ ପ୍ରତାପଶାଳୀ ରାଜା ଢେଙ୍କାନାଳ ସିଂହାସନରେ ଆସୀନ ହେବାପରେ ମରହଟ୍ଟାମାନଙ୍କ ସହିତ ତାଙ୍କର ତୀବ୍ର ବିରୋଧ ଘଟିବାରୁ ଯୁଦ୍ଧ ହୋଇଥିଲା । ଏ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରାଜାମାନଙ୍କର ଗୁଣଗ୍ରାହକତା, ସାହିତ୍ୟ-ସଙ୍ଗୀତ ପ୍ରୀତି ଅବିଚଳିତ ଥିବାରୁ କୃତବିଦ୍ୟ ପଣ୍ଡିତ, କବି ଓ ଶିଳ୍ପୀମାନେ ସେମାନଙ୍କର ପୃଷ୍ଠପୋଷକତା ଲାଭ କରି ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ଶ୍ରୀବୃଦ୍ଧି ସାଧନ କରିଥିଲେ । ଆପଣାର ସାହିତ୍ୟ ସାଧନା ବଳରେ ବ୍ରଜନାଥ ବଡ଼ଜେନା ବହୁ ରାଜସଭାରେ ଆଦୃତ ଓ ସମ୍ମାନିତ ହୋଇଥିଲେ ।

 

ବ୍ରଜନାଥ ଏକ ସଂସ୍କୃତିସମ୍ପନ୍ନ ପରିବାରରେ ଜନ୍ମ ଲାଭ କରିଥିବାର ଜଣାଯାଏ । ‘ଦାର୍ଢ଼୍ୟତା ଭକ୍ତିରସାମୃତ’ରେ ବର୍ଣ୍ଣିତ ଭକ୍ତ ରଘୁଅରକ୍ଷିତ ତାଙ୍କର ପୂର୍ବ ବଂଶଜ । ଭକ୍ତିନିଷ୍ଠା, ନିର୍ମଳ ଚରିତ୍ର ଓ ସାହିତ୍ୟ ରଚନା ଯୋଗୁଁ ରଘୁଅରକ୍ଷିତ ତତ୍କାଳୀନ ଗଜପତି ପ୍ରତାପରୁଦ୍ର ଦେବଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ମାଦଳା ପାଞ୍ଜିରେ ରଘୁଅରକ୍ଷିତଙ୍କ ନାମୋଲ୍ଲେଖ ଦେଖାଯାଏ । ସେ ପ୍ରତାପରୁଦ୍ର ଦେବଙ୍କୁ ଭକ୍ତି ଭାବରେ ବିହ୍ୱଳ କରାଇ ପାରିଥିଲେ । ରଘୁଅରକ୍ଷିତ ପ୍ରଥମରୁ ଅରକ୍ଷିତ ନ ଥିଲେ । ସେ ବଙ୍ଗବାସୀ କୃଷ୍ଣମହାପାତ୍ରଙ୍କ ପୁତ୍ର ଥିବା ବର୍ଣ୍ଣିତ ଅଛି । ଧନଧାନ୍ୟପୂର୍ଣ୍ଣ ପରିବାରର ସନ୍ତାନ ହୋଇଥିଲେ ମଧ୍ୟ ଭାଗ୍ୟଦୋଷରୁ ରଘୁ ଦରିଦ୍ର ଓ ନିଃସହାୟ ଅବସ୍ଥାରେ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ । ପ୍ରଭୁଙ୍କ କୃପାବଳରେ ସେ କ୍ରମଶଃ ସୁସ୍ଥ ଓ ସମ୍ମାନିତ ହୋଇଥିଲେ । ତାଙ୍କ ନାମରେ ବହୁ ଭଜନ ଓ ‘ଗୋଚରାଚର ଗୀତା’ ନାମକ ଏକ ପୁସ୍ତକ ଚଳି ଆସିଛି । ଏହି ଗ୍ରନ୍ଥଟି ଭାରତ ଯୁଦ୍ଧର ଏକ ଶାରୀରିକ ଟୀକା । ପିଣ୍ଡ ମଧ୍ୟରେ ବ୍ରହ୍ମାଣ୍ଡ କଳ୍ପନାର ପଞ୍ଚସଖା ସାହିତ୍ୟିକଧାରା ଏଥିରେ ଅବଲମ୍ବିତ । ରଘୁଅରକ୍ଷିତ ଯେ ଜ୍ଞାନମାର୍ଗୀ ବୈଷ୍ଣବ ଭାବରେ ଖ୍ୟାତି ଅର୍ଜନ କରିଥିଲେ, ଏହା ସୁସ୍ପଷ୍ଟ । ଏହାଙ୍କ ଭଳି ଜଣେ ଅଲୌକିକ ମହିମାବନ୍ତ ପୁରୁଷଙ୍କ ବଂଶଧର ହୋଇଥିବାରୁ ବ୍ରଜନାଥ ଆପଣାକୁ ଗୌରବାନ୍ୱିତ ମନେ କରିଛନ୍ତି । ବ୍ରଜନାଥଙ୍କ ଛଅପୁରୁଷ ପୂର୍ବର ବ୍ୟକ୍ତି ହେଉଛନ୍ତି ରଘୁଅରକ୍ଷିତ । ବ୍ରଜନାଥଙ୍କ ଉକ୍ତିରୁ ଜଣାଯାଏ ଯେ ତାଙ୍କର ପୂର୍ବପୁରୁଷ ପ୍ରଥମେ ପୁରୁଷୋତ୍ତମ କ୍ଷେତ୍ରରେ ବାସ କରୁଥିଲେ । ଘଟଣାକ୍ରମେ ସେମାନେ ବ୍ରଜନାଥଙ୍କ ଜନ୍ମ ସମୟକୁ ଢେଙ୍କାନାଳର ଅଧିବାସୀ ହୋଇଥିଲେ । କେବଳ ରଘୁଅରକ୍ଷିତ ନୁହନ୍ତି ବ୍ରଜନାଥଙ୍କ ପୂର୍ବରୁ ଏହି ସଂସ୍କୃତିବନ୍ତ କରଣ ପରିବାରର ଅଧିକାଂଶ ଥିଲେ କବି । ବ୍ରଜନାଥଙ୍କର ପିତା ବାଲୁଙ୍କେଶ୍ୱର ପଟ୍ଟନାୟକ କବି ଥିଲେ । ବାଲୁଙ୍କେଶ୍ୱରଙ୍କର ଜ୍ୟେଷ୍ଠପୁତ୍ର ଗୋପୀନାଥ, ମଧ୍ୟମପୁତ୍ର ଜଗନ୍ନାଥ ଓ ଚତୁର୍ଥ ତଥା କନିଷ୍ଠ ପୁତ୍ର ଲୋକନାଥ କବିତା ରଚନାରେ ପାରଦର୍ଶୀ ଥିଲେ । ଜଗନ୍ନାଥ କବିଭୂଷଣ ଉପାଧି ପ୍ରାପ୍ତ ହୋଇଥିଲେ । ସମ୍ପ୍ରତି ଲୋକନାଥଙ୍କର ‘ବସନ୍ତରାସୋତ୍ସବ’ ଶୀର୍ଷକ କାବ୍ୟର ପାଣ୍ଡୁଲିପି ମାତ୍ର ସଂଗୃହୀତ ହୋଇଅଛି । ଏମାନଙ୍କ ମଧ୍ୟରେ ବ୍ରଜନାଥ ଥିଲେ ପ୍ରତିଭାଶାଳୀ । କେବଳ ଢେଙ୍କାନାଳ ରାଜ୍ୟରେ ତାଙ୍କର ସାହିତ୍ୟିକ କୃତିତ୍ୱ ସମ୍ବର୍ଦ୍ଧିତ ହୋଇନଥିଲା । ସେ ବହୁ ରାଜସଭାରେ କବି ଓ ପଣ୍ଡିତରୂପେ ପରିଚିତ ଓ ଖ୍ୟାତ ହୋଇଥିଲେ ।

 

ବ୍ରଜନାଥଙ୍କ ବ୍ୟକ୍ତିଗତ ଜୀବନର କେତେକ ଘଟଣା ଜନଶ୍ରୁତି ମାଧ୍ୟମରେ ଜଣାଯାଉଥିଲେ ହେଁ ତାଙ୍କର ଶୈଶବ, ଯୌବନ ଓ ବିବାହ ଇତ୍ୟାଦି ବିଷୟରେ ନିର୍ଦ୍ଦିଷ୍ଟ ତଥ୍ୟ ମିଳେ ନାହିଁ । ଅନୁମିତ ହୁଏ, ସେ ପ୍ରତିଭାଶାଳୀ ଓ ଅନନ୍ୟମନା ଥିବାରୁ ସଂସ୍କୃତ କାବ୍ୟ, ନାଟକ, ବ୍ୟାକରଣ , କୋଷଗ୍ରନ୍ଥ ଓ ଭଞ୍ଜ ସାହିତ୍ୟ ଇତ୍ୟାଦି ଉତ୍ତମରୂପେ ଅଧ୍ୟୟନ କରି ସେଥିରେ ବ୍ୟୁତ୍ପତ୍ତି ଅର୍ଜନ କରିଥିଲେ । ସାହିତ୍ୟ ପ୍ରେମୀ ପିତା ଓ ଜ୍ୟେଷ୍ଠ ଭ୍ରାତାଙ୍କର ପ୍ରୋତ୍ସାହନ ଲାଭ କରି, ସେମାନଙ୍କ ପଦାଙ୍କ ଅନୁସରଣ କରୁ କରୁ ବ୍ରଜନାଥ ଆପଣାର ବିଶିଷ୍ଟତା ସମ୍ପର୍କରେ ଅବହିତ ହୋଇଥିଲେ । ପିତା ଓ ଭ୍ରାତାଙ୍କର ରାଜସଭାରେ ସମ୍ମାନ ଲାଭ ବ୍ରଜନାଥଙ୍କୁ କାବ୍ୟକବିତା ରଚନା ମାଧ୍ୟମରେ ଅନୁରୂପ ବା ଶ୍ରେଷ୍ଠତର ସିଦ୍ଧି ଓ ଗୌରବ ଲାଭ କରିବା କ୍ଷେତ୍ରରେ ଅନୁପ୍ରେରିତ କରିଥିଲା । ସେ ଦରବାରୀ ସାହିତ୍ୟ ଲେଖୁ ଲେଖୁ ସେ ଦିଗରେ ବିଲକ୍ଷଣତା ପ୍ରକାଶ କରିପାରିଥିଲେ । ଓଡ଼ିଶା ରାଜ୍ୟ ବାହାରେ ଆନ୍ଧ୍ର ଓ ମହାରାଷ୍ଟ୍ର ଆଦି ରାଜ୍ୟର ସମ୍ଭ୍ରାନ୍ତ ରାଜସଭାମାନଙ୍କରେ ଶାସ୍ତ୍ରାର୍ଥ ଚର୍ଚ୍ଚା କରିବାକୁ ଯାଇ ସେ ବଙ୍ଗଳା, ତୈଲଙ୍ଗ ଓ ହିନ୍ଦୀ (ଖୋରଠା) ପ୍ରଭୃତି ଭାଷାମାନଙ୍କୁ ଆୟତ୍ତ କରିଥିଲେ ।

 

ସେତେବେଳେ ରାଜାମାନଙ୍କୁ ଆଶ୍ରୟ କରିବା ବ୍ୟତୀତ କବିମାନଙ୍କର ଜୀବିକାର୍ଜନର ଅନ୍ୟ ପନ୍ଥା ନ ଥିଲା । ତେଣୁ ବ୍ରଜନାଥ ରାଜ୍ୟରୁ ରାଜ୍ୟାନ୍ତର ଭ୍ରମଣ କରି କବି ଓ କଳାକାର ଭାବରେ ପରିଚୟ ଦେଇ ଅର୍ଥ ଉପାର୍ଜନ କରି ଆଣୁଥିଲେ । ସେ ସବୁ ସାମୟିକ ଉପାର୍ଜନ କୁଟୁମ୍ବ ପ୍ରତିପୋଷଣ ଲାଗି ଯଥେଷ୍ଟ ବା ପର୍ଯ୍ୟାପ୍ତ ନ ଥିଲା । ତେଣୁ ସ୍ୱଜନ୍ମସ୍ଥଳୀ ଢେଙ୍କାନାଳ ରାଜ୍ୟର ରାଜାଙ୍କଠାରୁ ସ୍ଥାୟୀ ଭାବରେ କିଛି ଭୂବୃତ୍ତି ଲାଭ କରି ପରିବାର ପ୍ରତିପୋଷଣର ନିର୍ଭରଯୋଗ୍ୟ ସଂସ୍ଥାନ କରିବା ଲାଗି ସେ ସଚେଷ୍ଟ ଥିଲେ । ‘ସମରତରଙ୍ଗ’ କାବ୍ୟ ରଚନା କରି ସେ ଢେଙ୍କାନାଳ ରାଜାଙ୍କଠାରୁ ବ୍ରାହ୍ମଣୀ ନଦୀ ତଟବର୍ତ୍ତୀ ନୂଆଗାଁ ନାମକ ବିଶାଳ ଭୂବୃତ୍ତି ଲାଭ କରିଥିଲେ । ମାତ୍ର ଅମଲାମାନଙ୍କର କୃପାଦୃଷ୍ଟି ଆକର୍ଷଣ କରି ନ ପାରିବାରୁ ଦୀର୍ଘ ଛଅବର୍ଷଧରି ସେ ସେଥିରୁ କିଛି ମାତ୍ର ଆୟ କରିପାରି ନ ଥିଲେ । ଶେଷକୁ ‘ରାଜନଙ୍କୁ ଛଳଉକ୍ତି’ ଶୀର୍ଷକ ଏକ ପଦ୍ୟ-ପତ୍ର ଲେଖି ଭାଗଚାଷୀମାନଙ୍କର ଦୌରାତ୍ମ୍ୟ, ହଳ, ବଳଦ ଓ ବିହନର ଅଭାବ ଇତ୍ୟାଦି ଜଣାଇବାରୁ ଅବସ୍ଥାର କିଞ୍ଚିତ୍‌ ପରିବର୍ତ୍ତନ ଘଟିଥିଲା ।

 

ବ୍ରଜନାଥ ଥିଲେ ସ୍ୱାଭିମାନୀ । ଆପଣାର ବିଦ୍ୟା-ବୁଦ୍ଧି ଉପରେ ତାଙ୍କର ବିଶ୍ୱାସ ଦୃଢ଼ ଓ ଅବିଚଳିତ ଥିଲା । ବିଶେଷତଃ ବିଭିନ୍ନ ରାଜଦରବାରରେ ଗତାଗତ କରୁଥିବାରୁ ବହୁ ବିଜ୍ଞ ବ୍ୟକ୍ତିଙ୍କର ସଂସ୍ପର୍ଶ ଓ ସଂଘର୍ଷରେ ଆସି ସେ ତାଙ୍କର ବ୍ୟକ୍ତିତ୍ୱକୁ ମାର୍ଜିତ ଓ ଶାଣିତ କରିଥିଲେ । ସାହିତ୍ୟ ସଂସ୍କୃତିର ପୃଷ୍ଠପୋଷକ ରାଜାଙ୍କୁ ସେ ପ୍ରଶଂସା କରୁଥିଲେ । ଆତ୍ମସମ୍ମାନ ବିନିମୟରେ ତୋଷାମୋଦ କରୁନଥିଲେ । ତାଙ୍କର ସମସାମୟିକ ବହୁ କବି ଓ ଶିଳ୍ପୀ କାର୍ଯେ୍ୟାଦ୍ଧାର ବା ଅର୍ଥଲାଭ ଲାଗି ରାଜାମାନଙ୍କୁ ସ୍ତୁତି କରୁଥିବା ସମ୍ପର୍କରେ ସେ ଅବହିତ ଥିଲେ । ଗୁଣଗ୍ରାହୀ ରାଜାଙ୍କର ଯଶୋଗାନ ସେ କାଳରେ କବିର କର୍ତ୍ତବ୍ୟରୂପେ ବିବେଚିତ ହେଉଥିଲା । ‘ବିନାଶ୍ରୟଂ ନବର୍ତ୍ତନ୍ତେ କବିତା-ବନିତା-ଲତା’ ଏହି ଆପ୍ତବାକ୍ୟ ସମ୍ପର୍କରେ ସେ ଥିଲେ ଏକାନ୍ତ ସଚେତନ । ସେଥିପାଇଁ କାବ୍ୟ ରଚନାର କଠୋର ଶ୍ରମ ଓ ସାଧନା ବରଣ କରି ସେ ଚାହୁଁଥିଲେ ପାରିଶ୍ରମିକ । ଯେଉଁଠାରେ ଆଶାନୁରୂପ ପାରିଶ୍ରମିକ ମିଳୁ ନ ଥିଲା ବା ଗ୍ରାହକତାର ଅଭାବ ପରିଲକ୍ଷିତ ହେଉଥିଲା ସେଠାରୁ ସେ ଯଥାଶୀଘ୍ର ବିଦାୟ ଘେନୁଥିଲେ । ଅତ୍ୟନ୍ତ ଆୟାସ ସାପେକ୍ଷ ତାଙ୍କର ‘ଅ’ ଆଦ୍ୟାନୁପ୍ରାସ ସମ୍ବଳିତ ‘ଅମ୍ବିକା ବିଳାସ’ କାବ୍ୟଟିକୁ ସେ କେନ୍ଦୁଝର ରାଜସଭାରେ ଅବସ୍ଥାନ କରି ରଚନା କରିଥିଲେ । ଗ୍ରନ୍ଥଟି କେନ୍ଦୁଝର ରାଜା ବଳଭଦ୍ର ଭଞ୍ଜଙ୍କ ନାମରେ ଭଣିତ ହୋଇଥିଲା । ସ୍ପଷ୍ଟ କାରଣ କିଛି ଜଣାଯାଉ ନ ଥିଲେହେଁ ଜନଶ୍ରୁତି ଅନୁସାରେ କବି ବ୍ରଜନାଥ ବଳଭଦ୍ର ଭଞ୍ଜଙ୍କଠାରେ ବିମୁଖ ହୋଇ ଢେଙ୍କାନାଳ ପ୍ରତ୍ୟାବର୍ତ୍ତନ ପରେ ଗ୍ରନ୍ଥଟିକୁ ନିଜ ନାମରେ ଭଣତି କରି ଚଳାଇଥିଲେ-

 

ବ୍ରଜନାଥ ଥିଲେ ପ୍ରଗାଢ଼ ପରିଶ୍ରମୀ । ଲୁହା ଲେଖନୀ ଦ୍ୱାରା ପୋଥି ଲେଖିବାରେ ସେ ଥିଲେ ଅତ୍ୟନ୍ତ ପ୍ରବୀଣ । ଜନଶ୍ରୁତି କହେ ଯେ ଥରେ ବ୍ରଜନାଥ ଗଜପତି ସମ୍ରାଟଙ୍କ ରାଜସଭାରେ ଉପସ୍ଥିତ ଥିଲାବେଳେ ଜନୈକ ବିଶିଷ୍ଟ ପୋଥି ଲେଖକଙ୍କର ପୋଥି ଲେଖାର ସୁଖ୍ୟାତି ଚର୍ଚ୍ଚା ହେବାରୁ ସେ ତାଙ୍କ ସହିତ ପ୍ରତିଦ୍ୱନ୍ଦିତା କରିବାକୁ ପ୍ରସ୍ତୁତ ହେଲେ । ପ୍ରଖ୍ୟାତ ପୋଥି ଲେଖକ ସୂକ୍ଷ୍ମ ଅକ୍ଷରରେ ଶ୍ଳୋକଟିଏ ଲେଖି ଦେବାପରେ ବ୍ରଜନାଥ ସେହି ଅକ୍ଷରମାନଙ୍କ ମଧ୍ୟରେ ସ୍ପଷ୍ଟ ଅଥଚ ସୂକ୍ଷ୍ମତର ଭାବରେ ଅକ୍ଷରଗୁଡ଼ିକ ଲେଖି ଦେଇ ଗଜପତି ଓ ତାଙ୍କର ସଭାସଦବର୍ଗଙ୍କୁ ଚମତ୍କୃତ କରିଦେଲେ । ଗଜପତି ତାଙ୍କୁ ନାଁଟିଏ ଦେବାକୁ ଚାହିଁବାରୁ ସେ ପ୍ରାର୍ଥନା କଲେ, ‘ମଣିମା, ଯେ ନାଁ ବଡ଼, ତାହା ମୋତେ ଦିଆଯାଉ ।’ ବିଦଗ୍ଧ ଗଜପତି ତହୁଁ ତାଙ୍କୁ ନାଁ ଦେଲେ ‘ବଡ଼ଜେନା’ ସେହିଦିନଠାରୁ ବାଲୁଙ୍କେଶ୍ୱର ପଟ୍ଟନାୟକଙ୍କ ପୁତ୍ର ବ୍ରଜନାଥ ପଟ୍ଟନାୟକ ବ୍ରଜନାଥ ବଡ଼ଜେନା ନାମରେ ପରିଚିତ ହେଲେ ।

 

ବ୍ରଜନାଥ ସାହିତ୍ୟ ରଚନାରେ ପାରଦର୍ଶିତା ଲାଭ କରିବା ସଙ୍ଗେ ସଙ୍ଗେ ଚିତ୍ରବିଦ୍ୟା ଓ କଳାଶିଳ୍ପ ସାଧନାରେ ନିପୁଣତା ହାସଲ କରିଥିଲେ । ଲୁହାଲେଖନୀ, ବାଉଁଶକଲମ ଓ ତୁଳୀ- ଏହିପରି ‘ତିନିକଲମ’ ସେ ସାଧ୍ୟ କରିଥିଲେ । ବଉଳମଞ୍ଜି, କାଇଁଚ, ଆଭ ଓ କଚକଡ଼ା ଉପରେ ସୂକ୍ଷ୍ମ ଚିତ୍ରମାନ ଲେଖି ସେ ରାଜାଙ୍କୁ ଉପହାର ଦେଉଥିଲେ । ଉପଯୁକ୍ତ ଗ୍ରାହକତା ଲାଭ କରିଥିଲେ ତାଙ୍କର ସର୍ଜନଶୀଳ ପ୍ରତିଭା ସମଧିକ ଉର୍ଜ୍ଜସ୍ୱଳ ହୋଇ ପାରିଥାନ୍ତା । ‘ରାଜସଭା’ ଶୀର୍ଷକ ପଦ୍ୟରଚନାରେ ସେ ଏହାର ବଳିଷ୍ଠ ସୂଚନା ଦେଇ ଲେଖିଛନ୍ତି -:

 

‘କରି ପିତୁଳା ପ୍ରବନ୍ଧ

ଲେଖିଲେ ଗୀତଗୋବିନ୍ଦ

ଶହେ ଟଙ୍କା ସେ

ପସନ୍ଦ ମୂଲ୍ୟ ହୋଇବ’

 

ଏଭଳି ସଚିତ୍ର ଗୀତଗୋବିନ୍ଦ ପୋଥି ସେ ଲେଖିଥିଲେ କି ନାହିଁ ଜଣା ଯାଇନଥିଲେ ହେଁ ସୌଭାଗ୍ୟବଶତଃ ତାଙ୍କଦ୍ୱାରା ପ୍ରସ୍ତୁତ ଏକ ଚିତ୍ର ସମ୍ବଳିତ ଭାଗବତ ପୋଥି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲ୍ଲାର ଭିଲିଙ୍ଗୀ ଗ୍ରାମରୁ ମିଳିଅଛି । ବ୍ରଜନାଥଙ୍କର ସ୍ୱହସ୍ତ ଅଙ୍କିତ ଚିତ୍ର ବହନ କରିଥିବା ସେହି ଅମୂଲ୍ୟ ପୋଥି-ପାଣ୍ଡୁଲିପିଟି ସମ୍ପ୍ରତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ଡକ୍ଟର ଶରତ ଚନ୍ଦ୍ର ବେହେରାଙ୍କଦ୍ୱାରା ସଂରକ୍ଷିତ ହୋଇଥିବାର ଜଣାଯାଏ । ଆଞ୍ଚଳିକ ଜନଶ୍ରୁତିରୁ ଆହୁରି ମଧ୍ୟ ଜଣାଯାଏ ଯେ ବ୍ରଜନାଥ ଆପଣା ଜନ୍ମସ୍ଥଳୀ କାବରା ଗ୍ରାମରେ ସ୍ୱଜନ୍ମ ତିଥିରେ ଏକ ବଟବୃକ୍ଷ ରୋପଣ କରିଥିଲେ । ତାହାରି ମୂଳରେ ସେ ନିଜ ହାତରେ ଗଢ଼ିଥିବା ହନୁମାନ ମୂର୍ତ୍ତି ପ୍ରତିଷ୍ଠା କରିଥିଲେ । ସେଠାରେ ମେଷସଂକ୍ରାନ୍ତି ତିଥିରେ କବିଙ୍କର ଜନ୍ମୋତ୍ସବ ଜୟନ୍ତୀ ପାଳିତ ହୋଇଥାଏ ।

 

ବ୍ରଜନାଥଙ୍କର କଳାନୈପୁଣ୍ୟର ବହୁ ନିଦର୍ଶନ କାଳ ବକ୍ଷରେ ହଜିଯାଇଛି । ତାଙ୍କର ସ୍ୱହସ୍ତଲିଖିତ ପୋଥି ମଧ୍ୟ ସମଦଶାପ୍ରାପ୍ତ ହୋଇଅଛି । ସେଗୁଡ଼ିକ କିଛିକାଳ ଯାବତ୍‌ ତାଙ୍କ ଦାୟାଦମାନଙ୍କଦ୍ୱାରା ସଂରକ୍ଷିତ ହୋଇଥିଲା । ମାତ୍ର ଅଗ୍ନିଦାହ ମଧ୍ୟରେ ସେଗୁଡ଼ିକ ନିଶ୍ଚିହ୍ନ ହୋଇଯାଇଛି । ସେ ତାଙ୍କ ସମୟର ଜନାଦୃତ କବି ଭାବରେ ଖ୍ୟାତି ଅର୍ଜନ କରିଥିବାରୁ ସାହିତ୍ୟପ୍ରେମୀମାନଙ୍କର ଆଗ୍ରହ ଯୋଗେ ଅନୁଲେଖକମାନଙ୍କଦ୍ୱାରା ତାଙ୍କର ଯେଉଁ କେତେକ ଗ୍ରନ୍ଥ ଅନୁଲିଖିତ ହୋଇ ବିଭିନ୍ନ ବ୍ୟକ୍ତିମାନଙ୍କଠାରେ ସଂଗଚ୍ଛିତ ଥିଲା, କେବଳ ସେହିଗୁଡ଼ିକୁ ଉଦ୍ଧାର କରାଯାଇଛି । ଇତିହାସବିଦ୍‌ ସୁଧାକର ପଟ୍ଟନାୟକ ଦୀର୍ଘ ଚାଳିଶ ବର୍ଷର ଅନୁସନ୍ଧାନ ଓ ଗବେଷଣା ଫଳରେ ‘ବ୍ରଜନାଥ ଗ୍ରନ୍ଥାବଳୀ’ ନିର୍ମାଣ କରିପାରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ ଏହି ଗ୍ରନ୍ଥ ପ୍ରକାଶ କରିବା ପରେ ବ୍ରଜନାଥଙ୍କର ସାହିତ୍ୟକୃତି ସମ୍ପର୍କରେ ସ୍ପଷ୍ଟ ତଥା ସାମଗ୍ରିକ ଧାରଣା ସମ୍ଭବପର ହୋଇପାରିଛି ।

 

ଚିତ୍ରାଙ୍କନ ଥିଲା ବ୍ରଜନାଥଙ୍କର ସଉକ, ସାହିତ୍ୟ ରଚନା ଥିଲା ପେସା । ସେହି ସାହିତ୍ୟରେହିଁ ତାଙ୍କର ବ୍ୟକ୍ତିତ୍ୱର ସନ୍ଧାନ ମିଳେ । ସେ ଯେଉଁ କାଳରେ ସାହିତ୍ୟ ସାଧନା ଆରମ୍ଭ କରିଥିଲେ, ତାହା ଥିଲା ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ଦର୍ଶନ ଅନୁପ୍ରାଣିତ ଯୁଗ । ଶିଷ୍ଟ-ବିଶିଷ୍ଟ ପାଠକ ଓ ଶ୍ରୋତୃମଣ୍ଡଳୀଙ୍କର କର୍ଣ୍ଣ-ମନ ବିଷୟ-ଚିତ୍ରର ବିବିଧତା ବା ବୈଚିତ୍ର୍ୟ ପ୍ରତି ଯେତେ ନୁହେଁ, ଧ୍ୱନିମଞ୍ଜୁଳ ପଦବିନ୍ୟାସର ଆଳଙ୍କାରିକ ଚାତୁର୍ଯ୍ୟ ଓ ମଣ୍ଡନଶିଳ୍ପ ପ୍ରତି ସମଧିକ ଆକୃଷ୍ଟ ଓ ଅଭ୍ୟସ୍ତ ଥିଲା । ଅଧିକନ୍ତୁ କାବ୍ୟ କବିତାର ପୃଷ୍ଠପୋଷକ ରାଜା ଓ ସାମନ୍ତଶ୍ରେଣୀ ବିଳାସ ମୟ ଜୀବନଯାପନ କରୁଥିବାରୁ ଅଧିକାଂଶ କବି ସେମାନଙ୍କର ଚିତ୍ତବିନୋଦନ ଲକ୍ଷ୍ୟରେ ରସ ପରିବେଷଣ କରିବାକୁ ଯାଇ ଶୃଙ୍ଗାରରସର ଭୂୟସୀ ପ୍ରୟୋଗ ଘଟାଇଥିଲେ । ଏହି ଶୃଙ୍ଗାରିକ ଭାବ-ଭାବନାକୁ ରୁଚିବନ୍ତ ଓ ସାଡ଼ମ୍ବର କରିବାପାଇଁ କବିମାନଙ୍କୁ ଆୟାସ ସାଧନ କରିବାକୁ ପଡ଼ୁଥିଲା । ଛନ୍ଦ, ଅଳଙ୍କାର, ପଦବନ୍ଧଜନିତ ଶୃଙ୍ଖଳା ଇତ୍ୟାଦିକୁ ଆୟତ୍ତ ନକଲେ କାବ୍ୟ ରଚନା ସମ୍ଭବ ନ ଥିଲା । ସଂସ୍କୃତ ଓ ପ୍ରାକୃତ କାବ୍ୟ, ନାଟକ, ଅମର ଓ ମେଦିନୀ କୋଷାଦି ଗ୍ରନ୍ଥ ତଥା ଅଳଙ୍କାର ଶାସ୍ତ୍ରମାନ ଅଧ୍ୟୟନ ଓ ମନନ ଶବ୍ଦ ଓ ଅର୍ଥର ଯଥାଯଥ ପ୍ରୟୋଗ ଲାଗି ଥିଲା ଅପରିହାର୍ଯ୍ୟ । ଲୌହ ଲେଖନୀ ସାହାଯ୍ୟରେ ତାଳପତ୍ର ପୃଷ୍ଠାରେ ଲେଖିଲାବେଳେ ଭ୍ରାନ୍ତିବିଚ୍ୟୁତିକୁ ଏଡ଼ାଇବାକୁ ପଡ଼ୁଥିବାରୁ କାବ୍ୟ ରଚନା ଥିଲା ତପଃସାଧନ ଭଳି କଠୋର ଅଧ୍ୟବସାୟ ଓ ଅବଧାନତା ପ୍ରସୂତ କାର୍ଯ୍ୟ । ସେଥିପାଇଁ ନୈସର୍ଗିକ ପ୍ରତିଭାସମ୍ପନ୍ନ ବ୍ୟକ୍ତିହିଁ କାବ୍ୟରଚୟିତା ହୋଇପାରନ୍ତି ବୋଲି ଦୃଢ଼ ଧାରଣା ସମାଜରେ ପ୍ରଚଳିତ ଥିଲା । ଶିକ୍ଷାଦୀକ୍ଷାର ସୁଯୋଗ ସଙ୍କୁଚିତ ଥିବାରୁ ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତି କବିତା ରଚନା କରିପାରୁଥିଲେ । ସେମାନଙ୍କ ମଧ୍ୟରେ ବିଲକ୍ଷଣ ମୌଳିକତା ଓ ସ୍ୱକୀୟ ଦୃଷ୍ଟିଭଙ୍ଗୀର ପରିଚୟ ଦେଉଥିବା କବିମାନଙ୍କର ଅଭ୍ୟୁଦୟ ଥିଲା ଏକାନ୍ତ ଆକସ୍ମିକ । ବ୍ରଜନାଥ ବଡ଼ଜେନା ଥିଲେ ସେହି ଆକସ୍ମିକତାର ବାର୍ତ୍ତାବହ । ଭଞ୍ଜଯୁଗୀୟ ଅନ୍ୟାନ୍ୟ ଅନେକ କାବ୍ୟକାରଙ୍କ ମଧ୍ୟରେ ତାଙ୍କର ଚାହାଁଣିଗତ ବିବିଧତା ଚମତ୍କାରିତା ସମ୍ପନ୍ନ । ପରିବେଶ ବା ଅନ୍ୟକିଛି ପ୍ରତିକୂଳାତ୍ମକ କାରଣରୁ ବ୍ରଜନାଥଙ୍କ ସାହିତ୍ୟ ସୃଷ୍ଟି ଯଥାଯଥ ପ୍ରଚାର ଓ ପ୍ରସାର ଲାଭ କରିପାରି ନ ଥିବାରୁ ସେ ଅନାଲୋଚିତ ପ୍ରାୟ ଥିଲେ । ତୁଳନାତ୍ମକ ଦୃଷ୍ଟିରେ ବିଚାର କଲେ ବ୍ରଜନାଥ କେତେକ ଦୃଷ୍ଟିରୁ ତାଙ୍କ ସମସାମୟିକ ସାହିତ୍ୟକାରମାନଙ୍କ ମଧ୍ୟରେ ପ୍ରଗତିଶୀଳ ଥିବା ଜଣାଯାଏ । ବୋଧହୁଏ, ସେଥିପାଇଁ ସେ ପରମ୍ପରାର ପରିବର୍ତ୍ତନ କରିବାକୁ ପ୍ରୟାସ କରିଛନ୍ତି ଓ ସଫଳତା ଅର୍ଜନ କରିଛନ୍ତି । ଆତ୍ମପରିଚୟ ଦେବାକୁ ଯାଇ ସେ ନିଃସଙ୍କୋଚରେ ଆଶା, ନିରାଶା, ଦାରିଦ୍ର୍ୟ-ଦହନର ବିବରଣୀ ବାଢ଼ି ଯାଇଛନ୍ତି ।

 

ସେ ପ୍ରମାଣ କରିଯାଇଛନ୍ତି ଯେ ସାହିତ୍ୟକୁ ଜୀବନ୍ତ ଓ ଚଳମାନ ସାହିତ୍ୟକରି ରଖିବାକୁ ହେଲେ ଉଭୟ ବିଦଗ୍ଧ ଓ ଗ୍ରାମ୍ୟ ସାହିତ୍ୟ ସର୍ଜନ କରିବାକୁ ହେବ । ବିଦଗ୍ଧ ସାହିତ୍ୟ ପରିବେଷଣକାରୀର ରୁଚିବୋଧ ଗ୍ରାମ୍ୟସାହିତ୍ୟରେ ପ୍ରତିଫଳିତ ହେଲେ ତାହାର ରୂପାନ୍ତରୀକରଣ ସମ୍ଭବ ଓ କାମ୍ୟ ହେବ । ବ୍ରଜନାଥଙ୍କ ପୂର୍ବର ବହୁକବି ଏଭଳି ଉଦ୍ୟମ କରିଯାଇଥିଲେହେଁ ବ୍ରଜନାଥଙ୍କର ଏ ଦିଗରେ ସିଦ୍ଧି ଅନନ୍ୟ ସାଧାରଣ । ଆପଣାର ଅଭିଜ୍ଞତା ଓ ଅନୁଭୂତିକୁ ସାହିତ୍ୟରେ ରୂପାୟିତ କରିବା କ୍ଷେତ୍ରରେ ତାଙ୍କର ଉଦ୍ୟମ ଲକ୍ଷଣୀୟ ।

 

ବ୍ରଜନାଥଙ୍କ ସାହିତ୍ୟ କୃତି : କାଳ ଓ କଳନା

 

ବ୍ରଜନାଥଙ୍କର ସାହିତ୍ୟକୃତିମାନଙ୍କୁ ଲକ୍ଷ୍ୟକଲେ ଜଣାଯାଏ ସେ ଉଭୟ ପଣ୍ଡିତ ଓ ଅପଣ୍ଡିତ ସାଧାରଣ ପାଠକମାନଙ୍କ ପାଇଁ ସାହିତ୍ୟ ସୃଷ୍ଟି କରିଛନ୍ତି । ସେହି ସୃଷ୍ଟି ସମ୍ଭାର ମଧ୍ୟରେ କାଳ୍ପନିକ ଶୃଙ୍ଗାରରସାଶ୍ରୟୀ କାବ୍ୟ ‘କେଳି କଳାନିଧି’ ଓ ‘ବିଚକ୍ଷଣା’ର ଆଳଙ୍କାରିକ ସୌଷ୍ଠବ, କୃଷ୍ଣଲୀଳାଶ୍ରୟୀ ‘ଶ’ ଆଦ୍ୟାନୁପ୍ରାସଯୁକ୍ତ ‘ଶ୍ୟାମ ରାସୋତ୍ସବ’ ‘ଦେଶଭାଷା’ ନିର୍ମିତ ଅଥବା ପଲ୍ଲୀସାହିତ୍ୟରୂପେ ଗ୍ରହଣୀୟ ‘ଗୋପୀ ବିଳାପ ବୋଲି’, ‘ଦଶପୋଈ’, ‘ବିଦେଶଅନୁଚିନ୍ତା’ର ସାବଲୀଳ ପ୍ରକାଶଭଙ୍ଗୀ, ଦକ୍ଷଯଜ୍ଞ ଭଗ୍ନ ଓ ତାର ପରବର୍ତ୍ତୀ ଶିବ-ପାର୍ବତୀଙ୍କ ଲୀଳା- ବର୍ଣ୍ଣିତ ଅ ଆଦ୍ୟାନୁପ୍ରାସ ସମ୍ବଳିତ ବହୁଭାଷାର ପଦବନ୍ଧଯୁକ୍ତ ପାଣ୍ଡିତ୍ୟପୂର୍ଣ୍ଣ ମହାକାବ୍ୟ ‘ଅମ୍ବିକା ବିଳାସ’ର ରଚନା ପାଟବ, ଗଦ୍ୟ ରଚନା ‘ଚତୁର ବିନୋଦ’ର ଚାତୁର୍ଯ୍ୟପୂର୍ଣ୍ଣ ଉପଭୋଗ୍ୟତା, ‘ସମର ତରଙ୍ଗର’ ଐତିହାସିକ ସଜୀବତା ଓ ହିନ୍ଦୀ କାବ୍ୟ ‘ଗୁଣ୍ଡିଚାବିଜେ’ର କବିତ୍ୱ ଓ ଗୀତିମୟତାରୁ ବ୍ରଜନାଥଙ୍କର ନିରୁପମ ସାହିତ୍ୟିକ ସିଦ୍ଧିର ପରିଚୟ ମିଳିଥାଏ ।

 

ଅଷ୍ଟାଦଶ ଶତାବ୍ଦୀରେ ଆବିର୍ଭୂତ କବି ବ୍ରଜନାଥ ବଡ଼ଜେନା ମଧ୍ୟଯୁଗୀୟ କବି ପରମ୍ପରାର ବିଚକ୍ଷଣ ଓ ବିଶ୍ୱସ୍ତ ଦାୟାଦ ଭାବରେ ସ୍ୱକୃତ ଏକାଧିକ ଗ୍ରନ୍ଥରେ ଯେଉଁ ଆତ୍ମପରିଚୟ ଲିପିବଦ୍ଧ କରିଯାଇଅଛନ୍ତି, ତାହା ତାଙ୍କର କାଳ ନିରୂପଣ କ୍ଷେତ୍ରରେ ସର୍ବାଧିକ ନିର୍ଭରଯୋଗ୍ୟ ଉପାଦାନ ହୋଇଥିବାରୁ ସେଥିରୁ କେତେକ ଉଦ୍ଧୃତି ଅନୁଧ୍ୟାନଯୋଗ୍ୟ ।

 

କବି ‘କେଳି-କଳା-ନିଧି’ କାବ୍ୟର ଷଷ୍ଠଦଶ ତଥା ଶେଷ ଛାନ୍ଦରେ ଲେଖିଛନ୍ତି :-

 

‘ବର୍ଣ୍ଣରେ ଅଟୁ ଆମ୍ଭେ ଶିଷ୍ଟକରଣ,

ରଘୁଅରକ୍ଷିତଙ୍କ ବଂଶେ ନିପୁଣ ଯେ,

ବାଲୁଙ୍କେଶ୍ୱର ପଟ୍ଟନାୟକଙ୍କର

ଭାଗ୍ୟରେ ହେଲୁ ଆମ୍ଭେ ଚାରିକୁମର ଯେ ।୨୫।

 

ଗୋପୀନାଥ ପଟ୍ଟନାୟକ ଅଗ୍ରଜ

ଜଗନ୍ନାଥ ନାମରେ ତାଙ୍କ ଅନୁଜ ଯେ

ବଡ଼ ଯେନା ପଦ ମୋର ରାଜଦତ୍ତ

ଲୋକନାଥ ନାମରେ କନିଷ୍ଠ ଭ୍ରାତ ଯେ ।୨୬।

 

ଆମ୍ଭେ ଚାରିହେଁ କବି ଚାରି ଜାତିରେ

ସଂସ୍କୃତ ପରାକୃତ ହିନ୍ଦୁ ସ୍ଥାନୀରେ

ଓଡ଼ିଆ ବଙ୍ଗଳା ତେଲଙ୍ଗୀ ଭାଷାରେ

ହାସ ରସ କୌତୁକ ଉକ୍ତି ରୀତିରେ ଯେ ।୨୭।

 

ଶ୍ରୀ କ୍ଷେତ୍ର-ବରେ ପୂର୍ବେ ନିବାସ ଥିଲା

ବିଧି ବଶରେ ସେହୁ ଅନ୍ତର ହେଲା ଯେ,

ତହୁଁ କେତେ କାଳ ଗଲା ଓଡ଼ିଶାରେ

ଷଷ୍ଠ ପୁରୁଷ ହେଲା ଢେଙ୍କାନାଳରେ ଯେ ।୨୮।’

 

‘ଗୋପୀ ବିଳାପ’ ଗ୍ରନ୍ଥର ଷଷ୍ଠ ତଥା ଶେଷ ବୋଲିର ଶେଷାଂଶରେ କବି ଉପଯୁକ୍ତ ତଥ୍ୟ ବ୍ୟତୀତ ଢେଙ୍କାନାଳ ନଗରର ମୁକ୍ତାଦେଈପୁର ଶାସନ ଆଗରେ ତାଙ୍କ ଘର ଥିବା ଓ ଜ୍ୟେଷ୍ଠଭ୍ରାତା ଗୋପୀନାଥ ଜଗନ୍ନାଥ ଭକ୍ତ, ମଧ୍ୟମ ଭ୍ରାତା ଜଗନ୍ନାଥ କବିଭୂଷଣ ପଦବୀଯୁକ୍ତ ଓ କନିଷ୍ଠ ଭ୍ରାତା ଲୋକନାଥ ରାଉତରା ପଦବୀପ୍ରାପ୍ତ ହୋଇଥିବାର ଉଲ୍ଲେଖ କରିଛନ୍ତି । ‘ଶ୍ୟାମ ରାସୋତ୍ସବ’ର ଦଶମ ଛାନ୍ଦ, ‘ବିଚକ୍ଷଣା’ର ନବମ ଛାନ୍ଦ, ‘ସମର ତରଙ୍ଗ’ର ସପ୍ତମ ଛାନ୍ଦରେ କବି ଆତ୍ମପରିଚୟ ପ୍ରଦାନ କରିବାକୁ ଯାଇ ଅଧିକ କିଛି ବ୍ୟକ୍ତ କରିନାହାନ୍ତି । ମାତ୍ର ଗ୍ରନ୍ଥାବଳୀ ସନ୍ନିବେଶିତ ଢେଙ୍କାନାଳରୁ ପ୍ରାପ୍ତ ‘ଅମ୍ବିକା ବିଳାସ’ର ପରିଶିଷ୍ଟାଂଶରେ ଆପଣା କୃତିତ୍ୱର ସମଧିକ ପରିଚୟ ପ୍ରଖ୍ୟାପନ କରି ସେ ଲେଖିଛନ୍ତି –

 

‘ଅଟୁ ଆମ୍ଭେ ଚାରିଭ୍ରାତ

କବିତ୍ୱେ ପ୍ରଶସ୍ତ

ତିନି କଲମରେ ଶ୍ରମପୂର୍ଣ୍ଣ

ଅତି ରମ୍ୟ ରୂପ ଚିତ୍ର

ପଟ ତାଳପତ୍ର

କାଗଜେ ଅଙ୍କନ ସୁଘଟଣ ।୨।

ଅଭ୍ର ବାଂଶ ପଲ୍ଲବରେ

ବକୁଳ ବୀଜରେ

ପୁଷ୍ପେ ଅବ୍‌ଜ ନବଦଳ ପରେ

ଅକ୍ଷର ସମୂହ ସୂକ୍ଷ୍ମ

ଲେଖିଛି ସୁଷମ

ଲୋକନେ ମନରଞ୍ଜନ କରେ।୩।

ଅଥ ସଂସ୍କୃତ ପ୍ରାକୃତ

ହିନ୍ଦୀ ତୈଲଙ୍ଗେତ

ବଙ୍ଗ ଭାଷେ ଅଛି କିଛି ବୋଲି

ଅନେକ ପ୍ରକାରେ ଚଉ-

ପଦୀ ଗୀତ ଚଉ-

ତିଶାଦି ପୋଈ ଢଗଢମାଳୀ ।୪।

ଅଛି ବୋଲି ଛନ୍ଦ

ଶ-ବର୍ଣ୍ଣେ ପ୍ରବନ୍ଧ

ବ-ବର୍ଣ୍ଣେ ବବାଦି କ୍ରମେ ଛନ୍ଦ

ଅଥ ଦଣ୍ଡକ ଚୂର୍ଣ୍ଣ

କରସ କଉତୁକ

ଗୀତ ଆଦି ଉପନ୍ୟାସ ବୃନ୍ଦ ।୫।

 

ଏଥିରୁ କବି ବ୍ରଜନାଥଙ୍କର ବଂଶାନୁକ୍ରମିକ ପରିଚୟ ସହିତ ସାରସ୍ୱତ କୃତିତ୍ୱର ସ୍ୱରୂପ ଅବଧାରଣ କରାଯାଇପାରେ ।

 

‘ସମରତରଙ୍ଗ’ ପରବର୍ତ୍ତୀ ‘ରାଜନଙ୍କୁ ଛଳଉକ୍ତି’ ନାମକ ଏକ କ୍ଷୁଦ୍ର ପଦ୍ୟ ରଚନାରେ ବ୍ରଜନାଥ ଲେଖିଛନ୍ତି :

 

“ସାତ ବରଷ ହୋଇଲା ସାତ ପଣ ଶ୍ରୀଛାମୁରୁ ନ ପାଇଲି

ନିମକ ହାରାମ ହୋଇ କେଉଁ କାମ କୋଠର ବା ହାନି କଲି ।

X X X X X

ଷାଠିଏ ବରଷ କାଳରେ ମୋହର ଉଠିବାକୁ ନାହିଁ ବଳ

ପିଠି ଅଣ୍ଟା ବେକ ଲାଗିଗଲାଣି ମୋ ପୋଥି ଲେଖାରୁ କେବଳ ।’’

 

‘ସମର ତରଙ୍ଗ’ ବର୍ଣ୍ଣିତ ଢେଙ୍କାନାଳ-ମରହଟ୍ଟା ଯୁଦ୍ଧ ୧୭୮୧ ମସିହାରେ ସଂଘଟିତ ହୋଇଥିବା ଇତିହାସ ସମର୍ଥିତ ତଥ୍ୟ ହୋଇଥିବାରୁ ଯୁଦ୍ଧ ପରବର୍ତ୍ତୀ ବର୍ଷକ ମଧ୍ୟରେ ‘ସମର ତରଙ୍ଗ’ ରଚିତ ହୋଇଥିବା ସମ୍ଭବ । ତା ପରବର୍ଷ ବା ସେହି ବର୍ଷ ଅର୍ଥାତ୍‌ ୧୭୮୨ ବା ୧୭୮୩ ମସିହାରେ କବି ‘ସମରତରଙ୍ଗ’ ବର୍ଣ୍ଣିତ ଢେଙ୍କାନାଳର ରାଜା ତ୍ରିଲୋଚନ ମହୀନ୍ଦ୍ର ବାହାଦୁରଙ୍କୁ ଏହି କାବ୍ୟଟିକୁ ଭେଟି ଦେଇ ନୂଆ ଗାଁ ଗ୍ରାମଟିକୁ ଇନାମ୍‍ସ୍ୱରୂପ ପାଇଥିଲେ । ପୁରସ୍କାର ପ୍ରାପ୍ତି ବିଷୟ ‘ସମର ତରଙ୍ଗ’ ସପ୍ତମ ଛାନ୍ଦରେ ବର୍ଣ୍ଣିତ ଅଛି । ‘ରାଜନଙ୍କୁ ଛଳଉକ୍ତି’ରେ କବି ପୁରସ୍କାର ପ୍ରାପ୍ତ ନୂଆ ଗାଁ ଗ୍ରାମ ତାଙ୍କ ପକ୍ଷରେ ଲାଭ ପରିବର୍ତ୍ତେ କିପରି ଉତ୍କଟ ବୋଝ ହୋଇଛି ତାହା ଦର୍ଶାଇ ଉପଯୁକ୍ତ ‘ସାତବରଷ ହୋଇଲା..... ଇତ୍ୟାଦି ଅଭିଯୋଗ କରିଥିବା ଓ ନିଜକୁ ସେହି ସମୟକୁ ଷାଠିଏ ବର୍ଷ ବୟସ ହୋଇଥିବାର ଜଣାଇଥିବାରୁ ଜଣାଣ ସମୟକୁ ( ୧୭୮୧ + ୨+ ୭) ୧୭୯୦ ମସିହା ହୋଇଥିବାର ନିର୍ଣ୍ଣୟ (୧) ସତ୍ୟର ଅଧିକ ନିକଟବର୍ତ୍ତୀ ବୋଧ ହୋଇଥାଏ । ଏଥିରୁ ବ୍ରଜନାଥ (୧୭୯୦-୬୦) ୧୭୩୦ ମସିହାରେ ଭୂମିଷ୍ଠ ହୋଇଥିବାର ସମ୍ଭବତା କଳନା କରାଯାଇଛି । ସେହିପରି ବ୍ରଜନାଥଙ୍କ ଶେଷ ଜୀବନର କୃତିରୂପେ ଗୃହୀତ ‘ଗୁଣ୍ଡିଚା ବିଜେ’ ଗଜପତି ଦିବ୍ୟସିଂହ ଦେବ (୧୭୮୦-୧୭୯୯)ଙ୍କୁ ଭେଟି ଦିଆଯାଇଥିବାରୁ ଏବଂ ଅନ୍ୟକୌଣସି ରଚନାରେ ପରବର୍ତ୍ତୀ ଗଜପତି ମୁକୁନ୍ଦଦେବ (୧୭୯୯-୧୮୦୪)ଙ୍କର ନାମୋଲ୍ଲେଖ ନ ଥିବାରୁ କବି ବ୍ରଜନାଥ ୧୮୦୦ ମସିହା ବେଳକୁ ଅନ୍ୟୂନ ୭୦ ବର୍ଷ ବୟସରେ ଦେହତ୍ୟାଗ କରିଥିବା ଅନୁମାନ ଦୃଢ଼ଭିତ୍ତିକ । (୧)

 

[୧-ଶ୍ରୀ ସୁଧାକର ପଟ୍ଟନାୟକ: ବଡ଼ଜେନା ପରିକ୍ରମା ୧୯୭୨ ପୃ-୨୮,୨୯]

 

ବ୍ରଜନାଥଙ୍କ ଜୀବନ ଚରିତ ନିର୍ମାଣ କରିବାରେ କୌଣସି ପ୍ରକ୍ଷିପ୍ତ କଳ୍ପନା ବା ସମ୍ଭାବନାର ଆଶ୍ରୟ ନ ନେଇ ତାଙ୍କରି ସ୍ୱକୃତ ରଚନା ସାହାଯ୍ୟରେ ଏତିକି ମାତ୍ର କୁହାଯାଇପାରେ ଯେ ସେ ବଂଶ ପରମ୍ପରାକ୍ରମେ ସାରସ୍ୱତ ସାଧନା ଓ ସଂସ୍କୃତି-ଚେତନାର ଅଧିକାରୀ ଥିଲେ । ପିତା ବାଲୁଙ୍କେଶ୍ୱର ଓ ଅଗ୍ରଜ ଗୋପୀନାଥ ଓ ଜଗନ୍ନାଥଙ୍କ ପଦାଙ୍କ ଅନୁସରଣ କରି ସେ ମଧ୍ୟ ଆପଣାକୁ ତତ୍କାଳୀନ ରାଜଦରବାର ସହିତ ସଂଶ୍ଳିଷ୍ଟ କରିପାରିଥିଲେ । ବିଚକ୍ଷଣ ପ୍ରତିଭାବାନ ଥିବାରୁ ଅନାୟାସରେ ବିଭିନ୍ନ ଭାଷାରେ ବ୍ୟୁତ୍ପତ୍ତି ଲାଭ କରି ସେ ଜନ୍ମସ୍ଥଳୀ ଢେଙ୍କାନାଳର ରାଜଦରବାରରେ ଆପଣାର କର୍ମଧାରାକୁ ସୀମାବଦ୍ଧ ନ ରଖି ଅନ୍ୟାନ୍ୟ ରାଜସଭାରେ ପାଣ୍ଡିତ୍ୟ ପ୍ରଦର୍ଶନ ପୂର୍ବକ ବିତ୍ତ ଓ ସମ୍ମାନ ଅର୍ଜନ କରିପାରିଥିଲେ । ବହୁକୁଟୁମ୍ବୀ ଓ ଉଦାରଚେତା ଥିବାରୁ ସମୟ ବିଶେଷରେ ଅନଟନର ସମ୍ମୁଖୀନ ହୋଇ ସେ ତୀବ୍ର ମାନସିକ ଜ୍ଜ୍ୱାଳା ଅନୁଭବ କରିଥିଲେ । ଅବିବେକୀ ରାଜପୁରୁଷର ତୋଷ ଓ ରୋଷର ଯୁଗପତ୍‌ ଶରବ୍ୟ ହୋଇ ତାଙ୍କର କବି ପୌରୁଷ ବିଦ୍ରୋହ କରିଥିଲା । ବିଭିନ୍ନ ରଚନାବଳୀରେ ସେ ଆପଣାର ଏହି ମାନସିକ ଦହନକୁ ପ୍ରକଟିତ କରିଯାଇ ଅଛନ୍ତି । ସେ ରାଜପୁରୁଷକୁ ସ୍ତୁତି କରିଛନ୍ତି । ତାର ଅବିବେକିତାକୁ ନିନ୍ଦା କରିଛନ୍ତି । ଆପଣା ମସୀର ଶକ୍ତି ଓ ସାମର୍ଥ୍ୟ ସମ୍ପର୍କରେ ଆତ୍ମବିଶ୍ୱାସ ଦୃଢ଼ ରଖି ଜୀବନ ସଂଗ୍ରାମରେ ଅବତୀର୍ଣ୍ଣ ହୋଇଛନ୍ତି । କୌଣସି ପରିସ୍ଥିତିରେ ମଧ୍ୟ ଭାଙ୍ଗି ପଡ଼ିନାହାନ୍ତି । ଗତାନୁଗତିକ ସାହିତ୍ୟ ସରଣୀରେ ସେ ପଦପାତ କରି ସ୍ୱତନ୍ତ୍ର ଭଙ୍ଗୀ, ସ୍ୱକୃତ ଛନ୍ଦ ଓ ମୌଳିକ ବିନ୍ୟାସ କୌଶଳର ପରିଚୟ ପ୍ରତ୍ୟେକଟି ସାହିତ୍ୟ କୃତିରେ ପ୍ରଦାନ କରି ଯାଇଅଛନ୍ତି । ଏପରିକି ଦରବାରୀ ସାହିତ୍ୟ ସର୍ଜନ ମାଧ୍ୟମରେ ନିଜସ୍ୱ ଚିନ୍ତା ଓ ଚେତନାକୁ ବାଙ୍‌ମୟ ରୂପ ଦେବାରେ ସେ ଅକୁତୋଭୟ ସ୍ରଷ୍ଟାର ବ୍ୟକ୍ତିତ୍ୱ ସର୍ବଥା ରକ୍ଷା କରିପାରିଛନ୍ତି । ସେଥିପାଇଁ କିଛିକାଳ ତାଙ୍କର ସାରସ୍ୱତ କୃତିତ୍ୱ ସୁଧୀ ସମାଜରେ ଅଜ୍ଞାତ ବା ଅବଜ୍ଞାତ ରହିଥିଲେ ହେଁ କାଳର କଷଟୀରେ ସ୍ୱର୍ଣ୍ଣଦ୍ୟୁତି ଘେନି ଉଦ୍‌ଭାସିତ ହୋଇ ଉଠିଛି । ୧୯୬୫ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀଙ୍କ ଆନୁକୂଲ୍ୟରେ ସୁଯୋଗ୍ୟ ଓ ସମର୍ଥ ସମ୍ପାଦକ ସୁଧାକର ପଟ୍ଟନାୟକଙ୍କ ସମ୍ପାଦନାରେ ‘ବ୍ରଜନାଥ ଗ୍ରନ୍ଥାବଳୀ’ ଆତ୍ମପ୍ରକାଶ କରିବା ପରେ ବ୍ରଜନାଥଙ୍କର ସ୍ରଷ୍ଟାମାନସର ବୈଶିଷ୍ଟ୍ୟ ଓ ବୈଚିତ୍ର୍ୟ ଆକଳନ କରିବା ସମ୍ଭବପର ହୋଇପାରିଛି ।

 

ଗ୍ରନ୍ଥାବଳୀରେ ବ୍ରଜନାଥଙ୍କର ସମୁଦାୟ ଆଠଗୋଟି କାବ୍ୟ, ଚାରିଗୋଟି କବିତା ସଂଗ୍ରହ, ‘ଚତୁର ବିନୋଦ’ ନାମକ ଗଦ୍ୟ ରଚନା ଓ ‘ଗୁଣ୍ଡିଚାବିଜେ’ ଶୀର୍ଷକ ହିନ୍ଦୀ କାବ୍ୟ ଏକତ୍ର ସଂକଳିତ ହୋଇଅଛି । ‘କେଳିକଳାନିଧି’, ‘ବିଦେଶାନୁଚିନ୍ତା’ ଓ ‘ବିଚକ୍ଷଣା’ କାଳ୍ପନିକ କାବ୍ୟ, ପୌରାଣିକ କାବ୍ୟ ‘ଅମ୍ବିକା ବିଳାସ’ ଓ କୃଷ୍ଣ ଚରିତାତ୍ମକ କାବ୍ୟକୃତି ‘ଦଶ ପୋଈ’, ‘ଶ୍ୟାମ ରାସୋତ୍ସବ’, ‘ଗୋପୀବିଳାପ’ ଓ ସମର ଗାଥା କାବ୍ୟ ଭାବରେ ‘ସମର ତରଙ୍ଗ’ ଚିହ୍ନିତ ହୋଇଥାଏ-। କବିତା ସଂଗ୍ରହ ମଧ୍ୟରେ ‘ଚଣ୍ଡୀମାଳଶ୍ରୀ’, ‘ରାଜନଙ୍କୁ ଛଳଉକ୍ତି’, ‘ରାଜସଭା’ ପ୍ରଭୃତି ସ୍ୱାତନ୍ତ୍ର୍ୟ ମଣ୍ଡିତ ରଚନା ବ୍ୟତୀତ କେତେକ ଜଣାଣ ଓ ସଙ୍ଗୀତ ଅନ୍ତର୍ଭୁକ୍ତ ହୋଇଅଛି । ଏମାନଙ୍କର ସର୍ଜନ କ୍ରମ ନିରୂପଣ କରିବା ଲାଗି ପ୍ରତ୍ୟକ୍ଷ ଉପାଦାନର ଅଭାବ ପରିଲକ୍ଷିତ ହେଉଥିଲେହେଁ ଆଭ୍ୟନ୍ତରୀଣ ପ୍ରମାଣବଳରେ ଏକ ନିର୍ଭରଯୋଗ୍ୟ ବିବରଣୀ ପ୍ରସ୍ତୁତ କରାଯାଇପାରେ ।

 

‘ଢେଙ୍କାନାଳ-ମରହଟ୍ଟା’ ଯୁଦ୍ଧ ଏକ ଐତିହାସିକ ସତ୍ୟ ଘଟଣା ହୋଇଥିବାରୁ ଏହାର କାବ୍ୟିକ ରୂପାୟଣ ‘ସମରତରଙ୍ଗ’ ୧୭୮୧ ମସିହାରେ ଜନ୍ମଲାଭ କରିଥିବା ନିଶ୍ଚିତଭାବେ ନିର୍ଣ୍ଣୟ କରାଯାଇପାରେ । (୧) ‘ସମରତରଙ୍ଗ’ ରଚନା କରି କବି ଯେଉଁ ରାଜଦତ୍ତ ପୁରସ୍କାରସ୍ୱରୂପ ନୂଆଗାଁ ଗ୍ରାମ ଖଣ୍ଡି ଲାଭ କରିଥିଲେ, ସେଥିରୁ ସୁବିଧାମତେ କୌଣସି ଗୁଜୁରାଣ ନ ମେଣ୍ଟିବାରୁ ତାହା ଉଲ୍ଲେଖ କରି ‘ରାଜନଙ୍କୁ ଛଳଉକ୍ତି’ ଶୀର୍ଷକ କବିତାଟି ରଚନା କରିଥିବାରୁ ଏହାର ରଚନା କାଳ ‘ସମରତରଙ୍ଗ’ ପରବର୍ତ୍ତୀ ହେବା ଅବିସମ୍ବାଦିତ । କବିଙ୍କର ‘ଗୁଣ୍ଡିଚା ବିଜେ’ ହିନ୍ଦୀକାବ୍ୟ ଶେଷ ଜୀବନର ଲେଖା ଓ ତାହା ଗଜପତି ଦିବ୍ୟସିଂହ ଦେବ (୧୭୮୦-୧୭୯୯ ଖ୍ରୀ.ଅ)ଙ୍କୁ ନିବେଦିତ ହୋଇଅଛି । ପରିଣତ ବୟସରେ ଏପରିକି ପରଲୋକ ପ୍ରାପ୍ତିର ଅବ୍ୟବହିତ ପୂର୍ବରୁ କବି ଚିତ୍ରାଙ୍କନରେ ମନୋନିବେଶ କରିଥିବାର ପ୍ରମାଣ ସୁଦୂର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲ୍ଲାର ଭିଲିଙ୍ଗି ଗ୍ରାମରୁ ମିଳିଥିବାରୁ ସେ ୧୮୦୦ ମସିହା ପରେ ଅନ୍ୟକୌଣସି ଗ୍ରନ୍ଥ ରଚନା କରିନଥିବା ଆପାତତଃ ସ୍ଥିର କରାଯାଇପାରେ । (୨)

 

[୧.ଡ. ଭବାନୀ ଚରଣ ରାୟ Orissa Under The Marathas]

[୨. ଶ୍ରୀ ସୁଧାକର ପଟ୍ଟନାୟକ: ବଡ଼ଜେନା ପରିକ୍ରମା- ପୃ୨୯]

 

କବିଙ୍କର ସମୁଦାୟ ଜୀବନ କାଳ ୧୭୩୦ରୁ ୧୮୦୦ ମସିହା ମଧ୍ୟରେ ସୀମାବଦ୍ଧ ରହିଥିବା ଗୃହୀତ ହେଲେ ସେ ଅଧ୍ୟୟନ ଓ ଅଧ୍ୟବସାୟ ପୂର୍ବକ ନିତାନ୍ତ ପକ୍ଷେ ବିଂଶତି ବର୍ଷ ବୟଃକ୍ରମରେ ବିଧିବଦ୍ଧ ସାହିତ୍ୟ ରଚନା ଆରମ୍ଭ କରିଥିବା ଅନୁମାନ ଅସମୀଚୀନ ହେବ ନାହିଁ । ତେଣୁ ବ୍ରଜନାଥ ୧୭୫୦ ମସିହାବେଳକୁ କାବ୍ୟରଚନା ଆରମ୍ଭ କରିଥିଲେ ସର୍ବପ୍ରଥମେ ପରମ୍ପରାନୁସରଣପୁଷ୍ଟ କାବ୍ୟଟି ଆତ୍ମ ପ୍ରକାଶ କରିଥିବ । ଉପେନ୍ଦ୍ର ଭଞ୍ଜଙ୍କର ‘ପ୍ରେମସୁଧାନିଧି’ ଅନୁକରଣରେ ବ୍ରଜନାଥଙ୍କର ‘କେଳିକଳାନିଧି’ ରଚିତ ହୋଇଥିବାରୁ ଏହାକୁ ତାଙ୍କର ଆଦ୍ୟକୃତି ଭାବରେ ଗ୍ରହଣ କରିବା ସମଧିକ ତ୍ରୁଟିଶୂନ୍ୟ ବିବେଚିତ ହୋଇପାରେ । ସେହି ଅନୁକ୍ରମରେ ‘ଦଶପୋଈ’ ‘ବିଦେଶାନୁଚିନ୍ତା’ ଓ ‘ବିଚକ୍ଷଣା’କୁ ଗ୍ରହଣ କରାଯାଇପାରେ । ‘ଗୋପୀବିଳାପ’ ‘ଶ୍ୟାମ ରାସୋତ୍ସବ’ ଓ ଅମ୍ବିକା ବିଳାସ, ତଥା ‘ଚତୁର ବିନୋଦ’ ଆଦି ଗ୍ରନ୍ଥ ‘ସମରତରଙ୍ଗ’ ପୂର୍ବବର୍ତ୍ତୀ ରଚନା ବୋଲି ସେହି କାବ୍ୟର ସପ୍ତମ ଛାନ୍ଦର ବିବୃତିରୁ ଜଣାଯାଏ । (୧) ପୁନଶ୍ଚ ‘ରାଜସଭା’ ଶୀର୍ଷକ ରଚନାରେ ମଧ୍ୟ ସ୍ୱରଚିତ ଗ୍ରନ୍ଥ ସମୂହର ସୂଚନା ବ୍ରଜନାଥ ଯେପରି ଦେଇଯାଇ ଅଛନ୍ତି, ସେଥିରୁ ସମରତରଙ୍ଗୋକ୍ତ ବିବୃତିର ଦୃଢ଼ ସମର୍ଥନ ମିଳୁଅଛି । (୨) ଢେଙ୍କାନାଳ ରାଜା ତ୍ରିଲୋଚନ ମହୀନ୍ଦ୍ର ବାହାଦୁରଙ୍କ ରାଜସଭାରେ କବିଙ୍କର ସ୍ୱଦୃଷ୍ଟ ଅନୁଭୂତି ‘ରାଜସଭା’ ପଦ୍ୟଟିରେ ବର୍ଣ୍ଣିତ ହୋଇଥିବାରୁ ଏହା ଯେ ‘ସମରତରଙ୍ଗ’ ପରବର୍ତ୍ତୀ ରଚନା, ଏହା ମଧ୍ୟ କଷ୍ଟସାଧ୍ୟ କଳ୍ପନା ନୁହେଁ । ବିଭିନ୍ନ ଗ୍ରନ୍ଥକୃତିରେ ବ୍ରଜନାଥ ସ୍ୱରଚିତ ଗ୍ରନ୍ଥମାନଙ୍କର ଯେଉଁ ବିବରଣୀ ପ୍ରଦାନ କରିଛନ୍ତି, ତାହାର ସଂସ୍ଥାନଗତ ସ୍ୱାଭାବିକତା ଓ ମୌଳିକତା ସମ୍ପର୍କରେ ବିଶିଷ୍ଟ ସମାଲୋଚକ ଡକ୍ଟର ନଟବର ସାମନ୍ତରାୟ ସନ୍ଦେହ ପ୍ରକାଶ କରିଛନ୍ତି । ଏସବୁକୁ ସ୍ୱୀକାର କରିନଥିଲେ ହେଁ ଡକ୍ଟର ସାମନ୍ତରାୟ ବ୍ରଜନାଥ ଗ୍ରନ୍ଥାବଳୀର ସମ୍ପାଦକ ସୁଧାକର ପଟ୍ଟନାୟକଙ୍କଦ୍ୱାରା ପ୍ରସ୍ତୁତ ବ୍ରଜନାଥଙ୍କ ରଚନାବଳୀର କାଳକ୍ରମିକତାକୁ ଗ୍ରହଣ କରିଛନ୍ତି । (୧)

-

(୧)

ସଂସ୍କୃତ ପରାକୃତ ଖୋରଠା ବୋଲି

 

ନାନା ଭାଷାରେ ଗୀତ କବିତ୍ୱ କଲି ଯେ

 

ବିବିଧ ଚଉପଦୀ ଚଉତିଶା ହିଁ

 

ବୋଲୀ ଛାନ୍ଦ ପ୍ରବନ୍ଧ ବୋଲିଛି ମୁହିଁ ଯେ ॥୨୦॥

 

 

 

ଶକାର ଛାନ୍ଦ ମାତ୍ରା-ବୃତ୍ତି ଚୂର୍ଣ୍ଣକ

 

କଥାକଥନ ନାନା ହାସ କୌତୁକ ଯେ

 

ଢଗଢମାଳୀ ଗାଳି ଚାଳକ ଗୀତ

 

ବ୍ରଜମୋହନ କେଳି ଯୁକ୍ତ କବିତ୍ୱ ଯେ ॥୨୧॥

 

ସମରତରଙ୍ଗ -୭ମ ଛାନ୍ଦ

 

(୨)

ଅ-ଅକ୍ଷର ନିୟମ

ଅମ୍ବିକା ବିଳାସ ନାମ

 

କୁମାର ଚରିତ ଶିବ ଉମା ବିବାହ

 

X X X X ॥୨୩॥

 

ନାମ ଶ୍ୟାମ ରାସୋତ୍ସବ

ବାରଛାନ୍ଦ ଏ ତାଲବ୍ୟ

 

ଶକାରେ ବୋଲିଛି ରାସଲୀଳାକୁ ଇଚ୍ଛି

 

ବିଚକ୍ଷଣା ପନ୍ଦର ଛାନ୍ଦ

 

ବ ବା ବି ବୁ ବେ ବୈ ବୋ ବୌ କ୍ରମେ ପ୍ରବନ୍ଧ ॥୭୫॥ ରାଜସଭା

 

କୌଣସି ଏକ କବି ବା ଗ୍ରନ୍ଥକାରଙ୍କ ରଚନାବଳୀର ଐତିହାସିକ ସର୍ଜନ କ୍ରମ ନିରୂପଣ କରିବା ଏକ ନିରର୍ଥକ ଅଧ୍ୟବସାୟ ଓ ସାହିତ୍ୟକୃତିର ଅନ୍ତର୍ନିହିତ ସୌନ୍ଦର୍ଯ୍ୟ ପ୍ରଖ୍ୟାପନରେ ଏଭଳି ଶ୍ରମ ଅନାବଶ୍ୟକ ବୋଲି କେହି କେହି ମତ ପ୍ରକାଶ କରିଥାନ୍ତି । ମାତ୍ର ଯେ କୌଣସି ରଚନାର ନିରପେକ୍ଷ ଓ ନିଷ୍ଠାପର ମୂଲ୍ୟାୟନ କରିବାକୁ ଗଲାବେଳେ ରଚୟିତାଙ୍କର ମାନସିକ ସ୍ଥିତି ଓ ତା ଉପରେ ସମୟର ପ୍ରଭାବ ଅନୁଧ୍ୟାନ ଲାଗି ରଚନାର ନିର୍ଣ୍ଣୀତ କାଳ ଯଥେଷ୍ଟ ସାହାଯ୍ୟ କରିଥାଏ । ‘ଚତୁର ବିନୋଦ’ର ସାହିତ୍ୟିକ ମୂଲ୍ୟାୟନ କରିବାକୁ ଗଲାବେଳେ ସେ ଗ୍ରନ୍ଥଟିର ରଚନାକାଳ ନିର୍ଦ୍ଦିଷ୍ଟ ହେବା ଆବଶ୍ୟକ ମନେହୁଏ । କାରଣ ସମ୍ପାଦକ ସୁଧାକର ପଟ୍ଟନାୟକ କିମ୍ବା ସମାଲୋଚକ ଡକ୍ଟର ସାମନ୍ତରାୟ ଅଥବା ଡକ୍ଟର ମାୟାଧର ମାନସିଂହ ପ୍ରମୁଖଙ୍କ ମତ ଅନୁସାରେ ‘ଚତୁର ବିନୋଦ’ ବ୍ରଜନାଥଙ୍କ ତରୁଣ ବୟସର ଲେଖା ବୋଲି ଆମର ମନଃପୂତ ହେଉନଥିବାରୁ ଆମେ ସମଗ୍ର ତାଲିକାଟିର ପୁନର୍ବିନ୍ୟାସ କରିବାକୁ ଯାଉଅଛୁ । ଏ ସମ୍ପର୍କରେ ଅଧ୍ୟାପକ କୁମୁଦରଞ୍ଜନ ପାଣିଗ୍ରାହୀଙ୍କ ଅଭିମତ ବିଶ୍ଳେଷଣାତ୍ମକ ଓ ଯଥାର୍ଥ ମନେ ହୋଇଥାଏ । (୨) ପ୍ରସଙ୍ଗତଃ ସ୍ୱର୍ଗତଃ ଅଧ୍ୟାପକ ଘନଶ୍ୟାମ ଦାସଙ୍କ ଅଭିମତ ମଧ୍ୟ ବିଚାର୍ଯ୍ୟ । (୩)

 

[୧. ଡ. ନଟବର ସାମନ୍ତରାୟ: ବଡ଼ଜେନା ସାହିତ୍ୟ ସମୀକ୍ଷା- ୧୯୭୧- ପୃ୧୧

୨. ଅଧ୍ୟାପକ କୁମୁଦରଞ୍ଜନ ପାଣିଗ୍ରାହୀ- ପ୍ରାଚୀନ ଓଡ଼ିଆ ଗଦ୍ୟ ସାହିତ୍ୟ ସ୍ୱରୂପ, ୧୯୭୮, ପୃ୧୧୪-୧୧୫

୩. ପ୍ରଫେ. ଘନଶ୍ୟାମ ଦାସ- ବଡ଼ଜେନା ପରିକ୍ରମା-୨ୟ ଖଣ୍ଡ-୧୯୭୨- ପୃ୧୦୪-୧୦୫]

 

ଡକ୍ଟର ସାମନ୍ତରାୟଙ୍କ ଅଭିମତକୁ ଗ୍ରହଣ କରାଗଲେ ବଡ଼ଜେନା ସାହିତ୍ୟର ଆତ୍ମ ପ୍ରଖ୍ୟାପିତ ଅଂଶଗୁଡ଼ିକ ପରବର୍ତ୍ତୀ ପ୍ରକ୍ଷେପ ବୋଲି ପରିତ୍ୟାଜ୍ୟ ହୋଇଯିବ । ସେହିପରି ହେଲେ ବଡ଼ଜେନା ସାହିତ୍ୟର କାଳକ୍ରମିକ ସର୍ଜନ ଟିପ୍ପଣୀ ପ୍ରସ୍ତୁତ କରାଯାଇପାରିବ ନାହିଁ । ଯାହା କିଛି ହେବ, ତାହା ଆଭ୍ୟନ୍ତରୀଣ ପ୍ରମାଣଦ୍ୱାରାହିଁ ଯତ୍‌କିଞ୍ଚିତ ସମ୍ଭବ । ଅନ୍ୟ ପକ୍ଷରେ ‘ଲାବଣ୍ୟବତୀ’, ‘ବୈଦେହୀଶ ବିଳାସ’, ‘ରସକଲ୍ଲୋଳ’, ‘ରସବିନୋଦ’ ଆଦି ଅନେକ ଗ୍ରନ୍ଥରେ କବିଗଣ ଆତ୍ମ ବିବୃତି ପ୍ରଦାନ କରିଯାଇଥିଲାବେଳେ ଏବଂ ଯେତେଦୂର ମନେହୁଏ ମଧ୍ୟଯୁଗୀୟ କବିମାନଙ୍କ ରଚନାରେ ଏହା ଏକ ପରମ୍ପରାରୂପେ ପ୍ରଚଳିତ ହେବାପରେ ଆପଣାର ସାହିତ୍ୟିକ ବ୍ୟକ୍ତିତ୍ୱ ଓ କୃତିତ୍ୱ ସମ୍ପର୍କରେ ଏକାନ୍ତ ଆସ୍ଥାବାନ କବି ବ୍ରଜନାଥ ସେହି ଧାରା ଅନୁସରଣ କରିବାରେ ଅସ୍ୱାଭାବିକତା ବା ଅତିଶୟୋକ୍ତିର ପରିଚୟ ମିଳେ ନାହିଁ । ବରଂ ପରମ୍ପରାନୁଗ କବିଚିତ୍ତର ବଳିଷ୍ଠ ଆତ୍ମ ପ୍ରକାଶ ଲକ୍ଷ୍ୟ କରାଯାଏ । ଏପରି ସ୍ଥଳେ ସମ୍ପାଦିତ ଗ୍ରନ୍ଥର ବାଣୀନିଚୟକୁ ଉପେକ୍ଷା କରାଯାଇ ନ ପାରେ ।

 

ପୂର୍ବ ଆଲୋଚନାର ସୂତ୍ର ପୁନରୁଦ୍ଧାର କରି କୁହାଯାଇପାରେ ଯେ ‘ରାଜନଙ୍କୁ ଛଳ ଉକ୍ତି’, ‘ରାଜସଭା’, ‘ଗୁଣ୍ଡିଚା ବିଜେ’ ବ୍ୟତୀତ ଅନ୍ୟ ସମସ୍ତ ରଚନା ‘ ସମର ତରଙ୍ଗ’ର ଅର୍ଥାତ୍‌ ୧୭୮୧ ମସିହାର ପୂର୍ବବର୍ତ୍ତୀ । ‘ଚତୁର ବିନୋଦ’ ‘ସମର ତରଙ୍ଗ’ ପରବର୍ତ୍ତୀ ରଚନା ବୋଲି ସ୍ୱର୍ଗତଃ ଅଧ୍ୟାପକ ଘନଶ୍ୟାମ ଦାସ ଯେଉଁ ଅଭିମତ ପ୍ରଦାନ କରିଛନ୍ତି, ତାହା ‘ସମର ତରଙ୍ଗ’ର ସପ୍ତମ ଛାନ୍ଦର ‘କଥାକଥନ ନାନା ହାସ କୌତୁକ ଯେ’ ପଦଦ୍ୱାରା ଅସିଦ୍ଧ ହୋଇ ଯାଉଛି । ‘ଚତୁର ବିନୋଦ’ର କୀର୍ତ୍ତିମଣ୍ଡନ ରାଜା ଓ ତଦୀୟ ମୋତିମାଳ ନଗରୀ ଯଥାକ୍ରମେ ତ୍ରିଲୋଚନ ମହୀନ୍ଦ୍ର ବହାଦୂର ଓ ଢେଙ୍କାନାଳ ବୋଲି ଖଚକୁହା, ଭେଦିଆମାନଙ୍କଦ୍ୱାରା ରାଜଅବବୋଧକୁ ଅଣାଯିବାରୁ ବ୍ରଜନାଥ ନିମକହାରାମ ବୋଲି ରାଜାଙ୍କଦ୍ୱାରା ପରିତ୍ୟକ୍ତ ହେବା ଅବିଶ୍ୱସନୀୟ ବ୍ୟାପାର ହୋଇନପାରେ । କାରଣ ‘ଚତୁର ବିନୋଦ’ ଏକ ସାଧାରଣ କାହାଣୀ ଗ୍ରନ୍ଥ ମାତ୍ର ନୁହେଁ । ଏଥି ବର୍ଣ୍ଣିତ ଚରିତ୍ର, ପରିବେଶ, ଘଟଣା ଓ ପରିଣାମମାନଙ୍କରେ ସମକାଳୀନତାର ପ୍ରଭାବ ବହୁଭାବରେ ପ୍ରତିଫଳିତ ହୋଇଥିବାର ଜଣାଯାଏ । ବ୍ରଜନାଥ ‘ଅମ୍ବିକା ବିଳାସ’ ଭଳି ଏକ ପାଣ୍ଡିତ୍ୟ ଓ କବିତ୍ୱପୂର୍ଣ୍ଣ ଉଚ୍ଚାଙ୍ଗ କାବ୍ୟ ରଚନା କରିବାରେ ସ୍ରଷ୍ଟା ମାନସର ବୈଚିତ୍ର୍ୟ କାମନାର ଚରିତାର୍ଥତା ଲକ୍ଷ୍ୟରେ ଅଥବା ଶ୍ରମଜନିତ କ୍ଳାନ୍ତି ମେଣ୍ଟାଇବା ଲକ୍ଷ୍ୟରେ ଆପଣାର ପ୍ରବୃଦ୍ଧ ସାମାଜିକ ଓ ବ୍ୟକ୍ତିଗତ ଜୀବନର ଅଭିଜ୍ଞତା, ଅନୁଭୂତି ଓ ବିଚାରଧାରାକୁ ଗଦ୍ୟରୂପାୟନ ଦେବା ଓ ତାହାକୁ ‘ସମର ତରଙ୍ଗ’ ରଚନାର ଅବ୍ୟବହିତ ପୂର୍ବେ ସମ୍ପନ୍ନ କରିଥିବା ସମ୍ଭବପର ବୋଧ ହୋଇଥାଏ । ଅବଲୀଳାକ୍ରମେ ରଚିତ ‘ଚତୁର ବିନୋଦ’ ବ୍ରଜନାଥଙ୍କର ସଚେତନ ସୃଷ୍ଟି ହୋଇଥିବାରୁ ଏହା ତାଙ୍କର ଏକକ ଓ ଅଦ୍ୱିତୀୟ ରଚନାରୂପେ ପ୍ରତିଭାତ ହୋଇଛି । ଅନ୍ୟ ଦୃଷ୍ଟିରୁ ଦେଖିଲେ ବିପୁଳ ଓ ବୈଚିତ୍ର୍ୟମଣ୍ଡିତ କାବ୍ୟ ସର୍ଜନ ପରମ୍ପରାର ବ୍ୟତିକ୍ରମ ‘ଚତୁର ବିନୋଦ’ ରଚନାରେ ଘଟିଥିବାରୁ ବ୍ରଜନାଥ ଏଭଳି ଗଦ୍ୟରଚନା ମାର୍ଗରେ ଆହୁରି ଅଧିକ ଅଗ୍ରସର ହେବା ଲାଗି ସାହସ କରିପାରି ନାହାନ୍ତି । ଏଭଳି ମଧ୍ୟ ହୋଇପାରେ ଯେ ରାଜନ୍ୟ ସମ୍ପ୍ରଦାୟର ବ୍ୟଭିଚାର ଓ ଉତ୍କଟ ଯୌନପରତନ୍ତ୍ରତା ଚତୁର ବିନୋଦରେ ବର୍ଣ୍ଣିତ ହୋଇଥିବାରୁ ସେ ରାଜରୋଷର ସମ୍ମୁଖୀନ ହେବା ପରେ ଚତୁର ବିନୋଦ ସମତୁଲ୍ୟ ସାହିତ୍ୟ ରଚନାର ଦୁଃସାହସ ପରିହାର କରିଛନ୍ତି । ‘ଚତୁର ବିନୋଦ’ର ରାଜ ସମାଲୋଚନା ଦୋଷ କ୍ଷାଳନ କରିବାକୁ ଯାଇ ସେ ଲେଖିଛନ୍ତି ‘ସମର ତରଙ୍ଗ’ । ଏହି ସମର ଗାଥା କାବ୍ୟର ତାତ୍କାଳିକ ସଦ୍ୟ ପ୍ରଭାବରେ ବିମୁଗ୍ଧ ରାଜା କବିଙ୍କୁ ପାନ ପିକରେ ନୂଆଗାଁ ଦାନ କରିବା ପରେ ଈର୍ଷୀ ରାଜ ପାରିଷଦଙ୍କ କାନକୁହାରେ ଭଳି ଯାଇ ଦତ୍ତାପହାରୀ ଆଚରଣ ପ୍ରକାଶ କରିଛନ୍ତି । ତେଣୁ କି ଆଙ୍ଗିକ କି ଆତ୍ମିକ ଉଭୟ ଦୃଷ୍ଟିରୁ ଅନୁଧ୍ୟାନ କଲେ ‘ଚତୁର ବିନୋଦ’ ବ୍ରଜନାଥଙ୍କର ତରୁଣ ବୟସର ଲେଖା ବୋଲି ଗୃହୀତ ହେବ ନାହିଁ । ଗ୍ରନ୍ଥଟିର ପରିକଳ୍ପନା, ଭାଷା ବିନ୍ୟାସ, ଚରିତ୍ର ସଜ୍ଜା ଓ ଘଟଣାଗ୍ରଥନ ପରିଣତ ବୟସର ଭୂୟୋଦର୍ଶିତା ସାପେକ୍ଷ ବୋଲି ସ୍ପଷ୍ଟ ଜଣାପଡ଼େ । ଚତୁର ବିନୋଦ ସ୍ରଷ୍ଟାମାନସର ଏକାନ୍ତ ସଚେତନ ସୃଷ୍ଟି । କଥନ ଭଙ୍ଗୀରେ ତାରଲ୍ୟ ବା ମୋହ ମୁଗ୍ଧତା ଆବଶ୍ୟକତାଠାରୁ ଅଧିକ କୁତ୍ରାପି ଏ ଗ୍ରନ୍ଥରେ ଦୃଷ୍ଟିଗୋଚର ହୁଏ ନାହିଁ ।

 

ବ୍ରଜନାଥ ଗ୍ରନ୍ଥାବଳୀର ସମ୍ପାଦକ ସୁଧାକର ପଟ୍ଟନାୟକ ବ୍ରଜନାଥଙ୍କ ଗ୍ରନ୍ଥମାନଙ୍କର ସୃଜନ ସମୟ ଯେପରି ନିର୍ଦ୍ଦିଷ୍ଟ କରିଛନ୍ତି ସେଥିରେ କେତେକ ପରିବର୍ତ୍ତନର ଆବଶ୍ୟକତା ଆଲୋଚନା ଦୃଷ୍ଟିରୁ ଗ୍ରହଣୀୟ ।

 

କେଳି, କଳାନିଧି

ବିଦେଶାନୁଚିନ୍ତା

ବିଚକ୍ଷଣା - ଖ୍ରୀ : ୧୭୫୦-୧୭୬୦

ଶ୍ୟାମ ରାସୋତ୍ସବ

ଚଣ୍ଡୀ ମାଳଶ୍ରୀ

ଅମ୍ବିକା ବିଳାସ - ଖ୍ରୀ : ୧୭୬୦-୧୭୭୫

ଦଶପୋଈ

ଗୋପୀ ବିଳାପ

ଚତୁର ବିନୋଦ - ଖ୍ରୀ : ୧୭୭୫-୧୭୮୦

ସମର ତରଙ୍ଗ - ଖ୍ରୀ: ୧୭୮୧

ରାଜନଙ୍କୁ ଛଳଉକ୍ତି - ଖ୍ରୀ ୧୭୯୦

ରାଜସଭା - ଖ୍ରୀ : ୧୭୯୦-୯୧

ଗୁଣ୍ଡିଚା ବିଜେ- ଖ୍ରୀ:୧୭୯୧-୯୮

 

ଅବସର ବିନୋଦନ ଲାଗି କବି ପଟ୍ଟଚିତ୍ର ଅଙ୍କନ, ସଙ୍ଗୀତ ଚଉପଦୀ ରଚନା, ବାଉଁଶ, ବଉଳ ମଞ୍ଜି ଇତ୍ୟାଦି ସାହାଯ୍ୟରେ ଶିଳ୍ପ ଚିତ୍ର ନିର୍ମାଣ କାର୍ଯ୍ୟରେ ମନୋନିବେଶ କରିଥିବା ଅନୁମିତ ହୁଏ ।

 

ଭୂୟୋଦର୍ଶୀ ପାଣ୍ଡିତ୍ୟ, ଆଳଙ୍କାରିକ ଚାତୁର୍ଯ୍ୟ, କଳ୍ପନାର ଉତ୍ତୁଙ୍ଗତା, କବିତ୍ୱଗତ ସୌକୁମାର୍ଯ୍ୟ ଦୃଷ୍ଟିରୁ ପୌରାଣିକ ମହାକାବ୍ୟ ‘ଅମ୍ବିକା ବିଳାସ’ ବ୍ରଜନାଥଙ୍କର ସର୍ବଶ୍ରେଷ୍ଠ ରଚନା ଭାବରେ ଗୃହୀତ ହୋଇପାରେ । ବହୁ ଆୟାସସାଧ୍ୟ ଅକାରାଦ୍ୟ ଏହି ଗ୍ରନ୍ଥଟି କବି ବ୍ରଜନାଥଙ୍କର ସୃଷ୍ଟିକାଳର ମଧ୍ୟାହ୍ନରେ ଆତ୍ମପ୍ରକାଶ କରିଥିବା ନିଃସନ୍ଦେହ । ଏହାପରେ ସାୟାହ୍ନକାଳୀନ ସୃଷ୍ଟିରୂପେ ଯୁଗରୁଚି ଅନୁସାରେ କେତେକ ଅପ୍ରଧାନ ରଚନା ଜନ୍ମ ଲାଭ କରିଥିବା ସମ୍ଭବ । ସେଥି ମଧ୍ୟରେ ‘ଚତୁର ବିନୋଦ’ ଅନ୍ୟତମ । ଆମ୍ଭ ଅଭିମତର ପୋଷକ ଉପାଦାନରୂପେ କବିଙ୍କର ‘ଗୋପୀ ବିଳାପ’ର ନିମ୍ନୋଦ୍ଧୃତ ପଂକ୍ତି ଲକ୍ଷ୍ୟ କରାଯାଇପାରେ ।

 

“ନାନା ଜାତି ନିୟମ ନାନା ରସେ

କେତେ ଛାନ୍ଦମାନ କଲି ହରଷେ

ସେତ ସବୁରି ନୋହିଲା ବୋଧକ

ପରମାର୍ଥରେ ନୋହିଲା ସାଧକ

ଏହି ଘେନି କୃତାର୍ଥ ହେବି ବୋଲି

ଦେଶ ଭାଷାରେ ବୋଇଲି ଏ ବୋଲି’’

[‘ଗୋପୀ ବିଳାପ’(ଷଷ୍ଠବୋଲି)]

 

‘ଅମ୍ବିକା ବିଳାସ’ର ଢେଙ୍କାନାଳରୁ ପ୍ରାପ୍ତ ପରିଶିଷ୍ଟାଂଶରେ ଉଲ୍ଲିଖିତ “ଅଥ ଦଣ୍ଡକ ଚୂର୍ଣ୍ଣକ ରସ କଉତୁକ ଗୀତ ଆଦି ଉପନ୍ୟାସ ବୃନ୍ଦ’’ରୁ ଚତୁର ବିନୋଦ ଅମ୍ବିକା ବିଳାସ ପୂର୍ବବର୍ତ୍ତୀ ରଚନା ବୋଲି ଅନୁମାନ କରିବା ଭ୍ରମସଂକୁଳ ହେବ । କାରଣ ମୂଳ ‘ଅମ୍ବିକା ବିଳାସ’ ରଚିତ ହୋଇଥିଲା କେନ୍ଦୁଝରରେ । କେନ୍ଦୁଝର ପ୍ରତ୍ୟାବର୍ତ୍ତନ ପରେ କବି ସଙ୍ଗେ ସଙ୍ଗେ ଗ୍ରନ୍ଥଟି ଢେଙ୍କାନାଳରେ ପ୍ରଚାରିତ କରାଇ ନ ଥିବେ । କେନ୍ଦୁଝରର ଅନୁଭୂତି ହୁଏତ ‘ଚତୁର ବିନୋଦ’ରେ ଯେ ଲିପିବଦ୍ଧ ନ ହୋଇଛି, ଏହା କହି ହେବ ନାହିଁ । ତେଣୁ ମୂଳ ‘ଅମ୍ବିକା ବିଳାସ’ରେ ଯେତେବେଳେ ଶଂସିତ ଏକଚତ୍ୱାରିଂଶ ଛାନ୍ଦରେ ଆତ୍ମପ୍ରଖ୍ୟାପନମୂଳକ କୌଣସି ପଦ-ପଦାଂଶ ଲକ୍ଷ୍ୟ କରାଯାଏ ନାହିଁ, ସେତେବେଳେ ‘ଚତୁର ବିନୋଦ’କୁ ‘ଅମ୍ବିକା ବିଳାସ’ର ପୂର୍ବବର୍ତ୍ତୀ ରଚନାରୂପେ ଗ୍ରହଣ କରିବା ପ୍ରାମାଦିକ ବିବେଚିତ ହେବ । ଅଧିକନ୍ତୁ ‘ଚତୁର ବିନୋଦ’ର ରଚନା ପରେ ଢେଙ୍କାନାଳ ନଗର ଓ କବିଚରିତ ବର୍ଣ୍ଣିତ ଉକ୍ତ ଛାନ୍ଦଟି ମୂଳଗ୍ରନ୍ଥରେ ସଂଯୋଜିତ ହୋଇଥିବା ଅଧିକ ସଙ୍ଗତ ବିଚାର ହେବ-। ଆଳଙ୍କାରିକ ବର୍ଣ୍ଣନାତ୍ମକ କାବ୍ୟ ସର୍ଜନ ପରମ୍ପରାକୁ ପରିହାର ପୂର୍ବକ ବ୍ରଜନାଥ ଅନବଦ୍ୟ କଥା ସାହିତ୍ୟ ‘ଚତୁର ବିନୋଦ’ ଲିପିବଦ୍ଧ କରିଥିଲେ ହେଁ ଏହି ଉଦ୍ୟମ ତାଙ୍କର ସାହିତ୍ୟ ସର୍ଜନ ପ୍ରତିଭାର କ୍ଷୀୟମାଣତାକୁ ପ୍ରମାଣିତ କରିଥାଏ ।

 

କେଳିକଳାନିଧି

 

ବ୍ରଜନାଥ ‘କେଳିକଳାନିଧି’ ଲେଖିବା ସମ୍ପର୍କରେ ଜନଶ୍ରୁତି ରହିଛି । ଢେଙ୍କାନାଳ ରାଜା ତ୍ରିଲୋଚନ ମହୀନ୍ଦ୍ରଙ୍କ ରାଜସଭାରେ ସେହିଦିନ ଯମକ ଓ ଅଳଙ୍କାର ପ୍ରଧାନ ଭଞ୍ଜକାବ୍ୟ ‘ପ୍ରେମସୁଧାନିଧି’ର ବିଶେଷ ଚର୍ଚ୍ଚା ହେଉଥାଏ । ବ୍ରଜନାଥ ସେଠାରେ ଉପସ୍ଥିତ ଥାନ୍ତି । ଆଲୋଚନାରେ ମୁଗ୍ଧ ହୋଇ ରାଜା କହି ଉଠିଲେ, “ପଣ୍ଡିତ ବର୍ଗ ! ଆମର ଜଣେ ରାଜଭାଇ କି ସୁନ୍ଦର ସୁନ୍ଦର କାବ୍ୟମାନ ରଚନା କରିନାହାନ୍ତି ?’’ ବ୍ରଜନାଥ ତତ୍‌କ୍ଷଣାତ ଏ ଆସ୍ଫାଳନର ସମ୍ମୁଖୀନ ହୋଇ ନିଜେ ସେହିଭଳି ଏକ କାବ୍ୟ ରଚନା କରିପାରିବେ ବୋଲି ସଦମ୍ଭେ ଘୋଷଣା କଲେ ।

 

ତଦନୁସାରେ ଅଳ୍ପଦିନ ମଧ୍ୟରେ ‘ପ୍ରେମସୁଧାନିଧି’ ଅନୁରୂପ ‘କେଳିକଳାନିଧି’ କାବ୍ୟ ରଚନା ପୂର୍ବକ ରାଜ ସଭାରେ ଉପସ୍ଥାପନ କଲେ ।

 

‘କେଳିକଳାନିଧି’ କାବ୍ୟ ‘ପ୍ରେମସୁଧାନିଧି’ କାବ୍ୟର ଛାଞ୍ଚରେ ନିର୍ମିତ ହୋଇଥିଲେହେଁ ବ୍ରଜନାଥଙ୍କ ରଚନା ପାଟବର ବୈଶିଷ୍ଟ୍ୟ ଧାରଣ କରିଅଛି । ଭଞ୍ଜକବି କାବ୍ୟର ନାମ ଦେଇଛନ୍ତି ‘ପ୍ରେମସୁଧାନିଧି’, ଅର୍ଥାତ୍‌ ପ୍ରେମରୂପକ ପୂର୍ଣ୍ଣଚନ୍ଦ୍ର । ବଡ଼ଜେନା ନାମ ଦେଇଛନ୍ତି ‘କେଳିକଳାନିଧି’ ଅର୍ଥାତ୍‌ ପ୍ରେମ ଲୀଳା ରୂପକ ପୂର୍ଣ୍ଣଚନ୍ଦ୍ର । ଚନ୍ଦ୍ର ଷୋଳକଳାର ଆଧାର ହୋଇଥିବାରୁ ଉଭୟ କବି ସେମାନଙ୍କର କାବ୍ୟଟିକୁ ଷୋଳଛାନ୍ଦରେ ସମ୍ପୂର୍ଣ୍ଣ କରିଛନ୍ତି । ‘ପ୍ରେମସୁଧାନିଧି’ କାବ୍ୟର ପଞ୍ଚଦଶ ଛାନ୍ଦ ଉପେନ୍ଦ୍ର ଭଞ୍ଜଙ୍କର ଏକ ଚମତ୍କାର ଆଳଙ୍କାରିକ ସିଦ୍ଧି । ଏହି ଛାନ୍ଦଟି ଦୁଇ ପାଦ ବିଶିଷ୍ଟ ୨୦ଟି ପଦରେ ରଚିତ । ପ୍ରତ୍ୟେକଟି ପାଦ ୧୪ ଅକ୍ଷର ବସାଣ ହେତୁ ୪୦ଟି ପାଦର ସମୁଦାୟ ଅକ୍ଷର ସଂଖ୍ୟା ୫୬୦ । ପ୍ରଥମ ଅକ୍ଷରଠାରୁ ୫୬୦ତମ ଅକ୍ଷର ପର୍ଯ୍ୟନ୍ତ ପଢ଼ିଗଲେ ଯାହା ହେବ ୫୬୦ତମ ଅକ୍ଷରଠାରୁ ପ୍ରଥମ ଅକ୍ଷର ପର୍ଯ୍ୟନ୍ତ ପଢ଼ିଗଲେ ଅବିକଳ ତାହାହିଁ ହୋଇଥାଏ । ଚିତ୍ରକାବ୍ୟ ଗତ ଏହା ଏକ ଅତ୍ୟନ୍ତ କଷ୍ଟସାଧ୍ୟ ବନ୍ଧ । ବ୍ରଜନାଥ ‘କେଳିକଳାନିଧି’ର ଚତୁର୍ଦ୍ଦଶ ଛାନ୍ଦ ଏହି ଆଦର୍ଶରେ ନିର୍ମାଣ କରିଛନ୍ତି । ଏଥିରେ ମଧ୍ୟ ୫୬୦ ଅକ୍ଷର ବସାଣ କରାଯାଇଛି । ଅବଶ୍ୟ ପ୍ରତ୍ୟେକଟି ପାଦ ୨୦ ଅକ୍ଷର ବିଶିଷ୍ଟ ହୋଇଛି । ‘ପ୍ରେମସୁଧାନିଧି’ର ପ୍ରଥମ ପାଦ:- ରବର ବିହେ କଷ୍ଟ ସୁକୀରତୋ ସରୋସ’ ଓ ୪୦ ପାଦ ‘ସରୋଷତୋର କି ସୃଷ୍ଟ କହେ ବୀରବର’ । ‘କେଳିକଳାନିଧିର’ ପ୍ରଥମପାଦ:- “ ରବ ବିକଳେ ଭାଷନା ମୋତି-ରଦନୀ ତୁ ମୁହିଁତ କିଙ୍କର ।’’ ୪୦ତମ ପଦ ହେଉଛି “ରଙ୍କକି ତହିଁ ମୁଁ ତୁ ନିଦ ରତି ମୋ ନାଶ ଭାଳେ କବିବର ।’’ ପ୍ରେମ ସୁଧାନିଧି’ର ଚତୁର୍ଦ୍ଦଶ ଛାନ୍ଦ ଅତ୍ୟନ୍ତ ଲୋକପ୍ରିୟ; ଏହା ହେଉଛି –

 

ନିର୍ମଳ ଚନ୍ଦ୍ରମଣ୍ଡଳ ଶରଦେ ବିରାଜି

ଦିଶେ ଯଥା ଦର୍ପକ ଦର୍ପଣେ ଥିଲେ ମାଜି

ଚାହିଁ କୁମର କାତର

ଲେଖି ଆରମ୍ଭିଲା ବସି ବିନୟ ପତର ।୧।

X X X X

ତୁ ମୋ ପ୍ରତିଚକ୍ଷୁ ଯେଣୁ ହୋଇଛୁ ଅନ୍ତର

ଦିଶୁନାହିଁ କିଛି କାହିଁ ଆନ ପ୍ରତିକାର

ନୂଆ ଅନ୍ଧ ପ୍ରାୟେ ହୋଇ

ଅନୁକ୍ଷଣେ ଆକୁଳ ବଢ଼ୁଛି ପ୍ରାଣସହି’’।୩।

 

‘କେଳିକଳାନିଧି’ର ଏକାଦଶ ଛାନ୍ଦରେ ବ୍ୟଞ୍ଜନାଗତ ସାମ୍ୟ ସତ୍ତ୍ୱେ ଭାବପ୍ରକାଶନ ବୈଶିଷ୍ଟ୍ୟ ଲକ୍ଷଣୀୟ । ବ୍ରଜନାଥ ଏହି ଛାନ୍ଦରେ ଅଧିକନ୍ତୁ ଚଉତିଶାର ଅକ୍ଷରକ୍ରମ ରକ୍ଷା କରିଛନ୍ତି, ଯଥା:-

 

କୁସୁମ ସମୟ ଆସି ହେଲା ପରବେଶ

କଳିନ୍ଦ କର କୁମୁଦ ପ୍ରାୟେ ହୋଇ କୃଶ

କାମେ କୁମର କାତର

କାନ୍ତାଠାକୁ ଲେଖ ଲେଖେ ବିନୟ ଉତ୍ତର ।୧।

X X X X

ଗଣ୍ଠି ହରାଇଲା ରଂକ ଚିନ୍ତା ଚିତ୍ତେ ବହି

ଗର କରଗତ ମୃଗ ପ୍ରାୟେ ଅଛି ଜୀଇ

ଗୁଣ ଗୁଣି ଗୁଣି ତୋର

ଗଳାରୋଗୀ ଗୁଣୀ ଗତି ହୋଇଅଛି ମୋର ।୩।’’

 

‘କେଳିକଳାନିଧି’ ପ୍ରେମସୁଧାନିଧି’ର ଅନୁକରଣ ପୁଷ୍ଟ ରଚନା ହୋଇଥିବାରୁ ବିଷୟଗତ ସ୍ୱାତନ୍ତ୍ର୍ୟ ଏଥିରେ ପରିସ୍ପୁଟ ହୋଇନାହିଁ । ସେଥିରୁ ଏହା ବ୍ରଜନାଥଙ୍କ ପ୍ରଥମ କାଳୀନ ରଚନା ବୋଲି ପ୍ରତିପନ୍ନ ହୁଏ ।

 

ବିଚକ୍ଷଣା

 

‘ବ’ ଅଦ୍ୟାନୁପ୍ରାସରେ ଉପେନ୍ଦ୍ର ଭଞ୍ଜଙ୍କର ‘ବୈଦେହୀଶ ବିଳାସ’ ପଣ୍ଡିତମଣ୍ଡଳୀରେ ବହୁମାନ୍ୟତାପ୍ରାପ୍ତ ଏକ ପୌରାଣିକ ମହାକାବ୍ୟ । ବ୍ରଜନାଥ ଆଳଂକାରିତାରେ ଅଧିକ ଅଗ୍ରସର ହୋଇ ବ, ବା, ବି, ବୁ, ବେ, ବୈ, ବୋ, ବୌ ଆଦ୍ୟବର୍ଣ୍ଣଯୁକ୍ତ ପଦସମ୍ବଳିତ ବିଭିନ୍ନ ଛାନ୍ଦର ସମବାୟରେ ନିର୍ମାଣ କରିଛନ୍ତି କାଳ୍ପନିକ ‘ବିଚକ୍ଷଣା’ କାବ୍ୟ । ବିଳାସବତୀ ରାଜ୍ୟର ରାଜା ବୀରବର ଓ ରାଣୀ ବିନୋଦିନୀଙ୍କ କନ୍ୟା ବିଚକ୍ଷଣା ଅସାମାନ୍ୟ ରୂପ ଓ ଗୁଣବତୀ ଥିବାରୁ ତା’ର ଅନୁରୂପ ବର ଘଟଣା ହୋଇପାରୁ ନ ଥିଲାବେଳେ ନାରଦ ମୁନିଙ୍କର ସହାୟତାରେ ବ୍ରଜସଦନ ନଗରର ରାଜା ବସନ୍ତ ତିଳକଙ୍କର ପୁତ୍ର ବ୍ରଜମୋହନର ସନ୍ଧାନ ମିଳିବା ପରେ ଦୂତ ପ୍ରୟାଣପୂର୍ବକ ଆନୁସଙ୍ଗିକ ବିଧିବିଧାନସହ ବିବାହ ସମାପନ, ବରକନ୍ୟାଙ୍କର ମିଳନ ଓ ପରେ ରାଜପୁତ୍ରର ବିଦେଶଗମନ ଯୋଗୁଁ ବିଚ୍ଛେଦ ବର୍ଣ୍ଣନ ‘ବିଚକ୍ଷଣା’ର କଥାବସ୍ତୁ । କାବ୍ୟଟିର ଅସଂପୂର୍ଣ୍ଣ ପାଣ୍ଡୁଲିପି ପ୍ରକାଶିତ ।

 

ରୂପବର୍ଣ୍ଣନା, ବିବାହ ଉତ୍ସବର ପୁଙ୍ଖାନୁପୁଙ୍ଖ ଚିତ୍ର, ମଧୁଶଯ୍ୟାରାତ୍ରି ଓ ତତ୍‌ପରବର୍ତ୍ତୀ ବିଭିନ୍ନ ଋତୁରେ ନାୟକ, ନାୟିକାଙ୍କର ରତିକ୍ରୀଡ଼ାର ବିବରଣୀ ପ୍ରଦାନରେ କବି ବ୍ରଜନାଥ ସ୍ୱକୀୟ ଦୃଷ୍ଟିଭଙ୍ଗୀର ପରିଚୟ ଦେଇଛନ୍ତି । ତୃତୀୟ ଛାନ୍ଦରେ କନ୍ୟାଗୃହକୁ ବରର ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିବା ସୈନ୍ୟ ସାମନ୍ତଙ୍କର ଯୋଦ୍ଧୃବେଶ ଓ ସାମରିକ କଳା କୌଶଳର ପ୍ରତ୍ୟକ୍ଷ ଦୃଷ୍ଟପ୍ରାୟ ବର୍ଣ୍ଣନା ବ୍ରଜନାଥଙ୍କର କବିତ୍ୱର ପରାକାଷ୍ଠା ବହନ କରେ । ସମରସଜ୍ଜାର ଏଭଳି ଜୀବନ୍ତ ଚିତ୍ର ଓଡ଼ିଆ କାବ୍ୟ ସାହିତ୍ୟରେ ଅନ୍ୟତ୍ର ଦୁର୍ଲ୍ଲଭ ମନେହୁଏ । କବି ଏହାର ପୁଷ୍କଳ ବିନ୍ୟାସ ସ୍ୱକୃତ ଅବିସ୍ମରଣୀୟ କାବ୍ୟ ‘ସମରତରଙ୍ଗ’ରେ ପରବର୍ତ୍ତୀ କାଳରେ ସାଧନ କରିପାରିଛନ୍ତି । ‘ବିଚକ୍ଷଣା’ରେ କବିଙ୍କ ରଚନା ପାଟବର ଯତ୍‌ସାମାନ୍ୟ ଦୃଷ୍ଟାନ୍ତ ଲକ୍ଷ୍ୟ କରାଯାଇପାରେ । ଶୋଭାଯାତ୍ରିକ ସୈନ୍ୟମାନଙ୍କର ଗତିଭଙ୍ଗୀର ପରିଚୟ ଦେଇ କବି ଲେଖିଛନ୍ତି –

 

“ବାଳ କାହାର ଝୁରୁ

ଝୁରୁ ଉଡୁଛି ଦୁରୁ

ଦେଖିଲେ ତାକୁ ମାଡ଼େ ଡର

ବାଂକେ କେ ଚିରା ମାରି

ଆଣ୍ଠୁରେ ଝାଡ଼ି ଫରି

ହାଣୁଛି ନାନା ପରିସର ସେ

ବାଜୁଅଛି, ଲମ୍ବ କା

କର୍ଣ୍ଣେ ନିଶ ଯୋଡ଼ି

ବାଇଶି ଆଙ୍ଗୁଳ କା ଦାଢ଼ି

ବାଟ ଯାକରେ କେହୁ

ନାଟ କରିଣ ଉଁହୁଁ

ଉର୍ଦ୍ଦୁ ଗୀତ ଗାଉଛି ଝାଡ଼ି ସେ ।’’।୧୪।

 

ବିବାହର ସମସ୍ତ ବିଧିବିଧାନ ଏହି କାବ୍ୟରେ ସରସ ଓ ପ୍ରାଞ୍ଜଳ ଭାବରେ ବର୍ଣ୍ଣିତ ହୋଇଛି । କନ୍ୟାବିଦାୟ କାଳରେ କନ୍ୟାପିତା ବରପିତାଙ୍କ ନିକଟରେ ‘ସୁତା ଦେଇ ହେଲୁ ଆମ୍ଭେ ଶରଣାତେ’ କହିବାରୁ ବରପିତା ପ୍ରତିସମ୍ଭାଷଣରେ କହିଛନ୍ତି –

 

“ବୁଝିଲେ ଆମ୍ଭଙ୍କୁ କ୍ରୀତ

କଲ ଦେଇ ସୁତାବିତ୍ତ

ବ୍ରଜମୋହନକୁ ସୁତ କରି ପାଇଲ।’’

 

ଆଳଙ୍କାରିକତା ଓ ସ୍ୱାଭାବିକତାର ସୁସମନ୍ୱୟରେ ନିର୍ମିତ ‘ବିଚକ୍ଷଣା’ କାବ୍ୟ ବ୍ରଜନାଥଙ୍କର ବିଚକ୍ଷଣ ରଚନାପାଟବର ନିଦର୍ଶନ ବହନ କରେ ।

 

Unknown

ଶ୍ୟାମ ରାସୋତ୍ସବ

 

ସମସାମୟିକ ତଥା ପୂର୍ବବର୍ତ୍ତୀ କବି ଦୀନକୃଷ୍ଣ, ଉପେନ୍ଦ୍ର ଭଞ୍ଜ, ଭୂପତି ପଣ୍ଡିତଙ୍କ ଲୋକପ୍ରିୟ କାବ୍ୟକୃତିକୁ ଅନୁକରଣ କରି ସେହି ସେହି କାବ୍ୟଗତ ରଚନା ଶିଳ୍ପରେ ବିଶେଷତ୍ୱ ପ୍ରଦର୍ଶନ କରିବା ଥିଲା ବ୍ରଜନାଥଙ୍କର ସ୍ରଷ୍ଟାମାନସର ଆଦ୍ୟକାଳୀନ ସଂଗୁପ୍ତ ଅଭିଳାଷ । ସେହି ଅଭିଳାଷର ଚରିତାର୍ଥତା ସମ୍ପାଦନ କରିବାକୁ ଯାଇ ସେ ରଚନା କରିଛନ୍ତି କୃଷ୍ଣଲୀଳା ସମ୍ବନ୍ଧୀୟ କାବ୍ୟ । ଏହି ଶ୍ରେଣୀର କାବ୍ୟରଚନା ମଧ୍ୟରେ ‘ଶ’ ଆଦ୍ୟାନୁପ୍ରାସ ସମ୍ବଳିତ ‘ଶ୍ୟାମ ରାସୋତ୍ସବ’ ବ୍ରଜନାଥଙ୍କର ଶ୍ରେଷ୍ଠକୃତି । ଏହି ଗ୍ରନ୍ଥଟିର ବିଷୟଚିତ୍ର ଶ୍ରୀମଦ୍ଭାଗବତ ଦଶମସ୍କନ୍ଧ ଗୋପଲୀଳାର ରାସପଞ୍ଚାଧ୍ୟାୟକୁ ଆଶ୍ରୟ କରିଅଛି । ଦୀନକୃଷ୍ଣ ‘ରସକଲ୍ଲୋଳ’ରେ ସଂକ୍ଷିପ୍ତରୂପେ ଓ ଭୂପତି ପଣ୍ଡିତ ‘ପ୍ରେମପଞ୍ଚାମୃତ’ରେ ବିଶଦରୂପେ ଶ୍ରୀକୃଷ୍ଣଙ୍କର ରାସଲୀଳା ବର୍ଣ୍ଣନ କରିଥିଲେହେଁ ବ୍ରଜନାଥ ‘ଶ୍ୟାମ ରାସୋତ୍ସବ’ରେ ଏହି ଲୀଳାକୁ ସମଧିକ କବିତ୍ୱପୂର୍ଣ୍ଣ ଓ ହୃଦୟଗ୍ରାହୀ ରୂପ ପ୍ରଦାନ କରିଯାଇ ଅଛନ୍ତି । ଦ୍ୱାଦଶ ଛାନ୍ଦ ସମନ୍ୱିତ ଏହି କାବ୍ୟର ଉପଜୀବ୍ୟ ବହୁ ପରିଚିତ ହେଲେହେଁ ନାଟକୀୟ ଉପସ୍ଥାପନା, ଉକ୍ତିଚାତୁର୍ଯ୍ୟ ଓ ପ୍ରକୃତି ଚିତ୍ରର ବଳିଷ୍ଠତା ଯୋଗୁଁ ଏବଂ ସର୍ବୋପରି ଆୟାସସାଧ୍ୟ ‘ଶ’ ବର୍ଣ୍ଣାଦ୍ୟ ପଦ ସଂଯୋଜନ ହେତୁ ପଣ୍ଡିତ ଓ ଗ୍ରାହକ ମଣ୍ଡଳୀରେ ଏହାର ଗୌରବ ଅନୁଭୂତ ହୋଇଥାଏ । ଏହି କାବ୍ୟର ବିଭିନ୍ନ ସ୍ଥଳରେ କବି ଆପଣାକୁ ବୟୋବୃଦ୍ଧ ବୋଲି ଜଣାଇଥିଲେହେଁ ଅନ୍ୟ ଏକାଧିକ କୃତିରେ ଏହି ଗ୍ରନ୍ଥର ଉଲ୍ଲେଖ କରିଥିବାରୁ ଏହା ତାଙ୍କର ମଧ୍ୟ ବୟସର ରଚନା ବୋଲି ଗ୍ରହଣ କରାଯାଇଛି । କବିଙ୍କର ପାରମାର୍ଥିକ ଚିନ୍ତା କାବ୍ୟର ଶେଷ ଛାନ୍ଦରେ ଯେଭଳି ପ୍ରକାଶିତ ହୋଇଛି, ସେଥିରୁ କବିଙ୍କ ବ୍ୟକ୍ତି-ଜୀବନର କିଞ୍ଚିତ୍‌ ଆଭାସ ମିଳିଥାଏ । ଆତ୍ମ ପ୍ରଖ୍ୟାପନ ମୂଳକ ଏହି ପଦମାନଙ୍କରେ ସେ ଲେଖିଛନ୍ତି –

 

ଶିଶୁ-ଦାରା-ଧନ-ବିଷୟେ ତନ୍ମନ ହୋଇଲା ଅଧମ

ଶିଳା ଆଶ୍ରେ କଲା ହୀରା ଛାଡ଼ି ହେଲା ମାୟାରେ ବିଭ୍ରମ ।୨୨।

 

ଶିଶୁ କାଳ ଗଲା, ଅଜ୍ଞାନରେ ନେଲା ଥୋକାଏ ସମୟ

ଶିବ-ପର-ଶରେ ଯୁବା ବୟସରେ ନାରୀରେ ଆଶ୍ରୟ ।୨୩।

 

ଶୁଭାଶୁଭ-ବିଧି ଶତ୍ରୁ-ମିତ୍ର-ବୁଦ୍ଧି ବିବିଧ ବିଚାରେ

ଶୀଘ୍ର ଧନାର୍ଜ୍ଜନେ ହିଂସା ପ୍ରାଣି-ଜନେ ଅଧର୍ମ୍ମ ଆଚରେ ।୨୪।

 

ଶୀର୍ଣ୍ଣୋଦରୀ-ବଶ ହୋଇ ଏ ବୟସ ନେଲା ତ ଅଧମ

ଶରୀର ଅଥୟେ ସେ ବୃଦ୍ଧ ସମୟେ କରିବ କି ଧର୍ମ୍ମ ।୨୫।

X X X X

ଶିଶୁ ଗୃହ ଧର୍ମ ନାନା ହୀନକର୍ମ ନିରତେ କରୁଛି

ଶରୀରାନ୍ତକାଳେ ଯିବି ଯମଆଳେ ଏଥିକି ଡରୁଛି ।’’ ।୪୮।

 

କବି ବୈଷ୍ଣବ ଧର୍ମାଶ୍ରୟୀ ଥିବାର ସେପରି ବଳିଷ୍ଠ ସୂଚନା ଏ କାବ୍ୟରୁ ମିଳେ ନାହିଁ । ବିଦଗ୍ଧ ଚିତ୍ତବିନୋଦନ ଲକ୍ଷ୍ୟରେ ଶୃଙ୍ଗାରାଶ୍ରୟୀ କୃଷ୍ଣଲୀଳାର ବର୍ଣ୍ଣନ ମାତ୍ର କବିଙ୍କ ଉଦ୍ଦେଶ୍ୟ ଥିବା ସ୍ପଷ୍ଟ । ଅନ୍ୟାନ୍ୟ ପ୍ରସଙ୍ଗ ଗୌଣ ।

 

ଏତଦ୍‌ବ୍ୟତୀତ ଲୋକ ସାହିତ୍ୟ ‘ଦଶପୋଈ’ ଓ ‘ଗୋପୀବିଳାପ’ ତାଙ୍କର କୃଷ୍ଣଲୀଳାତ୍ମକ ଦୁଇଟି ଲୋକପ୍ରିୟ ରଚନା । ଏହି ଗ୍ରନ୍ଥ ଦ୍ୱୟରେ କୃଷ୍ଣଙ୍କର ଦେବତ୍ୱ ପରିବର୍ତ୍ତେ ଲାମ୍ପଟ୍ୟ ବିଶେଷ ଭାବରେ ଅଭିବ୍ୟଞ୍ଜିତ ।

 

ଦଶପୋଈ

 

ବସନ୍ତ ସମୟ । ରାଧା ଯମୁନାରୁ ଜଳ ଆଣିବାକୁ ଯାଇ କୃଷ୍ଣଙ୍କ ଭେଟ ହୁଅନ୍ତି । ରାଧାଙ୍କର ରୂପମାଧୁରୀ କୃଷ୍ଣଙ୍କ ହୃଦୟରେ ମିଳନ ଲିପ୍‌ସା ଜାଗ୍ରତ କରେ । ଋତୁରାଜ ବସନ୍ତ, ମଳୟାନିଳ, ଚନ୍ଦ୍ରଜ୍ୟୋତ୍ସ୍ନା ଓ ପିକର ପଞ୍ଚମାଳାପ କୃଷ୍ଣଙ୍କଠାରେ ରାଧା-ସମ୍ଭୋଗ-କାମନାର ଦାବାନଳ ଜଳାଇ ଦିଅନ୍ତି । ଦୂତୀ ଯାଏ । ରାଧାଙ୍କ ଅନିଚ୍ଛା ପ୍ରକାଶରେ ନିରାଶ ହୋଇ ଫେରି ଆସେ । ଅନନ୍ୟୋପାୟ ଶ୍ରୀକୃଷ୍ଣ ଅଧରରେ ମୁରଲୀ ଧରି ‘ରାଧା ରାଧା’ ରଟନ୍ତି । ବଂଶୀର ଉଚ୍ଚାଟ ନାଦରେ କାମବିଗଳିତା ରାଧା କୁଞ୍ଜ ଦ୍ୱାରରେ ଉପନୀତା ହେବା ପରେ ରାଧାମୋହନ ଆନନ୍ଦ ବିହ୍ୱଳିତ ଅବସ୍ଥାରେ ଚାଟୁ ରଚନା ପୂର୍ବକ କାମ କେଳିରେ ପ୍ରବୃତ୍ତ ହୁଅନ୍ତି । କବିଙ୍କ ଭାଷାରେ –

 

“କଳ୍ପଲତା ପଲ୍ଲବିଲା

ମନ୍ମଥରଥ ମଣ୍ଡିଲା

ବ୍ରହ୍ମଜାତି ହୀରା ହେଲା ଶାଣ ସୁନ୍ଦର,

ତଥାବେଶେ ରାମାବର

ହେଲାରୁ ରୁଚିର ଚିର

ମାନସ ମୋହ ମନ୍ଦିର ମୂର୍ତ୍ତି ଯାହାର ।

ଶ୍ୟାମ ପାଶୁ ମାଗି ମେଲାଣି

ଚଳିଲା ପୁରକୁ ଦୂତୀ ସଙ୍ଗେ ତରୁଣୀ ।

 

‘ଦଶପୋଈ’ର ଏହି ଶୃଙ୍ଗାରାତ୍ମକ ବିଷୟଚିତ୍ର ‘ଗୋପବିଳାପ’ରେ ଉଗ୍ର ଓ ବ୍ୟାପକ ହୋଇ ଉଠିଛି ।

 

ଗୋପୀବିଳାପ

 

‘ଗୋପୀବିଳାପ’ ଯଥାର୍ଥରେ ‘ଗୋପୀ ବୋଲି’ ନାମରେ ପରିଚିତ ହେବା କଥା, ମାତ୍ର ଗ୍ରନ୍ଥାବଳୀରେ ଏହା ପ୍ରାମାଦିକ ଭାବରେ ‘ଗୋପୀବିଳାପ’ ଶୀର୍ଷକ ବହନ କରିଅଛି । ବ୍ରଜନାଥ ଗ୍ରନ୍ଥଟିର ଶେଷରେ ଲେଖିଛନ୍ତି-

 

“ନାନା ଜାତି ନିୟମ ନାନା ରସେ

କେତେ ଛାନ୍ଦମାନ କଲି ହରଷେ

 

ସେତ ସବୁରି ନୋହିଲା ବୋଧକ

ପରମାର୍ଥରେ ନୋହିଲା ସାଧକ ।

 

ଏହି ଘେନି କୃତାର୍ଥ ହେବି ବୋଲି

ଦେଶ ଭାଷାରେ ବୋଇଲି ଏ ବୋଲି ।’’

 

କଥାକଥିତ ‘ଗୋପୀବିଳାପ’ ଛଅଗୋଟି ବୋଲିର ସମବାୟରେ ରଚିତ । ଏଥିରେ ରଚନାଶିଳ୍ପର ଚମତ୍କାରିତା ସେଭଳି ପ୍ରକଟିତ ହୋଇନଥିଲେହେଁ ସରଳ, ସହଜ ବଚନବିନ୍ୟାସରେ ନାଟକୀୟ ଘଟଣାବଳୀ ହୃଦ୍ୟରୀତିରେ ବର୍ଣ୍ଣିତ । ରତି ଲୋଲୁପ କୃଷ୍ଣ ଓ ଶ୍ୟାମ ସୋହାଗିନୀ ଗୋପିକାଙ୍କର ଗୋପନ ପ୍ରୀତି ଲୀଳା ଏହାର ଉପଜୀବ୍ୟ । ଏହାର ଭାଷା ଓ ଭାବ ପ୍ରକାଶ ଭଙ୍ଗୀ ଗ୍ରାମ୍ୟ । କବି, ଏ ସମ୍ପର୍କରେ ଅବହିତ ଥିବାରୁ ଆଦ୍ୟରୁ ଜଣାଇଛନ୍ତି –

 

“ମୋର କଥାରେ ବୋଲିବି ଏ ବୋଲି

ଦୋଷ ନ ଦେବ ଦେଶ ଭାଷା ବୋଲି ।’’

 

କଂସର ଆମନ୍ତ୍ରଣ କ୍ରମେ କୃଷ୍ଣ ଯେ ମଥୁରାକୁ ଗଲେ, କଂସ ନାଶ ହେବା ପରେ ମଧ୍ୟ ଆଉ ଗୋପପୁରକୁ ଫେରିଲେ ନାହିଁ । ତାଙ୍କ ବିରହରେ ଗୋପିକାବୃନ୍ଦ ଅତି ମନୋଦୁଃଖରେ କାଳ କଟାଉଥାନ୍ତି । ସେଦିନ ଆକାଶରେ ଜହ୍ନ ଉଠିଥାଏ । ରସକଳା, ପ୍ରୀତିଶିଳା, କମଳା, ପ୍ରିୟବତୀ, ରସବତୀ ଓ ଶ୍ୟାମଳା - ଏହି ଛଅଟି ସଖୀ ସାଙ୍ଗ ହୋଇ ଚୂନଧଉଳା ଅଗଣାରେ ବସି ଦୁଃଖ ସୁଖ ହେଉ ହେଉ କୃଷ୍ଣଙ୍କ ସହିତ କିଏ କିପରି ସଙ୍ଗସୁଖ ପାଇଥିଲେ ପରସ୍ପର କୁହାକୁହି ହେଲେ । କିଏ ଯମୁନାକୁ ଜଳ ଆଣିବାକୁ ଯାଇ କୃଷ୍ଣଙ୍କ ଅନୁନୟ ବିନୟରେ ବଶୀଭୂତ ହୋଇ ନିକୁଞ୍ଜ ଉପବନରେ ତାଙ୍କ ସହିତ ରତିରଙ୍ଗରେ ମାତିବା ପରେ ସ୍ୱାମୀଠାରେ ଧରାପଡ଼ି କୃଷ୍ଣଙ୍କ ଚତୁରତା ବଳରେ ରକ୍ଷା ପାଇଥିଲା ତ ଅନ୍ୟକେହି ନିଜ ଶୟନ ପ୍ରକୋଷ୍ଠରେ ନିଶାର୍ଦ୍ଧରେ କୃଷ୍ଣଙ୍କ ନିବିଡ଼ ସାନ୍ନିଧ୍ୟରେ ପ୍ରମତ୍ତା ଥିଲାବେଳେ ଦୁର୍ଦ୍ଦଣ୍ଡୀ ଶାଶୁ ହାବୋଡ଼ରୁ କୃଷ୍ଣଙ୍କ ଯୋଗୁଁ ମୁକ୍ତି ପାଇବା ସଙ୍ଗେ ସଙ୍ଗେ ପରିସ୍ଥିତିର ପରିବର୍ତ୍ତନ ଘଟିବାରୁ ଆପଣାର ମହତ୍ତ୍ୱ ବଢ଼ାଇଥିବା ପ୍ରସଙ୍ଗ ଦ୍ୱିଧାହୀନ ଚିତ୍ତରେ ବଖାଣି ଲାଗିଲା । ଛଅ ଜଣଙ୍କର କୃଷ୍ଣ ପ୍ରୀତିମୂଳକ ଅନୁଭୂତି ବିଶେଷତଃ ସୁରତି ମୂଳକ କ୍ରିୟାକଳାପର ପୁଲକଭରା ସ୍ମୃତି ଛଅଟି ଯାକ ବୋଲିରେ ଅକୃତ୍ରିମ ବାଚନ ଭଙ୍ଗୀରେ ପ୍ରକାଶ ଲାଭ କରିଛି । ଶୃଙ୍ଗାରିକ ଲୀଳା ବିଳାସର ଅନବଗୁଣ୍ଠିତ ବର୍ଣ୍ଣନା ସେ କାଳର ଲୋକ ସାହିତ୍ୟ ଶୈଳୀର ଅନୁମୋଦନ ଲାଭ କରୁଥିବାରୁ ବ୍ରଜନାଥ ସଜ୍ଞାନ ଚିତ୍ତରେ ଏଭଳି ଲୋକପ୍ରିୟ କୃଷ୍ଣ ଲୀଳାତ୍ମକ ଗ୍ରନ୍ଥ ରଚନା କରିଥିବାର ମନେହୁଏ । ତୁଳନାତ୍ମକ ଦୃଷ୍ଟିରେ ବିଚାର କଲେ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ପ୍ରଚଳିତ ‘ବଜାର ବୋଲି’ଠାରୁ ବ୍ରଜନାଥଙ୍କ ‘ଗୋପୀବୋଲି’ର ଭାଷା, ଭାବ ଓ ପ୍ରକାଶ ଭଙ୍ଗୀ, ଆଦିରସର ଉତ୍କଟତା ସତ୍ତ୍ୱେ, ଭବ୍ୟ, ମାର୍ଜିତ ଓ ସହନୀୟ ବୋଧ ହୋଇଥାଏ । ବାସ୍ତବ ସାଂସାରିକ ଜୀବନର ଅନୁଭୂତିକୁ ବୈଷ୍ଣବୀୟ ପ୍ରୀତି ରସରେ ଜଡ଼ିତ କରି ଯେତେଗୁଡ଼ିଏ ‘ବୋଲି’ କବିତା ସୃଷ୍ଟି ଲାଭ କରିଛି, ବ୍ରଜନାଥଙ୍କର ଏହି ‘ଗୋପୀବୋଲି’ ବିଷୟ ବିନ୍ୟାସ ଓ ବଚନଭଙ୍ଗୀ ଦୃଷ୍ଟିରୁ ବିଶିଷ୍ଟତା ବ୍ୟଞ୍ଜିତ । ଓଡ଼ିଶାର ଯେ କୌଣସି ପଲ୍ଲୀଗ୍ରାମର କୁଳବଧୂର ଶାଶୁ-ସ୍ୱାମୀ-ନଣନ୍ଦ ପ୍ରଭାବିତ ଦୈନନ୍ଦିନ ଜୀବନ ଧାରାର ପ୍ରାଣବନ୍ତ ଆଲେଖ୍ୟ ‘ଗୋପୀବିଳାପ’ରେ ପଲ୍ଲୀ ଭାଷାରେହିଁ ଅଭବ୍ୟକ୍ତି ଲାଭକରିଛି, ଯଥା –

 

“ମୋର ଅଛନ୍ତି ଭଗାରୀ ବହୁତ

ଦୋଷ ଦେଉଛନ୍ତି ଚାହୁଁ ଚାହୁଁତ

 

ଶାଶୁ ବୁଢ଼ୀ ହିଁ ଦେଖି ନ ପାରଇ

ମିଛେ ଦୋଷ ଦେଇ ଗଞ୍ଜି ମାରଇ ।’’ (ପ୍ରଥମବୋଲି)

 

‘ପୁଅ ସଙ୍ଗେ ଅସତୀକି ଦହିବି

ଦାଣ୍ଡେ ସତୀ ଗଲା ବୋଲି କହିବି

 

ଏହିରୂପେ ଶାଶୁ ଯଦିଁ ଚଦିଲା

ମୋର ଦେହରୁ ଚେତନା ହଜିଲା’’ (ଦ୍ୱିତୀୟବୋଲି )

 

“ଏବେ ସବୁ କଥାହିଁତ ବୁଝିଲ

ମୋର ସଙ୍ଗେ ଯେ ପହଡ଼େ ଯୁଝିଲ ( ତୃତୀୟବୋଲି)

 

‘ଆଗ ବୁଝ କଉଁ ଦୋଷ ମୋହର

ତୁଚ୍ଛା କଥାରେ ନକର କହର ।

 

ପୁଣି ବୋଲେ ଲୋ ନାକ କାନ ଖାଇ

କାହିଁ ନାଗରକୁ ଦିଅ ଦେଖାଇ’’। (ଚତୁର୍ଥ ବୋଲି)

 

ଅମ୍ବିକା ବିଳାସ

 

ଉପେନ୍ଦ୍ର ଭଞ୍ଜ ‘ବ’ ଆଦ୍ୟାନୁପ୍ରାସରେ ‘ବୈଦେହୀଶ ବିଳାସ’ ରଚନା କରି ଓଡ଼ିଆ ରୀତି ସାହିତ୍ୟର ମର୍ଯ୍ୟାଦା ବୃଦ୍ଧି କରିଛନ୍ତି ବୋଲି କୁହାଗଲେ ‘ଅ’ ସ୍ୱରବର୍ଣ୍ଣ ଆଦ୍ୟରେ ରଖି ବ୍ରଜନାଥ ‘ଅମ୍ବିକା ବିଳାସ’ ସର୍ଜନ ପୂର୍ବକ ସ୍ୱତନ୍ତ୍ର ସିଦ୍ଧିର ଚୂଡ଼ାନ୍ତ ସ୍ପର୍ଶ କରିଛନ୍ତି ମନେକରିବାକୁ ହେବ । ପରମ୍ପରାର ଗତିଧାରାରେ ଆଳଙ୍କାରିକତା ନାନା ବୈଚିତ୍ର୍ୟ ସମ୍ପନ୍ନ ଅଭିବ୍ୟକ୍ତି ବରଣ କରି ଭଞ୍ଜକୃତିର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବାରୁ ସେ କାଳର କବିବୃନ୍ଦ ସେହି ମାର୍ଗ ଅନୁସରଣକୁ ଶ୍ରେଷ୍ଠ ଜ୍ଞାନ କରିଥିଲେ । ବ୍ରଜନାଥ ପ୍ରଥମରୁ ପ୍ରତିଯୋଗୀ ଭାବରେ ସାହିତ୍ୟ କ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ଭଞ୍ଜୀୟ ରୀତି ବିନ୍ୟାସକୁ ଆତ୍ମସାତ କରିବା ସଙ୍ଗେ ସଙ୍ଗେ ସେଥିରେ ବିଶେଷ କୃତିତ୍ୱ ଅର୍ଜନ ଲାଗି ଯେଭଳି ସାଧନାନିରତ ଥିଲେ, ତାହାରି ଚୂଡ଼ାନ୍ତ ସିଦ୍ଧିର ସ୍ୱାକ୍ଷର ‘ଅମ୍ବିକା ବିଳାସ’ରେ ଲିପିବଦ୍ଧ ।

 

୪୧ ଛାନ୍ଦ ବିଶିଷ୍ଟ ଏହି ‘ଅମ୍ବିକା ବିଳାସ’ ବ୍ରଜନାଥଙ୍କର ଦୀର୍ଘତମ ରଚନା । ଦକ୍ଷ ପ୍ରଜାପତିଙ୍କର ଅଗ୍ରଜା-କନ୍ୟା ସତୀଙ୍କର ଶିବଙ୍କ ସହ ବିବାହ, ଦକ୍ଷଙ୍କର ଆୟୋଜିତ ଯଜ୍ଞରେ ସତୀଙ୍କର ଅନାହୂତ ଯୋଗଦାନ ଓ ସେଥିପାଇଁ ପିତାଙ୍କର ଝିଙ୍ଗାସ ବଚନ ସହ୍ୟ ନ କରିପାରି ଯଜ୍ଞ କୁଣ୍ଡରେ ଆତ୍ମହୂତି-ଏ ସମ୍ବାଦରେ ଶିବଙ୍କର ପ୍ରଚଣ୍ଡ କ୍ରୋଧାଗ୍ନିରୁ ବୀରଭଦ୍ର ନାମକ ଉଗ୍ର ଶକ୍ତିର ଆବିର୍ଭାବ ଓ ଶିବଙ୍କ ଆଦେଶରେ ଦକ୍ଷଯଜ୍ଞ ଭଗ୍ନ, ଶିବଙ୍କର ପତ୍ନୀ ବିରହରେ ଗଭୀର ଶୋକ ଓ ହିମାଳୟରେ କଠୋର ତପସ୍ୟା, ସତୀଙ୍କର ହିମାଳୟ ଓ ମେନାଙ୍କର କନ୍ୟାରୂପେ ପୁନର୍ଜନ୍ମ, ତପୋରତ ଶିବଙ୍କର ପରିଚର୍ଯ୍ୟା, ତାରକାସୁର ଅତ୍ୟାଚାରରୁ ରକ୍ଷା ପ୍ରାପ୍ତି ଲାଗି ଶିବଙ୍କର ସନ୍ତାନ ଲାଭର ଏକାନ୍ତ ଆବଶ୍ୟକତା ଯୋଗୁଁ ତାଙ୍କ ତପସ୍ୟାକୁ ବିଘ୍ନିତ କରିବା ଲାଗି ପୁଷ୍ପଧନ୍ୱା କନ୍ଦର୍ପଙ୍କୁ ଦେବତାମାନଙ୍କର ପ୍ରେରଣ, ମଦନ ଶରାହତ ଶିବଙ୍କର କ୍ରୋଧବହ୍ନିରେ ମଦନ ଭସ୍ମ, ରତିବିଳାପ, ଅମ୍ବିକାଙ୍କର ଶିବପ୍ରାପ୍ତି ଲାଗି କଠୋର ତପସ୍ୟା ଓ ବର ଲାଭ, ଶିବଙ୍କର ବିବାହ ଶୋଭାଯାତ୍ରା,ଶିବ ବିବାହ, ବରଯାତ୍ରୀ ଚର୍ଚ୍ଚା, ଶିବ-ପାର୍ବତୀଙ୍କର ଦାମ୍ପତ୍ୟ ମିଳନ, କାର୍ତ୍ତିକ-ଜନ୍ମ, କୁମାର ଜନ୍ମୋତ୍ସବରେ ସୁରାସୁରାଦିଙ୍କୁ ନିମନ୍ତ୍ରଣ ଓ ତାଣ୍ଡବ ନୃତ୍ୟରସ, ଠାକୁରାଣୀ ସ୍ତୁତି, କାବ୍ୟ ରଚନା ପରେ କବିଙ୍କର ସ୍ୱପ୍ନ ଦର୍ଶନ ଓ ସ୍ୱପ୍ନାଦେଶ ଅନୁଯାୟୀ ପରଦିନ ତେଜୋବନ୍ତ ବ୍ରାହ୍ମଣଙ୍କ ଆଗମନ ଓ ରାଜନୀତି ବର୍ଣ୍ଣନ- ଏହି ବିଷୟବସ୍ତୁର ଆଶ୍ରୟରେ ‘ଅମ୍ବିକାବିଳାସ’ର ଅବୟବ ଗଠିତ ହୋଇଅଛି । ବ୍ରଜନାଥ ଉକ୍ତ କାବ୍ୟର ଘଟଣା ଓ ଲକ୍ଷଣ ସମ୍ବନ୍ଧରେ ନିଜସ୍ୱ ଅଭିମତ ପ୍ରଦାନ କରିବାକୁ ଯାଇ ଲେଖିଛନ୍ତି-

 

‘ଅ-ଅକ୍ଷର ନିୟମ

ଅମ୍ବିକାବିଳାସ ନାମ

କୁମାର ଚରିତ ଶିବ ଉମା ବିବାହ

ଛାନ୍ଦ ଶେଷ ଅନୁପ୍ରାସ

ଅକ୍ଷର ଅବନା ନ୍ୟାସ

ଶୃଙ୍ଗାର କୁତୁକ ରସ ସନ୍ଦର୍ଭ ଋହ

ଅଳଙ୍କାର କାବ୍ୟ ଲକ୍ଷଣ

ପ୍ରଶ୍ନୋତ୍ତର ଭଙ୍ଗୀ ଅର୍ଥ ବହୁ ଭାଷଣ ।’

-(ରାଜସଭା - ପୃ୭୩)

 

ଯଥାର୍ଥତଃ ‘ଅମ୍ବିକାବିଳାସ’ ଏକ ବହୁ ଆୟାସ ସାଧ୍ୟ କୃତି । ‘ଅ’ ସ୍ୱରବର୍ଣ୍ଣରେ ଶବ୍ଦ ସଂଖ୍ୟା ଅପେକ୍ଷାକୃତ ଊଣା ଥିଲେହେଁ କବି ବହୁ କଷ୍ଟସ୍ୱୀକାର ପୂର୍ବକ ଅକାରାଦ୍ୟ ପଦଗୁଡ଼ିକ ଯେପରି ନିର୍ମାଣ କରିଛନ୍ତି, ସେଥିରୁ ତାଙ୍କର ପାଣ୍ଡିତ୍ୟ, ନିଷ୍ଠା ଓ ସାଧନାର ସମ୍ୟକ ଧାରଣା କରିହୁଏ ।

 

ପୁରାଣ ସାହିତ୍ୟରୁ ଉପାଖ୍ୟାନ ଭାଗଟି ମାତ୍ର ଗ୍ରହଣ କରି ସେଥିରେ ସ୍ୱକଳ୍ପନା, କବିତ୍ୱ, ବ୍ୟାବହାରିକ ଜ୍ଞାନ ଓ ଅଭିଜ୍ଞତାର ରଞ୍ଜନ ବୋଳି ରୀତି କାବ୍ୟର କବି ତାଙ୍କର ସ୍ୱତନ୍ତ୍ର କାବ୍ୟ ସୌଧ ନିର୍ମାଣ କରିଥାନ୍ତି । ‘ଅମ୍ବିକାବିଳାସ’ ଏହି ଦୃଷ୍ଟିରୁ ଏକ ଉତ୍ତମ ରୀତିକାବ୍ୟ । ଏଥିରେ ଶବ୍ଦର କସରତ ଅଛି, ଚମକପ୍ରଦ ଆଳଙ୍କାରିକ ଚାତୁର୍ଯ୍ୟ ଅଛି ଓ ରସାଳ ଭାବବ୍ୟଞ୍ଜନା ପଦେ ପଦେ ଏହି ସୃଷ୍ଟିକୁ ନିୟନ୍ତ୍ରଣ କରିଅଛି ।

 

ଅନ୍ତର୍ଲିପିକା, ସର୍ବସ୍ୱରାବୃତ୍ତି, ପୁନରୁକ୍ତିବଦାଭାସ, ନିନ୍ଦାଗର୍ଭସ୍ତୁତି, ଅବନାନିୟମ ପ୍ରାନ୍ତ ଯମକ, ଅକ୍ଷର କ୍ରମବୃଦ୍ଧି ନ୍ୟୂନ ଯମକ, ଅନୁଲୋମ ବିଲୋମ, ଶ୍ଳେଷରେ ନବଗ୍ରହ ସାମ୍ୟ, ଦଶାବତାର ସାମ୍ୟ, ଅକ୍ଷର-ମନସା, ଚ୍ୟୁତାକ୍ଷର, ମଣ୍ଡପବନ୍ଧ, ଗୋମୂତ୍ରିକା ବନ୍ଧ, ମହାଯମକ, ଚୂର୍ଣ୍ଣିକା, ପୋଈ, ଗୀତ ଓ ଶ୍ଳୋକ ସହିତ ବିଭିନ୍ନ ଭାଷାର ସ୍ତୁତି ସଙ୍ଗୀତ ଆଦିର ପ୍ରୟୋଗ ‘ଅମ୍ବିକାବିଳାସ’ର ରଚନାଶିଳ୍ପକୁ ପରିପାଟୀଯୁକ୍ତ କରିଅଛି। ଏହାର ବହୁପଦ ଛାନ୍ଦାର୍ଥୀ ପଣ୍ଡିତମାନଙ୍କ ପ୍ରତି ବିଶେଷ ଆହ୍ୱାନ ସ୍ୱରୂପ ନିର୍ମିତ ହୋଇଅଛି । ଜଣାଯାଏ, କେନ୍ଦୁଝର ରାଜସଭାରେ ଏହି ଗ୍ରନ୍ଥଟି ଆମୂଳଚୂଳ ଅର୍ଥ ଅର୍ଥାନ୍ତର ଓ ଉକ୍ତି-ପ୍ରତ୍ୟୁକ୍ତି ମାଧ୍ୟମରେ ତଦ୍‌ବିଦମାନଙ୍କ ସମକ୍ଷରେ ଆବୃତ୍ତ ଓ ଗୃହୀତ ହୋଇଥିଲା । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ‘ଅବନା-ରସତରଙ୍ଗ’, ‘ଚିତ୍ରକାବ୍ୟ ବନ୍ଧୋଦୟ’ ଓ ‘କୋଟୀ ବ୍ରହ୍ମାଣ୍ଡ ସୁନ୍ଦରୀ’ ଆଳଙ୍କାରିକ ସିଦ୍ଧିର ବିଶିଷ୍ଟ ଓ ଚରମ କୃତିତ୍ୱ । ସେ ସକଳର ସୂଚନାତ୍ମକ ଅନୁସରଣରେ ‘ଅମ୍ବିକାବିଳାସ’ର ଶିଳ୍ପ-ରୂପାୟନ ଘଟିଛି । ଶ୍ଳୋକ,ସ୍ତୁତି, ଚୂର୍ଣ୍ଣିକା, ପୋଈ ଓ ଗୀତମାନଙ୍କର ଏକତ୍ର ସହାବସ୍ଥାନ ଘଟାଇ ବ୍ରଜନାଥ ରୀତି ସାହିତ୍ୟର ବହୁ ବିଭାବରେ ତାଙ୍କର ସର୍ବୋତ୍ତମ ପ୍ରବେଶ ଓ ଦକ୍ଷତାର ପରିଚୟ ଏହି କାବ୍ୟଟିରେ ଲିପିବଦ୍ଧ କରି ଯାଇଛନ୍ତି ।

 

ହିମାଳୟ କନ୍ୟା ଉମାଙ୍କର ବାଲ୍ୟ, କୈଶୋର ଓ ଯୌବନ ଅବସ୍ଥାର ବର୍ଣ୍ଣନାତ୍ମକ ଚିତ୍ର ଉତ୍ତୋଳନରେ, ଶିବଙ୍କର ବିବାହ ଶୋଭାଯାତ୍ରାରେ ଆଗତ ସୁରାସୁର, ଋଷି ଗନ୍ଧର୍ବ ଇତ୍ୟାଦିଙ୍କର ବେଶଭୂଷଣ ଓ ଗତିଭଙ୍ଗୀର ଚିତ୍ରଣରେ, ହିମାଳୟଙ୍କର ଭିନ୍ନ ଭିନ୍ନ ରୁଚି ଓ ପ୍ରକୃତିର ବରଯାତ୍ରୀଙ୍କ ଲାଗି ଭିନ୍ନ ଭିନ୍ନ ଖାଦ୍ୟ ସାମଗ୍ରୀ ଯୋଗାଣର ବିବରଣୀ ପ୍ରଦାନରେ, ବରକନ୍ୟାଙ୍କର ଯୌତୁକ ସମ୍ଭାରରେ ପ୍ରଦତ୍ତ ଦୁର୍ଲ୍ଲଭ ପଦାର୍ଥମାନଙ୍କର ନାମ ଓ ସ୍ୱରୂପ ନିର୍ଣ୍ଣୟରେ ବ୍ରଜନାଥଙ୍କର ମୌଳିକ ପରିକଳ୍ପନାର ବିଶେଷ ଦୃଷ୍ଟାନ୍ତ ଏହି କାବ୍ୟରେ ଅତ୍ୟନ୍ତ ଉପଭୋଗ୍ୟ ହୋଇଛି । ବର୍ଣ୍ଣ ବିନ୍ୟାସର ଅକ୍ଷୁଣ୍ଣତା ସହିତ ସ୍ୱାଭାବିକ ଭାବ ସୌନ୍ଦର୍ଯ୍ୟର ଯୁଗପତ୍‌ ମିଳନ ଘଟାଇ ହିମାଳୟ କନ୍ୟା ଉମାଙ୍କର ବାଲ୍ୟାବସ୍ଥାର ଚିତ୍ର ଦେଇ କବି ଲେଖିଛନ୍ତି –

 

“ଅମ୍ବା ଅମ୍ବା ରାବ କରନ୍ତେ

ଉଚ୍ଚ ସ୍ୱରେ ରୋଦନ

ଅଙ୍କେ ଧରି ମାଏ କହନ୍ତି

ଆହା ମୋ ପ୍ରାଣଧନ ।

ଅଣିଆଇଁ ଧରି ଜନନୀ

କୋଳେ ଥାଇ ଶୁଆଇ

ଅଳପହିଁ ଅଙ୍ଗ ଚାଳିଲେ

ଉଠନ୍ତି ଯେ ଚିଆଁଇ ।

+ + + + +

ଅଙ୍ଗୁଷ୍ଠ ଅଙ୍ଗୁଳି ପଦର

କରୁଥାନ୍ତି ଅଦନ

ଅଜାଗେ Õଳନ ହୁଅନ୍ତେ

କରନ୍ତି ଯେ ରୋଦନ

ଅପସରକୁ ଆଉଜାଇ

ଦେଇଥାନ୍ତି ବସାଇ

ଅଗ୍ରେ କିରେ କିରେ କହିଣ

କିରି କରି ହସାଇ ।’’

-(୭ମ ଛାନ୍ଦ )

 

ଶିବଙ୍କର ବିବାହ ଶୋଭାଯାତ୍ରାର ବର୍ଣ୍ଣନା ବ୍ରଜନାଥଙ୍କର ଶାସ୍ତ୍ରଜ୍ଞାନ, ଔଚିତ୍ୟବୋଧ ଓ ରସିକତାର ପରିଚୟ ବହନ କରେ । ଦେବତା, ଗନ୍ଧର୍ବ ଋଷି, ଶିବଗଣ, ମର୍ତ୍ତ୍ୟ ରାଜନ୍ୟବର୍ଗ ଓ ଶିବାଶ୍ରିତ ପୁରାଣ କଥିତ ରାକ୍ଷସ ବୃନ୍ଦ ଯେ ଯାହାର ପ୍ରକୃତି ଅନୁରୂପ ବେଶଭୂଷା, ଯାନବାହନ ଓ ଆଚରଣ ଭଙ୍ଗୀ ସହ ଏ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଛନ୍ତି । ଦୃଷ୍ଟାନ୍ତସ୍ୱରୂପ କିନ୍ନରମାନଙ୍କ ଗତିଭଙ୍ଗୀର ଚିତ୍ର ଉଦ୍ଧାର କରାଯାଉଛି, ଯଥା-

 

“ଅଭିନୟ ବନ୍ଧେ କିନ୍ନର ବୃନ୍ଦ

ଅଙ୍ଗକୁ ଢାଳି ଢାଳି ମନ୍ଦ ମନ୍ଦ

ଅଙ୍ଗୁଷ୍ଠ ତର୍ଜନୀ ଅଙ୍ଗୁଳ ଦୁଇ

ଅଗ୍ର ଯୋଗେ କେ ହସ୍ତକ ଦେଖାଇ

ଅଳ୍ପ ପୁରଃ ସରି

ପାଦ ଧୀରେ ମାରି

ପୁଣ ଉର ଡେରି ରହେ

ଅମ୍ବୁ ଭଉଁରୀ ପରି ବୁଲିଯାଏ ।୧୭।

 

 

ଅମୃତୀ ଚାଲିକି କେହି ନାଚଇ

ଅମ୍ବୁଜ- ଅରୁଣ-ଚରଣ ଦୁଇ

ଅଲକ୍ଷିତ ହୋଏ ଚପଳ ନାଟେ

ଅଙ୍ଗ ତା ଚପଳା ପରି ଚହଟେ

ଅଣ୍ଡୀର କୋକିଳ

ସ୍ୱରରୁ ମଧୁର-

ଭାବେ ତାତା ଥେଇକରେ

ଅଳପ ଆଳାପେ ରାଗ ରାଗରେ ।୧୮।’’

 

ଶିବଗଣଙ୍କ ରୂପକାନ୍ତି ବର୍ଣ୍ଣନା –

 

“ଅନ୍ତିକେ ଲାଗି ବାହାରିଲେ ପୁଣ

ଅୟୁତ ପରିମିତ ଶିବଗଣ

ଅଟନ୍ତି ସର୍ବେ ବିଭୂତି ଲେପନ

ଅଣ୍ଡକୋଷରେ ନାହିଁ କଉପୀନ

ଅର୍କ-ସମତୁଲ

ମହୋଜ୍ଜ୍ୱଳ ଶୂଳ

କରରେ କେବଳ ଅଛି

ଅହିମାଳିମାଳା ଗଳା ଶୋଭୁଛି ।୨୦।’’

 

ଭୂତ, ପିଶାଚ ଓ ରାକ୍ଷସମାନଙ୍କର ଗତି ଭଙ୍ଗୀର ଚିତ୍ରଣ –

 

“ଅଙ୍ଗାର ପରି ଦିଶେ କାହା କାନ୍ତି

ଅନ୍ଧାର ପ୍ରକାର କାହାର ଦ୍ୟୁତି

ଅଗ୍ନି ସଦୃଶ ଜଳେ କା ନୟନ

ଅବଲୋକନେ ଛନ୍ନ ହୋଏ ମନ

ଅଂଶାଇ ପଡ଼ିବା

ଶବ ମାଂସ ସେବା

କରୁଅଛି କେହୁ ସୁଖେ

ଅଟକନ୍ତେ ଦନ୍ତେ କାଢ଼ୁଛି ନଖେ ।୨୬।’’

– ବିଂଶଛାନ୍ଦ

 

‘ଅମ୍ବିକାବିଳାସ’ର ତ୍ରୟୋବିଂଶ ଛାନ୍ଦ ବ୍ରଜନାଥଙ୍କର ମୌଳିକତାର ଦ୍ୟୋତକ । ଶିବଙ୍କ ସହିତ ବରଯାତ୍ରୀ ପଣରେ ଆସିଥିବା ଦେବତା, ଋଷି ଓ ରାକ୍ଷସମାନଙ୍କୁ ହିମବନ୍ତ କିପରି ରାଜସିକ, ସାତ୍ତ୍ୱିକ ଓ ତାମସିକ ଖାଦ୍ୟପେୟ ଦେଇ ସନ୍ତୁଷ୍ଟ କରିଥିଲେ, ତାହାର ବିବରଣୀ ଏହି ଛାନ୍ଦରେ ପ୍ରଦାନ କରାଯାଇଛି । ଆଜିର ଜୀବନଧାରା ଓ ପଦାର୍ଥର ଦୁର୍ମୂଲ୍ୟ ସହିତ ରୁଚିଗତ ପରିବର୍ତ୍ତନ ହେତୁ ଲୋକେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସାମଗ୍ରୀ ବିସ୍ମୃତ ହୋଇଥିଲା ବେଳେ ‘ଅମ୍ବିକାବିଳାସ’ର ଏହି ଛାନ୍ଦରୁ ସେ ସକଳର ନାମ ମାତ୍ର ଲକ୍ଷ୍ୟ କରିପାରନ୍ତି ଯଥା - ପଇତି, ମହୁର, ପାଚଲ, ଶାକରା, ମଧୁରୁଚି, କଢ଼ି, ରାଇ, ଆମ୍ବିଳ, ସୂର୍ଯ୍ୟପାଗୀ କାଞ୍ଜିକା, ମରିଚ ପାଣି ଘାଣ୍ଟ, ସୀଂସାମୁଗ ପ୍ରଭୃତି ବ୍ୟଞ୍ଜନ, ବହୁ ପୁରୋଦର ପିଷ୍ଟକ, ଅମୃତ କେଳି, କାନ୍ତି ରସକେଳି, ଅପମାଲୁ, ତ୍ରିପୁରା, ସୁଆରୀ, ରସପୁଳି, ସରକୁମ୍ପୀ, ଲଡ଼ୁ, ନାନମାନ, କୋରା, ବରା, ଡାଳିମ୍ବ, ପାରିଜାତକ, ଝିଲ୍ଲୀ, ମଣ୍ଡା, ପୋଡ଼ପିଠା, ଟାକୁଆ ମିଠାଇ, ପାମ୍ପୁଡ଼ି, ନାଡ଼ୀ ନିସଙ୍କୁଡି ଗଜା, ଆରିଷା, ପୁରି, ଘୃତବିଣ୍ଡି ଖଜା, ଅଧାମ (ଖୁଆ), ଗୋଟିକା (ଖୁଆଲଡ଼ୁ) ଖୋଷି, ଫେଣୀ ଇତ୍ୟାଦି ମନୋହର ପଦାର୍ଥ, କଦଳୀ, କମଳା, ପଣସ, ଦ୍ରାକ୍ଷା, ବାଦାମ, ମାଧ୍ୱୀକ, ଅଳାଇଚ, ଗୁଡ଼ତ୍ୱକ, ଜାତିଫଳ ଅମର କୁସୁମ (ଲବଙ୍ଗ), ଘଷାପାଣି (ଭାଙ୍ଗ) ଇତ୍ୟାଦି । ଅନ୍ତଃପୁରରେ ଦେବଗଣ, ଅପରାପର ପୁରରେ ଋଷି ଓ ରାକ୍ଷସବୃନ୍ଦଙ୍କୁ ଭୋଜନ ଦିଆ ଯାଇଥିଲା । ରାକ୍ଷସ ଭୋଜନ ବ୍ୟବସ୍ଥା କବିଙ୍କ ନିଜ ଭାଷାରେ ଏହିପରି –

 

“ଅପର ପୁରେ ଅସୁର ରାକ୍ଷସ ଭୋଜନ

ଅଜ ମେଷ ମହିଷ ମୃଗାଦି ଖଗ ମୀନ ଯେ

ଅନ୍ନ ମିଶା କୁନ୍ଦନ ପଲାଉ ବୁଟପୁଆ

ଅଗ୍ନିପୋଡ଼ା କେବା ଭଜା ସେ ମାଂସ କାଲିଆ ଯେ

ଅଣରାଇ ଅଖିନି * କେ ଖଣ୍ଡ ଖଣ୍ଡ ସେକା (ଅକ୍ଷୁର୍ଣ୍ଣ ବା ଗୋଟାପଣ)

ଅପରେ ଦମ୍‌ କେତେକ ଗୋଟା ନିଆଁ ପକା ଯେ ।’’

 

ବିବାହ ଉତ୍ସବର ସମାପ୍ତି ପରେ ବରକନ୍ୟାଙ୍କର ମଧୁଶଯ୍ୟାର ଅନୁଭୂତି ‘କୁମାର ସମ୍ଭବମ୍‌’ରେ ମହାକବି କାଳି ଦାସ ଯେପରି ସ୍ୱଭାବ ସୁନ୍ଦର ରୀତିରେ ଆଲେଖ୍ୟଭୂତ କରିଛନ୍ତି କିମ୍ବା ‘ବୈଦେହୀଶ ବିଳାସ’ରେ ଉପେନ୍ଦ୍ର ଭଞ୍ଜ ଯେପରି ବିଶଦ ବର୍ଣ୍ଣନା ପ୍ରଦାନ କରିଛନ୍ତି, ଶୃଙ୍ଗାର ରସର ଉଚ୍ଛଳ ଚିତ୍ରଣରେ ସିଦ୍ଧହସ୍ତ ବ୍ରଜନାଥ ‘ଅମ୍ବିକାବିଳାସ’ରେ ସେହି ପାରମ୍ପରିକତାକୁ ଅନୁସରଣ ନ କରି ସ୍ୱକୀୟ ଔଚିତ୍ୟବୋଧ ଓ କଳାତ୍ମକତାର ପରିଚୟ ଦେଇ ଚତୁର୍ବିଂଶ ଛାନ୍ଦର ଶେଷ ପଦରେ ଲେଖିଛନ୍ତି –

 

ଅଚଳା ଲଜ୍ଜା

ବତୀଙ୍କି ଆଣନ୍ତି

ସଖୀ ପହଣ୍ଡ ମଣାଇ ସେ, ସୁଧୀରେ

ଅତିକଷ୍ଟେ ବଳାଇଲେ ଦେହଳୀ

ଅକଥନ ମନ୍ମଥ ରସ କେଳି

ଅଧିକ ଉଜ୍ଜ୍ୱଳ-

ଶାସ୍ତ୍ରୁଁ ହେଜ ବଳ-

ଭଦ୍ର ଭଞ୍ଜ କହେ ଭାଳି ହେ, ସୁଜନେ ।’’

 

ପାର୍ବତୀ ଓ ପରମେଶ୍ୱରଙ୍କ ମିଳନକୁ ମର୍ଯ୍ୟାଦା ଦୃଷ୍ଟିରୁ ଲୌକିକ ରୂପ ପ୍ରଦାନ କରିବାରେ କବି ଲେଖନୀ ସଂଯତ ହୋଇଛି । ଘଟଣାକ୍ରମେ ସଖୀମାନଙ୍କ ମୁଖରେ, ଶିବ-ଶିବାଙ୍କ ଆଚରଣରେ ଆଦିରସର ଆବେଦନ ପ୍ରକାଶ ପୂର୍ବକ କବି ବ୍ରଜନାଥ ଶିଳ୍ପଚାତୁର୍ଯ୍ୟର ପରିଚୟ ଦେଇଛନ୍ତି।

 

କନ୍ୟାପିତା ସଜାଡ଼ିଥିବା ଯୌତୁକ ସମ୍ଭାର ମଧ୍ୟରେ ରଥ, ଅଶ୍ୱପଦାତିକ ସୈନ୍ୟ, ଅସ୍ତ୍ରଶସ୍ତ୍ର ଠାରୁ ମଣି, ମାଣିକ୍ୟ, କେ„ଇ ଓ ଲବଙ୍ଗ, ଜାଈଫଳ ମସଲା ପେଡ଼ି ପର୍ଯ୍ୟନ୍ତ ସମସ୍ତ ପଦାର୍ଥର ମନୋଜ୍ଞ ତାଲିକା ସପ୍ତବିଂଶ ଛାନ୍ଦରେ ପ୍ରସ୍ତୁତ କରାଯାଇଛି । ଅଶ୍ୱମାନଙ୍କର ଶ୍ରେଣୀ ବିଭାଗରୁ ବ୍ରଜନାଥଙ୍କ ସମର ଶାସ୍ତ୍ର ଅନୁଧ୍ୟାନତାର ପରିଚୟ ମିଳେ । ଏହି ଛାନ୍ଦର ନିମ୍ନୋଦ୍ଧୃତ ପଦମାନଙ୍କରେ ସେ ଲେଖିଛନ୍ତି -

X X X X

ଅରି କରୀ ପରେ ଥିଲେ ଉଠିବେ ତା ପରେ

ଅୟୁତେ ଇରାକୀ ବାଜୀ ଦେଲେ ଏ ରୂପରେ ଯେ ।

 

ଅଲେଖା ସୁଲେଖା କଚ୍ଛୀ କୁମେତା କପୋତୀ

ଅବଲେଖା ସଞ୍ଜାପ ଟାଙ୍ଗଣ ଗୁଣ୍ଠ ଜାତି ଯେ ।

 

 

ଅଙ୍ଗଯାୟି ଶ୍ୟାମବର୍ଣ୍ଣ ହର ଆଖନ୍‌ ଦାରୀ

ଅପରେ ଆରବୀ ସିରାଜୋଜ ସିନ୍ଧୁ ପାରି ଯେ ।

 

ଅମୂଲ୍ୟ ପଞ୍ଚକଲ୍ୟଣୀ ଜରଦୀ ଶ୍ୟାମଳା

ଅତୁଲ୍ୟ ମୁସୁକୀ ନୀଳା ସୁରଙ୍ଗ ପିଙ୍ଗଳା ଯେ ।

 

ଅପୂର୍ବ ସୁମୋଦ ଚାଲୁକ୍ୟ ହିଁ କାନଖୋରି

ଅଶୀ ସହସ୍ର ଏ ବାଜୀ ଦେଲେ ବାଛି କରି ଯେ ।୧୯।’’

 

“ଅମ୍ବିକାବିଳାସ’କୁ ଏକ ମହାକାବ୍ୟରୂପେ ଗଠନ କରିବାକୁ ଯାଇ କବି ଶରତ, ଶିଶିର ଓ ବସନ୍ତ ଋତୁର ସଂକ୍ଷିପ୍ତ ବର୍ଣ୍ଣନା ଦେଇ ଅଛନ୍ତି । ଏହି ଋତୁ ଚିତ୍ରଣରେ କବିତ୍ୱ ଅପେକ୍ଷା ଚାତୁର୍ଯ୍ୟ ସମଧିକ ଆତ୍ମପ୍ରକାଶ କରିଛି । ତେଣୁ ଦୀନକୃଷ୍ଣ ଓ ଉପେନ୍ଦ୍ର ଭଞ୍ଜ ପ୍ରଭୃତିଙ୍କ କୃତିରେ ଋତୁ ଚିତ୍ରଣର ବ୍ୟାପକତା, ମନୋହାରିତା ଓ କଳ୍ପନା ବିଳାସିତା ତୁଳନାରେ ‘ଅମ୍ବିକା ବିଳାସ’ର ସେହି ସେହି ଅଂଶ ହୀନପ୍ରଭ ଜଣାପଡ଼େ ।

 

କୁମାରଙ୍କ ଜନ୍ମୋତ୍ସବ ପାଳନର ବିଶେଷ ବିବୃତି ଗୁମ୍ଫନ କରିବା ଅବକାଶରେ କବି ବହୁ ଭାଷା ଜ୍ଞାନର ଦୃଷ୍ଟାନ୍ତ ଷଟ୍‌ତ୍ରିଂଶ ଛାନ୍ଦରେ ପ୍ରକାଶ କରିଛନ୍ତି । ବ୍ରହ୍ମାଦି ଦେବଗଣ, ନାରଦାଦି ଋଷି, ଗନ୍ଧର୍ବ, ନାଗକୁଳ, ରାକ୍ଷସ, ମାନବ ଆଦି ଶିବ-ପାବର୍ତୀଙ୍କୁ ସଂସ୍କୃତ, ପିଙ୍ଗଳ, ଖୋରଠା, ବଙ୍ଗ, ଉତ୍କଳ ଦେଶୀୟ ଭାଷାରେ ସ୍ତୁତି ଜଣାଇଛନ୍ତି । କୈଳାସ କନ୍ଦରରେ ଆୟୋଜିତ ଏହି ଜନ୍ମୋତ୍ସବରେ ପରିବେଷିତ ନୃତ୍ୟଗୀତର ସ୍ୱରୂପ ବଜ୍ରନାଥଙ୍କ ଭାଷାରେ ଏହିପରି ଅଭିବ୍ୟକ୍ତ ହୋଇଛି :

 

“ଅଘ୍ରିଂପର ନୂପୁର ରୁଣ ଝୁଣ

ବାଜତ କଟି କିଙ୍କିଣୀ ଟଣ ଟଣ

ଫୂ ଫ ଧ୍ୱନି ଭାଷତି ସନ୍ତତ

ଭୂଷଣ ଫଣୀ ନାୟକ ହେ ।

 

ଅଷ୍ଟନୟନ ମର୍ଦ୍ଦଳ ତରଳିତ

ତାଦ୍ଧା ଧିଗ୍‌ ଧିଗ୍‌ କୃତ ଧୁଧୁଙ୍ଗନଦ୍ଧାକ୍ରିତ

ଦ୍ଧାକ୍ରିତ ଦ୍ଧାକ୍ରିତ ଧେଦ୍ଧେ

ଥେଇ ତଥେଇ କିତ ହେ ।

 

ଅଗ୍ରେ ମିଳି ବା ଓ ତ ନାରଦ ବୀଣା

ସ ରି ଗ ମ ପ ଧ ନି ପ ଧ ସା

ଧପ ପଧ ନିଧ ଧପ ଧଂ ମତେ

ବନା ଥେଇ ବାଦକ ହେ ।୫।’’

 

‘ଅମ୍ବିକାବିଳାସ’ର ୩୯,୪୦ ଓ ୪୧ ଛାନ୍ଦ ବିଷୟାତିରିକ୍ତ ବ୍ୟକ୍ତିଗତ ଅନୁଚିନ୍ତନର ପ୍ରତିଫଳନ ବହନ କରେ । ୩୯ ଛାନ୍ଦରେ ସାଧୁ-ସ୍ତୁତି, ଖଳନିନ୍ଦା, ପ୍ରସ୍ତୁତ କାବ୍ୟର ମହତ୍ୱ, ଶବ୍ଦ, ଅର୍ଥ, ଶାସ୍ତ୍ରଭେଦ ଓ ସୃଷ୍ଟିତତ୍ତ୍ୱର ସମୀକ୍ଷା ଭାଗବତ ବାଣୀରେ ପ୍ରଦାନ କରାଯାଇଛି । ୪୦ ଛାନ୍ଦରେ ସ୍ୱପ୍ନଦର୍ଶନ ଓ ରାଜନୀତି ବର୍ଣ୍ଣନା ସ୍ଥାନ ପାଇଛି । ରାଜ୍ୟ ଶାସନ କ୍ଷେତ୍ରରେ ରାଜାର ଆଦର୍ଶ ଏଥିରେ ଅଳ୍ପ ପରିସରରେ ଅଭିବ୍ୟକ୍ତ ହୋଇଛି । ଶେଷ ଛାନ୍ଦରେ କବି ପରିଚିତି, ଗ୍ରନ୍ଥର ବିଷୟଚିତ୍ର ଓ ରଚନା ଶିଳ୍ପ ସମ୍ବନ୍ଧୀୟ ଜ୍ଞାତବ୍ୟ ତଥ୍ୟ ମାନଙ୍କର ସୂଚନା ପ୍ରଦତ୍ତ ହୋଇଛି । ଢେଙ୍କାନାଳରୁ ପ୍ରାପ୍ତ ଗ୍ରନ୍ଥରେ ଢେଙ୍କାନାଳ ନଗର ବର୍ଣ୍ଣନା ସନ୍ନିବେଶିତ ହୋଇଥିବାର ଦେଖିବାକୁ ମିଳେ ।

 

ଚତୁର ବିନୋଦ

 

‘ଚତୁର ବିନୋଦ କଥା’ ସାଧାରଣ ଦୃଷ୍ଟିରେ ଏକ କାହାଣୀ ଗ୍ରନ୍ଥ । କାହାଣୀର ବୟାନରେ ପାରମ୍ପରିକ ଧାରାର ଅନୁସରଣ ଏଥିରେ ଘଟିଥିଲେ ମଧ୍ୟ ଅଭିବ୍ୟକ୍ତିର ପ୍ରାଞ୍ଜଳତା, ଚମତ୍କାରିତା ଓ ସ୍ୱାଭାବିକତା ଦୃଷ୍ଟିରୁ କେବଳ ଗଳ୍ପ ନୁହେଁ ସେ ଯାବତ୍‌ ସୃଷ୍ଟିଲାଭ କରିଥିବା ଓଡ଼ିଆ ଗଦ୍ୟକୃତିମାନଙ୍କ ମଧ୍ୟରେ ଏହା ଅତୁଳନୀୟ । ଆଖ୍ୟାନଗତ ବୈଚିତ୍ର୍ୟ ଯୋଗୁଁ ଏବେ ମଧ୍ୟ ଏହା ସୁଖପାଠ୍ୟ ଓ ଆକର୍ଷଣୀୟ । ଏକ ମୂଳ ଘଟଣାକୁ ଆଶ୍ରୟ କରି ବହୁ କାହାଣୀ ଓ ଉପକାହାଣୀର ସମାରୋହରେ ଏହି ଗ୍ରନ୍ଥଟି ସମୃଦ୍ଧ । ସଂସ୍କୃତ କାହାଣୀ ଗ୍ରନ୍ଥ ‘କଥାସରିତ ସାଗର’ ‘ହିତୋପଦେଶ’, ‘ଦଶକୁମାର ଚରିତ’ର ବୟାନ ଭଙ୍ଗୀ ଏଥିରେ ଲକ୍ଷ୍ୟ କରାଯାଏ । କଥା ଗ୍ରନ୍ଥଟିର ଶିଳ୍ପରୂପ ବ୍ରଜନାଥଙ୍କର ନିଜସ୍ୱ । ତାଙ୍କର ପାଣ୍ଡିତ୍ୟ, ବହୁଦର୍ଶୀ ଅଭିଜ୍ଞତା, ରସିକୋଚିତ ଦୃଷ୍ଟିଭଙ୍ଗୀ ଓ କବିତ୍ୱର ମୋହନ ସ୍ପର୍ଶରେ ଗଳ୍ପ କଥିତ ଘଟଣା ଓ ତାହାର ପରିଣତି, ଚରିତ୍ର ଓ ସେମାନଙ୍କର ରୀତିଗତି ଉପଭୋଗ୍ୟ ହୋଇ ଉଠିଛି । ସେ କାଳର ଜନମାନସ ଓ ଜୀବନଚର୍ଯ୍ୟା ଅନୁରୂପ ପ୍ରତ୍ୟେକଟି ବିବୃତି ପ୍ରତ୍ୟକ୍ଷ, ଅକୁଣ୍ଠ ଓ ସୁଖବୋଧ୍ୟ ହୋଇଥିବାରୁ ସମକାଳୀନ ବା ପୂର୍ବବର୍ତ୍ତୀ ଓଡ଼ିଆ ସାହିତ୍ୟ ରାଜ୍ୟରେ ଏହାର ସ୍ଥାନ ଅନବଦ୍ୟ ବୋଧ ହୁଏ । ଆଧୁନିକ ଓଡ଼ିଆ କଥା ସାହିତ୍ୟର ପ୍ରଭାବଶାଳୀ ଆଦି ସ୍ରଷ୍ଟା ଫକୀରମୋହନଙ୍କର ଅଗ୍ରସୂରୀରୂପେ ବ୍ରଜନାଥଙ୍କର ପ୍ରତିଷ୍ଠା, ସେଥିପାଇଁ, ଅବିସମ୍ବାଦିତ ।

 

ଶୃଙ୍ଗାରି ଚେତନା ଯେଉଁ କାଳରେ ସମ୍ଭ୍ରାନ୍ତ ସାହିତ୍ୟର ଥିଲା ପ୍ରାଣଧର୍ମ, ‘ଚତୁର ବିନୋଦ’ ସେହି କାଳର ସୃଷ୍ଟି । ଏହି ଶୃଙ୍ଗାରିକ ଭାବ ଭାବନାକୁ ଏଥିରେ ସ୍ୱଭାବ ସୁନ୍ଦର ଗଦ୍ୟ ଆଲେଖ୍ୟ ପ୍ରଦାନ କରାଯାଇଛି । ଏହି ଆଲେଖ୍ୟର ସ୍ପଷ୍ଟତା ଓ ଉଗ୍ରତା ସମଗ୍ର ସୃଷ୍ଟିଟିକୁ ଆଚ୍ଛନ୍ନ କରିଥିବାରୁ ଆଧୁନିକ ପାଠକ ସମାଜରେ ଏହା ଅଶ୍ଳୀଳତା ଦୋଷଦୁଷ୍ଟ ହେବାରେ ବିଚିତ୍ରତା କିଛିନାହିଁ । ମାତ୍ର ତତ୍କାଳୀନ ସମାଜ-ଜୀବନର କେତେକ ଅକୃତ୍ରିମ ପ୍ରତିଚ୍ଛବି ଏହି ଗଳ୍ପ ଗ୍ରନ୍ଥଟିରେ ଯେପରି ଉତ୍‌କୀର୍ଣ୍ଣ ହୋଇଛି, ତାହାକୁ ଅଶ୍ଳୀଳ ବୋଲି ଅଗ୍ରାହ୍ୟ କରି ହେବନାହିଁ । ଅଧିକନ୍ତୁ ଲୋକାୟତ କାଳ୍ପନିକ କାବ୍ୟ ପରମ୍ପରାର ଦେହଳୀରୁ ମୁକ୍ତି ଲାଭର ପ୍ରୟାସ କରିବାକୁ ଯାଇ ଗ୍ରନ୍ଥକାର ଗଦ୍ୟର ଆଶ୍ରୟ ଗ୍ରହଣ କଲାବେଳେ କାବ୍ୟ ଧର୍ମକୁ ସମ୍ପୂର୍ଣ୍ଣ ବିସ୍ମୃତ ହୋଇପାରି ନାହାନ୍ତି । ତେଣୁ ରଚନାଟି ଗଦ୍ୟର ଅଙ୍ଗବହନ କରି ମଧ୍ୟ ଆତ୍ମାରେ କାବ୍ୟର ବ୍ୟଞ୍ଜନା ବରଣ କରିଛି । ଅନ୍ୟପକ୍ଷରେ ‘ଚତୁର ବିନୋଦ’ ଭଳି ଏକ ନୂତନ ସର୍ଜନରେ ହାତ ଦେବା ପୂର୍ବରୁ ରଚୟିତା ଲୋକରୁଚିର ଆକଳନ କରିଛନ୍ତି । ‘ଲାବଣ୍ୟବତୀ’ ‘ରସିକ ହାରାବଳୀ’ କିମ୍ବା ‘ତ୍ରୈଲୋକ୍ୟମୋହିନୀ’ ଆଦି ବହୁ କାଳ୍ପନିକ କାବ୍ୟର ଶୃଙ୍ଗାରିକ ପ୍ରେମ ବର୍ଣ୍ଣନରେ ସବିଶେଷ ଲାଳିତ ଲୋକରୁଚିର ଅନୁକୂଳ ବିଷୟଚିତ୍ରର କଳ୍ପନା ମଧ୍ୟରେ ଅଧିକତର ଶାଳୀନ, ସମ୍ଭ୍ରାନ୍ତ ଓ ଭବ୍ୟ କାହାଣୀର ଉଦ୍‌ଭବ ସମ୍ଭବପର ମନେ ହୁଏ ନାହିଁ । କଥା ସାହିତ୍ୟର ଶାସ୍ତ୍ରୀୟ ଲକ୍ଷଣ ନିର୍ଣ୍ଣୟ ପରେହିଁ ଗ୍ରନ୍ଥକାର କାହାଣୀ ବୟାନ କରିଛନ୍ତି । ତାଙ୍କ ଦୃଷ୍ଟିରେ କୌତୁକ ପ୍ରଦ ଓ ହାସ୍ୟୋଦ୍ଦୀପକ ମିଥ୍ୟା ବା କପୋଳ କଳ୍ପିତ ଘଟଣାର ସମବାୟରେ ପ୍ରକୃଷ୍ଟଭାବେ ରଚିତ ଗ୍ରନ୍ଥ କଥା ସାହିତ୍ୟରୂପେ ଗ୍ରହଣୀୟ । ସଚରାଚର ଗଳ୍ପ ବା ଉପନ୍ୟାସଗୁଡ଼ିକର କଥାବସ୍ତୁ କପୋଳ କଳ୍ପିତ ହୋଇଥିଲେହେଁ ସମାଜ ଜୀବନର ଚିତ୍ର ଏଥିରେ ନିହିତ ଥିବାର ଯେପରି ଲକ୍ଷ୍ୟ କରାଯାଏ, ବ୍ରଜନାଥଙ୍କର ‘ଚତୁର ବିନୋଦ’ ତହିଁର ବ୍ୟତିକ୍ରମ ନୁହେଁ । ବରଂ ଆଦ୍ୟ ତଥା ପାଶ୍ଚାତ୍ୟ ଅପ୍ରଭାବିତ ମୌଳିକ ଗଳ୍ପ ସାହିତ୍ୟରୂପେ ଏହାର ସ୍ୱରୂପ ଗଠନ ଚାତୁରୀ, ଚରିତ୍ର-ଚିତ୍ର, ଘଟଣା ବିନ୍ୟାସ ଏକ ଅଭିନବ ସ୍ୱରଝଙ୍କାରରେ ସମୃଦ୍ଧ ହୋଇ ଥିବାରୁ ଏକାନ୍ତ ଅନୁଧ୍ୟେୟ ।

 

‘ଚତୁର ବିନୋଦ’ ଚାରିଗୋଟି ବିନୋଦର ସମାହାର । ହାସ, ରସ, ନୀତି ଓ ପ୍ରୀତି ଭେଦରେ ଏହାର ପରିକଳ୍ପନା । ଦେଶ ପ୍ରଚଳିତ କାହାଣୀ ମାନଙ୍କ ଭଳି ଏହି ଚାରିଟି ଯାକ ବିନୋଦର କଥା ସିଧାସଳଖ ଆରମ୍ଭ ହୋଇ ନାହିଁ । ଚତୁର ବିନୋଦର ଆରମ୍ଭ ଭାଗଟି ହିତୋପଦେଶ ଠାରୁ ମଧ୍ୟ ନାଟକୀୟ ଓ ସ୍ୱଭାବ ସୁନ୍ଦର ଭାବେ ପରିକଳ୍ପିତ। କାହାଣୀଟି ଏହିପରି :

 

ଚତୁର ବିନୋଦର କାହାଣୀ- ଆମୁଖ

 

ରସାଳ କାଞ୍ଚନ ନଗ୍ରର ଉପକଣ୍ଠରେ ସୁରେଖା ନଦୀ । ଏହାର ତଟ ଦେଶରେ ଶିବଙ୍କ ମନ୍ଦିର । ସେଦିନ ସେ ନଗ୍ରର ଜନୈକ ନେତ୍ରାମୋଦ ନାମକ ବୈଶ୍ୟର ଶୋଭାଙ୍ଗୀ କନ୍ୟା ଚଞ୍ଚଳାକ୍ଷୀ ତାର ସଖୀ ସୁହାଗୀ ସଙ୍ଗରେ ଶିବ ଦର୍ଶନ କରିବାକୁ ଆସିଥିଲା । ଦର୍ଶନ ପୂର୍ବରୁ ନିକାଞ୍ଚନ ନଦୀ ତଟରେ ଦେହରୁ ଅଳଙ୍କାରମାନ କାଢ଼ି ସୁବାସିତ ଅଙ୍ଗଲେପ ଲଗାଇ ସେ ଗାଧୋଇଲା । ସ୍ନାନ ପରେ ଅଳଙ୍କାରସହ ଝୀନଶାଢ଼ି ପିନ୍ଧି ଶିବ ଦର୍ଶନ ସାରି ପୁରକୁ ବାହୁଡ଼ିଲା । ସେଦିନ ଯୋଗ ବଶତଃ ସେହି ନଗ୍ରର ରାଜପୁତ୍ର ମୋହନାଙ୍ଗ ସେଠାକୁ ଶିବ ଦର୍ଶନ କରିବାକୁ ଆସିଥିଲା । ସ୍ନାନରତା ଚଞ୍ଚଳାକ୍ଷୀ ତାର ଦୃଷ୍ଟି ଆକର୍ଷଣ କଲା । ଚଞ୍ଚଳାକ୍ଷୀର ଅଙ୍ଗଶୋଭା ଓ ଗତିଭଙ୍ଗୀରେ ବିମୁଗ୍ଧ ରାଜପୁତ୍ର ଅପଲକ ନେତ୍ରରେ ତାକୁ ନିରୀକ୍ଷଣ କରୁ କରୁ ତା ଠାରେ ଏକାନ୍ତ ଆସକ୍ତ ହୋଇପଡ଼ିଲା । ଚଞ୍ଚଳାକ୍ଷୀ ପୁରକୁ ବାହୁଡ଼ିବାରୁ ସେ ସ୍ଥିର ହୋଇ ରହିପାରିଲା ନାହିଁ । ଅନୁଚରମାନଙ୍କୁ ଅନ୍ୟକାର୍ଯ୍ୟ ଛଳନାରେ ବିଦାୟ ଦେଇ ଯଥାଶୀଘ୍ର ନିକାଞ୍ଚନ ମାର୍ଗରେ ଗମନରତା ଚଞ୍ଚଳାକ୍ଷୀ ନିକଟରେ ପହଞ୍ଚିଲା । କାତର ହୋଇ ଜଣାଇଲା କି ସେ ତାହାଠାରେ ଏପରି ଅନୁରକ୍ତ ହୋଇପଡ଼ିଛି ଯେ ଯଦି ତା’ର ଅଙ୍ଗସଙ୍ଗ ନ ପାଇବ ତେବେ ଜୀବନ ହରାଇ ଦେବ । ଚଞ୍ଚଳାକ୍ଷୀ ରାଜପୁତ୍ରର ଏଭଳି ଆକସ୍ମିକ ଓ ଅତ୍ୟନ୍ତ ଆବେଗପୂର୍ଣ୍ଣ କାକୁତି ଦେଖି ସ୍ତମ୍ଭୀଭୂତା ହୋଇପଡ଼ିଲା । ସଖୀର ସାହାଯ୍ୟ ଲୋଡନ୍ତେ ଚତୁରୀ ସୁହାଗୀ କହିଲା, “କଲେତ ଲୋକ ଅପବାଦ, ନ କଲେ ପୁରୁଷ ହତ୍ୟା, ଏଣେ ପୁଣି ରଜାପୁଅ, ଏଥିରେ ମୁଁ କଉଁ କଥା କହିବି ।’’ ମୋହନାଙ୍ଗ ସୁହାଗୀର ଚରଣ ଧରିବାକୁ ବସନ୍ତେ ସୁହାଗୀ ସାନ୍ତ୍ୱନା ଦେଇ କହିଲା, ‘ହେ କୁମାର, ଏତ ଦିବସ, ଏଣେ ରାଜମାର୍ଗ, ଏଠାରେ ଆମ୍ଭେ କି କହିବୁ ? ଆଜ ସନ୍ଧ୍ୟା ସମୟରେ ଆମ୍ଭ ପୁରକୁ ଯିବ, ସେଠାରେ ଭାଷାଦେବୁ ।’’

 

ଉତ୍ସୁକମନା ରାଜପୁତ୍ର ପାଇଁ ସେଦିନ ଯେପରି ବହୁ ବିଳମ୍ବରେ ‘ସନ୍ଧ୍ୟାବଧୂ ରଙ୍ଗଣି ପାଟପିନ୍ଧି ପୁଆଣି ହୋଇ ଆସିଲା’ ପରି ଜଣାଗଲା । ପୂର୍ବରୁ ପୁରଦ୍ୱାରରେ ପ୍ରତୀକ୍ଷମାଣା ସୁହାଗୀ ମୋହନାଙ୍ଗର ଇଙ୍ଗିତ ଗ୍ରହଣ କରି ପୁରମଧ୍ୟକୁ ଯାଇ ଚଞ୍ଚଳାକ୍ଷୀକୁ ଭେଟି ଜଣାଇଲା, ‘ରେ ସଖି ! ତୋ ଠାରେ ଅନୁରକ୍ତ ରାଜପୁତ୍ରକୁ ଯାହା ଦେଖିଲି, ସେ ତୋ ବିନା ବଞ୍ଚି ପାରିବ ନାହିଁ ।’ ଚଞ୍ଚଳାକ୍ଷୀ ନିର୍ଦ୍ଦେଶରେ ସୁହାଗୀ ଗୋପନରେ ରାଜପୁତ୍ରକୁ ନେଇ ଏକାନ୍ତ ପୁରରେ ତା ନିକଟରେ ପହଞ୍ଚାଇଦେଲା । ମୋହନାଙ୍ଗ ଉତ୍ସୁକ ହୋଇ ଚାହିଁବାରୁ ଚଞ୍ଚଳାକ୍ଷୀ ଆପଣା ଅଙ୍ଗସମର୍ପଣର ପ୍ରତିଶ୍ରୁତି ତାକୁ ଦେଇ ଅଧୀର ନ ହେବା ପାଇଁ ବୁଝାଇ କହିଲା । ପୁନଶ୍ଚ ଜଣାଇଲା ଯେ ସେଦିନ ସେ ଗୌରୀବ୍ରତ ପାଳନ କରୁଥିବାରୁ ସମସ୍ତ ସଂଯମର ସହିତ ରାତ୍ରି ଜାଗରଣ କରିବ । ରାଜପୁତ୍ର ସେଠାରେ ଅବସ୍ଥାନ କଲେ ପରଦିନ ଅଭିଳାଷ ପୂର୍ଣ୍ଣ ହେବ । ମୋହନାଙ୍ଗ ଏଥିରେ ସ୍ୱୀକୃତ ହେବା ସଙ୍ଗେ ସଙ୍ଗେ ନିଜେ ରାତି ଉଜାଗର ରହିବ ବୋଲି ପ୍ରକାଶ କଲା । ସୁହାଗୀ ଅନୁରୋଧରେ ମୋହନାଙ୍ଗ ଯେଉଁ କାହାଣୀ କହିବାକୁ ପ୍ରସ୍ତୁତ ହେଲା ତା’ର ନାମ ‘ଚତୁର ବିନୋଦ କଥା’ । ସଙ୍କର୍ଷଣ ପଣ୍ଡା ନାମକ ବ୍ରାହ୍ମଣ ଏ କାହାଣୀ ରାଜସଭାରେ ବୟାନ କରିଥିବାବେଳେ ମୋହନାଙ୍ଗ ଯାହା ଶୁଣିଥିଲା, ସେହି କଥା କହିବାକୁ ଆରମ୍ଭ କଲା ।

 

ବ୍ରଜନାଥ ମୋହନାଙ୍ଗ ମୁଖରେ କାହାଣୀ ଶ୍ରବଣକାରୀର ଯୋଗ୍ୟତା ସମ୍ପର୍କରେ ସୂଚନା ଦେଇ କହିଛନ୍ତି - ଆନଇଛା ଛାଡ଼ିବ, ପଲକ ନ ପଡ଼ିବ, ଚରିତ୍ର ନ ହୁଡ଼ିବ ।’ ଚାରିଗୋଟି ବିନୋଦରେ ବ୍ରଜନାଥ ଶୃଙ୍ଗାର ଲୀଳାର ଯେପରି ପ୍ରତ୍ୟକ୍ଷ ଓ ଅକୁଣ୍ଠ ବର୍ଣ୍ଣନା ପ୍ରଦାନ କରିଛନ୍ତି, ସେ ଦୃଷ୍ଟିରୁ ଉପରୋକ୍ତ ମନ୍ତବ୍ୟ ଏହି ଗଳ୍ପ ରଚନାରେ ତାଙ୍କର ଲକ୍ଷ୍ୟ ଓ ଆଦର୍ଶହିଁ ବ୍ୟକ୍ତ କରେ । ହାସ, ରସ, ନୀତି ଓ ପ୍ରୀତି- ଏହି କ୍ରମରେ ବିନୋଦ ଚତୁଷ୍ଟୟ ବର୍ଣ୍ଣିତ ହୋଇ ଅଛି । ଶ୍ରୋତ୍ରୀ ଅର୍ଥାତ୍‌ ଚଞ୍ଚଳାକ୍ଷୀର ଅନୁରୋଧକ୍ରମେ ପ୍ରଥମେ ହାସବିନୋଦ କଥା କୁହାଯାଇଛି । ଉତ୍କଳୀୟ ଜନଜୀବନରେ ହାସ୍ୟରସର ପ୍ରଚୁର ପ୍ରବଣତା ଭରି ରହିଥିଲେ ହେଁ ପ୍ରାଚୀନ ସାହିତ୍ୟରେ ଶୃଙ୍ଗାର ରସର ପ୍ରାବଲ୍ୟ ମଧ୍ୟରେ ଏହି ରସଟି ଆତ୍ମସତ୍ତା ହରାଇ ବସିଥିବାର ଜଣାଯାଏ । ଅତ୍ରତତ୍ର ସ୍ୱଳ୍ପ କେତେକ ଦୃଷ୍ଟାନ୍ତ ବ୍ୟତୀତ ବ୍ରଜନାଥଙ୍କର ‘ଚତୁର ବିନୋଦ’ରେ ଆମେ ପ୍ରତ୍ୟକ୍ଷ ଓ ନିର୍ଦ୍ଦିଷ୍ଟ ଭାବରେ ହାସ୍ୟରସର ସ୍ୱତନ୍ତ୍ର ସଂଯୋଜନ ଦେଖିବାକୁ ପାଉଁ । ଏହା ମଧ୍ୟ ବ୍ରଜନାଥଙ୍କ ସାହିତ୍ୟ ସୃଷ୍ଟିର ସ୍ୱାତନ୍ତ୍ର୍ୟ ଦର୍ଶାଇଥାଏ ।

 

ହାସବିନୋଦ କଥା

 

ହାସବିନୋଦ ଏକ ବିଚିତ୍ର ପରିକଳ୍ପନାର ପ୍ରସୂତୀ । ସଚରାଚର ଅଙ୍ଗ ବିକୃତି ବିପରୀତ ଆଚରଣ ଓ ବିକୃତ ଗତିଭଙ୍ଗୀ ହାସ୍ୟ ଉଦ୍ରେକ କରିଥାଏ । ବ୍ରଜନାଥ ଏହି ସହଜ ପନ୍ଥା ଅନୁସରଣ କରି ହାସବିନୋଦର କାହାଣୀ ଗଢ଼ିଛନ୍ତି । କିନ୍ତୁ ହାସ୍ୟରସ ପରିବର୍ତ୍ତେ ସମଗ୍ର ବର୍ଣ୍ଣନାଟି ବୀଭତ୍ସ ରସର ବାତାବରଣ ସୃଷ୍ଟି କରିଛି, କହିବାକୁ ହେବ ।

 

ହାସବିନୋଦ କଥାଟି ଏହିପରି :- ଅଙ୍ଗଧର ନାମକ ରାଜା ଯେଉଁ କେଳିନଟ ନଗରୀରେ ରାଜପଣ କରନ୍ତି ସେ ରାଜ୍ୟରେ ପ୍ରଜାମାନଙ୍କ ଆଚରଣ ସହ ରାଜାଙ୍କ ନିତ୍ୟ ନୈମିତ୍ତିକ ଜୀବନଧାରା ବିଚିତ୍ର । ଅନ୍ୟକୌଣସି ସମ୍ମାନ ଜନକ ପନ୍ଥାର ଆଶ୍ରୟ ନ କରି ପ୍ରଜାଗଣ ବିଭିନ୍ନ ରାଜ୍ୟରୁ ଆଣିଥିବା ଭିକ୍ଷା-ତଣ୍ଡୁଳରୁ ରାଜଭାଗସ୍ୱରୂପ କିଛି ପାଇ ରାଜା ତଦ୍ଦ୍ୱାରା ମଣୋହି ସମ୍ପାଦନା କରନ୍ତି । ସେହି ରାଜ୍ୟର ସେନାପତି ରାଜ ଜାମାତା ଚଣ୍ଡଚକ୍ର, ଏହାଙ୍କର କନ୍ୟା ବିଳାପମୁଖୀ । ସେ ରାଜ୍ୟର ନିୟମ ଅନୁସାରେ ବିବାହ କାଳରେ ଯେ କନ୍ୟାକୁ ହସାଇ ପାରିବ, ସେହି କେବଳ ଜାମାତା ହୋଇପାରିବ । ଏମନ୍ତ ବିଧି ନ ଘଟିବାରୁ ବିଳାପମୁଖୀ ବହୁକାଳ ପର୍ଯ୍ୟନ୍ତ ଅବିବାହୀ ଅବସ୍ଥାରେ କାଳ କଟାଉଥିଲେ । ଚଣ୍ଡଚକ୍ରଙ୍କ ନିର୍ଦ୍ଦେଶରେ ଦୂତମାନେ କୋରଡ଼, ଖୋରଡ଼, ଖାଲ, ଖମଣା, ବିଲ, ମଶାଣି ଇତ୍ୟାଦି ସ୍ଥାନମାନ ଲୋଡ଼ୁଥିବାବେଳେ ମୂଷିକ ଗର୍ତ୍ତରୁ ମାର୍ଜରମୁଖା ନାମକ ପୁରୁଷ ନିଶ ମୋଡ଼ି ବାହାରି ପଡ଼ିଲେ । ତାଙ୍କଠାରୁ ତାଙ୍କର ପରିଚୟ ପାଇ ଦୂତମାନେ ସେ ଜେମା ଅନୁରୂପ ବର ବୋଲି ଜାଣି କୂପରଜ୍ଜୁମାଳା ତାଙ୍କ ଗଳାରେ ପକାଇ ବରଣ କରି ନେଲେ ।

 

‘ଗତାୟୁର୍ଭବ’- ଏହି କଲ୍ୟାଣ କରି ଚଣ୍ଡଚକ୍ର ମାର୍ଜାରମୁଖାକୁ ବିଳାପମୁଖୀ ସମୀପକୁ ପ୍ରେରଣ କଲେ । ଉଲଗ୍ନା ବିଳାପ ମୁଖୀକୁ କ୍ରନ୍ଦନରତା ଅବସ୍ଥାରେ ଦେଖି ମାର୍ଜାର ମୁଖା ‘ଶ୍ମଶାନମଣ୍ଡନୀ’ବୋଲି ସମ୍ବୋଧନ କରିବାରୁ ବିଳାପମୁଖୀ ଆପଣା ‘ହୃଦୟ ତଟରୁ ଗୁଆ ଭ୍ରମରେ ସ୍ତନଟିଏ ଛିଣ୍ଡାଇ ତାକୁ ସମର୍ପଣ କଲା । ଆନନ୍ଦରେ ଅଧୀର ହୋଇ ମାର୍ଜାରମୁଖା କି କି ଅଳଙ୍କାରମାନ ଦେଇ କନ୍ୟାର ମନୋରଞ୍ଜନ କରିବେ ତାର ଯେଉଁ ବିବରଣ ଗୀତ ମାଧ୍ୟମରେ ପ୍ରକାଶ କଲେ ସେଥିରେ ଥିଲା କଉଡ଼ିମାଳା, ଗେଣ୍ଡାନୋଥ, ଖପରାପଦକ, ମୃତ୍ତିକାବଳା, ଗରଗଡ଼ ହାର ଓ ଜୁଣ-ବାସ ଇତ୍ୟାଦି । ପ୍ରେମର ନିଦର୍ଶନସ୍ୱରୂପ ମାର୍ଜାରମୁଖା ବିଳାପମୁଖୀର ଗଣ୍ଡଦେଶକୁ ପ୍ରଚଣ୍ଡ ଚାପୋଡ଼ଦ୍ୱାରା ଆଘାତ କରନ୍ତେ ଶ୍ୱାନଦନ୍ତ ଦୁଇଟି ବ୍ୟତୀତ ଅନ୍ୟଦନ୍ତଗୁଡ଼ିକ ଝଡ଼ିପଡ଼ିବାରୁ ଗଣେଶ ମୂର୍ତ୍ତିପରି ସେ ଦିଶିଲା । ଏହା ପରେ ବରକନ୍ୟା ଉଭୟେ ବିବାହ ପରେ ଏକାନ୍ତ ବୀଭତ୍ସ ପଶୁସୁଲଭ ସମ୍ଭୋଗ କ୍ରିୟାରେ ପ୍ରମତ୍ତ ହୋଇ କାଳ ଯାପନ କଲେ ।

 

ଏହିଭଳି ଏକ ଅପ୍ରାକୃତିକ ପ୍ରଣୟ ଲୀଳାର ବର୍ଣ୍ଣନା ବ୍ରଜନାଥଙ୍କ ଦୃଷ୍ଟିରେ ନିତାନ୍ତ ହାସ୍ୟଜନକ ବିବେଚିତ ହୋଇଥିବାରୁ ସେ ତାର ବିଶେଷତ୍ୱ ନିର୍ଦ୍ଦେଶ କରିବାକୁ ଯାଇ ମାର୍ଜାରମୁଖାଦ୍ୱାରା କୁହାଇଛନ୍ତି :- “ଏରୂପେ ପ୍ରିୟବତୀ ପଚାରନ୍ତେ ମାର୍ଜରମୁଖା କହୁଅଛନ୍ତି, ଆରେ କରାଳ ନେତ୍ରୀ, ଚତୁର୍ଦ୍ଦଶ ବ୍ରହ୍ମାଣ୍ଡେ ତୋ ମୋ ପ୍ରୀତି ସାର । ଏହା ଶୁଣିଲେ ମରଣ ଦଶା ଯାଏ ପ୍ରାଣୀମାନଙ୍କୁ ହାସରୋଗ ଧରିବ । କାନ୍ତକୁ ମାନ କରିଥିବା ମାନିନୀ, ପୁତ୍ର ମରିଥିବା ଜନନୀ, ଅମୂଲ୍ୟ ଧନ ହରାଇଥିବା ରଙ୍କ, ରାଜଦଣ୍ଡ ଘେନିବାକୁ ବସିଥିବାଲୋକ, ନିଦା ମୂରୁଖ, ବିଟୋଳ ଯକ୍ଷ, ସନ୍ୟାସୀ ମୁନି, ଯତି ମଉନୀ, ଆଜନ୍ମ ରୋଗୀ, ମରମ ତ୍ୟାଗୀ, ଏମାନଙ୍କର ହେଲେ ଦନ୍ତପନ୍ତି ଦିଶିବ । କେବଳ ତୁମ୍ଭେ, ଆମ୍ଭେ, ତୁମ୍ଭପିତା, ତୁମ୍ଭ ମାତା- ଏହି ଚାରିଜଣ ନ ହସିବା ।’’ “ ଏ ଚାରିଜଣ କିପରି ହସିବେ- ଏମନ୍ତ କଥା ଜଣାଥିଲେ କହ’’ ବୋଲି ବିଳାପମୁଖୀ ଅନୁରୋଧରେ ମାର୍ଜାରମୁଖା ‘ଅତିହାସ ବିନୋଦ କଥା’ କହିଲା ।

 

ଅତିହାସ ବିନୋଦ କଥା

 

“ମୋତିମାଳ ନଗ୍ରର ରାଜା ପାତ୍ର ଅମାତ୍ୟମାନଙ୍କ ସହିତ ସଭା କରି ବସିଥିଲାବେଳେ ତିନିଜଣ ଲୋକ ତାଙ୍କୁ ଭେଟି ଚାକିରୀ ପ୍ରାର୍ଥନା କଲେ । ସେମାନଙ୍କର ଯୋଗ୍ୟତା ସମ୍ପର୍କରେ ପ୍ରଶ୍ନ ହେବାରୁ ଜଣ ଜଣ କରି ସେମାନେ ଆପଣାର ପରିଚୟ ଦେଲେ । ପ୍ରଥମେ ଯେ ନିଜକୁ ବ୍ରାହ୍ମଣ ବୋଲି ଜଣାଇଲେ ସେ ଆଶୀର୍ବାଦ ଛଳରେ ଅଭିଶାପଗୁଡ଼ିଏ ଢାଳି ଆପଣା ବଂଶ ମର୍ଯ୍ୟାଦା, ଗୁଣ ଲକ୍ଷଣ ବୟାନ କରି କହିଲେ –

 

‘ବଙ୍କଟ କେଙ୍କଟ ମଣ୍ଡୁକତୁଣ୍ଡାବିକଟମୁହାଁ ଅତି ଝାମ୍ପୁରା ମୁଣ୍ଡା

ଲୋହିତ ଈକ୍ଷଣ ଶୋହିତ ଆବୁବୈଦିକ ବ୍ରାହ୍ମଣ ଚିହ୍ନେ ଏ ବାବୁ ।

 

ପାହାନ୍ତି ଖାଇ ଯେ ବାହାନ୍ତି ଗାଈଚାହାଁନ୍ତି କେବଳ ମାଉସୀ ମାଇଁ

ମାହାନ୍ତି ସାଇଜ୍ଞା ଥାଆନ୍ତି ବହିସେ କାହାନ୍ତି ଏମନ୍ତ ପଣ୍ଡିତ ମହୀରେ ।

 

ଆପଣା ଗୋତ୍ର, ଗୁଣ, ଆଚରଣ ଇତ୍ୟାଦି ବୟାନ ପରେ ତଥା କଥିତ ବ୍ରାହ୍ମଣ କଲ୍ୟାଣ ଶ୍ଳୋକ ପାଠ କଲେ –

 

“ଅଷ୍ଟଚଣ୍ଡୀ କରାଳୀଚ ଚାମୁଣ୍ଡା ଭଦ୍ର କାଳିକା

ଖାଇ ବଂଶ ତୁଚ୍ଛା ତୋର କରନ୍ତୁ ନିଜ ମନ୍ଦିର ।

 

ସନ୍ନିପାତ ତ୍ରିଦୋଷଂଚ ଉଦରୀ ଗ୍ରହଣୀ ହଗା,

ତାଳୁକା କାମଳ ବ୍ୟାଧି ପାଇ ସର୍ବେ ସୁଖୀ ହୁଅ ।’’

 

ଦ୍ୱିତୀୟ ବ୍ୟକ୍ତିଟି ସଙ୍ଗେ ସଙ୍ଗେ ଏହାର ପ୍ରତିବାଦ କରି କହି ଉଠିଲା ଯେ ସେ ବୈଦ୍ୟ ଚୂଡ଼ାମଣି ବ୍ୟାଧି ବର୍ଦ୍ଧନ ଥାଉଁ ଥାଉଁ ରୋଗ ବିଷୟରେ ବ୍ରାହ୍ମଣ କିଛି ଉଚ୍ଚାରଣ କରିନପାରେ । ବ୍ୟାଧିବର୍ଦ୍ଧନ ଆପଣା ଚିକିତ୍ସା ବ୍ୟବସ୍ଥାର ବିବରଣୀରେ ଜଣାଇଲା ଯେ ସେ ନେତ୍ର ଭିତରେ ଓ ମଳଦ୍ୱାରକୁ ନହୁରୁଣୀରେ ଖୋଳି, ବାଁ ଗୋଇଠି ମଳୁ ତଣ୍ଟିପାଖରେ ଭିଡ଼ି ନାଡ଼ି ଦେଖି, ପେଟ, ପିଠି, ନାଭି ଓ ପଞ୍ଜରା ହାଡ଼ରେ ମୁଦଗର ଆଘାତ କରି ରୋଗୀମାନଙ୍କର ରୋଗ ନିର୍ଣ୍ଣୟ କରେ । ପିତ୍ତ ଓ ଆମବାତ ରୋଗକୁ ପଥି ଓ ଔଷଧ ଦେଇ କିଭଳି ଆୟତ୍ତ କରିପାରେ, ତାର ଗୋଟିଏ ଦୃଷ୍ଟାନ୍ତ ଦେବାକୁ ଯାଇ ଗୀତଟିଏ ଗାଇଲା-

 

‘ପିଉସା ଦେହେ ମୋର ପିତ୍ତ ବଢ଼ିଲା ପ୍ରବଳେ ,

ପକାଇଲୁଁ ତାହାଙ୍କୁ ପହଡ଼େ ଖରାବେଳେ

ପଳେ ସଜନା ଟାଙ୍କରେ ଦେଲୁଁ ଚିତା ମୂଳ

ପାଟି ପାକୁ ପାକୁ କରି ପିଉସା ନିଶ୍ଚଳ ।

 

ଆମ ବାତ ଧରିଥିଲା ମୋ ଦାଦିର ଅଣ୍ଟା

ଆଠଦିନ ବିରହୀଡାଲି ତେଲ ସାରୁ ଘଣ୍ଟା

 

ଖୁଡ଼ୀ ଆଣି ଦିଅନ୍ତି ମଇଁଷୀ ଘୋଳ ଦହି

ଆଖିବାଟେ ବାତ ଗଲା ଧଇଁ ସଇଁ ହୋଇ ।’

 

ନିହାତି ରୋଗ ନ ଛାଡ଼ିଲେ ଗ୍ରହଶାନ୍ତି କରିବା ପାଇଁ ଶନିଙ୍କି ଶୃଙ୍ଗାର, ଗୁରୁଙ୍କୁ ଅଙ୍ଗାର, ମଙ୍ଗଳଙ୍କୁ ଟେଳା, ରବିଙ୍କି ମୂଳା ଇତ୍ୟାଦି ଦେଇ ପୂଜା କରିବାକୁ ସେ ପରାମର୍ଶ ଦେଉଥିବା ବିଷୟ କହିବାମାତ୍ରେ ତୃତୀୟ ବ୍ୟକ୍ତି କ୍ରୋଧ ଜର୍ଜରିତ ହୋଇ କହିଲା ଯେ ସେ ଜ୍ୟୋତିଷ ମର୍ଦ୍ଦନ ନାମକ ଜ୍ୟୋତିଷ ଥାଉଁ ଥାଉଁ ଗ୍ରହନାମ ଉଚ୍ଚାରଣର ଅଧିକାର ବ୍ୟାଧିବର୍ଦ୍ଧନର ନାହିଁ ।

 

ସେ ଜ୍ୟୋତିଷମର୍ଦ୍ଦନ କି କି ଯୋଗ, ଲଗ୍ନ, କାଳ, ବେଳା ସାଧନ କରି ଶୁଭାଶୁଭ ଲକ୍ଷଣ ନିର୍ଣ୍ଣୟ କରିପାରେ ତାର ବୃତ୍ତାନ୍ତ କହିବାରୁ ଜଣାଗଲା ଯେ ସେ କଙ୍କାଳ ଯୋଗ, ଚଉରାଶି ଭୋଗ, ଝିଣ୍ଟିକା ଲଗ୍ନ, ହସ୍ତ ପାଦୁକା ଭଗ୍ନ, ମୃତବତ୍ସାଖଡ଼ି, ନାସାଚ୍ଛେଦନ ନାଡ଼ି, ବାଳକସୁରତି, ବିବାହେ ବିଧବାରୀତି, ସପିଣ୍ଡି ଅନୁକୂଳ, ଶ୍ମଶାନିଆ କବଳ, ନାଡ଼ିଛଡ଼ା ଖୁରି, ଘଡ଼ ଘଡ଼ିଆ ତୂରୀ, ଶିରୀନାଶନ ନାଗରା- ‘ଏତେ ଯୋଗ’ ଆପଣା ପାଞ୍ଜିରେ ଘେନି ‘ଜିଣିଛି ଦିଲ୍ଲୀ ଲାହୋର ଆଗରା ।’ ଏହାପରେ ସପ୍ତାଙ୍ଗ ବର୍ଣ୍ଣନାରେ ବିପରୀତ କଥା ଗୁଡ଼ିଏ କହି ଶେଷରେ ନିର୍ଦ୍ଧାରଣ ଦେଲା ଯେ

 

“ସାଗର ଭିତରେ ରହିବ ଅଢ଼େଇ ହାତ ପାଣି

ଦଶ ବିଶ କୋଶେ ରହିବେ ଦୁଇ ଏକ ପ୍ରାଣୀ –

 

ଶାର୍ଗୁଣା ମାନେ ବଳବାନ ହେବେ । ନାପିତମାନେ ସେ ପିଣ୍ଡରୁ ବହୁତ ଧନ ପାଇବେ ।’’ ଚତୁର୍ଥ ବ୍ୟକ୍ତି ଜଣେ ବାହାରିପଡ଼ି ନିଜକୁ ନାପିତବୋଲି ପରିଚୟ ଦେଇ ତାର କାର୍ଯ୍ୟ କଳାପ ସମ୍ପର୍କରେ ଯାହା ଜଣାଇଲା ଅବିକଳ ତାହା ଏପରି –

 

ଶିରହଣା ପୁତ୍ର ମୁଁ ରକ୍ତ ହିଣ୍ଡୋଳ ନାମ

ମୋ ହାତ ଯାହା ମୁଣ୍ଡେ ଲାଗଇ ତାକୁ ବିହି ହୁଅଇ ବାମ ।

 

ମୋ କାନ୍ତା ଅମଙ୍ଗଳମୁହୀଁ ଯହୁଁ ହୁଳହୁଳି ଦିଅଇ

ସେଦିନ ରଜକ ତାର ଖଟ ଶେଯ ନିଅଇ ।’’

 

ଏ ସମସ୍ତେ ରାଜସଭାରେ ହାସ୍ୟ ରୋଳ ଖେଳାଇ ରାଜା ଓ ପାତ୍ର ମନ୍ତ୍ରୀଙ୍କୁ ଆମୋଦ ଦେବା ଲାଗି ବିପରୀତ ଆଚରଣର ବିବରଣୀ ଉପସ୍ଥାପନ କରିଥିଲେ ।

 

ମାର୍ଜାରମୁଖୀଠାରୁ ଏ ‘ଅତିହାସ ବିନୋଦ କଥା’ ଶୁଣି ବିଳାପମୁଖୀ ଏମନ୍ତ ପ୍ରକାର ହସି ଉଠିଲା ଯେ ତାହା ଅପ୍ରଳୟରେ ସଂସାର ପ୍ରଳୟ ହେବା’ର ବୋଧ ହେବାରୁ ଚଣ୍ଡଚକ୍ରଙ୍କ ଆଦେଶରେ ଦୁତମାନେ ବେଙ୍ଗ, ଏଣ୍ଡୁଅ, ଗେଣ୍ଡା କୋଚିଆ ଭାର ସଜକରି ନବ ବିବାହିତ ଦମ୍ପତ୍ତିଙ୍କୁ ପୂର୍ବ ଆଶ୍ରମ ମୂଷିକ ଗର୍ତ୍ତରେ ନେଇ ଛାଡ଼ି ଦେଇ ଆସିଲେ । “ଏତେକେ ଅନ୍ଧାର ନିବର୍ତ୍ତିଲା । ସଂସାର ଜନମାନେ ଆନନ୍ଦ ହେଲେ।’’

 

ରସବିନୋଦ କଥା

 

ହାସ ବିନୋଦ ପରେ ଚଞ୍ଚଳାକ୍ଷୀ ଅନୁରୋଧରେ ମୋହନାଙ୍ଗ ରସବିନୋଦ କଥା ବୟାନ କଲା । ବ୍ରଜନାଥ କଥାରମ୍ଭରେ ସଂସ୍କୃତ ଶ୍ଳୋକ ମାଧ୍ୟମରେ ରସର ଉତ୍କର୍ଷତା ସୂଚାଇ କହିଛନ୍ତି ଯେ ପ୍ରାଣୀମାନଙ୍କର ପ୍ରାଣ ଧାରଣ ସୁଖଠାରୁ ରସ ଅଧିକ ସୁଖକର । ମୁର୍ଖ ବ୍ୟକ୍ତି ରସଜ୍ଞ ହେଲେ ସେ ବନ୍ଦନୀୟ ।

 

ଏହି ‘ରସବିନୋଦ କଥା’ରେ ମୂଳ କାହାଣୀ ସହିତ ଅନ୍ୟ ତିନୋଟି କାହାଣୀ ଗ୍ରଥିତ । ଏ କାହାଣୀଗୁଡ଼ିକ ପ୍ରଣୟମୂଳକ । ଯୁବକ ଯୁବତୀ ପ୍ରଥମ ରୂପଦର୍ଶନରେହିଁ ପରସ୍ପରଠାରେ ଆସକ୍ତ ହୋଇପଡ଼ିଛନ୍ତି । ଏ ଆସକ୍ତିର ପରିଣତି ମିଳନ ସୁଖ ପ୍ରାପ୍ତିରେ ସମାହିତ ହୋଇଛି । କିନ୍ତୁ ମିଳନ ପୂର୍ବରୁ ବିରହ ଦୁଃଖ ଓ ମିଳନର ପରିଣାମ ଇତ୍ୟାଦିର ବର୍ଣ୍ଣନରେ କେତେକ ପାର୍ଥକ୍ୟ ରକ୍ଷା କରାଯାଇଛି । ସମଗ୍ର କଥାଟିରେ ରସ କହିଲେ କେବଳ ଶୃଙ୍ଗାର ରସ ଓ ତହିଁର ଅନ୍ତର୍ଗତ ସମ୍ଭୋଗ, ବିପ୍ରଲମ୍ଭର ରୀତି-କାବ୍ୟିକ ଇଙ୍ଗିତ ଗଦ୍ୟଭାଷାରେ ଲୌକିକ ଚିତ୍ରଣ ମାଧ୍ୟମରେ ପରିବେଷଣ କରାଯାଇଛି । କଥାଟିର ସଂକ୍ଷିପ୍ତ ସାର ଏହିପରି :-

 

କାଞ୍ଚନବତୀ ନଗ୍ରର ରାଜା ପୂର୍ଣ୍ଣକାମଙ୍କର ମଣୋହି ସୂପକାର ଚନ୍ଦ୍ରକରର ସୁନ୍ଦରୀ କନ୍ୟା ହେମାଙ୍ଗୀ ଦିନେ ସନ୍ଧ୍ୟାକାଳରେ ପୁରଦ୍ୱାରରେ ଉଭା ହୋଇ ରାଜମାର୍ଗକୁ ଚାହିଁଥିଲା । ଏହି ସମୟରେ ସେ ରାଜ୍ୟର ମନ୍ତ୍ରୀ ପୁତ୍ର ତରୁଣକାନ୍ତ ଅଶ୍ୱପୃଷ୍ଠରେ ସେ ମାର୍ଗରେ ଯାଉଁ ଯାଉଁ ହେମାଙ୍ଗୀକୁ ଦେଖି ଅତ୍ୟନ୍ତ ମୁଗ୍ଧ ହୋଇଗଲା । ଅଶ୍ୱକୁ ସଂଯତ କରି ଅପଲକ ନୟନରେ ଚାହିଁଲାବେଳକୁ ହେମାଙ୍ଗୀ ମଧ୍ୟ ତାହାଠାରେ ଆସକ୍ତା ହୋଇପଡ଼ିଲା । ଦୁହେଁ ଦୁହିଁଙ୍କର ରୂପକାନ୍ତିକୁ ମନ ମଧ୍ୟରେ ଅଙ୍କନ କରି ସ୍ୱପୁରକୁ ବାହୁଡ଼ିବା ପରେ ଅସୁସ୍ଥ ହୋଇପଡ଼ିଲେ । ହେମାଙ୍ଗୀ ପ୍ରେମବିହ୍ୱଳତା ହେତୁ ବାତୁଳୀ ପ୍ରାୟ ଆଚରଣ ପ୍ରକାଶ କରି କେବଳ କହିବାକୁ ଲାଗିଲା “ବାଜୀ ପରେ ମୋ ଜୀବନ ନେଉଛି ।’’ କେହି ଏହାର ତଥ୍ୟ ଜାଣି ପାରିଲେ ନାହିଁ । ତରୁଣକାନ୍ତ ଶଯ୍ୟାଶାୟୀ ହୋଇ କେବଳ ଧୀର ସ୍ୱରରେ ବୋଲିବାକୁ ଲାଗିଲା –

 

“ତରଙ୍ଗ ନୟନ ଅଧର ରଙ୍ଗ

ଅଳପ ହାସ ପ୍ରକାଶ କି ରଙ୍ଗ

କର୍ଣ୍ଣଯାଏ ଖେଳୁଥାଇ ଅପାଙ୍ଗ

ହା ହା ନପାଇଲେ ଛାଡ଼ିବି ଅଙ୍ଗ ’’

 

ଅନେକ ବୈଦ୍ୟ ଡକା ହୋଇ ଆସିଲେ, କିନ୍ତୁ କେହି କିଛି ନିର୍ଣ୍ଣୟ କରିପାରିଲେ ନାହିଁ ।

 

ହେମାଙ୍ଗୀ ଦଶା ଦିନକୁ ଦିନ ବଳି ପଡ଼ିବାରୁ ସେ ଦାନା ଛାଡ଼ି ଦେଲା । ସୁପକାର ପିତା କନ୍ୟାର ପଥି ପାଇଁ ଯେତେ ଯେତେ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କଲା, ବ୍ରଜନାଥଙ୍କ ବିବରଣୀ ଅନୁଯାୟୀ ସେ ସବୁ ହେଲା - ଅରୁଚି ଛଡ଼ା ରାଇ, ଜିଭ୍ୟାସରସା କାଞ୍ଜି, ପଥି ପହଞ୍ଚା ପିତା, ପତରଚଟା ଡାଲି, ପଲକହରା ପଖାଳ, ତନୁତରଳା ତୋଢାଣି, ବାସମସଲା ପାଣି, ଚିତ୍ତ-ଚଞ୍ଚଳା ଚହ୍ଲା, ମନମଧୁର ଶାକ, ମରମରସା ଶାକର, ନାସିକାହରା ମହୁର, କବଳଚରା କଢ଼ି ଘଟଣରୂପା ଘାଣ୍ଟ, ଭୋଗୀ ଭୋଜନ ଭଜା ଇତ୍ୟାଦି । ଏ ସମସ୍ତ ଖାଦ୍ୟରୁଚି ଏକାନ୍ତ ଉତ୍କଳୀୟ । ବ୍ରଜନାଥଙ୍କର ବିଦଗ୍ଧ ଲେଖନୀ ସ୍ପର୍ଶରେ ଏଗୁଡ଼ିକ ଲୋଭନୀୟ ହୋଇ ଉଠିଛନ୍ତି । ଖାଦ୍ୟ ଭୁଞ୍ଜାଇବାର ରୀତି ମଧ୍ୟ ସ୍ୱଦେଶୀୟ । ବ୍ରଜନାଥଙ୍କ ଭାଷାରେ- “.... ନାନା ଦ୍ରବ୍ୟମାନ ବାଢ଼ି ମାଆ, ମାଉସୀ, ଖୁଡ଼ୀ, ଖୁଡ଼ୁତା, ଅଜା, ଆଈ ଏ ସମସ୍ତେ ବସି କୁମାରୀକି ଉଠାଇ ମୁଖ ଧୋଇ ପୋଛି ଆଶ୍ୱାସି କହିଲେ, ଆରେ କୁମାରୀ ପ୍ରାଣ ଉପରେ ପଡ଼ିଲାଣିଟି’’ “ ଉଁ ହୁଁ ଛି ଛି ଥୁ ଥୁ’’ କରି ହେମାଙ୍ଗୀ କିଛି ଜିଭରେ ମଧ୍ୟ ଦେଲା ନାହିଁ । ରୋଗ ଅଚିହ୍ନା ହୋଇ ପଡ଼ିଲା ।

 

ଏଣେ ତରୁଣକାନ୍ତକୁ ଚିକିତ୍ସା କରିବାକୁ ଆସିଥିବା ରସପୁର ନାମକ ବୈଦ୍ୟ ଏ ରୋଗ ବାତ ପିତ ଶ୍ଳେଷ୍ମା ଜନିତ ନୁହେଁ ବୋଲି ଜାଣିବା ପରେ ଗୋଟିଏ କାହାଣୀ ମନେ ପକାଇଲେ । ଉପସ୍ଥିତ ଲୋକେ ଶୁଣିବାକୁ ଆଗ୍ରହ ପ୍ରକାଶ କରିବାରୁ ସେ ଯେଉଁ କଥାଟି କହିଲେ ତାହା ‘ନର୍ମଦା ମୂଷିକ କଥା’-

 

ତମାଳ କାନ୍ତ ନଗ୍ରର ଜନୈକ ବଣିଆ ରତ୍ନଶେଖର ବାଣିଜ୍ୟ କରିବାକୁ ଯାଇ ଦୀର୍ଘ କାଳ ବିଦେଶରେ ରହିବାରୁ ତା’ର ଯୁବତୀ ପତ୍ନୀ ନର୍ମଦା ବିରହ ଦୁଃଖରେ ଜର୍ଜରିତା ହୋଇପଡ଼ିଲା-। ଦିନକର ତାଙ୍କ ଜାତିର କିଶୋର ଚନ୍ଦ୍ର ନାମକ ଯୁବକ କାର୍ଯ୍ୟ ଉପଲକ୍ଷରେ ତାର ପୁରକୁ ଆସିବାରୁ ଦୁହିଁଙ୍କର ଚତୁରାକ୍ଷ ହେଲା ଓ ସଙ୍କେତ ଦ୍ୱାରା ଉଭୟେ ଉଭୟଙ୍କର ଅଙ୍ଗସଙ୍ଗ ଲାଭକରିବା ପାଇଁ ସ୍ଥିର କଲେ । ସେଦିନ ସନ୍ଧ୍ୟା ଯାଇ ରାତ୍ର ହେଲା । ମନେ ହେଲା, “ନିଶା ନାୟିକା ଅବା କଳାମେଘୀ ଶାଢ଼ୀ ପିନ୍ଧି, ନୀଳ ଅଳଙ୍କାର ମଣ୍ଡିହୋଇ ଅଭିସାର କରିବାକୁ ବାହାରିଲା ।’’ “ଏ ସମୟରେ କିଶୋର ଚନ୍ଦ୍ର କନ୍ଦର୍ପ-କେଳି-ଦ୍ୱନ୍ଦ- ଆନନ୍ଦ-ଚିତ୍ତରେ ନର୍ମଦାଠାକୁ ଗଲା ।’’ ସଙ୍କେତ ବଉଳ ବୃକ୍ଷ ତଳେ ଉଭୟ ମିଳିତ ହେଲେ । ସୁରତି ରସାବେଶରେ ନର୍ମଦା ଅଜ୍ଞାନ ପ୍ରାୟ ଥିଲାବେଳେ କ୍ଷୁଦ୍ରମତି କିଶୋର ଚନ୍ଦ୍ର ତା କଣ୍ଠରୁ ବହୁମୂଲ୍ୟ ମୁକ୍ତାହାର ଅପହରଣ କରିନେଲା । ରାତ୍ର ଶେଷଯାମରେ ରତିକ୍ଳାନ୍ତା ନର୍ମଦା ସ୍ୱପୁରକୁ ବାହୁଡ଼ିବା ପରେ ସକାଳୁ ମୁକ୍ତାହାର କଣ୍ଠରେ ନଥିବାରୁ କିଶୋର ଚନ୍ଦ୍ର ନେଇଥିବା ଜାଣି ପୁରଜନମାନଙ୍କୁ ଛଳନାରେ କହି ଲାଗିଲ ଯେ ମତ୍ତ ମୂଷିକେ ତାର ଶୟନ କାଳରେ ମୁକ୍ତାମାଳଟି ନେଇ ଗଲା ଓ ତାକୁ ଦନ୍ତରେ ବିଦାରି ପକାଇଲା । ପୁର ଲୋକେ କାନ୍ଥ, ଚଟାଣ ଖୋଳି ମୂଷା ଗାତମାନ ଯେତେ ଲୋଡ଼ିଲେ କିଛି ଫଳ ହେଲା ନାହିଁ । ଏ କଥା ଆଖପାଖରେ ଚର୍ଚ୍ଚା ହେବାର ଶୁଣି ମାଳତୀ ନାମ୍ନୀ ବ୍ରହ୍ମଣୀ ଘଟଣାର ସତ୍ୟାସତ୍ୟ ଜାଣିବାକୁ ନର୍ମଦା ଠାକୁ ଆସି ଯାହାଦେଖିଲା, ଆପଣା ଅନୁଭୂତି ସଙ୍ଗେ ମିଳାଇ, ଏ ଘଟଣା ଯେ ବିଟପୁରୁଷ ପ୍ରୀତିରୁ ଘଟିଛି, ତାହା ଜାଣି ପାରିଲା । ପୁରଜନଙ୍କୁ କହିଲା, “ଆଗୋ ମାଆମାନେ, ଛୋଟା ଦ୍ୱାରୀ ନାଗି ଯେମନ୍ତ ସିଂହଦ୍ୱାର ଜଳଇ, ମୂଷିକ ଗର୍ତ୍ତ ଖୋଳିଲେ କି ମୁକ୍ତାମାଳୀ ମିଳଇ ।’’ ଏକଥାଟି ଶୁଣିବାକୁ ଉପସ୍ଥିତ ଲୋକେ ଚାହିଁବାରୁ ବିଟପୀ ମାଳତୀ କହିଲା –

 

ରସସାଗର ରାଜ୍ୟର ରାଜା ଅମରକନ୍ଦଙ୍କ ନବରରେ ରତିପ୍ରିୟା ନାମରେ ଏକ ପାଳତୀ ସ୍ତ୍ରୀ ଥିଲା । ତା ସହିତ ନଗ୍ର କଟୁଆଳି ପୁଅ ସୁବଳ ସିଂହ ପ୍ରୀତି କରିଥାଏ । ରାଜା ରାତ୍ରିରେ ବାହାର ଅବକାଶକୁ ଆସିଲାବେଳେ ସୁବଳ ସ୍ତ୍ରୀ ବେଶ ଧରି ପୁରରେ ପ୍ରବେଶ କରେ ଓ ରତିପ୍ରିୟାକୁ ସମ୍ଭୋଗ କରି ରାଜା ପୁରକୁ ଫେରିଲା ବେଳେ ବାହାରକୁ ଚାଲି ଆସେ । ତା ପରେ ନଗ୍ର ବୁଲିଯାଏ । ଦ୍ୱାରରେ ଜଗିଥାଏ ଗୋଟିଏ ଛୋଟା ଦ୍ୱାରୀ । ସେ ଧାଇଁ ନ ପାରି ‘କିଏ ସେ କିଏ ଗଲାରେ’ ହୁରି ପକାଏ । ସୁବଳ ଶେଷକୁ ବିରକ୍ତ ହୋଇ ଛୋଟାକୁ ଦ୍ୱାରରୁ ହଟାଇବା ପାଞ୍ଚ କରି ଦିନେ ରତିପ୍ରିୟା ପୁରରୁ ବାହୁଡ଼ିଲାବେଳେ ଛୋଟା ଥିବା ପାଖ ଚାଳଘରେ ନିଆଁ ଖୁଣ୍ଟା ଗେଞ୍ଜି ଦେଇ ବାହାରି ଗଲା । ନିଆଁ ପ୍ରବଳ ହୋଇ ସିଂହଦ୍ୱାର ପର୍ଯ୍ୟନ୍ତ ପୋଡ଼ି ଯିବାରୁ ରାଜା ଛୋଟାକୁ ଦୋଷୀ ମନେକରି ତା ହାତ କାଟି ପକାଇବାକୁ ଆଦେଶ ଦେଲେ । ଛୋଟା କାକୁତି ମିନତି ହୋଇ ଆପଣା ନିର୍ଦ୍ଦୋଷତାର ପ୍ରମାଣ ଦେବା ଲକ୍ଷ୍ୟରେ ଦୃଷ୍ଟାନ୍ତଟିଏ ଦେଇ କହିଲା -

“କୁଞ୍ଜଗଳୀ ଶାରୀ ଚମ୍ପୀ ପରିବାରୀ ଏକ ମଲା ଏକ ଗଲା

ମଞ୍ଜରୀ କୁମାରୀ ଦତ୍ତ ଗିରିଧାରୀ କଥା କେହି ନ ବୁଝିଲା ।’’

 

ଏହାର ମର୍ମାର୍ଥ ବୁଝିବାକୁ ରାଜା ଚାହିଁବାରୁ ଛୋଟା ବୟାନ କଲା –

 

ସିଂହିକା ଦ୍ୱୀପରେ ଥିଲା ମହାଧନବନ୍ତ ନୀଳସୁନ୍ଦର ଶିଠ ମହାଜନ । ତାହାର ପରମା ସୁନ୍ଦରୀ କନ୍ୟା ମଞ୍ଜରୀ ଅବିବାହୀ ଥାଏ । କୁଞ୍ଜଗଳୀ ବୋଲି ଶାରୀଟିଏ ସେ ପୋଷିଥାଏ । ସେ ଶାରୀ ଯାହା ଦେଖଇ ଯାହା ଶୁଣଇ, ତାହା ପଢ଼ଇ । ତାକୁ ସେବା କରୁଥାଏ ଚମ୍ପୀ ନାମ୍ନୀ ଦାସୀ । ଦିନକର ମହାଜନର ଜାତିପୁଅ ଗିରିଧାରୀ ଦତ୍ତ ନାମକ ଯୁବକ କାର୍ଯ୍ୟ ଉପଲକ୍ଷରେ ନୀଳସୁନ୍ଦର ପୁରକୁ ଆସିଥିଲା । ଗବାକ୍ଷ ମାର୍ଗ ଦେଇ ମଞ୍ଜରୀ ଭିତର ପୁରକୁ ଚାହିଁଥିଲା ବେଳେ ଗିରିଧାରୀର ଦୃଷ୍ଟି ତା ଉପରେ ପଡ଼ି ସ୍ଥିର ହୋଇଗଲା । ଗିରିଧାରୀ ମଞ୍ଜରୀର ରୂପ ଶୋଭା ଦେଖି ଯାହା ଚିନ୍ତାକଲା ବ୍ରଜନାଥଙ୍କ ଭାଷାରେ :- “କି ଶୋଭା ଏ’’ ? ହେମଲତା ମାଡ଼ିଛି, କି ବିଜୁଳି ଛିଡ଼ିଛି, କି ରତ୍ନ ଶିଖା ବେଢ଼ିଛି, କି ଚନ୍ଦ୍ରକଳା ବଢ଼ିଛି, କି ଶଚିକି କେ ଲୋଡ଼ିଛି । ଏଥିରେ ତ କିଛି ଅନୁମାନ ଘଟୁ ନାହିଁ । ଏ ନିଶ୍ଚୟ ଯୁବାଜନ ମରିବା ବିଚାରି କନ୍ଦର୍ପ ଅମୋହ ବାଣ ନିବାଡ଼ିଛି ।’’ ଗିରିଧାରୀର ଏଭଳି ବିଚାର ଭିତରେ ମଞ୍ଜରୀ ଅଳ୍ପହସି ଦେଇ ଅନ୍ତର ହୋଇ ଯିବାରୁ ଗିରିଧାରୀ ଅନ୍ଧ ହୋଇଯିବା ଭଳି ଅନୁଭବକଲା । ଶେଷରେ ମଞ୍ଜରୀର ସଙ୍ଗସୁଖ ପାଇବା ପାଇଁ କାମମତ୍ତା ମାଲୁଣୀ ପାଖରେ ପହଞ୍ଚିଲା । ସେ ମାଲୁଣୀ ମଞ୍ଜରୀକୁ ଦୈନନ୍ଦିନ ଫୁଲ ଲାଗି କରୁଥାଏ । କାମମତ୍ତା ଗିରିଧାରୀର ବ୍ୟାକୁଳ ନିବେଦନ ଜାଣି ଓ ଏକଶତ ସ୍ୱର୍ଣ୍ଣମୁଦ୍ରା ଉପହାର ପାଇ ମଞ୍ଜରୀକୁ ମନାଇବାର ପ୍ରତିଶ୍ରୁତି ଦେଲା। ସେଦିନ ଅଧିକ ସୁନ୍ଦର ଫୁଲହାରଟିଏ ପାଇ ମଞ୍ଜରୀ ଖୁସି ହେଲା ବେଳେ କାମମତ୍ତା ଢଗଟିଏ ପଢ଼ିଲା –

 

X X X X

 

‘ଲତାହିଁ ବଢ଼ିଲା କଢ଼ହିଁ ଧରିଲା ଫୁଟି ଚହଟିଲା ବାସରେ

ଭୟରେ ଭ୍ରମର ପଶି ପାରୁ ନାହିଁ ଘେରାଉଛି ଚଉପାଶରେ ’’

 

ଚତୁରୀ ମଞ୍ଜରୀ ଢଗରେ ଏହାର ଉତ୍ତର ଦେଲା –

 

“ଅତି ମଧୁର ଶୀତଳନୀର ବହୁଛି ନର୍ମଳ ନଈରେ

ତୃଷାକଲା ଲୋକ ଆସି ପିଇବ କି ସେଠାକୁ ଏ ଯିବ ବହିରେ ?’’

ପୁଣି କାମମତ୍ତା ପଢ଼ିଲା –

 

“ସରଗ ଶଶୀ କି ଶୋଭା ଦିଶି

ତାକୁ ଅନାଇଲେ କେବା ନ ରସି

ରସିଲେ ପାଇବ କାହିଁରେ

ହାତ ପାଇବ କି ଗୋଡ଼ ପାଇବ ବସିଥିବ ସିନା ଚାହିଁରେ ?’’

ମଞ୍ଜରୀ ପ୍ରତ୍ୟୁତ୍ତରରେ ବୋଲିଲା –

 

“ପଥର ଦେଉଳେ କବାଟ ପଡ଼ିଛି ହାତୀ ପଶି ନ ପାରଇରେ

କୋଲପ କଞ୍ଚିରେ କଳ ଫିଟାଇଲେ ଅଳପକେ ଫିଟି ଯାଇରେ ।’’

 

ଇଙ୍ଗିତ ଭଙ୍ଗୀରୁ କାର୍ଯ୍ୟ ସିଦ୍ଧ ହେବାର ଜାଣି କାମମତ୍ତା ଗିରିଧାରୀ

 

ପ୍ରସ୍ତାବ ଆଗତ କରିବାରୁ ଦାସୀ ଚମ୍ପା ଗୋପନ ମିଳନର ଅନ୍ତରାୟ ହେବ ବୋଲି ମଞ୍ଜରୀ ଆଶଙ୍କା ପ୍ରକାଶ କଲା । ସିହାଣୀ କାମମତ୍ତା ଆଗରୁ ତାହା ଜାଣି ନିଶା ମୋଦକଟିଏ ନେଇଥିଲା, ଚମ୍ପୀକି, ରାତି ହେଲେ, ଖୁଆଇ ଦେବା ପାଇଁ ମଞ୍ଜରୀ ହାତରେ ଦେଇ କଥା ସ୍ଥିର କରି ଫେରି ଆସିଲା । ସନ୍ଧ୍ୟା ଉତ୍ତାରୁ ଗିରିଧାରୀକୁ ନାରୀ ବେଶ କରି ନୀଳସୁନ୍ଦର ପୁରକୁ ନିଜ ସାଙ୍ଗରେ ନେଇଗଲ । ପଚାରିଲେ “ମୋ ଝିଆରୀ, ଫୁଲ ଆଣି ଦେଈଙ୍କ ପାଖକୁ ଆସିଛି ’’ କହି ମଞ୍ଜରୀର ଏକାନ୍ତପୁରକୁ ବୋଲି ଘେନି ଯାଇ ଛାଡ଼ି ଦେଇ ଆସିଲା । ନିଶା ଅମଳରେ ଅଜ୍ଞାନ ଚମ୍ପୀ ଚୁଡ଼ି ଝମ୍‌ ଝମ୍‌ ଶବ୍ଦ ଶୁଣି ରାତିସାରା ବିଳାପ କରୁଥିଲେ ବି ମଞ୍ଜରୀ-ଗିରିଧାରୀ ମନ ଅନୁରୂପ ସୁରତି ଲୀଳାରେ ସେ ରାତିଟି କଟାଇଲେ । ମନସାଧ ତଥାପି ନ ମେଣ୍ଟିବାରୁ ମଞ୍ଜରୀ ଅନୁରୋଧରେ ଗିରିଧାରୀ ନିକାଞ୍ଚନ ତୋଟାପୁରରେ ଆତ୍ମଗୋପନ କରି ରହିଲା । ସକାଳ ହେଲାରୁ ଶାରୀ ପଢ଼ିଲା –

 

“ଚୁଁ ଚୁଁ ଝମ ଝମ ଝଣ ଝଣ କିଣି କିଣି

ହୁଁ ହୁଁ ନାନା ଦେ ଦେ ମଣି ମଣି ।’’

 

ପୁରଲୋକେ ପଚାରିବାରୁ କଥା ବଞ୍ଚାଇ ଚମ୍ପୀ ରାତିସାରା ଏପରି ହେଉଥିଲାବୋଲି ମଞ୍ଜରୀ ବୁଝାଇ ଦେଲା । କାମମତ୍ତା ପୁନର୍ବାର ଚମ୍ପୀକୁ ନିଦ୍ରାରସ ମୋଦକଟିଏ ଖୁଆଇ ସେ ରାତି ପାଇଁ ଅଚେତନ କରାଇ ଦେବାରୁ ପ୍ରେମିକ-ପ୍ରେମିକା ନିର୍ଭୟରେ କାମ କ୍ରୀଡ଼ାରେ ମାତିଲେ । ପ୍ରଭାତ ହେବାରୁ ରାତିରେ ଗିରିଧାରୀ ମଞ୍ଜରୀକୁ ଯେପରି ଚାଟୁ କରୁଥିଲା ଅବିକଳ ତାକୁ ଅନୁକରଣ କରି ଶାରୀ ପଢ଼ି ଲାଗିଲା । ମଞ୍ଜରୀ ଡାଳିମ୍ବ ମଞ୍ଜିଗୁଡ଼ିଏ ଖୁଆଇବାରୁ ତା’ ପଢ଼ା ବନ୍ଦ ହେଲା । ପ୍ରେମ ମିଳନ ପଥରେ କଣ୍ଟା ହେବାରୁ ଚମ୍ପୀ ଓ ଶାରୀ ଦୁହିଁଙ୍କୁ ହଟାଇବା କଥା ମନରେ ସ୍ଥିର କରି ଚମ୍ପୀ ଆରପୁରକୁ ଖାଇବାକୁ ଯାଇଥିଲାବେଳେ ମଞ୍ଜରୀ ଶାରୀ ତଣ୍ଟି ଚିପି ମାରି ଦେଇ ଖଟରେ ଶୋଇପଡ଼ିଲା । ପୁରଜନମାନେ ଦେଖି ହାହାଲୋଳି ପକାଇବାରୁ ମଞ୍ଜରୀ ଛଳନା କରି ଛାତିରେ ହାତପିଟି କାନ୍ଦିବାକୁ ଲାଗିଲା । ଶେଷରେ ଚମ୍ପୀ ଶାରୀକୁ ମାରିଛି ବୋଲି ମିଥ୍ୟା ଦୋଷାରୋପ କରି ତାକୁ ନିଜ ପୁରରୁ ବାହାର କରି ଦେଲା । ଗିରିଧାରୀ ସହିତ କାମକେଳିରେ ମଜ୍ଜିବାରେ ତା’ର ପ୍ରତିବନ୍ଧକ କେହି ରହିଲେ ନାହିଁ ।

 

ଏହି ଗୁପ୍ତ ପ୍ରୀତିର କାହାଣୀମାନ କହି ରସପୁର ବୈଦ୍ୟ ମନ୍ତ୍ରୀ ପୁତ୍ର ତରୁଣକାନ୍ତର ବ୍ୟାଧି ନିର୍ଣ୍ଣୟ କରିବାକୁ ବସିଲେ । ବିରହ ବ୍ୟାଧିର ଉପଚାର ସବୁ କାମଶାସ୍ତ୍ର ପୋଥି ଅନୁସାରେ ତା’ଠାରେ ପ୍ରୟୋଗ କରି ଦେଖିଲେ, ପଦ୍ମପତ୍ରର ଶେଯ ଶୁଖିଗଲା, ଚନ୍ଦନ କର୍ପୂର ଧୂଳି ହେଲା, ଶୀତଳ ଜଳ ତପ୍ତ ହେଲା, ଶିବକବଚରେ ସେ କାତର ହେଲା । କେଉଁ ଯୁବତୀର ବିରହରେ ତରୁଣକାନ୍ତ ଏ ଦଶା ଭୋଗୁଛି’ ତାହା ନିର୍ଣ୍ଣୟ କରିନପାରି ରସପୁର ଚିନ୍ତିତ ଥିଲାବେଳେ ଚନ୍ଦ୍ରକର ସୂପକାର ତା’ କନ୍ୟାର ବ୍ୟାଧି ଜଣାଇବାକୁ ତାଙ୍କଠାକୁ ଆସିଲା । ରସପୁର କନ୍ୟାକୁ ଦେଖିବାକୁ ଗଲେ । କନ୍ୟାର ରୂପ ତାଙ୍କୁ ବିହ୍ୱଳ କରିବାକୁ ବସିଲାରୁ ସେ ଜଳ ଗିନାରେ ତା’ର ହାତ ବୁଡ଼ାଇବାକୁ ନିର୍ଦ୍ଦେଶ ଦେଇ ଦେଖିଲେ ଯେ ଜଳ ତପ୍ତ ହୋଇଯାଇଛି । ଚିକିତ୍ସା କରିବା ପାଇଁ ସମୟ ନେଇ ରସପୁର ତରୁଣକାନ୍ତ ପାଖକୁ ଫେରି ଆସିଲେ । ସଙ୍ଗରେ ଆଣିଥିବା ହେମାଙ୍ଗୀ ଅଙ୍ଗଲାଗି ଜଳ ତରୁଣକାନ୍ତ ହୃଦୟରେ ସିଞ୍ଚି ଦେବାରୁ ସେ ଅତି ଆନନ୍ଦରେ ଚିତ୍କାର କରି କହିଉଠିଲା, “ମୋ ହୃଦୟରେ କେ ଅମୃତ ବରଷିଲା, କି ଚନ୍ଦ୍ରମା ବିକଶିଲା, କି ପ୍ରାଣ ଆସି ପଶିଲା’’। ତହୁଁ ରସପୁର ଠିକଣା ତଥ୍ୟ ଜାଣିପାରି ଯୁବକଠାରୁ ସମସ୍ତ ଘଟଣା ଶୁଣିଲେ । ଯୁବକ ଯୁବତୀ ପରସ୍ପର ଅଙ୍ଗସଙ୍ଗ ଲାଭ ନ କଲେ ବ୍ୟାଧିମୁକ୍ତ ହେବେ ନାହିଁ, ଏହା ନିଶ୍ଚୟ କରି ସେ ହର୍ଷମତି ନାମ୍ନୀ କେଲୁଣିକୁ ଭେଟି ପରାମର୍ଶ କଲେ । କେଲୁଣି ତରୁଣକାନ୍ତର ଅଶ୍ୱାରୋହଣ କାଳର ଅବିକଳ ଚିତ୍ରପଟଟିଏ ଆଙ୍କି ଚନ୍ଦ୍ରକର ସୁପକାର ପୁରରେ ପହଞ୍ଚିଲା । ରସପୁର ପଠାଇଥିବା ଜାଣି ପୁରଲୋକେ ହେମାଙ୍ଗୀ ନିକଟକୁ ତାକୁ ଛାଡ଼ିଦେଲେ । ହେମାଙ୍ଗୀକି ଦେଖିଲାମାତ୍ରେ ତାକୁ ଭୂତଗ୍ରାସ କରିଥିବା କଥା କହି ହର୍ଷମତି ପାଖ ଲୋକଙ୍କୁ ଭୟଭୀତ କରାଇ ପାଖରୁ ବିଦା କରିଦେବା ପରେ ଚିତ୍ରପଟଟି କାଢ଼ି ଦେଖାଇଲା । ବ୍ରଜନାଥ ଏହି ଅବସ୍ଥାର ଚମତ୍କାର ତୁଳନାତ୍ମକ ଚିତ୍ର ଦେବାକୁ ଯାଇ ଲେଖିଛନ୍ତି - ‘ସେ ପଟ ଦେଖି ତାହାର ଯେଉଁ ଆନନ୍ଦ ଉପୁଜିଲାଟି ତାହା ବଚନେ କେ କହିବ । ଦରିଦ୍ର ଧନ, ଭୋଖୀ ଭୋଜନ, ରସିକ ଚିର ପ୍ରବାସୀ ନବୀନ କାନ୍ତାକୁ ଦେଖିଲେ ଯେମନ୍ତ ହୁଅନ୍ତି ତହିଁରୁ ସହସ୍ରଗୁଣେ ଆନନ୍ଦ ହେଲା ତା ମନ ।’’ କୁମାରୀର ଆଗ୍ରହ ଓ ଉତ୍ତେଜନାର ପରିଚୟ ପାଇ ହର୍ଷମତି ଯେଉଁ ବିଧାନ ଦେଲା, ତଦନୁଯାୟୀ ଚନ୍ଦ୍ରକର ଓ ପୁରପରିଜନ ହେମାଙ୍ଗୀକି ହାନ୍ଦୋଳାରେ ବସାଇ ଗ୍ରାମ ଉପାନ୍ତରେ ଥିବା ନିର୍ଜନ ତୋଟା-ମଣ୍ଡପ ନିକଟରେ ପୂଜା ଉପଚାର ସହ ଛାଡ଼ି ଦେଇ ଆସିଲେ । ପୂର୍ବରୁ ରସପୁର ତରୁଣକାନ୍ତକୁ ଆଣି ସେଠାରେ ଛାଡ଼ିଥିଲେ । ହର୍ଷମତି ଦୂର ଉହାଡ଼ରେ ଜଗି ବସିଥିବାରୁ ନିର୍ଭୟ ଚିତ୍ତରେ ପ୍ରେମିକ ପ୍ରେମିକା ମନ ଅନୁରୂପ ରତିକ୍ରୀଡ଼ା କରି ଅଙ୍ଗରୁ ଅନଙ୍ଗ ଜ୍ୱାଳା ଶାନ୍ତ କଲେ । କେହି କିଛି ଜାଣିବା ପୂର୍ବରୁ ନିଶି ଶେଷ ଯାମରେ ଯେ ଯାହା ପୁରକୁ ଫେରି ଆସିଲେ । ସେମାନଙ୍କର ବ୍ୟାଧି ଆରୋଗ୍ୟ ହେଲା ।

 

ନୀତି ବିନୋଦ କଥା

 

ଏହାପରେ ଚଞ୍ଚଳାକ୍ଷୀ ଅନୁରୋଧରେ ମୋହନାଙ୍ଗ ନୀତିବିନୋଦ କଥା କହିଲା । ବ୍ରଜନାଥ ନୀତିର ପରାକାଷ୍ଠା ସଂସ୍କୃତ ଶ୍ଳୋକ ମାଧ୍ୟମରେ ପ୍ରକାଶ କରି କହିଛନ୍ତି - ଧନ, ଗୁଣ, ଧର୍ମ, ଯଶଃ, ସୁଖ, ଦୟା, କୀର୍ତ୍ତି, ବିବେକ ଓ କର୍ମକୁଶଳତା ବୃଦ୍ଧି କ୍ଷେତ୍ରରେ କି ରାଜା, କି ପ୍ରଜା ପ୍ରତ୍ୟେକଙ୍କ ପାଇଁ ନୀତିର ଆଚରଣ ଓ ପାଳନ ଅପରିହାର୍ଯ୍ୟ । ଚାରିଗୋଟି ବିନୋଦ ମଧ୍ୟରେ ଏହି ନୀତିବିନୋଦ କଥା ବିଷୟବୈଚିତ୍ର୍ୟ, ନାଟକୀୟ ଉତ୍କଣ୍ଠା ତଥା କଥା-ଗୁମ୍ଫନ-କୌଶଳ ଦୃଷ୍ଟିରୁ ସମଧିକ ଆକର୍ଷଣୀୟ ବୋଧହୁଏ । ମୂଳକଥା ସହିତ କେତେକ ଉପକଥା ଜଡ଼ିତ ହୋଇ ମୂଳକଥାର ସମସ୍ୟାକୁ କେନ୍ଦ୍ରାନୁଗ କରିବାରେ ଯଥାର୍ଥ ସହାୟତା କରିଛି । ବ୍ରଜନାଥଙ୍କ କଥାବୟାନଗତ ସର୍ବୋତ୍କୃଷ୍ଟ କୌଶଳର ପ୍ରୟୋଗ ଏଥିରେ ଘଟିଥିବାର ଜଣାଯାଏ । କଥାଟିର ସଂକ୍ଷିପ୍ତ ସାର ଏହିପରି :

କୀର୍ତ୍ତିମଣ୍ଡନ ରାଜ୍ୟର ରାଜା ଚନ୍ଦ୍ରାଲୋକଙ୍କର ରାଜତ୍ୱକାଳୀନ ଘଟଣା ଏ । ସେ ରାଜ୍ୟରେ କୁଶଳକର୍ମା ନାମରେ ଜଣେ ବେଦପାରଗ ବ୍ରାହ୍ମଣ ଥିଲେ । ଭାର୍ଯ୍ୟା, କନ୍ୟା ଓ ପୁତ୍ର ଏହି ତିନିଜଣଙ୍କୁ ନେଇ ତାଙ୍କ ପରିବାର । ବେଦ ପାରାୟଣରେ ସୁନାମ ଥିବାରୁ ବିଚିତ୍ରତୁଙ୍ଗ ରାଜ୍ୟର ରାଜା ଅମର ତିଳକ ତାଙ୍କୁ ବରଣ କରି ନେଇଗଲେ । ଦିନକର ସନ୍ଧ୍ୟା ସମୟରେ ସେହି ବ୍ରାହ୍ମଣ କନ୍ୟା କୁନ୍ଦରେଖା ନଗ୍ର ଉପାନ୍ତ କୂପକୁ ଜଳ ପାଇଁ ଆସିଥିଲା । କୁମ୍ଭକଣ୍ଠରେ ରଜ୍ଜୁବନ୍ଧନ କରି ଜଳ କାଢ଼ୁଥିଲା ବେଳେ ତାର ଗୋଡ଼ ଖସି ଯିବାରୁ ସେ କୂପ ମଧ୍ୟରେ ପଡ଼ିଗଲା । ନିକଟରେ ସନ୍ଧ୍ୟା କରୁଥିବା ପୁଣ୍ଡରୀକ ପଣ୍ଡା ନାମକ ବ୍ରାହ୍ମଣ ଯୁବକ ତତ୍‌କ୍ଷଣାତ ସନ୍ଧ୍ୟା ଛାଡ଼ି କୂପ ମଧ୍ୟକୁ ଡେଇଁ ପଡ଼ି କୁମାରୀକି ସମ୍ଭାଳି ଧରିଲା ଓ ବହୁ ଶ୍ରମରେ ଉପରକୁ ଉଠାଇଆଣିଲା । କୁନ୍ଦରେଖା ପ୍ରାଣଦାତା ବ୍ରାହ୍ମଣ ଯୁବକର ତ୍ୟାଗର ପ୍ରତିଦାନସ୍ୱରୂପ ତାକୁ ସ୍ୱାମୀରୂପେ ବରଣ କରି ଆମରଣ ତା’ର ସେବା କରିବା ଲାଗି ସତ୍ୟ କଲା । ଏହି ସମୟରେ ନିକଟସ୍ଥ ବଟବୃକ୍ଷ ଉପରେ ଶୁକ ଶାରିକା ପକ୍ଷୀ ଦୁଇଟି ମଧୁର ସ୍ୱନ କଲାରୁ କୁନ୍ଦରେଖା ତାଙ୍କୁ ଆପଣା ସତ୍ୟର ସାକ୍ଷୀ ରହିବାକୁ ଅନୁରୋଧ କରି ସ୍ୱପୁରକୁ ବାହୁଡ଼ି ଗଲା ।

 

ବିଚିତ୍ର ତୁଙ୍ଗ ଦେଶକୁ ବେଦ ପାରାୟଣ କରିବାକୁ ଯାଇ କୁଶଳ କର୍ମା ବ୍ରାହ୍ମଣ କମ୍ପଜ୍ୱରରେ ଆକ୍ରାନ୍ତ ହୋଇ ପଡ଼ିଲା । ଗୋପକଦମ୍ବ ନାମକ ଏକ ବ୍ରାହ୍ମଣ ଯୁବକ ଦୀର୍ଘ ତିନି ମାସ କାଳ ସେବାଶୁଶ୍ରୁଷା କରି ତାକୁ ଆରୋଗ୍ୟ କରିବାରୁ କୁନ୍ଦରେଖାକୁ ତାକୁ ବିଭା ଦେବା ପାଇଁ ବ୍ରାହ୍ମଣ ପ୍ରତିଶ୍ରୁତି ଦେଲା । ଗୋପକଦମ୍ବ ବିବାହ ଯୋଗାଡ଼ରେ ଲାଗିଲା । କୁଶଳକର୍ମା ଦୀର୍ଘ ଦିନ ଘରୁ ଅନୁପସ୍ଥିତ ରହିବା ଯୋଗୁଁ ପରିବାର ଅନ୍ନକଷ୍ଟ ଭୋଗିବାରୁ ବ୍ରାହ୍ମଣୀ ମହାଜନମାନଙ୍କୁ ସାକ୍ଷୀରଖି କନ୍ୟା କୁନ୍ଦରେଖାକୁ ବିଭା ଦେବାର ସର୍ତ୍ତରେ ଚକ୍ରରାଶି ନାମକ ବ୍ରାହ୍ମଣଠାରୁ ଅର୍ଥ ଆଣି “ଚରିତାର୍ଥ ଚଳାଇଲା ।’’ ଚକ୍ରରାଶି ବିଭାସାମଗ୍ରୀ ତିଆର କଲା ।

 

ସେହି ସମ୍ବତ୍ସରରେ ଆଗକୁ ସିଂହ ବୃହସ୍ପତି ଯୋଗ ଘଟୁଥିବାରୁ ବିବାହ ଅଶୁଦ୍ଧ ବୋଲି ଜାଣି କୁଶଳକର୍ମା ଗୋପକଦମ୍ବକୁ କନ୍ୟା ସମ୍ପ୍ରଦାନ କରିବାକୁ ସଙ୍ଗରେ ଘେନି ପହଞ୍ଚିଲା । ଚକ୍ରରାଶି ବ୍ରାହ୍ମଣ ତା’ର ଦାବି ପ୍ରମାଣ ଅନୁସାରେ ବିଭା ହେବାକୁ ଅଡ଼ି ବସିଲା । ନ୍ୟାୟ ରାଜାଙ୍କ ପାଖକୁ ଗଲା । ରାଜା “ନନ୍ଦ, ମିଶ୍ର, ମହାପାତ୍ର, କର, ରଥ, ଆଚାର୍ଯ୍ୟ, ଷଡଙ୍ଗୀ, ଭଟ୍ଟ, ଦୁବେଇ, ତିହାଡ଼ୀ, ପାଣି, ଶତପଥୀ, ପତି, ଚକ୍ରବର୍ତ୍ତୀ, ଦାଶ, ଦୀକ୍ଷିତ, ମୁନି, ଦେବତା, ବ୍ୟାସ, ଚଇନି, ପଣ୍ଡା, ପତ୍ରୀ ’’ ପ୍ରଭୃତି ବ୍ରାହ୍ମଣମାନଙ୍କୁ ଓ ଆପଣା ଛାମୁରେ ଥିବା ସାମନ୍ତ ବ୍ରାହ୍ମଣ “ରାଜଗୁରୁ, ରାୟଗୁରୁ, ବ୍ରହ୍ମା, ପାଟଯୋଷୀ, ପ୍ରହରାଜ, ପରମଗୁରୁ, ପୁରୋହିତ, ବଡ଼ପଣ୍ଡା, ସଦିସ, ଖାଡ଼ଙ୍ଗା, ଭଟ୍ଟମିଶ୍ର, ବାଜପୋଈ, ଅଗ୍ନିହୋତ୍ରୀ, ସାମନ୍ତରା, ବାହିନୀପତି’’ ମାନଙ୍କୁ ଡକାଇ ଏ ନ୍ୟାୟ ବିଚାର କରିବାକୁ ଆଜ୍ଞା ଦେଲେ । କୁନ୍ଦରେଖା ପତନ-କୂପ ସମୀପ ବଟବୃକ୍ଷ ମୂଳର ପ୍ରସାର ପାଷାଣ ବେଦୀ ଉପରେ ବ୍ରାହ୍ମଣମାନେ ବସି ନ୍ୟାୟ ବିଚାର ଆରମ୍ଭ କଲାବେଳକୁ ପୁଣ୍ଡରୀକ ପଣ୍ଡା କନ୍ୟା ପ୍ରାପ୍ତି ଲାଗି ଆପଣା ଦାବି ଜଣାଇଲା । ବ୍ରାହ୍ମଣମାନେ ବିସ୍ମୟ ପ୍ରକାଶ କରିବାରୁ ବୃକ୍ଷ ଡାଳରେ ଆଇ ଶୁକ ଶାରିକା ହସି ଉଠିଲେ । ବ୍ରାହ୍ମଣମାନେ କାରଣ ପଚାରିବାରୁ ସେମାନେ ପ୍ରଥମେ କହିଲେ –

 

“ପୂର୍ବଜନ୍ମନି ଯା ବିଦ୍ୟା ପୂର୍ବଜନ୍ମନି ଯଦ୍ଧନମ୍‌

ପୂର୍ବଜନ୍ମନି ଯା କନ୍ୟା ଅଗ୍ରେ ଧାବତି ଧାବତି ।’’

 

ଶ୍ଳୋକଟିକୁ ବୁଝାଇବାକୁ ଯାଇ ବିମ୍ବଓଷ୍ଠ ଶୁକ ଗୁଣଗଉର ରାଜା ଓ ମଞ୍ଜୁଳରୂପ ବୈଶ୍ୟ କଥା କହିବାକୁ ଲାଗିଲା । କଥାଟିର ସାର ହେଉଛି କେଳିକାଞ୍ଚନ ନଗ୍ରରେ ରାଜପଣ କରୁଥାନ୍ତି ରାଜା ଗୁଣଗୌର । ସେ ରାଜ୍ୟକୁ ବେପାର କରିବା ଲକ୍ଷ୍ୟରେ ମଞ୍ଜୁଳରୂପ ବୈଶ୍ୟ ଆସୁ ଆସୁ ଜଙ୍ଗଲ ପଥରେ ଭୀମମୁଖା ନାମକ ଶବର ହାବୁଡ଼େ ପଡ଼ିଲା । ଶବର ମଞ୍ଜୁଳରୂପ ପାଖରେ ମୁଦ୍ରାଗଣ୍ଠି ଦେଖି ଧନୁରେ ଶରସନ୍ଧାନ କରନ୍ତେ ବୈଶ୍ୟ ଜୀବନ ବିକଳରେ ମୁଦ୍ରାଗଣ୍ଠି ପକାଇଦେଇ ପଳାଇଲା । ଭୀମ-ମୁଖା ବହୁ ଦୂରବର୍ତ୍ତୀ ଆପଣା ପଲ୍ଲୀକି ରାତିରେ ଯାଇ ନ ପାରି ନଗର ଭିତରେ ପଶିଲା । ସିନ୍ଦୂରନଟ ନାମକ ଏକ ନାଟୁଆ ସହିତ ତାର ଭାବ ପରିଚୟ ଥିଲା । ତାହାରି ଘରେ ପହଞ୍ଚି ତାକୁ ବିଶ୍ୱାସ କରି ଧନଗଣ୍ଠିଟି ରଖିବାକୁ ଦେଇ ରାତି ପାହିଲେ ନେବା କଥା ସ୍ଥିର କଲା । ସିନ୍ଦୂରନଟ ଗଣ୍ଠିଟିକୁ ନେଇ ଆଟୁଘର କଣମାଛିକା ଉପରେ ସାବଧାନରେ ରଖିଲାବେଳେ ତା ଘରେ ଆଗରୁ ଲୁଚିଥିବା କଟୁଆଳି ଭ୍ରମଣସିଂହ ଦେଖିଲା । ଭ୍ରମଣସିଂହର ନାଟୁଆ କୁମାରୀ ତରଙ୍ଗନୟନୀ ସାଙ୍ଗରେ ପ୍ରୀତିଥାଏ । ନାଟୁଆ ବାହାରକୁ ଯିବାରୁ କଟୁଆଳି ତରଙ୍ଗନୟନୀ ସାଙ୍ଗରେ ସତ୍ୱର ଲୀଳା ବଢ଼ାଇ ଧନଗଣ୍ଠିକୁ ଧରି ଆପଣା ଘରକୁ ଆସିଲା । ଘର ଦାଣ୍ଡ ଦୁଆର କିଳା ହୋଇଥିବାରୁ ସ୍ତ୍ରୀ ରତ୍ନପ୍ରଭାକୁ ଡାକିଲା । ଠିକ୍‌ ସେତିକିବେଳକୁ ସେ ରାଜ୍ୟ ରାଜାପୁଅ ବିନୋଦକନ୍ଦ ରାଜନବରର ଅଳଙ୍କାର ଗଣ୍ଠିଟିଏ ଆଣି ରତ୍ନପ୍ରଭାକୁ ଦେଇ ତା’ର ପୂର୍ବ ଅଭିମାନ ଭାଙ୍ଗି ସୁରତି କରିବାର ଉଦ୍ୟମ କରୁଥିଲା । ଭ୍ରମଣ ସିଂହ ଡାକରେ ଭୟ ପାଇ ରାଜାପୁଅ ଅଳଙ୍କାର ଗଣ୍ଠିଟି ପଲଙ୍କ ତଳକୁ କରି ପେଲି ଦେଇ ଗମ୍ଭୀରୀ ଘରେ ଯାଇ ଲୁଚି ଗଲା । କବାଟ ଫିଟିବାରୁ ଭ୍ରମଣ ସିଂହ ତରବରରେ ଯାଇ ମୁଦ୍ରାଗଣ୍ଠିଟି ପଲଙ୍କ ତଳକୁ ପେଲି ଦେଇ ଗୋଡ଼ ଧୋଇବାକୁ ଗଲା । ଅଳଙ୍କାର ଗଣ୍ଠି ଦେଖିଲା ବୋଲି ଭାବି ଏତିକିବେଳେ ରତ୍ନପ୍ରଭା ହାତ ବଢ଼ାଇ ଅଳଙ୍କାର ଗଣ୍ଠି ବଦଳରେ ମୁଦ୍ରାଗଣ୍ଠିଟି ପାଇ ଭ୍ରମଣ ସିଂହ ଗୋଡ଼ ଧୋଇ ଆସୁ ଆସୁ ଯଥା ସ୍ଥାନରେ ରଖି ନପାରି ଗବାକ୍ଷପୁଡା ଦେଇ ଦାଣ୍ଡକୁ ପକାଇଦେଲା । ମଞ୍ଜୁଳରୂପ ନଗ୍ରକଟୁଆଳିଠାରୁ ଶବର ନେବା ଧନ ବିଷୟରେ କିଛି ସମ୍ବାଦ ପାଇବ ବୋଲି ବିଚାରି ଆଗରୁ ମନଦୁଃଖରେ ଆସି ସେ ଗବାକ୍ଷ ତଳେ ବସି ବିନୋଦକନ୍ଦ ଓ ରତ୍ନପ୍ରଭାର କଥା ସବୁ ଶୁଣୁଥିଲା । କଟୁଆଳି ଆସିବା ସେ ଜାଣି ଜାଗ୍ରତ ହୋଇ ବସିଥିଲାବେଳେ ଗଣ୍ଠି ବାହାରେ ପଡ଼ିବାରୁ ଆପଣା ଧନଗଣ୍ଠି ବୋଲି ଚିହ୍ନି ଅତି ଆନନ୍ଦରେ ଘେନି ଗଲା । ଭ୍ରମଣ ସିଂହ ଭୋଜନ ସାରି ମୁଦ୍ରାଗଣ୍ଠି ନେଇ ମନ୍ତ୍ରୀଙ୍କ ନିକଟକୁ ଯିବାର ସ୍ଥିରକଲା । ମୁଦ୍ରାଗଣ୍ଠିତ ନାହିଁ, ତେଣୁ ଅଳଙ୍କାର ଗଣ୍ଠିଟି ପାଇ ତାକୁ ନେଇ ମନ୍ତ୍ରୀଙ୍କୁ ଦେଖାଇଲା । ମନ୍ତ୍ରୀ ଗଣ୍ଠି ଖୋଲି ରାଜଯୋଗ୍ୟ ଅଳଙ୍କାରଗୁଡ଼ିଏ ଦେଖନ୍ତେ ତାକୁ ରାଜାଙ୍କ ଛାମୁରେ ଦେଲେ । ରାଜା ରାଣୀଙ୍କୁ ଦେଇଥିବା ଅଳଙ୍କାରମାନଙ୍କୁ ଦେଖି ମନ୍ତ୍ରୀଙ୍କଠାରୁ ଭ୍ରମଣ ସିଂହ ଆଣିଥିବା କଥା ଜାଣିଲେ । ଭ୍ରମଣ ସିଂହ କାହୁଁ ଏ ଅଳଙ୍କାର ପାଇଲା, ତା’ର ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ରାଜା ସନ୍ଦେହରେ ତା’ର ମୁଣ୍ଡକାଟ କଲେ । ବୈଶ୍ୟ ଓ ରାଜା ଯେ ଯାହାର ଧନ ପାଇଲେ ମାତ୍ର କଟୁଆଳି ଯେ ମାରା ଗଲା ଏ ହତ୍ୟା ଦୋଷ କାହାର ବୋଲି ବିମ୍ବଓଷ୍ଠ ଶୁକ ବ୍ରାହ୍ମଣମାନଙ୍କୁ ପ୍ରଶ୍ନ କଲା । ବ୍ରାହ୍ମଣେ ତାହା ବିଚାର କରୁ କରୁ ଚିତ୍ରକଣ୍ଠିକା ଶାରୀ ଆଉ ଗୋଟିଏ ନ୍ୟାୟ ଉପସ୍ଥାପନ କଲା । କଥାଟି ଏହିପରି –

 

ସରଦ୍ୱୀପ ରାଜ୍ୟର ରାଜପୁତ୍ର ରସିକମାଳୀ, ମନ୍ତ୍ରୀପୁତ୍ର ନେତ୍ରମଣ୍ଡନ ଓ ସାଧବ ପୁତ୍ର ହେମଗୌରଙ୍କର ଥାଏ ଅଭେଦ ପ୍ରୀତି । ସେମାନଙ୍କର ଯୁବାବୟସ ହୋଇଥିଲେ ହେଁ ସେମାନଙ୍କ ଅନୁରୂପ କନ୍ୟା ନ ମିଳିବାରୁ ପ୍ରତ୍ୟେକ ଚିନ୍ତିତ ଥାନ୍ତି । ଦିନେ ପାରିଧି କରିବାକୁ ବହୁଦୂର ଯାଇ ଧ୍ୟାନାନନ୍ଦ ଗୋସାଇଁଙ୍କ ଆଶ୍ରମରେ ସେମାନେ ପହଞ୍ଚିଲେ। ସେ ଥିଲା ବସନ୍ତପୁର ନାମକ ଗିରିବର-। ତାହା ଉପରୁ ବହୁଥିଲା ଚନ୍ଦ୍ରବିନ୍ଦୁ ନାମକ ନଦୀ । ସେ ନଦୀ ଭିତରେ ସ୍ପଟିକର ମଣ୍ଡପଟିଏ ଥିଲା । ତା’ ଉପରେ ପରମାସୁନ୍ଦରୀ କନ୍ୟାଟିଏ ବସିଥିଲା । ତିନିମିତ୍ର ସେ କନ୍ୟାକୁ ଅପଲକ ମୁଗ୍ଧ ନେତ୍ରରେ ଚାହିଁବାରୁ କନ୍ୟାଟି ମନରେ କି ଭାବି ଆପଣା ହସ୍ତ ପ୍ରସାରି ଦେଖାଇଲା । ରାଜା ପୁଅ ଓ ସାଧବ ପୁଅ ନୀରବ ରହିଲେ, କିନ୍ତୁ ମନ୍ତ୍ରୀ ପୁଅ ପାଦରେ ଛଅଗୋଟି ଗିରାକାଟି ତା’ର ଉତ୍ତର ଦେଲା । ତହୁଁ ସେ ଚିତ୍ରାଙ୍ଗୀ କନ୍ୟା ଦୁଇହାତ ଛନ୍ଦି ମନ୍ତ୍ରୀ ପୁଅ ଗଳାକୁ ଚାହିଁ ଭିତର ପୁରକୁ ଗଲା । ତିନିମିତ୍ର ସେଠାରୁ ଫେରି ଧ୍ୟାନାନନ୍ଦ ଗୋସାଇଁଙ୍କୁ ଭେଟିଲେ । ଗୋସାଇଁ ତାଙ୍କ ଧ୍ୟାନ ଭଙ୍ଗ ଉତ୍ତାରୁ ଏମାନଙ୍କ ମନକଥା ଜାଣି ଆଜ୍ଞା କଲେ କି ଯେ କାଲି ତାଙ୍କର ସିଦ୍ଧକର୍ଣ୍ଣିକା ବ୍ରତ ପାଇଁ ଉତ୍ତର ସମୁଦ୍ର ମଧ୍ୟରୁ ସୁବର୍ଣ୍ଣ କେତକୀ, ଦକ୍ଷିଣ ଦିଗ ସମୁଦ୍ରର ନାଗବଳୀ ଦ୍ୱୀପରୁ କୃଷ୍ଣମଲ୍ଲିକା ଓ ପଶ୍ଚିମ ଦିଗ ସମୁଦ୍ର ମଧ୍ୟରୁ ରଜତ ଦୁଦୁରା ଆଗ ଆଣି ପହଞ୍ଚାଇବ ସେ ଚିତ୍ରାଙ୍ଗୀ କନ୍ୟାକୁ ପ୍ରାପ୍ତ ହେବ । ରାଜା ପୁଅ, ସାଧବ ପୁଅ ଯଥାକ୍ରମେ ଦକ୍ଷିଣ ଓ ଉତ୍ତର ଦିଗକୁ ଗଲେ । ମନ୍ତ୍ରୀ ପୁଅ ପଶ୍ଚିମ ଦିଗକୁ ଯିବା ପରି ଛଳନା କରି ଚିତ୍ରାଙ୍ଗୀ ପାଖକୁ ଗଲା । ଚିତ୍ରାଙ୍ଗୀ ତାକୁ ସମ୍ମାନ ଜଣାଇବା ସଙ୍ଗେ ସଙ୍ଗେ ପ୍ରାଣପତିରୂପେ ବରଣ କରିବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇ କହିଲା –

 

କୁମୁଦ ଚନ୍ଦ୍ରମା ପ୍ରୀତି ହେ କେ କରିଛି ପ୍ରାଣ ପତି ହେ

ରବି ପଦ୍ମଭାବ କେ ଭାଙ୍ଗି ପାରିବ ଯୁଗେ ଯୁଗେ ଅଛି କୀର୍ତ୍ତି ହେ

X X X X

ସଦା ମୁଁ ଦାସୀ ତୁମର ହେ ତୁମ୍ଭେ ମୋର ପ୍ରାଣେଶ୍ୱର ହେ

ମନମାଳା ଦେଇ ବରୁଅଛି ମୁହିଁ ସଂଶୟ କିଛି ନ କର ହେ ।୬।’

 

ରାଜାପୁଅ ଓ ସାଧବ ପୁଅ ଏକ ସମୟରେ ସୁବର୍ଣ୍ଣ କେତକୀ ଓ କୃଷ୍ଣ ମଲ୍ଲିକା ଆଣି ଧ୍ୟାନାନନ୍ଦଙ୍କ ନିକଟରେ ପହଞ୍ଚିଲେ । ମନ୍ତ୍ରୀ ପୁଅ କିଛି ନ ଆଣି ମଧ୍ୟ ଅତ୍ୟନ୍ତ ପ୍ରସନ୍ନ ଦିଶୁଥିବାରୁ ଧ୍ୟାନାନନ୍ଦ ବିସ୍ମିତ ହୋଇ ଯୋଗଧ୍ୟାନ କରି ଜାଣିଲେ ଯେ ଚିତ୍ରାଙ୍ଗୀ ମନ୍ତ୍ରୀ ପୁଅକୁ ବରଣ କଲା । ଏତ ବିଧାତା ବିଧାନ- ସେ ବା କ’ଣ କରିପାରନ୍ତେ ! ତେଣୁ ଏକାବେଳକେ ପହଞ୍ଚିଥିବା ରାଜା ପୁଅ, ସାଧବ ପୁଅ ଏକମାତ୍ର କନ୍ୟାକୁ ବିବାହ କରି ପାରିବେ ନାହିଁ ବୋଲି ଜଣାଇ ନୀରବ ହୋଇଗଲେ-

 

ଚିତ୍ରକଣ୍ଠିକା ଶାରୀଠାରୁ ଏ କଥା ଶୁଣି ବ୍ରାହ୍ମଣମାନେ ନ୍ୟାୟ ଅନୁମାନ କରିବାକୁ ବସନ୍ତେ ବିମ୍ବଓଷ୍ଠ କହିଲା- “ଆହେ ଗୋସାଇଁମାନେ, ଚାରିବେଦ, ଛଅଶାସ୍ତ୍ର, ନଅବ୍ୟାକରଣ, ଅଷ୍ଟାଦଶ ପୁରାଣ, କାବ୍ୟନାଟକ, ଅଳଙ୍କାର କଉତୁକ, ଶିଳ୍ପୀ ସଙ୍ଗୀତ, ଜ୍ୟୋତିଷ, ପାଠତତ୍ତ୍ୱ, ବୈଦ୍ୟ ବିଦ୍ୟା, ଶାସ୍ତ୍ରବିଦ୍ୟା, ଧର୍ମକର୍ମବିଚାରଣା ଇତ୍ୟାଦି ନାନା ପ୍ରକାର ପାଠ ଶାଠରେ ତ ଆପଣମାନେ ନିପୁଣ । ମୁଁ ଏକ କଥାଏ କହୁଛି, ଏ ନ୍ୟାୟ ଅନୁମାନକରି କହିବା ହୋଉ ।’’ ବିମ୍ବଓଷ୍ଠ ଯେଉଁ କଥାଟି କହିଲା, ତାର ସଂକ୍ଷିପ୍ତ ସାର ହେଉଛି ଏହିପରି –

 

ଗନ୍ଧର୍ବକୁଳ ଗୋପାଳ ପତ୍ନୀ ବିନୋଦିନୀ ଓ ଏକମାତ୍ର ପୁତ୍ର ବିମ୍ବାକୁ ଘରେ ରଖି ବିଦେଶରେ ଚାକିରି କରିଥାଇ । ବର୍ଷକୁ ଥରେମାତ୍ର ଘରକୁ ଆସି ଭାର୍ଯ୍ୟା-ପୁତ୍ରଙ୍କୁ ବର୍ଷକ ପାଇଁ ଅନ୍ନବସ୍ତ୍ରକୁ ଖର୍ଚ୍ଚ ଦେଇଥାଏ । ତା’ର ଭାର୍ଯ୍ୟାବିନୋଦିନୀ ବଳିମୁଖା ନାମକ ନାପିତ ସହ ପ୍ରୀତି କରି ଅହର୍ନିଶି ଆସକ୍ତା ହେବାରୁ ନଗ୍ରଲୋକେ ବହୁତ ଆକଟ କଲେ । ଭୟରେ ସେ ଦୁହେଁ ‘ଫରଚା କରି ପ୍ରୀତି କରି ନ ପାରିବାରୁ’ ବିମ୍ବାକୁ ସଙ୍ଗରେ ଘେନି ଅନ୍ୟଦେଶକୁ ଯିବା ନିଶ୍ଚିତ କରି ଦିନେ ରାତ୍ରରେ ଘର ଛାଡ଼ି ପଳାଇଲେ । ବିମ୍ବା ଯୋଗେ ଚିହ୍ନା ପଡ଼ିବାର ଆଶଙ୍କା କରି ଚନ୍ଦ୍ରବିମ୍ବ ରାଜ୍ୟର ମାନଦତ୍ତ ନାମକ ମହାଜନଠାରେ କ୍ରେୟପତ୍ର ଲେଖାଇ ବିମ୍ବାକୁ ବିକ୍ରୀ କରିଦେଇ ଚାଲିଗଲେ । ବିମ୍ବା ମହାଜନ ଘରେ ପୁତ୍ର ଭଳି ରହିଲା । ଦିନକର ବାଣିଜ୍ୟ କାରବାର କରିବାକୁ ଯାଇ ମାନଦତ୍ତ ପାତାଳୀ ନଦୀ ତୀରରେ ବସା ବାନ୍ଧି ରହିଥିଲାବେଳେ ବିମ୍ବା ନଦୀକୁ କୁମ୍ଭରେ ପାଣି ଆଣିବା ପାଇଁ ଯାଇଥିଲା । ଲହରୀ ବାଜି ଗୋଡ଼ ଖସିଯିବାରୁ ବଢ଼ନ୍ତା ନଦୀ ସ୍ରୋତରେ ପଡ଼ି ସେ ଭାସିଗଲା । ଯୋଗକୁ ଭାସମାନ କାଠଗଣ୍ଡିଟିଏ ପାଇ ତାକୁ ଆଶ୍ରାକରି ଭାସି ଯାଉଥାଏ । ଏ ସମୟରେ ବିଦ୍ରୁମମାଳୀ ନଗ୍ରର ରାଜା ଚଣ୍ଡବାହୁ ରାଣୀ ରତ୍ନନିଧିଙ୍କ ସହିତ ଜଗତୀ ଉପରେ ବସି ନଦୀ ବଢ଼ି ଦୃଶ୍ୟ ଦେଖୁଥିଲେ। ରାଣୀଙ୍କ ଦୃଷ୍ଟି ଭାସମାନ ବିମ୍ବା ଉପରେ ପଡ଼ିବାରୁ ତାଙ୍କ ଅନୁରୋଧରେ ରାଜା ନାଉରୀମାନଙ୍କୁ ଡକାଇ ବିମ୍ବାକୁ ଉଦ୍ଧାର କରିବା ପାଇଁ ପଠାଇଲେ । ବିମ୍ବା ଭାସି ଯାଉ ଯାଉ ବୋହିତିଆଳ ସାଧବ ତାକୁ ଦେଖି ମକରଛେଦନ ନାମକସୁଦକ୍ଷ ନାବିକଦ୍ୱାରା ବହୁ କଷ୍ଟରେ ଉଦ୍ଧାର କରି ଆଣି ଅଗ୍ନି ଚିକିତ୍ସା କରି ସୁସ୍ଥ କରାଇଲା । ମାନଦତ୍ତ ମଧ୍ୟ ଅନେକ ଉଦ୍ୟମ କରି ବିମ୍ବାର ଚିହ୍ନବର୍ଣ୍ଣ ନ ପାଇ କାନ୍ଦି କାନ୍ଦି ରହିଲା । ରାଜା ଚଣ୍ଡବାହୁଙ୍କ ଲୋକେ ନଦୀ ମଧ୍ୟରେ ଅନେକ ଲୋଡ଼ି ମଧ୍ୟ ବିମ୍ବାର ସଞ୍ଚାର କିଛି ପାଇଲେ ନାହିଁ । ପରେ ସମ୍ବାଦ ପାଇ ରାଜା, ମାନଦତ୍ତ ଓ ବିଦେଶ ଫେରନ୍ତା ଗନ୍ଧର୍ବକୁଳ ପ୍ରତ୍ୟେକେ ବିମ୍ବାକୁ ଦାବି କରି ବୋହିତିଆଳ ସାଧବ ସହ ଦ୍ୱନ୍ଦ୍ୱ କଲେ । ବିମ୍ବା କାହାକୁ ପ୍ରାପ୍ତ ହେବ, ବିମ୍ବଓଷ୍ଠର ଏହି ପ୍ରଶ୍ନରେ ବ୍ରାହ୍ମଣମାନଙ୍କ ମଧ୍ୟରେ ମତାନ୍ତର ହେବାରୁ ଶୁକ-ଶାରୀକା କହିଲେ- “ହେ ଗୋସାଇଁମାନେ ଯେବେ ବିମ୍ବା ବାବୁର ପ୍ରାପ୍ତ ହେବ, ତେବେ କୁନ୍ଦରେଖା ବାପା କୁଶଳ- କର୍ମା ଯେଉଁ ବର ଠିକଣା କରିଛି- ଗୋପକଦମ୍ବ, ବିଭା ହେବ । ନାହିଁ, ମହାଜନ ମାନଦତ୍ତକୁ ପ୍ରାପତ ହେବ, ତେବେ ମାଆ ସ୍ଥିର କରିଥିବା ବର ଚକ୍ରରାଶି ବ୍ରାହ୍ମଣ ବିଭା ହେବ । ନାହିଁ, ରାଜାଙ୍କୁ ପ୍ରାପତ ହେବ, ତେବେ ଯାଇ ରାଜାଙ୍କୁ କହ, ସେ ଯାହାକୁ ଦେବେ, ସେ ବିଭା ହେବ-। ନାହିଁ, ବୋହିତିଆଳ ସାଧବକୁ ପ୍ରାପତ ହେବ, ତେବେ ପୁଣ୍ଡରୀକ ପଣ୍ଡା ବିଭା ହେବ ।’’

 

ଧର୍ମସୂକ୍ଷ୍ମ ପ୍ରମାଣେ ନାନାଦି ଶାସ୍ତ୍ରମାନ ବୁଝି ବ୍ରାହ୍ମଣମାନେ ସିଦ୍ଧାନ୍ତ ଦେଲେ କି ବୋହିତିଆଳ ସାଧବ ବିମ୍ବାକୁ ଉଦ୍ଧାର କରିନଥିଲେ ସମୁଦ୍ରରେ ପଡ଼ି ଯେହେତୁ ତା’ର ଜୀବନ ଯାଇଥାନ୍ତା, ସେ ହେତୁ ବୋହିତିଆଳ ସାଧବକୁ ବିମ୍ବା ପ୍ରାପ୍ତ ହେବ । ପୁଣ୍ଡରୀକ ପଣ୍ଡା ଅନୁରୋଧରେ ଶୁକଶାରିକା କୁନ୍ଦରେଖାର କୂପ ପତନ, ଉଦ୍ଧାର ଓ ସତ୍ୟଦାନ ବିଷୟ ବ୍ରାହ୍ମଣମାନଙ୍କୁ ଜଣାଇବାରୁ ନ୍ୟାୟ-ନୀତି-ପ୍ରମାଣ ଦୃଷ୍ଟିରୁ କୁନ୍ଦରେଖା ପୁଣ୍ଡରୀକକୁ ପ୍ରାପ୍ତ ହେଲା ।

 

Unknown

ପ୍ରୀତିବିନୋଦ କଥା

 

ନୀତିବିନୋଦ କଥାର ସମାପ୍ତି ପରେ ଚଞ୍ଚଳାକ୍ଷୀ ଅନୁରୋଧରେ ମୋହନାଙ୍ଗ ପ୍ରୀତିବିନୋଦ କଥା ବୟାନ କଲା । ପ୍ରୀତିର ଲକ୍ଷଣ ନିରୂପଣ କରି ବ୍ରଜନାଥ କହିଛନ୍ତି- ପ୍ରୀତି ଆଶ୍ରୟୀ ଦେଲେ ସଜ୍ଜନଠାରେ ଦେବାନୁଗ୍ରହ, ନୀଚଠାରେ ଅମଙ୍ଗଳ, ଦୁଷ୍ଟଠାରେ ଦୁଃଖ, ଶଠଠାରେ କଷ୍ଟତର ଓ ଧୀର ଲୋକଠାରେ ମଙ୍ଗଳଜନକ ଭାବ ସୃଷ୍ଟିକରେ । ତେଣୁ ଅମଙ୍ଗଳକର ପ୍ରୀତି ସ୍ତ୍ରୀଠାରେ କିମ୍ବା ଅନ୍ୟ କୌଣସି ଲୋକଠାରେ ପ୍ରକାଶ କରିବା ଏକାନ୍ତ ଅବିଧେୟ ।

 

ପ୍ରୀତିବିନୋଦର ପ୍ରାରମ୍ଭରେ ପ୍ରୀତିର ପ୍ରକାର ଭେଦ ନିର୍ଣ୍ଣୟରେ ବ୍ରଜନାଥଙ୍କ ଅନୁଧ୍ୟାନଶୀଳତା ଫୁଟି ଉଠିଛି । ମାନବ ଚରିତ୍ର ଓ ଆଚରଣକୁ ସେ ଗଭୀର ଭାବରେ ନିରୀକ୍ଷଣ କରିଥିବାରୁ ପ୍ରୀତିର ପ୍ରକୃତି ଓ ପ୍ରବୃତ୍ତିକୁ ଶ୍ରେଣୀବଦ୍ଧ କରି ପାରିଛନ୍ତି । ସେଥିପାଇଁ ତାଙ୍କ ଦୃଷ୍ଟିରେ ଶଠପ୍ରୀତି, ଦୁଷ୍ଟପ୍ରୀତି,ନୀଚ ପ୍ରୀତି, କାର୍ଯ୍ୟଘେନା ପ୍ରୀତି, ପ୍ରବଳ ଶଠପ୍ରୀତି, ଅଭେଦପ୍ରୀତି, ପରସ୍ପରପ୍ରୀତି,ନିଜସୁଖ ପ୍ରୀତି ଭାବରେ ପ୍ରୀତିର ବିଭାଗୀକରଣ ଘଟିଛି । ପ୍ରୀତିବିନୋଦ କଥାରେ ଶଠ, ଦୁଷ୍ଟ, ନୀଚ, ସହଜ, କାର୍ଯ୍ୟଘେନା ଓ ପ୍ରବଳ ଶଠ ପ୍ରୀତି ସମ୍ପର୍କରେ ଗୋଟିଏ ଦୁଇଟି କରି ଦୃଷ୍ଟାନ୍ତମୂଳକ କାହାଣୀ ବୟାନ କରାଯାଇଛି ।

 

ଶଠ ପ୍ରୀତିର କାହାଣୀ: କର୍ମପୁର ନାମକ ଜନୈକ ବ୍ରାହ୍ମଣ ଗଙ୍ଗାସ୍ନାନ କରିବାକୁ ଘରୁ ବାହାରି ଦୁଇ ଚାରିଟି ଜାଗାରେ ବିଶ୍ରାମ ନେବା ପରେ ଜଣେ ଧୂର୍ତ୍ତ ନାପିତ ତାଙ୍କୁ ଦେଖିଲା । ତାଙ୍କ ସହିତ କିଛି ପଥ ଆସିବା ପରେ ତାଙ୍କ ପାଖରେ କିଛି ଧନ ଥିବା କଥା ନାପିତ ଜାଣିପାରିଲା । ସେଥିରୁ କିଛି ହସ୍ତଗତ କରିବାକୁ ମନରେ ପାଞ୍ଚି ନାପିତ ବ୍ରାହ୍ମଣଙ୍କ ସହିତ ପଥ ଚାଲିଲା । ଦୁଇ, ଚାରି କୋଶ ଆସନ୍ତେ ବ୍ରାହ୍ମଣ ତା’ର ପରିଚୟ ଲୋଡ଼ିବାରୁ ସେ ଜାତିରେ ଗୋପାଳ, ନାଁ ମନମନୁଆଁ, ଗଙ୍ଗା ସ୍ନାନ କରିବାକୁ ବାହାରିଛି ବୋଲି ଜଣାଇଲା । ଗନ୍ତବ୍ୟସ୍ଥଳ ଏକ ହୋଇଥିବାରୁ ସେ ବ୍ରାହ୍ମଣଙ୍କ ସେବା କରି ଧନ୍ୟ ହେବ ବୋଲି ଜଣାଇବାରୁ ବ୍ରାହ୍ମଣ ଅଜ୍ଞାତ ଲୋକକୁ କିପରି ସଙ୍ଗରେ ନେବେ- ଏ ବିଷୟ ଚିନ୍ତାକରି ପହଳିଟିଏ ଗାଇଲେ :-

 

ଅଜଣା ଲୋକ ସଙ୍ଗ

ପ୍ରଭାତ ରବିରଙ୍ଗ

ଭୋକ ଆତୁର ବ୍ରତ

ଲୋଭୀ ସାମନ୍ତ ସତ

ମୂର୍ଖ ନାୟକ ଚାଟ

ଆମ୍ବବାତୁଆ ନାଟ

କୃପଣ ଜନ ଭୋଗ

ମୁଣ୍ଡ ବୋଝିଆ ପାଗ

ସଦାଋଣିଆ ଚାଷ

ନଈ କୂଳିଆ ବାସ

ଅମଳ ଖିଆ ମନ

ପାପ ଅର୍ଜିତ ଧନ

ବିଧବା ନାରୀ ବେଶ

ଦାନ୍ତୁରୀ ମୁଖୀ ହାସ

ବୃଦ୍ଧ ନାୟକ ବାଳା

ଦରିଦ୍ର ପୁଅ ଲୀଳା

କିଣା ସେବକ କୋପ

ପୁରୁଣା ଗୁଣ ଚାପ

ସିଂହ ଦୁଆର ତେଲି

ଗୁହାଳ ପାଖ ବଲ୍ଲୀ

କଉଡ଼ିଦିଆ ରତି

କପଟୀ ମିତ୍ର ପ୍ରୀତି

ବାଟ ଚଢ଼ାଇ ବସା

 

ଯେତେ କଥା କହିଲିରେ ମନମନୁଆଁ

 

ଏ ବେଳ ବେଳକୁ ହୋଏ ଲୋକହସା’’

 

“ଏହା ଶୁଣି ନାପିତ କହିଲା ହେ ଗୋସାଇଁ ଯାହାକୁ ଯେଉଁ ଯୋଗ ଥାଏ, ସେ ଅବଶ୍ୟ ହୁଅଇ । ହିତ ହେଲେ ପରଲୋକ ଆପଣାର, ଅହିତ ହେଲେ ଆପଣା ଲୋକ ପର । ଅମୃତ ସମାନ ଆହାର ଖାଇ, ସେ ଅପାକ ହେଲେ ପେଟରେ ଥାଇ ପ୍ରାଣ ନିଅଇ ଦେହରେ ବ୍ୟାଧି ହେଲେ ଶଏ କୋଶ ଅରଣ୍ୟରୁ ତାଳମୂଳିକା ଆଣି ଖାଇଲା ବେଳେ ପିତା କଷା ଲାଗୁଥାଇ । ବେଳକୁ ପ୍ରାଣଦାନ ଦିଅଇ । ବିଧାତା ସୁମୁଖ ହେଲାବେଳେ ମନେ ନଥିଲା ସୁଖ ମିଳଇ । ସେ ବାମ ହେଲା ବେଳେ ଅଚଳାଚଳ ସମ୍ପତ୍ତି ନାଶ ଯାଇ ।’’

 

ଉପରୋକ୍ତ ଉଦ୍ଧୃତି ଦୁଇଟି ବ୍ରଜନାଥଙ୍କ ସାମାଜିକ ଜୀବନର ଭୂୟୋଦର୍ଶନର ପରିଚୟ ବହନ କରନ୍ତି । ପରିପୃକ୍ତ, ପ୍ରବୃଦ୍ଧ ମାନସର ପ୍ରତିଫଳନ ଏହିଭଳି ‘ଚତୁର ବିନୋଦ କଥା’ର ବହୁସ୍ଥଳରେ ଲାଭ କରାଯାଏ । ତେଣୁ କଥାସାହିତ୍ୟଟି ଯେ ବ୍ରଜନାଥଙ୍କର ପରିଣତ ବୟସର ସୃଷ୍ଟି, ଏହା ନିଃସନ୍ଦେହ ଭାବରେ ସାବ୍ୟସ୍ତ ହୁଏ ।

 

ମନମନୁଆଁ ଯେଉଁ ନୀତିବାଣୀ ଶୁଣାଇଲା, ତାହାର ସ୍ପଷ୍ଟ ପରିଚୟ ଦେବାକୁ ଯାଇ କଥାଟିଏ ବୟାନ କଲା । ତା’ର ସଂକ୍ଷିପ୍ତ ସାର ହେଉଛି ଏହିପରି :

 

ହେମକାଞ୍ଚନ ନଗ୍ରର ରାଜା ବୀରତୁଙ୍ଗଙ୍କର ଗୁରୁ ଗୋସାଇଁ ଥିଲେ ଜ୍ୟୋତିପୁଞ୍ଜ । ସେ ଦିନେ ବୈଷ୍ଣବମଣ୍ଡଳୀ ପରିବେଷ୍ଟିତ ହୋଇ ଖୋଳ କରତାଳ ବାଦ୍ୟ ଗହଳି ସହ ପାଲିଙ୍କିରେ ସମାରୋହରେ ବିଜେ ହେଉଥିଲେ । ଏହି ସମୟରେ ନିତମ୍ବିନୀ ନାମ୍ନୀ ବେଶ୍ୟା ନୃତ୍ୟ ପ୍ରଦର୍ଶନ କରିବାକୁ ରାଜାଙ୍କ ଛାମୁକୁ ଯିବାବେଳେ ପଥରେ ଗୁରୁ ଗୋସାଇଁଙ୍କୁ ଦଣ୍ଡବତ କରି ଆଡ଼ ହୋଇଗଲା । ତା ସହିତ ପଛରେ ଯାଉଥିବା ଖର୍ବରୂପ ମାଦଳିଆକୁ ଦେଖି ଗୁରୁ ମନେ ମନେ ଉପହାସ କଲେ । ଆପଣାକୁ ଶ୍ରେଷ୍ଠତର ଜ୍ଞାନକରି ଗର୍ବରେ ମାଦଳିଆ ଦଣ୍ଡବତ କରନ୍ତେ କଲ୍ୟାଣ ନ କରି ଏତେ ଲୋକଙ୍କ ଆଗରେ ତାଚ୍ଛଲ୍ୟ କରି କହିଲେ,“ତୁମ୍ଭ ଠାକୁରାଣୀ ତେଣେ ଯାଉଛନ୍ତି, ଯାଇ ତାଙ୍କ ଚରଣେ ସେବା କର ।’’ ଏ କଥା ଖର୍ବରୂପକୁ ବହୁତ ବାଧିବାରୁ ସେ ଦାରୀଦାସ ହେବାର ଅପମାନ ଜ୍ଜ୍ୱାଳାରେ ଅଧୀର ହୋଇ ଈଶ୍ୱରଙ୍କୁ ଚିନ୍ତାକଲା । ଈଶ୍ୱର ତ ଗର୍ବ ଗଞ୍ଜନ । “ଜ୍ୟୋତି ପୁଞ୍ଜ ଗର୍ବ ଓ ଖର୍ବରୂପ ଆର୍ତ୍ତି ଏ ଦୁଇକଥା ସହି ନପାରି ଆଜ୍ଞା ଦେଲେ ଦୁହେଁ ଦୁହିଁଙ୍କ ପରି ହୁଅ ।’’

 

ଗୁରୁ ଗୋସାଇଁ ମଠକୁ ଗଲେ । ଖର୍ବରୂପ ଚିନ୍ତାର୍ଥୀ ହୋଇ ନିତମ୍ବିନୀ ପଛରେ ଗୋଡ଼ାଇ ନ ପାରି ଅସାବଧାନତା ବଶତଃ ପଡ଼ିଯିବାରୁ ମର୍ଦ୍ଦଳ ଭାଙ୍ଗିଗଲା । ବେଶ୍ୟା ରାଜ ନବର ନ ଯାଇ ଘରକୁ ଫେରି ଖର୍ବରୂପକୁ ଅନେକ ମାଡ଼ ମରାଇ କନା ଖଣ୍ଡେମାତ୍ର ପିନ୍ଧାଇ ଘରୁ ବାହାର କରିଦେଲା । ଲଜ୍ଜା ଓ ଅପମାନରେ ଦଗ୍‌ଧିଭୂତ ଖର୍ବରୂପ ସେ ରାଜ୍ୟ ଛାଡ଼ି ଅରଣ୍ୟ ପଥରେ ଅଖିଆ ଅପିଆ ତିନିଦିନ ତିନିରାତି ବୁଲି ବୁଲି ରାସରଙ୍ଗ ନାମକ ରାଜ୍ୟରେ ଆସି ପହଞ୍ଚିଲା । କ୍ଷୁଧାରେ ଅସ୍ଥିର ହୋଇ ସଦ୍ୟ ଦାହ ହୋଇଥିବା ମଡ଼ା ପାଖରେ ପଡ଼ିଥିବା ଭାତ ଗୋଟାଇ ଖାଇ ନିଆଁ ପୋଇଁ ହେଉଥିବାବେଳେ ଖର୍ବରୂପ ସେ ରାଜ୍ୟର ଏକ ଗୋପାଳର ଦୃଷ୍ଟି ଆକର୍ଷଣ କଲା । ଗୋପାଳ ଖର୍ବରୂପକୁ ଏକ ମହାପୁରୁଷ ବୋଲି ଜ୍ଞାନ କରି ଗାଁରେ ଖବର ଦେବାରୁ ପେଟଟଣା ରୋଗୀ ଏକ ତନ୍ତୀ ସେଠାକୁ ଦଉଡ଼ିଲା । ତାକୁ ଦେଖି ଖର୍ବରୂପ ମହା ଚିନ୍ତାରେ ପଡ଼ି ଆପଣା କଥାକୁ ଲକ୍ଷ୍ୟ କରି କହି ଉଠିଲା, “ରେ ବାବା, ପେଟ୍‌ ବଡ଼ା ଦୁଖ୍‌ ଦେତା ହୈ’’ । ନିଜ କଥା କହିଲେ ବୋଲି ଜ୍ଞାନ କରି ତନ୍ତୀ ମହାପୁରୁଷ ବିଜେ କରିଥିବା କଥା ଗାଁରେ ରାଷ୍ଟ୍ର କରିବାରୁ ମନ୍ତ୍ରୀ ପୁଅ ତା ଘୋଡ଼ାର ଦେହ ବେଦନା ଯୋଗେ ଆସିବାରୁ ଖର୍ବରୂପ ସଙ୍କଟକାଳ ପହଞ୍ଚିଲା ଜ୍ଞାନ କରି କହିଲା, ‘ଅବ୍‌ ସଙ୍କଟ ଜାନକୀରାମୋ ହରେ ।’ ଜଣେ ସାଧବ ମୁକ୍ତାହାରଟିଏ ମୁଦା କରି ନେଇ କ’ଣ ଅଛି ବୋଲି ପଚାରିବାରୁ ହାରିଯିବ ବୋଲି ଭାବି ଯେତେବେଳେ ଖର୍ବରୂପ କହିଲା, ‘ଅବ୍‌ ତୁମାରା ତହିଁ ହାରା’, ତାର ସର୍ବଜ୍ଞତ୍ୱ ସମ୍ପର୍କରେ କାହାରି ସନ୍ଦେହ ରହିଲାନାହିଁ । ଏହାପରେ ମହାମହିମ ଯତିଙ୍କ ପାଇଁ ରୋଷାଇ ଦ୍ରବ୍ୟ, ଜଳପାନ, ଭାଙ୍ଗ, ତମାଖୁ, ଚନ୍ଦନ, କର୍ପୂର, ସର, ଲବଣୀ, ଶାଲ, କମ୍ବଳ ଇତ୍ୟାଦି ଦ୍ରବ୍ୟମାନ ଉପହାରସ୍ୱରୂପ ଜମାହେବାକୁ ଲାଗିଲା । ଯେଉଁମାନେ ସର୍ବଜ୍ଞ ମହାପୁରୁଷଙ୍କୁ ଭେଟିବାକୁ ଆସିଲେ ସେମାନଙ୍କୁ ବ୍ରଜନାଥ ରୋଗ ଭେଦରେ ଚିହ୍ନାଇ ଦେଇଛନ୍ତି, ଯଥା :-

 

ବୁଢ଼ୀ କାମଳୀ କେମ୍ପା ବାଉଳୀ କଣା କୁବୁଜା ଛୋଟା ବିମଜ୍ଜା

ପଙ୍ଗୁ ଗୋଦରୀ ପେଟରୋଦରୀ ଏକୁଆପାଳି ପିତ୍ତ ପାଙ୍ଗୋଳି

ଅଁ ଆଁ ରାଛଟା ପେଟ ଚକଟା ଅଣପୁରୁଷା କମଳଖସା

ଦନ୍ତକିଟି କାନକୁଟୁରି

ଜଳକୀ କାଣୀ ଟେରୀ

ବାଞ୍ଝମଡ଼ଛି ପିନାସ ନାକପେଚୀ’

 

ଏତେ ସଂଖ୍ୟାରେ ଲୋକ ଆସିଲେ ଯେ ବିରକ୍ତ ହୋଇ ଖର୍ବରୂପ ରାଜ୍ୟ ଛାଡ଼ି ଅରଣ୍ୟକୁ ପଳାଇବାକୁ ଚିନ୍ତାକଲା । ବିଧାତାର ବିଧାନ ତ ବିଚିତ୍ର । ଏହି ସମୟରେ ଅପୁତ୍ରକ ରାଜା ପୁତ୍ର କାମନା କରି ଗୋସାଇଁଙ୍କୁ ମନ୍ତ୍ରୀଙ୍କ ଦ୍ୱାରା ଡକାଇ ନେଲେ । ରାଜାଙ୍କୁ ମାରି ଗାଦି ନେବା ପାଇଁ ତାଙ୍କ ଭାଇ ଯେଉଁ ଲୋକମାନଙ୍କୁ ସଜିଲ କରିଥିଲା ସେମାନେ ସର୍ବଜ୍ଞ ଗୋସାଇଁ ପହଞ୍ଚିବା ପୂର୍ବରୁ କାର୍ଯ୍ୟ ହାସଲ କରିବାକୁ ନଅରଠାରେ ଜଗି ବସିଥିଲେ । ଗୋସାଇଁ ପହଞ୍ଚିଯିବାରୁ କିଛି କରିନପାରି ତାଙ୍କ ମଧ୍ୟରୁ ଦୁଇଜଣ ଗୋସାଇଁ ସେମାନଙ୍କ ବିଷୟରେ କ’ଣ କହିଦେବ ଜାଣିବା ପାଇଁ ସଭାକୁ ମଧ୍ୟ ଆସିଲେ । ଏଣେ ଦିଆନ ଗୋଟିଏ କିଆଫୁଲ ହାତରେ ଧରି ବସିଛନ୍ତି । ରାଜ ନିଜେ ମହାପୁରୁଷଙ୍କୁ ପାଛୋଟି ନେଇଗଲେ । ଦିବ୍ୟ ଆସନରେ ବସାଇ ପୁଚ୍ଛା କଲେ ‘ମହାରାଜ, କୁଛ୍‌ ହୁକୁମ କରୋ ।’ ‘ଜିସ୍‌ ତର୍‌ସେ ଦିଲ ଖାତରନିଶାଁ ହୋଗା’। ଖର୍ବରୂପ ମୃତ୍ୟୁ ସନ୍ନିକଟ ଜାଣି ଭୟରେ ଧର୍ମଚିନ୍ତା କରି ମେଳିଆଏ ଥିବା ଦିଗକୁ ଅନାଇ କହିଲା, ‘ରାଜକୁମାର, ଇଚ୍ଛାତୁହ୍ମାର, ଦିଆନହିଁ ଯହିଁ କିଆ ବିଚାର’। ରାଜା ଓ ଦିଆନ ତ ଲମ୍ବ ହୋଇ ଗୋଡ଼ତଳେ ପଡ଼ିଗଲେ, ମେଳିଆଏ ମଧ୍ୟ ଆତ୍ମସମର୍ପଣ କଲେ । ରାଜା ଅତ୍ୟନ୍ତ ପ୍ରସନ୍ନ ହୋଇ ଖର୍ବରୂପଠାରୁ ଦୀକ୍ଷାମନ୍ତ୍ର ଗ୍ରହଣ କରି ତାକୁ ରାଜଗୁରୁ କରିଦେଲେ । ଭୋଗଭାଗ୍ୟରେ ଖର୍ବରୂପର କୌଣସି ଅଭାବ ରହିଲା ନାହିଁ ।

 

ଏଣେ ଜ୍ୟୋତିପୁଞ୍ଜ ରାଜାଙ୍କୁ କଲ୍ୟାଣ କରିବାକୁ ଯାଇ ରାଣୀଙ୍କ ବକ୍ଷ ସୌନ୍ଦର୍ଯ୍ୟରେ ଆତ୍ମହରା ହୋଇ ତାଙ୍କ ମନୋଭାବ ପ୍ରକାଶ କରି ଦେବାରୁ ରାଜାରାଣୀ ଅବଜ୍ଞା କରି ନବରକୁ ଚାଲିଗଲେ । ଜ୍ୟୋତିପୁଞ୍ଜ ଭୟରେ ମଠକୁ ନଯାଇ ପୁରୁଷୋତ୍ତମ ବାହାରିଲେ । ସାଙ୍ଗରେ ଅନ୍ୟ ବୈଷ୍ଣବମାନେ ବାହାରିଲେ । ରାସରଙ୍ଗ ରାଜ୍ୟ ସୀମାରେ ଏକ ପୁଷ୍କରିଣୀ କୂଳରେ ନିତ୍ୟକର୍ମ ସାରି ସେ ଅଲଗା ହୋଇ ଜପ କରୁଛନ୍ତି ଚାରୁରୂପ ଶୁଣ୍ଢୀ ତାଙ୍କୁ ପ୍ରଣାମ କଲା । ପରିଚୟ ଦେଲା ଦାରୁ ନିର୍ମାଣକାରୀ । କାଠରେ ଦେବମୂର୍ତ୍ତି ନିର୍ମାଣ କରୁଛି ବୋଲି ଭାବି ଜ୍ୟୋତିପୁଞ୍ଜ ପୂଜା କରିବା ଲକ୍ଷ୍ୟରେ ଦାରୁ ନିର୍ମାଣ କରିବାକୁ ତାକୁ କହିବାରୁ ବାମାଚାରୀ ତାନ୍ତ୍ରିକ ବୋଲି ତାଙ୍କୁ ଜ୍ଞାନ କରି ଶୁଣ୍ଢୀ କୁମ୍ଭେ ମଦ୍ୟ ଆଣି ତାଙ୍କ ପାଖରେ ଥୋଇଲା । ଢାଙ୍କୁଣି ଫିଟାଇବାରୁ ମଦ୍ୟ ଗନ୍ଧ ଜାଣି କ୍ରୋଧରେ ଅଜ୍ଞାନ ଜ୍ୟୋତିପୁଞ୍ଜ ମଦ୍ୟକୁମ୍ଭଳୁ ଚାରୁରୂପ ଉପରକୁ ଫୋପାଡ଼ି ଦେଲେ । ଚାରୁ ରୂପ ରକ୍ତାକ୍ତ ହୋଇ ‘ବୈଷ୍ଣବ’ ମୋତେ ମାରି ପକାଇଲା ହୋ’ ହୁରି କରିବାରୁ ଗ୍ରାମ ଲୋକମାନେ ଧାଇଁ ଆସିଲେ । ବୈଷ୍ଣବଙ୍କ ପାଖରେ ମଦ୍ୟ ଦେଖି ଗ୍ରାମବାସୀ କ୍ରୋଧ ଓ ଅବମାନନା ବଶତଃ ଗୋସାଇଁଙ୍କର ଲୁଗାପଟା କଂସାବାସନ ଛଡ଼ାଇ ନେଇଗଲେ । ମାଡ଼ ଡରରେ ସାଙ୍ଗ ବୈଷ୍ଣବମାନେ ଗୋଟି ଗୋଟି ହୋଇ ଖସି ଗଲେ । ଗୋସାଇଁଙ୍କି ଧରନ୍ତେ ସେ ଦାନ୍ତରେ ତିରଣ ଦେଇ ସବୁ ଛାଡ଼ି ଏକା ଏକା ପଳାଇ ଆସିଲେ । ବୁଲି ବୁଲି ଖର୍ବରୂପ ରାଜଗୁରୁ ହୋଇଥିବା ରାଜ୍ୟରେ ପହଞ୍ଚିଲେ । କ୍ଷୁଧାରେ କାତର ହୋଇ ନିଜ ଅଜ୍ଞାତସାରରେ ସେ ରାଜ୍ୟର ବେଶ୍ୟା ସାହିରେ ସେ ଢୁକିବାରୁ ବେଶ୍ୟାମାନେ ତାଙ୍କୁ ପାଖଲୋକ କରି ରଖିବାକୁ କଳି ଲଗାଇଲେ । ଶେଷକୁ ସେଠାରୁ ବାହାରିବାର ଅନ୍ୟ ଉପାୟ ନ ଦେଖି ଜଣେ ବେଶ୍ୟା ପାଖରେ ମାଦଳିଆ ହୋଇ ଜ୍ୟୋତିପୁଞ୍ଜ ରହିଲେ । ପାଲିଙ୍କି ଚଢ଼ି ଖର୍ବରୂପ ଯାଉଥିଲାବେଳେ ବେଶ୍ୟା ପଛରେ ମାଦଳଧରି ଆସୁଥିବା ଜ୍ୟୋତିପୁଞ୍ଜଙ୍କର ଦେଖା ହେଲା । ଉଭୟେ ଉଭୟଙ୍କୁ ଚିହ୍ନି ପାରି ଅଦୃଷ୍ଟକୁ ମାନି ନେଲେ ।

 

ମନମନୁଆଁ କର୍ମପୂରଙ୍କୁ ଏ କଥାଟି ଶୁଣାଇବାରୁ କର୍ମପୂର ତା’ର ଜ୍ଞାନବୁଦ୍ଧି ଦେଖି ତା’ଠାରେ ବିଶ୍ୱାସ କଲେ । ସଙ୍ଗ ହୋଇ ଦୁଇଚାରି ସ୍ଥଳରେ ବିଶ୍ରାମ କରିବା ପରେ ଅନ୍ତରଙ୍ଗତା ବଢ଼ିବାରୁ କର୍ମପୂରଙ୍କ ପାଖରେ ଶହେ ଟଙ୍କା ଥିବାର ନାପିତ ଜାଣିଲା । ଗୋଟିଏ ଗ୍ରାମରେ ବିଶ୍ରାମ କରୁଥିଲାବେଳେ ନାପିତ ସେଠାକାର ଜଣେ ଠକ ଲୋକ ସାଙ୍ଗରେ ପ୍ରୀତିକରି କର୍ମପୂରଙ୍କଠାରୁ କିଛିଟଙ୍କା ନେବାର ଫନ୍ଦି କଲା । ପୂର୍ବ ପରାମର୍ଶ ଓ ଯୋଜନା ଅନୁଯାୟୀ ଠକ ଏମାନଙ୍କ ଯିବା ବାଟରେ କୁମ୍ଭେ ମଦ୍ୟ ଲୁଗା ଘୋଡ଼ାଇ ବୋକଚାଟିଏ କରି ଥୋଇ ଦେଇ ଅଳ୍ପଦୂର ଅନ୍ତରକୁ ଚାଲିଗଲା । କର୍ମପୂର ସେହି ବାଟେ ଆସୁ ଆସୁ ବୋକଚାଟି ଦେଖି ଦୁଃଖ କରୁଥିଲାବେଳେ ନାପିତ ତାକୁ ଉଠାଇ ଧରି ପଛେ ପଛେ ଚାଲିଲା । ଖଣ୍ଡେ ଦୂରରୁ ଠକ ଧାଇଁ ଆସି କର୍ମପୂରଙ୍କ ସହିତ ଗୋଳ କରି କହିଲା ଯେ ସେ ମଦ୍ୟପ ହୋଇଥିବାରୁ ମଦ୍ୟଭାଣ୍ଡ ଜାଣି ମଧ୍ୟ ନେଇ ଯାଉଥିଲେ । ସେଥି ସହିତ ତା’ର ଶହେ ଟଙ୍କା ମଧ୍ୟ ନେଇ ଯାଇଛନ୍ତି । ଏ ସବୁ ନ ଫେରାଇଲେ ସେ ବ୍ରାହ୍ମଣଙ୍କୁ ରାଜାଙ୍କ ଛାମୁକୁ ନେଇ ଚମପଇତା ଦିଆଇବ । କର୍ମପୂର ଏ ଆକସ୍ମିକ ଅପମାନ ଓ ବିପଦରେ ହତଭମ୍ଭ ହୋଇ ପଡ଼ିଥିଲାବେଳେ ନାପିତ ମଦ୍ୟକୁମ୍ଭ ସହିତ ପଞ୍ଚାଶଟଙ୍କା ଠକକୁ ଦିଆଇ ତାକୁ ଛାଡ଼ି ଦେବାକୁ ଆସି ସେଥିରୁ ଭାଗ ନେଇ ଗାଁକୁ ଫେରିଗଲା । ଅପମାନ, କ୍ଷୋଭ ଓ ବିଶ୍ୱାସଭଙ୍ଗ ହେତୁ ମ୍ରିୟମାଣ ହୋଇ କର୍ମପୂର ଏକାକୀ ଗନ୍ତବ୍ୟ ପଥରେ ଅଗ୍ରସର ହେଲେ । ବ୍ରଜନାଥ ଏ କଥାଟି ଶେଷରେ କହିଛନ୍ତି, “ଶଠ ପ୍ରୀତି ଯେ ଏହି ପ୍ରକାର । କିଛି ଜଣା ନ ପଡ଼ଇ, ଦଗା ଦିଅଇ । ଏ ସକାଶୁଁ ଏ ପ୍ରୀତିରେ ବଡ଼ ଦୋଷ । ଏହା ନ କରିବ ।’’

 

ଦୁଷ୍ଟପ୍ରୀତି ସମ୍ପର୍କୀୟ କାହାଣୀଟିର ସାରକଥା ଏହିପରି: ବିଭିନ୍ନ ରାଜ୍ୟର ମହାଜନମାନେ ବାଣିଜ୍ୟ କରିବାକୁ ଯାଉଥିବା ଏକ ଛକ ସ୍ଥାନରେ କ୍ଷେତ୍ରପାଳ ନାମକ ଏକ ଭୂମିଜ ଉତ୍ପାତ କରିବାକୁ ଲାଗିଲା । ସେ ଅତ୍ୟନ୍ତ ବଳବାନ ହୋଇଥିବାରୁ ଧନୁଶର ସାହାଯ୍ୟରେ ଏକାକୀ ବହୁ ଲୋକଙ୍କୁ ଆହତ କରି ସେମାନଙ୍କ ଧନସମ୍ପତ୍ତି ଲୁଣ୍ଠନ କରିନିଏ । ଅହିପୁର ପର୍ବତରେ ସ୍ଥାୟୀ ଗୃହ ନିର୍ମାଣ କରି ସେ ରାଜା ସମାନ ସମ୍ପତ୍ତି ଜମା କରିଥାଏ । ବାରମ୍ବାର ଲୁଣ୍ଠିତ ହେବାରୁ ମହାଜନମାନେ ଏକତ୍ର ବିଚାର କରି କ୍ଷେତ୍ରପାଳ ନିକଟରେ ପହଞ୍ଚି ତା’ ସହିତ ମିତ୍ରତା ସ୍ଥାପନ କଲେ । ବଶତା ସ୍ୱରୂପ ତା’ର ଦାବି ଅନୁସାରେ ମହାଜନମାନେ ଆପଣା ମଧ୍ୟରେ ବାଣ୍ଟି କରି ତାକୁ ଧନ ଦିଅନ୍ତି । ଅପୂର୍ବ ପଦାର୍ଥମାନ ଉପହାର ଦେଇ ତା’ର ମନ ତୋଷ କରିଥାନ୍ତି । କଥାଟି ଶେଷରେ ବ୍ରଜନାଥ କହିଛନ୍ତି- “ଏହାକୁ ଦୁଷ୍ଟପ୍ରୀତି କହି । କଲେ ଅକାର୍ଯ୍ୟ ହୁଅଇ, ନ କଲେ ଚଳି ନ ପାରଇ ।’’

 

ନୀଚପ୍ରୀତି ସମ୍ପର୍କୀୟ କାହାଣୀଟି ଏକାନ୍ତ ଲାକ୍ଷଣିକ ହୋଇଛି । ଏହାକୁ ରୂପକ-କାହାଣୀ (Fable) ଭାବରେ ଗ୍ରହଣ କରାଯାଇପାରେ । ଏଥିରେ ମାନବେତର ଦୁଇଟି ପକ୍ଷୀଙ୍କ ଚରିତ ବର୍ଣ୍ଣିତ ହୋଇଛି । କଥାଟି ଏହିପରି: ଚନ୍ଦ୍ର ଜ୍ୟୋତି ହଂସ ମାନସରୋବରରୁ ଗଙ୍ଗାକୁ ଆସିବା ପଥରେ ମୃଣାଳପୂର୍ଣ୍ଣ ପୁଷ୍କରିଣୀଟିଏ ଦେଖି ସେଠାରେ ଅବତରଣ କଲା । ପୂର୍ବରୁ କୃଶପାଦ ବକ ସେଠାରେ ଖାଦ୍ୟ ଆହରଣ କରୁଥିଲା । ଆପଣାର କ୍ଷୀଣକାୟା ଓ ହଂସର ପୃଥୁଳ ଶରୀର ଦେଖି ବକ ହଂସପରି ହେବାକୁ ଚାହିଁଲା । ହଂସ ସହିତ ପ୍ରୀତିକରି ସେ ତାର ଖାଦ୍ୟ ମୃଣାଳରସ, ପୁଷ୍କର ରସ, କୁମୁଦକନ୍ଦ, କମଳମକରନ୍ଦ, କନକପଙ୍କ, ମୋତିରଜକ ଇତ୍ୟାଦି ଖାଇବା ପରେ କୃଶତା ଦୂର ନ ହେବାରୁ ମନରେ ଚିନ୍ତା କଲା, “ଏ ହଂସ ପ୍ରୀତିରୁ ମୋର କି କାର୍ଯ୍ୟ ଅଛି । କେବଳ ପଙ୍କ ପଥର ଧୂଳିଗୁଡ଼ାଏ ଖାଇଲି, ଖୁଣ୍ଟା ରହିଲା । ବକମାନେ ଶୁଣିଲେ ନିନ୍ଦା କରିବେ, ଅଜାତି କରି ରଖିବେ । ଏବେ ହଂସକୁ ମୁଁ ଅଇଁଠା ଖୁଆଇଲେ ସିନା ହେବ ।’’ ହଂସ ସୁଜନ ହୋଇଥିବାରୁ ବନ୍ଧୁର ଅନୁରୋଧକୁ ଏଡ଼ି ନ ଦେଇ ବକ ଆନୀତ, ଅର୍ଦ୍ଧଭୁକ୍ତ ଗେଣ୍ଡା, ଶାମୁକା, ଭେକ, ଜୋକ, ମୀନ ଇତ୍ୟାଦି ବହୁକଷ୍ଟରେ ସାମାନ୍ୟ ଉଦରସାତ କରିବାରୁ ଅସୁସ୍ଥ ହୋଇପଡ଼ିଲା । ବକ ସାନ୍ତ୍ୱନା ପରିବର୍ତ୍ତେ ମର୍ମକଥାଟି କହି ବନ୍ଧୁତ୍ୱ ପ୍ରତ୍ୟାହାର କରିବାରୁ ହଂସ କାତର ହୋଇ ପଳାୟନ କଲା । “ଏ ରୂପ ନୀଚ ଲୋକ ସଙ୍ଗେ ପ୍ରୀତି କଲେ ଉତ୍ତମ ଲୋକ ବିପଦରେ ପଡ଼ଇ । ଏ ସକାଶୁଁ ନୀଚ ଲୋକ ସଙ୍ଗେ ପ୍ରୀତି ନ କରିବ ।’’

 

ସହଜ ପ୍ରୀତିର ଦୃଷ୍ଟାନ୍ତ ମୂଳକ କାହାଣୀଟି ମଧ୍ୟ ରୂପକ ଶ୍ରେଣୀୟ । ଧର୍ମପାଳ ରାଜ୍ୟର ରାଜା ଭୁଜବଳଙ୍କର ରାଣୀ ଥିଲେ ପଦ୍ମିନୀ ଜାତୀୟା ସ୍ତ୍ରୀ । ତାଙ୍କର ମୁଖ ଶୋଭା କେବଳ ପ୍ରସ୍ପୁଟିତ ପଦ୍ମଫୁଲ ପରି ନ ଥିଲା, ତାହା ପଦ୍ମପରି ବାସୁଥିଲା ମଧ୍ୟ । ରାଜୋଦ୍ୟାନର ଶତଦଳ ପଦ୍ମ ଶୋଭିତ ପୁଷ୍କରିଣୀରେ ଥିଲେ ପାଞ୍ଚ ଗୋଟି ଭ୍ରମର । ମଧୁମତ୍ତ, କେଳିକନ୍ଦ, ଚାରୁ-ନାଦ, ଗନ୍ଧଲୋକ ଓ ଷଟ୍‌ପଦ ନାମକ ଏହି ଭ୍ରମର ପାଞ୍ଚୋଟି ଦିବସରେ ପଦ୍ମମଧୁ ପାନ କରନ୍ତି ଓ ରାତ୍ରିରେ ସେହି କମଳ କୋଳରେ ଶୟନ କରନ୍ତି । ରାଣୀଙ୍କ ମୁଖଶୋଭା ଓ ସୁବାସରେ ଆକୃଷ୍ଟ ହୋଇ ସେମାନେ ଆଲଟ ଚାମର ପଡୁଥିବା ସତ୍ତ୍ୱେ ରାଣୀଙ୍କ ମୁଖରେ ଆସି ବସି ଯାଉଥିଲେ । ରାଣୀ କ୍ରୋଧାନ୍ୱିତା ହୋଇ ସେ ଭ୍ରମର ମାନଙ୍କୁ ଧରାଇ ଦୂର ସ୍ଥାନରେ ଛାଡ଼ି ଦେଇ ଆସିଲେ ମଧ୍ୟ ସେମାନେ ପୁନର୍ବାର ଆସି ବେଢ଼ିଲେ । ଅନ୍ୟ ଭ୍ରମର ହୋଇଥିବେ ଭାବି ତାଙ୍କଠାରେ ସରୁ ଜରି ସୂତା ଚିହ୍ନଦେଇ ଅରଣ୍ୟ ମଧ୍ୟରେ ଛାଡ଼ି ଆସିଲେ ମଧ୍ୟ ସେମାନେ ରାଣୀଙ୍କ ମାଜଣା ବେଳକୁ ଆସି ମୁଖ ଚାରିପାଖରେ ଘୂରିବାର ଦେଖାଗଲା । “ଏହାକୁ ସହଜପ୍ରୀତି କହି, ଯେତେ ସଙ୍କଟ ପଡ଼ିଲେ ଛାଡ଼ି ନ ପାରଇ ।’’

 

କାର୍ଯ୍ୟ-ଘେନା-ପ୍ରୀତିର ଉଦାହରଣ ଥିବା କାହାଣୀଟି ଏକାନ୍ତ ବାସ୍ତବ ଓ ଅନୁଭୂତ ଘଟଣାଭଳି ଜଣାଯାଏ । କ୍ଷତ୍ରିୟ ଶଶଧର ନନ୍ଦିନୀ ନାମକ ଗାଈଟିଏ କିଣିଲା । ଗାଈ ପ୍ରସବ କଲାପରେ କୁଞ୍ଚାଏ ଲେଖାଏଁ କ୍ଷୀର ଦେଲା । କ୍ଷୀର ପାଉଥିବାରୁ ଶଶଧର ଗାଈକୁ ଘାସ ଓ ଦାନା ଖାଇବାକୁ ଦେବାରୁ ନନ୍ଦିନୀ ଦେଢ଼ କୁଞ୍ଚା କ୍ଷୀର ଦେଲା । ପୁଣି ଗର୍ଭୋଦୟ ହେବାରୁ ତାର କ୍ଷୀର ଉଣା ହୋଇଗଲା । କ୍ଷୀର ନ ପାଇବାରୁ ଶଶଧର ଗାଈଟିର କୌଣସି ଯତ୍ନ ନେଲା ନାହିଁ । ଶେଷକୁ ନନ୍ଦିନୀ ପାଣି ପର୍ଯ୍ୟନ୍ତ ନ ପାଇ କଣ୍ଟା ସରିକି ହୋଇ ଅଇଁଠା ପତର ‘ଖାଇ ମରୁଥାଇ’ । ଘରକୁ ଆସିଲେ ଶଶଧର ମାରି ଘଉଡ଼ି ଦେବାରୁ ଭାଗ୍ୟ ଆଦରି ଗାଈଟି ଅନାସ୍ଥା ହୋଇ ବୁଲିଲା । ‘ ଏରୂପେ କାର୍ଯ୍ୟ ଘେନା ପ୍ରତି । କାର୍ଯ୍ୟ ପାଉଥିବା ଯାକ ପ୍ରୀତି କରୁଥିବ, କାର୍ଯ୍ୟ ସରିଲେ ଶତ୍ରୁ ପ୍ରାଏ ଅନ୍ତର କରିବ, ଏମନ୍ତ ପ୍ରୀତି ଉତ୍ତମ ନୋହଇ ।’’

 

‘ଚତୁର ବିନୋଦ କଥା’ର ସର୍ବଶେଷ କାହାଣୀ ପ୍ରବଳ ଶଠ ପ୍ରୀତିର ଦୃଷ୍ଟାନ୍ତ ବହନ କରେ । ଚରିତ୍ରହୀନ ଓ ଦୁର୍ନୀତିଗ୍ରସ୍ତ ରାଜାଙ୍କର ଆଚରଣକୁ ବ୍ରଜନାଥ ଏହି କାହାଣୀରେ ବିବୃତ କରିଛନ୍ତି । ସେ କାଳରେ ରାଜ ପ୍ରତିପତ୍ତିର ସମସ୍ତ ଭୀଷଣତାକୁ ପ୍ରତ୍ୟକ୍ଷ କରିଥିବା ବ୍ରଜନାଥ ଯେପରି ସାହସିକତାର ସହିତ ଏ କାହାଣୀ ନିର୍ମାଣ କରିଛନ୍ତି, ତାଙ୍କ ପୂର୍ବରୁ ଓଡ଼ିଆ ସାହିତ୍ୟରେ ଏପରି ସାହିତ୍ୟିକ ସତ୍‌ ସାହସ ଓ ଅକୁତୋଭୟତାର ପରିଚୟ କୁତ୍ରାପି ପରିଦୃଷ୍ଟ ହୁଏ ନାହିଁ । ବାସ୍ତବ ତଥା ଅନୁଭୂତ ଘଟଣାର ସାହିତ୍ୟିକ ରୂପାୟନ ଓ ବିଶେଷତଃ ଗଦ୍ୟ ଭାଷାରେ ତାହାର ପ୍ରାଞ୍ଜଳ ଅଭିବ୍ୟକ୍ତି ନୈତିକ ପୃଷ୍ଠ ପୀଠିକା ବହନ କରିଥିବା ସତ୍ତ୍ୱେ ଓଡ଼ିଆ ସାହିତ୍ୟରେ ଅଗ୍ରଗାମୀ ପରିକଳ୍ପନାର ଯେ ବଳିଷ୍ଠ ସଙ୍କେତ ପ୍ରଦାନ କରେ ତାହା ଏହି କାହାଣୀଟିରେ ସ୍ପଷ୍ଟ ପ୍ରତିପାଦିତ । ଏହି କାହାଣୀଟିରୁ ତତ୍‌କାଳୀନ ରାଜା ରାଜୋଡାଙ୍କର ଉଚ୍ଛୃଙ୍ଖଳ ଜୀବନଧାରା ସମ୍ପର୍କୀୟ ଜନଶ୍ରୁତିରେ ବଞ୍ଚି ରହିଥିବା ଏ ସମ୍ପର୍କୀୟ ଅଜସ୍ର କାହାଣୀମାନଙ୍କର ‘ପ୍ରବଳ ଶଠ ପ୍ରୀତି’ କଥା’ ଏକ ପ୍ରତିନିଧି ମୂଳକ ନିର୍ଦ୍ଦିଷ୍ଟ ସାହିତ୍ୟିକ ରୂପାୟନ ।

 

କାହାଣୀଟି ଏହିପରି - ହେମବତୀ ନଗରର ରାଜା କେଳିଗୁପ୍ତ ନଗ୍ରବିଜୟବେଳେ ମନୋହର ନାମକ ବଣିଆର କାନ୍ତା ଖଞ୍ଜନୀର ରୂପ ସୌନ୍ଦର୍ଯ୍ୟ ଦେଖି ତାକୁ ଭୋଗ କରିବାକୁ ବ୍ୟାକୁଳ ହୋଇ ଉଠିଲେ । ଖଞ୍ଜନୀକୁ ପାଇବା ପାଇଁ ତାଙ୍କର ସମସ୍ତ ଯତ୍ନ ବିଫଳ ହେଲା । କେଳିଗୁପ୍ତ ବହୁତ ଚିନ୍ତା କରି ଉପାୟଟିଏ ପାଞ୍ଚିଲେ । ମନୋହର ବଣିଆକୁ ପାଖକୁ ଡାକି ସେ ତାକୁ ଚାଙ୍ଗଡ଼ା ଘର ଦାୟିତ୍ୱରେ ନିଯୁକ୍ତ କଲେ । ମନୋହର ନିଜକୁ ଭାଗ୍ୟବାନ ମନେକରି ଚାଙ୍ଗଡ଼ା ଘରର ରତ୍ନ ଅଳଙ୍କାର ଓ ଦିବ୍ୟ ପାଟ ବସ୍ତ୍ରମାନ ଦିଆନିଆ କରିବାକୁ ଲାଗିଲା । ରାଜା ମଧ୍ୟ ମନୋହରଠାରେ ଅତ୍ୟନ୍ତ ବିଶ୍ୱାସ ସ୍ଥାପନ କରିବାର ଛଳନା କରି ଆପଣା ଅନ୍ତର୍ଗତ କଥା ମାନ କହିବାରେ ଲାଗିଲେ । ଦୁଇ, ଚାରି ମାସ ଅନ୍ତେ ରାଜା ଗଉରୀବ୍ରତ ପାଳନ କରିବା କଥା ଗୋପନରେ ମନୋହରକୁ ଜଣାଇଲେ । ବ୍ରତ ପାଳନ ବିଧି ଅନୁଯାୟୀ ରାଜା ପାଞ୍ଚ ରାତ୍ର ଉନ୍ନିଦ୍ର ରହିବେ । ପ୍ରତ୍ୟେକ ରାତ୍ରିରେ ଜଣେ କୁଳ ସ୍ତ୍ରୀ ଆସି ପାଞ୍ଚଶ ଟଙ୍କାର ନୂଆ ଅଳଙ୍କାର ଓ ଶାଢ଼ୀ ପିନ୍ଧି ସେ ଘରେ ବସି ଦୀପ ତେଜୁଥିବ । ପୂଜା ସରିବା ପରେ ଠାକୁରାଣୀଙ୍କୁ ବନ୍ଦାପନା କରି ରାତ୍ର ଦୁଇଘଡ଼ି ଥାଉଁ ପିନ୍ଧା ଶାଢ଼ୀ ଓ ଅଳଙ୍କାର ଘେନି ସେ ସ୍ତ୍ରୀ ତା ଘରକୁ ଚାଲିଯିବ । ଅବିଘ୍ନରେ ବ୍ରତ ପାଳିତ ହେଲେ ରାଜା ତାଙ୍କର ହୃତ୍‍ ପୁରୁଷତ୍ୱ ଫେରି ପାଇବେ । ରାଜାଙ୍କର ବରାଦ ଅନୁସାରେ ପ୍ରଥମ ରାତ୍ରି ପାଇଁ ମନୋହର ଜଣେ ଅଭାବଗ୍ରସ୍ତା ଗୃହିଣୀକୁ ଆଣିଲା । ଶାଢ଼ୀ ଅଳଙ୍କାର ପିନ୍ଧି ସେ ଦୀପ ତେଜିଲାବେଳେ ରାଜା ତା ଆଡ଼କୁ ନ ଚାହିଁବା କଥା ଗୋପନରେ ଲକ୍ଷ୍ୟକରି ତୃତୀୟ ରାତ୍ରିକୁ ମନୋହର ଶାଢ଼ୀ ଅଳଙ୍କାର ଲୋଭରେ କାନ୍ତା ଖଞ୍ଜନୀକୁ ଘେନି ଆସିଲା । ପୂର୍ବ ବ୍ୟବସ୍ଥା ଅନୁସାରେ ନୂଆ ଅଳଙ୍କାର ଓ ଶାଢ଼ୀ ପିନ୍ଧି ଖଞ୍ଜନୀ ରାଜା ଥିବା ଘରକୁ ପ୍ରବେଶ କରିବା ପରେ ପରେ ରାଜା ପୂଜାରୁ ଉଠି ଆସି ତାକୁ କୋଳ କରି ନେଇଯିବାର ଦେଖି ମନୋହର ଆପଣା କଲା କର୍ମକୁ ଭାଳି ସନ୍ତାପିତ ହେଲା । ରାଜା ସେ ରାତ୍ରିସାରା ମନ ଅନୁରୂପେ ଖଞ୍ଜନୀକୁ ଭୋଗ କରି ପାହାନ୍ତା ପହରକୁ ଛାଡ଼ି ଦେଲେ । ତାହା ସଙ୍ଗେ ସଙ୍ଗେ ମନୋହରକୁ ଚାକିରୀରୁ ବିଦାୟ କରି ଦେଲେ । ଏହା ଯେ ପ୍ରବଳ ଶଠପ୍ରୀତି ଓ ଉତ୍ତମ ନୁହେଁ ଜଣାଇବା ପରେ ଗଳ୍ପ ଗ୍ରନ୍ଥଟିର ସମାପ୍ତିରେ ବ୍ରଜନାଥ କେବଳ ଏତିକି ମାତ୍ର କହିଛନ୍ତି- ଏହା ମୋହନାଙ୍ଗ କହନ୍ତେ ଚାଞ୍ଚଳାକ୍ଷୀ ମହା ଆନନ୍ଦ ହେଲା । ଏରୂପେ କଥା ସରିଲା, ରାତ୍ର ପ୍ରକାଶ ହେଲ। ।’’ ମୋହନାଙ୍ଗ ଚଞ୍ଚଳାକ୍ଷୀ ପ୍ରୀତି ଯେ ଉପରୋକ୍ତ ପର୍ଯ୍ୟାୟଠାରୁ ଭିନ୍ନ, ଉନ୍ନତ ଓ ଇଷ୍ଟକାରକ ଏହା ସ୍ୱତଃ ପରିସମାପ୍ତିରୁ ଅଭିବ୍ୟଞ୍ଜିତ ହୁଏ-। ଏ କଥାଟିର ଆରମ୍ଭ ପ୍ରଣୟରୁ ଘଟି ପରିସମାପ୍ତି ଘଟିଛି ସେହି ପ୍ରଣୟରେ । ଦେହଧର୍ମୀ ପ୍ରଣୟର ସର୍ବବ୍ୟାପୀ କୋଳାହଳ ମଧ୍ୟରେ ଜୀବନ ଚର୍ଯ୍ୟାର ଅନ୍ୟାନ୍ୟ ଦିଗ-ଦିଗନ୍ତ ଉପେକ୍ଷିତ ହୋଇଥିଲେ ହେଁ କାଳ୍ପନିକତା ଅପେକ୍ଷା ବାସ୍ତବତା, ସୌନ୍ଦର୍ଯ୍ୟ ଚେତନା ଅପେକ୍ଷା ସାମାଜିକ ଚେତନଶୀଳତାର ସମଧିକ ଉପଯୋଗରେ ବିନିର୍ମିତ ଚତୁର ବିନୋଦକଥା ଗଳ୍ପ ରଚନା ରୀତିର ସମୀପବର୍ତ୍ତୀ ହୋଇଥିବାରୁ ଓଡ଼ିଆ ଗଳ୍ପ ସାହିତ୍ୟ ଇତିହାସରେ ଅବିସ୍ମରଣୀୟ ହୋଇଛି। ଇଂରାଜୀ ସାହିତ୍ୟରେ ଚସର୍‌ଙ୍କର ‘କ୍ୟାଣ୍ଟରବରୀ ଟେଲ୍‌ସ’ ଗ୍ରନ୍ଥର ମର୍ଯ୍ୟାଦା ଓଡ଼ିଆ ସାହିତ୍ୟରେ ‘ଚତୁର ବିନୋଦ’ର ପ୍ରାପ୍ୟ । ସେ ଦୃଷ୍ଟିରୁ ବ୍ରଜନାଥ ବଡ଼ଜେନା ଓଡ଼ିଆ ସାହିତ୍ୟର ଜନୈକ ବିଶିଷ୍ଟ ନିର୍ମାତା ଭାବରେ ବନ୍ଦନୀୟ ।

 

ଚତୁର ବିନୋଦର ସୃଜନ ବୈଶିଷ୍ଟ୍ୟ

ଭାରତୀୟ ପ୍ରାଚୀନ କଥା ସାହିତ୍ୟର ପାରମ୍ପରିକ ଧାରାରେ ଚତୁର ବିନୋଦର ନିର୍ମାଣ ଶୈଳୀ

ଭାରତୀୟ କଥା ସାହିତ୍ୟର ପରମ୍ପରା ଅତି ପ୍ରାଚୀନ । ବୈଦିକ ସାହିତ୍ୟରେ ଏହାର ଆଦିମ ଉତ୍ସ ସନ୍ଧାନ କରାଯାଏ । ମହାଭାରତ ଓ ରାମାୟଣରେ ସନ୍ନିହିତ କଥାସତ୍ତ୍ୱ ସୁବିଦିତ । ଭାରତର ବିଧିବଦ୍ଧ ସର୍ବପ୍ରାଚୀନ କଥାଗ୍ରନ୍ଥରୂପେ ଗୁଣାଢ଼୍ୟଙ୍କ ‘ବୃହତ୍‌ କଥା’ ସମ୍ମାନ ଲାଭ କରିଛି । ପୈଶାଚୀ ଭାଷାରେ ଲିଖିତ ଏହି କଥା ମହାଗ୍ରନ୍ଥର ଅବଲମ୍ବନରେ ଏକାଦଶ ଶତାବ୍ଦୀ ବେଳକୁ ରଚିତ କାଶ୍ମୀରୀ ସଂସ୍କରଣ ସୋମଦେବଙ୍କର ‘କଥାସରିତ୍‌ ସାଗର’ ଓ କ୍ଷେମେନ୍ଦ୍ରଙ୍କର ‘ବୃହତ୍‌ କଥା ମଞ୍ଜରୀ’ ବିଦ୍ୱନ୍ମଣ୍ଡଳୀରେ ପରିଚିତ ଓ ସମାଦୃତ ହୋଇ ଆସିଛି । ‘ପଞ୍ଚତନ୍ତ୍ର’ ଭାରତରେ ଏକ ଲୋକପ୍ରିୟ କଥା ଗ୍ରନ୍ଥରୂପେ ପ୍ରଚଳିତ ତଥା ବିଶ୍ୱ କଥା ସାହିତ୍ୟ କ୍ଷେତ୍ରରେ ମାନ୍ୟତାପ୍ରାପ୍ତ ।

 

ଉପଯୁକ୍ତ ନିରୋଳ କଥା ସାହିତ୍ୟ ସଂସ୍କୃତ ଭାଷା ସାହିତ୍ୟର ରୀତି ପ୍ରଧାନ ଯୁଗରେ ଏକ ପରିବର୍ତ୍ତିତ, ମାର୍ଜିତ ଓ ଅଳଙ୍କାର ମଣ୍ଡିତ କାବ୍ୟିକ କଥା ସାହିତ୍ୟିକ ରୂପ ବହନ କରିଥିଲା । ସୁବନ୍ଧୁଙ୍କର ‘ବାସବଦତ୍ତା’ ଓ ବାଣଙ୍କର ‘କାଦମ୍ବରୀ’ରେ କଥା ସାହିତ୍ୟର ଅଭିଜାତ ଓ ବୈଚିତ୍ର୍ୟ ସମ୍ପନ୍ନ ରୂପାୟଣ ଲକ୍ଷ୍ୟ କରାଯାଏ । ଆଙ୍ଗିକ ଦୃଷ୍ଟିରୁ ଏହି କଥା ସାହିତ୍ୟର ଗଠନ ଭଙ୍ଗୀରେ ସ୍ୱତନ୍ତ୍ରତା ଲକ୍ଷିତ ନ ହେଲେ ହେଁ ଆତ୍ମିକ କ୍ଷେତ୍ରରେ ଏହା ପ୍ରଣୟ, ଚୌର୍ଯ୍ୟ, ଶଠତା, ହଠକାରିତା, ନୈତିକତା, ହାସ୍ୟାତ୍ମକ ବିଭଙ୍ଗତା, ତ୍ୟାଗପୂତ ନିଷ୍ଠାପରତାର ଚିତ୍ତହାରୀ ଦ୍ୟୋତନା ବରଣ କରି ସଂସ୍କୃତ ଗଦ୍ୟ ସାହିତ୍ୟର ଶ୍ରୀବୃଦ୍ଧି ସାଧନ କରିଅଛି ।

 

ପ୍ରାକୃତ, ପାଲି ଓ ଅପଭ୍ରଂଶ ଭାଷା ସାହିତ୍ୟରେ କଥାବିଭାଗ ମଧ୍ୟ ସଂସ୍କୃତ ଅନୁରୂପ ପ୍ରାଧାନ୍ୟ ଓ ବୈଚିତ୍ର୍ୟ ଆହରଣ କରିଛି । ୬୦୦ ଖ୍ରୀ:ଅ:ର ‘ବାସୁଦେବ ହିନ୍ଦୀ’ ସଂଘ ଦାସ ଓ ଧର୍ମ ଦାସଙ୍କ ରଚିତ ପ୍ରାକୃତ ସାହିତ୍ୟର ଏକ ବିପୁଳ କଥାଗ୍ରନ୍ଥ । ହରିବଂଶ ପୁରାଣରେ ବର୍ଣ୍ଣିତ ବାସୁଦେବ ଶ୍ରୀକୃଷ୍ଣଙ୍କ ଜୀବନଚରିତ ଆଧାରରେ ଏହା ରଚିତ ହୋଇଥିଲେ ହେଁ ଏଥିରେ ଅନେକ ଉପାଖ୍ୟାନ ଓ ଉପକଥାର ସମାବେଶ ଘଟିଛି । ଶୀଳାଚାର୍ଯ୍ୟଙ୍କର ‘ମହାପୁରୁଷ ଚରିତ’, ଧନେଶ୍ୱରଙ୍କର ‘ସୁରସୁନ୍ଦରୀ ଚରିତ’ ଓ ଅନ୍ୟମାନଙ୍କର କଥାଗ୍ରନ୍ଥ ସହିତ ପାଲିରେ ରଚିତ ‘ଜାତକ କଥା’, ‘ଥେରଗାଥା’, ‘ଥେରୀଗାଥା’ ଆଦି ଥିଲା ଜନପ୍ରିୟ । ଅପଭ୍ରଂଶରେ ମଧ୍ୟ କଥା ସାହିତ୍ୟ ଥିଲା-। ରାଜନ୍ୟ ସଂପ୍ରଦାୟ ଏଥିରେ ପ୍ରାଧାନ୍ୟ ପାଇଥିଲେ ହେଁ ପଶୁ, ପକ୍ଷୀ, ବ୍ୟାଧ, ଶବର ଆଦି ବହୁ ଚରିତ୍ର ମାନଙ୍କର ଆଲେଖ୍ୟ ଏଥିରେ ନିହିତ ଥିଲା । ଗୋଟିଏ ମୂଳ କାହାଣୀର ପୀଠିକା ଉପରେ ଅନେକ ଉପକାହାଣୀ ଗଢ଼ା ଯାଇଥିଲା । କଥାର ସରିତ ସବୁ ପ୍ରଧାନକଥାର ସାଗର ଅଭିମୁଖରେ ପ୍ରବାହିତ ଥିବାରୁ ନାମ ରଖାଯାଇଥିଲା ‘କଥା ସରିତ୍‌ ସାଗର’ । ବ୍ରଜନାଥଙ୍କ ଏହି କଥାଗ୍ରନ୍ଥ ଏହାର ଉତ୍ତର ସାଧକ । ସାମାଜିକ ଚେତନାର ବ୍ୟାପକ ସ୍ପର୍ଶ ଦେଇ ବ୍ରଜନାଥ କାହାଣୀମାନଙ୍କୁ ସମଧିକ ସ୍ୱଭାବ ସୁନ୍ଦର କରି ଗଢ଼ି ତୋଳିବାରେ ସ୍ୱକୀୟ ରଚନା ପାଟବ ଓ ସାହିତ୍ୟିକ ବ୍ୟକ୍ତିତ୍ୱର ଯେପରି ପରିଚୟ ଦେଇଛନ୍ତି, ସେଥିରୁ ତାଙ୍କର ଦୃଷ୍ଟିଭଙ୍ଗୀର ସ୍ୱତନ୍ତ୍ରତା ବାରି ହୋଇପଡ଼େ । ମାତ୍ର ଗଠନ ଶିଳ୍ପ ଓ ସାଧାରଣ ଚାରିତ୍ରିକ ବିଭାବରେ ଏଗୁଡ଼ିକ ଭାରତୀୟ କଥା ପରମ୍ପରାର ବ୍ୟତିକ୍ରମ ମନେ ହୁଅନ୍ତି ନାହିଁ ।

 

ବ୍ରଜନାଥ ଯେ ସଂସ୍କୃତଜ୍ଞ ଓ ଶାସ୍ତ୍ରବିଦ୍‌ ଥିଲେ, ଏହା ତାଙ୍କର ସାହିତ୍ୟ କୃତିରେ ଭୂୟସୀ ପ୍ରତିଫଳିତ । ପଞ୍ଚତନ୍ତ୍ର ଓ ହିତୋପଦେଶ ଆଦି ଗ୍ରନ୍ଥ ପାଠକରି ତଦ୍ଦ୍ୱାରା ସେ କଥା ସାହିତ୍ୟର ଅଭିଜାତସ୍ୱରୂପ ସମ୍ପର୍କରେ ଅବହିତ ହୋଇଥିଲେ । ଲକ୍ଷ୍ୟ କରିବାର କଥା ସଂସ୍କୃତ ଅଳଙ୍କାର ଗ୍ରନ୍ଥମାନଙ୍କରେ କଥାସାହିତ୍ୟର ସଂଜ୍ଞା ସ୍ୱତନ୍ତ୍ର ଭାବରେ ସେପରି କିଛି ଲିପିବଦ୍ଧ ନଥିବାରୁ ବ୍ରଜନାଥ ସ୍ୱୟଂ କଥା ସାହିତ୍ୟର ଲକ୍ଷଣ ନିର୍ମାଣ କରିଛନ୍ତି । ତାଙ୍କ ପୂର୍ବରୁ ମାତ୍ର କୁହାଯାଇଥିଲା - ‘କଥାୟା ସରସଂ ବସ୍ତୁ ଗଦୈ୍ୟରେବ ବିନିର୍ମିତମ୍‌’ (ସାହିତ୍ୟ ଦର୍ପଣ- ଷଷ୍ଠ ପରିଚ୍ଛେଦ) ବ୍ରଜନାଥ ଏହି ସଂଜ୍ଞାର ବ୍ୟାପକୀକରଣ ପୂର୍ବକ ବିଧାନ ଦେଲେ-
 

“ମିଥ୍ୟାଗ୍ରନ୍ଥ ପ୍ରବନ୍ଧେନ ମନୋହରତି ଯା ଭୃଶଂ

ନାନା କୌତୁକ ହାସାଦୈ୍ୟଃ ସା କଥେତ୍ୟଭିଧୀୟତେ’’

 

ଏଥିରେ କେବଳ ରସ ମୁଖ୍ୟ ବୋଲି ଅଭିହିତ ହୋଇନାହିଁ; କୌତୁକ, ହାସ୍ୟ ଓ ମନଗଢ଼ା କଳ୍ପନାମୂଳକ ଘଟଣାର ମନୋରମ ବିବୃତି କଥା ସାହିତ୍ୟର ଲକ୍ଷଣ ବୋଲି ନିର୍ଦ୍ଧାରିତ ହୋଇଅଛି । ଏପରି ଏକ ସଂଜ୍ଞା ନିର୍ମାଣ ନିରବଲମ୍ବ ମାନସ କଳ୍ପିତ ନୁହେଁ; ବରଂ ସଂସ୍କୃତ ଓ ପ୍ରାକୃତ ଭାଷାରେ ପ୍ରଚଳିତ ଓ ଜନପ୍ରିୟ କଥାଗ୍ରନ୍ଥମାନଙ୍କର ଅଧ୍ୟୟନ ପ୍ରସୂତ ବୋଲି ମନେ ହୋଇଥାଏ । ଅଧିକନ୍ତୁ ‘ଚତୁର ବିନୋଦ’ଭଳି ଦେଶଭାଷାରେ ଏକ କଥାଗ୍ରନ୍ଥ ରଚନା କରୁଥିବାରୁ ଏହାକୁ ଶାସ୍ତ୍ରୀୟରୂପ ଦେବାକୁ ଯାଇ ବ୍ରଜନାଥ କଥାସାହିତ୍ୟର ଏକ ‘ସଂଜ୍ଞା ପ୍ରକରଣ’ ନିର୍ଦ୍ଦେଶ କରିଛନ୍ତି ।

 

ବ୍ରଜନାଥ ବଡ଼ଜେନାଙ୍କର କଥାଗ୍ରନ୍ଥ ‘ଚତୁର ବିନୋଦ’ ବିପୁଳ ଭାରତୀୟ କଥା ସାହିତ୍ୟ ପରମ୍ପରାର ଏକ ଉତ୍ତରସାଧକରୂପେ ସର୍ବାଂଶରେ ପରିଚିତ ହୋଇପାରେ । ଏଥିରେ ମୁଖ୍ୟ କଥାନକ ମୋହନାଙ୍ଗ- ଚଞ୍ଚଳାକ୍ଷୀ ପ୍ରଣୟ ବ୍ୟାପାରକୁ ଆଶ୍ରୟ କରି ହାସ, ରସ, ନୀତି ଓ ପ୍ରୀତିବିନୋଦ ଚତୁଷ୍ଟୟର କାହାଣୀ ଗଢ଼ି ଉଠଛି । ଚରିତ୍ର ଚିତ୍ରଣରେ, ପରିବେଶ ସର୍ଜନରେ, କଥାମାନଙ୍କର ଚୂଡ଼ାନ୍ତ ଆବେଦନରେ ‘ଚତୁର ବିନୋଦ’ ‘କଥା ସରିତ୍‌ ସାଗର’ ‘ପଞ୍ଚତନ୍ତ୍ର’ ବା ଜାତକ କଥାମାନଙ୍କରେ ଅବିକଳ ପ୍ରତିରୂପ ବହନ କରିଥିବା ଜଣାଯାଏ ।

 

 

ପ୍ରାଚୀନ ଓଡ଼ିଆ କଥା ସାହିତ୍ୟର ସ୍ୱରୂପ-ତୁଳନାତ୍ମକ ଦୃଷ୍ଟିରେ ଚତୁର ବିନୋଦର ଗଦ୍ୟଶୈଳୀ

 

ପ୍ରାଚୀନ ଓଡ଼ିଆ ଗଦ୍ୟ ସାହିତ୍ୟ ପଦ୍ୟ ତୁଳନାରେ ଅସମୃଦ୍ଧ ପ୍ରତୀତ ହେଉଥିଲେହେଁ ଭାଷା ପ୍ରୟୋଗ ଦୃଷ୍ଟିରୁ ସେଗୁଡ଼ିକ ଦୁର୍ବଳ ନୁହନ୍ତି । କଥିତ ଭାଷା ସହିତ ସାହିତ୍ୟ-ଭାଷାର ସମନ୍ୱୟରେ ଗଢ଼ି ଉଠିଥିବାରୁ ଓଡ଼ିଆ ଭାଷାର ସ୍ୱତନ୍ତ୍ର ପ୍ରାଣସତ୍ତା ଏହି ଗଦ୍ୟମାନଙ୍କରେ ଫୁଟି ଉଠିଥିବାର ଲକ୍ଷ୍ୟ କରାଯାଏ । ସାରଳା ଦାସଙ୍କ ‘ନିତ୍ୟାନି ଗୁରୁବାର କଥା’, ବଳରାମ ଦାସଙ୍କ ‘ବ୍ରହ୍ମଗୀତା’ ଜଗନ୍ନାଥ ଦାସଙ୍କ, ‘ତୁଳାଭିଣା’, ‘ମାଦଳାପାଞ୍ଜି’, ‘ଚଇନିଙ୍କ ଚକଡ଼ା’, ବତ୍ରିଶ ସିଂହାସନ କଥା’; ସୋମନାଥ ବ୍ରତ କଥା’, ‘ରୁଦ୍ରସୁଧାନିଧି’ ପ୍ରଭୃତିର ଗଦ୍ୟଶୈଳୀରେ ନ୍ୟୂନାଧିକ ପାର୍ଥକ୍ୟ ଲକ୍ଷିତ ହେଉଥିଲେ ହେଁ ‘ଚତୁର ନିନୋଦ’ରେ କଥାର ଲକ୍ଷଣ ସହିତ ରସ, ନୀତି ଓ ପ୍ରୀତିର ମଧ୍ୟ ସ୍ୱରୂପ ଶ୍ଳୋକ ମାଧ୍ୟମରେ ପ୍ରକାଶ କରାଯାଇଛି । ହାସର ଲକ୍ଷଣ ପୂର୍ବରୁ ସାହିତ୍ୟ ଶାସ୍ତ୍ରରେ ନିର୍ଦ୍ଧାରିତ ହୋଇଥିବାରୁ ବୋଧହୁଏ, ବ୍ରଜନାଥ ସେଥିପାଇଁ ଉଦ୍ୟମ କରିନାହାନ୍ତି । ସମଗ୍ର ‘ଚତୁର ବିନୋଦ’ ଆଲୋଡ଼ନ କଲେ ଏହି ଗ୍ରନ୍ଥଟିକୁ ଅଭିଜାତ ଶାସ୍ତ୍ରୀୟ ମର୍ଯ୍ୟାଦାପନ୍ନ କରିବା ଲାଗି ବ୍ରଜନାଥଙ୍କର ପ୍ରଚେଷ୍ଟା ଅତ୍ରତତ୍ର ଦୃଷ୍ଟିରେ ପଡ଼ିଥାଏ । ତେଣୁ ବ୍ରଜନାଥଙ୍କ ମୌଳିକ ରଚନା ପାଟବର ସ୍ପର୍ଶ ନିହିତ ଥିଲେହେଁ ‘ଚତୁର ବିନୋଦ’କୁ ଏକ ପରମ୍ପରାନୁଗ ସୃଷ୍ଟିରୂପେ ଗ୍ରହଣ କରିବାକୁ ହେବ ।

 

ପ୍ରତ୍ୟେକ ପ୍ରତିଷ୍ଠିତ ସାହିତ୍ୟରେ ଆଦି ସୃଷ୍ଟି ପଦ୍ୟମୂଳକ ହେବା ଭଳି ଓଡ଼ିଆ ସାହିତ୍ୟର ପ୍ରାଚୀନ ରୂପ ପଦ୍ୟରେ ଯେପରି ଚିହ୍ନିତ ହୋଇଛି, ଗଦ୍ୟରେ ତା’ର ପରିଚୟ ଅପେକ୍ଷାକୃତ ଗୌଣ ଓ ଅପ୍ରଧାନ ପ୍ରତିଭାତ ହୁଏ । ପ୍ରାଚୀନ ଓଡ଼ିଆ ଗଦ୍ୟ ସାହିତ୍ୟର ଯେଉଁ କେତେକ ନିଦର୍ଶନ ଅବଧି ମିଳିଛି, ସେଥିରେ କଥା ସୃଷ୍ଟିର ସ୍ୱଳ୍ପତା ସ୍ପଷ୍ଟ ଉପଲବ୍ଧ । ‘ସୋମନାଥବ୍ରତ କଥା’ଓ ‘ରୁଦ୍ରସୁଧାନିଧି’ ଗ୍ରନ୍ଥ ଦୁଇଟି ‘ଚତୁର ବିନୋଦ’ ପୂର୍ବବର୍ତ୍ତୀ କଥା ସାହିତ୍ୟରୂପେ ଗୃହୀତ ହୁଏ । ପ୍ରକାଶ ରୀତି ଦୃଷ୍ଟିରୁ ଉକ୍ତ ଗ୍ରନ୍ଥଦ୍ୱୟ କଥା ସାହିତ୍ୟର ଆଭାସ ବରଣ କରିଥିଲେ ହେଁ ପ୍ରାଣଧର୍ମ ବିଚାରରେ ଏଗୁଡ଼ିକ ଧର୍ମ ସାହିତ୍ୟଭାବେ ଚିହ୍ନିତ ହୁଅନ୍ତି । ଶୈବ ଉପାସନାର ମହତ୍ତ୍ୱ ପ୍ରକଟନ ଉଦ୍ଦେଶ୍ୟରେ ଉଭୟ ଗ୍ରନ୍ଥ ରଚିତ । ପ୍ରଥମଟି ବ୍ରତପାଳନ ଲକ୍ଷ୍ୟରେ ରଚିତ ଏକ ଗଣ ସାହିତ୍ୟ ଓ ଦ୍ୱିତୀୟଟି ଆଧ୍ୟାତ୍ମିକ ବ୍ୟଞ୍ଜନା ସମ୍ବଳିତ ଏକ ଉଚ୍ଚାଙ୍ଗ କୃତି । ସମାଜ ବା ଗୋଷ୍ଠୀଜୀବନ ସହିତ ଏହି ଗ୍ରନ୍ଥର ଆତ୍ମିକ ଯୋଗସୂତ୍ର ନାହିଁ । ବ୍ରତ ପାଳନ ବିଧି ଓ ଶିବଙ୍କ ମାହାତ୍ମ୍ୟର ବର୍ଣ୍ଣନା ଏହି ବ୍ରତ କଥାରେ କାହାଣୀକୁ ଅତିକ୍ରମ କରିନାହିଁ । ମାତ୍ର ‘ରୁଦ୍ରସୁଧାନିଧି’ର ପରିକଳ୍ପନା ଓ ପରିବେଷଣ କାବ୍ୟଧର୍ମୀ । ଶିବଙ୍କଦ୍ୱାରା ସାଧନାଗତ ସିଦ୍ଧିର ପରୀକ୍ଷାରେ ଅନୁତ୍ତୀର୍ଣ୍ଣ ଜନୈକ ଗଣ ଅଭିନବ ଚୈତନ୍ୟର ରାଜପୁତ୍ର ରୁଦ୍ର ସୁଧାନିଧିରୂପେ ଜନ୍ମଗ୍ରହଣ, ପାର୍ବତୀଙ୍କର ମାନସ କନ୍ୟା ମୋହିନୀର ମୃତସଞ୍ଜୀବନୀ ନାମ୍ନୀ କନ୍ୟାରୂପେ ଆତ୍ମପ୍ରକାଶ, ରୁଦ୍ରସୁଧାନିଧିକୁ ମୃତସଞ୍ଜୀବନୀ କନ୍ୟାର ପାଣିଗ୍ରହଣ କରାଇ ନ ଦେଇ ଆପେ ଲାଭ କରିବା ପାଇଁ ଯୋଗୀ କାମାନନ୍ଦର ବ୍ୟର୍ଥପ୍ରୟାସ ଏହି କଥା ଗ୍ରନ୍ଥର ସାର ଉପଜୀବ୍ୟ । ଏଥିରେ ଯନ୍ତ୍ର, ତନ୍ତ୍ର, ମନ୍ତ୍ର, ଶାସ୍ତ୍ର ଆଦିର ବିପୁଳ ସୂଚନା ଦିଆଯାଇଛି । ନାଟକୀୟ ସଂଳାପ, ଆବେଗଧର୍ମୀ ଭାଷା ଓ ତାତ୍ତ୍ୱିକ ଟିପ୍ପଣୀ ସହିତ କାବ୍ୟିକ ରସାଳତା ଏ ଗ୍ରନ୍ଥଟିକୁ ନାରାୟଣାନନ୍ଦ ଅବଧୂତ ସ୍ୱାମୀଙ୍କର ଏକ ଅସାଧାରଣ କୃତିରୂପେ ଚିହ୍ନିତ କରିଛି । ଏହା ଏକାଧାରରେ କଥା ଓ କାବ୍ୟ ଉଭୟ ଧର୍ମକୁ ଆତ୍ମସାତ୍‌ କରିଥିବାରୁ ବାଣଭଟ୍ଟଙ୍କ ‘କାଦମ୍ବରୀ’ ସହିତ ତୁଳନୀୟ ହୋଇପାରେ । ଭାଷା ପ୍ରୟୋଗରେ କେତେକ ସୌସାଦୃଶ୍ୟ ପରିଲକ୍ଷିତ ହେଉଥିଲେ ହେଁ ବ୍ରଜନାଥଙ୍କ ‘ଚତୁର ବିନୋଦ’ ପୂର୍ବୋକ୍ତ ଦୁଇଟିଯାକ କଥାଗ୍ରନ୍ଥର ଯେ ପ୍ରଭାବ ମୁକ୍ତ, ଏହା ନିଃସନ୍ଦେହରେ ବ୍ୟକ୍ତ କରାଯାଇ ପାରେ । ସୋମନାଥ ବ୍ରତର ମାହାତ୍ମ୍ୟ ପ୍ରକଟନ ଉଦ୍ଦେଶ୍ୟରେ ଲିଖିତ ଗଦ୍ୟ ଗ୍ରନ୍ଥଟି ପାରମ୍ପରିକ କାହାଣୀ ସମ୍ବଳିତ । ଏ କାହାଣୀ ସରଳ, ଏକମୁଖୀ ଓ ସଂଳାପସର୍ବସ୍ୱ । ବ୍ରତ ନିନ୍ଦାକାରୀ ରାଜା ବିକ୍ରମାଦିତ୍ୟ କୁଷ୍ଠରୋଗାକ୍ରାନ୍ତ ହୋଇ ରାଜ୍ୟ ତ୍ୟାଗ କରିବାରୁ ମନ୍ତ୍ରୀ ସିଂହାସନ ଅଧିକର କରି ଅତ୍ୟାଚାର କରିବାକୁ ଲାଗିଲା । ରାଣୀଙ୍କ ପରାମର୍ଶ କ୍ରମେ ରାଜା ବ୍ରତ ପାଳନ କରି ରୋଗମୁକ୍ତ ହେବା ପରେ ରାଜ୍ୟକୁ ଫେରି ଆସିଲେ । ମନ୍ତ୍ରୀ କୁକର୍ମର ଶାସ୍ତି ଭୋଗ କଲା । ‘ଚତୁର ବିନୋଦ’ରେ ବ୍ୟବହୃତ ଗଦ୍ୟ ଏହାର ବ୍ୟତିକ୍ରମ ନୁହେଁ, ସମୃଦ୍ଧ ରୂପାନ୍ତର । ପ୍ରାଚୀନ ଓଡ଼ିଆ ଗଦ୍ୟ ରଚନାର ସ୍ୱଳ୍ପ ଦୃଷ୍ଟାନ୍ତ ତୁଳନାତ୍ମକ ଅବବୋଧ ପାଇଁ ନିମ୍ନରେ ପ୍ରଦତ୍ତ ହେଉଛି।

 

“ସାସୁ ନା ଶ୍ରୀୟା ବହୁ ନା ପ୍ରିୟା । ସାହୁ ନା ଶ୍ରୀଧର ପୁଅ ନା ଶ୍ରୀକର । ଚାରି ଶ୍ରୀବନ୍ତ ୟେକା ଘରେ ଥାନ୍ତି । ଗୁରୁବାର ଦିନ ବୋହୂ ବୋଇଲା । ସାସୁୟେ ମୁଁ ପଦ୍ମତୋଳି ଯିବି । ସାସୁ ବୋଇଲା କିଲୋ ମା । ୟେତେ ଦିନ ଥାଇ ଥାଇ ୟେହା କଲୁଁ । ଆଦ୍ୟ ଗୁରୁବାର ଆଜି ।

 

X X X X X X

 

ମୁଁ ଯାଇ ନ ପାରିବି । ଯଦି ଯିବୁ ଖରେ ଯିବୁ ଘରେ ଆସିବୁ । ବଡ଼ ଲୋକ ଦେଖିଲା ମାନ୍ୟଧର୍ମ କରିବୁ । ସରି ଲୋକ ଦେଖି କୋଳ ସମ୍ଭାଷଣ କରିବୁ । ବାଳକ ଦେଖି ମୁଖେ ଚୁମ୍ବନ ଦେବୁ ।’’

 

[ନିତ୍ୟାନି ଗୁରୁବାର କଥା- ସାରୋଳା ଦାସ-ଗଦ୍ୟସାହିତ୍ୟ ପୋଥି-ନଂ ୧୮-ଓଡ଼ିଶା ମ୍ୟୁଜିୟମ୍‌]

 

“ଅର୍ଜ୍ଜୁନ ସୁଣି ସନ୍ତୋଷ ହୋଇଲେ। ଶ୍ରୀପଦ୍ମପାଦରେ ପଡ଼ିଲେ । କରପତ୍ର ଯୋଡ଼ି ପଚାରନ୍ତି । ଭୋ ସ୍ୱାମୀ ଘଟଯୋଗ ବିଚାର ଆଗ୍ୟାଂ ହେଉ । ଶ୍ରୀକୃଷ୍ଣ ହରଷେ କହନ୍ତି ଶୁଣ ଅରଜୁନ ଘଟଯୋଗ ଗ୍ୟାନ ବିଚାର ।’’

 

[ବ୍ରହ୍ମ ଗୀତା- ବଳରାମ ଦାସ ପ୍ରାଚୀନ ଗଦ୍ୟ ପଦ୍ୟାଦର୍ଶ -ପୃ୪୬]

 

“ଡାହାଣ ପୁଡାରେ ପୁତାରେ ଭୁଞ୍ଜିବୁ । ବାମ ହୋଇଲେ ଶୋଇବୁ । ଟଳଟଳିଆ ନୋହିବୁ ।

 

X X X X X X

 

ଶୁଣ ପୁତାରେ ଅଙ୍ଗ ଲେଉଟାଇବୁ ନାହିଁ ।’’

 

[ତୁଳାଭିଣା- ଜଗନ୍ନାଥ ଦାସ- ପ୍ରା.ଗ. ପଦ୍ୟାଦର୍ଶ-ପୃ୪୭]

 

“ରାଜାଙ୍କ ୟେ ବଚନ ଶୁଣି ସେ ପିତୁଳୀ ବୋଇଲା ଭୋ ରାଜନ ୟେତକେ ଜାଣିଲଇଁ ତୁମ୍ଭେ ବଡ଼ କୃପଣ । ଯେତେବେଳୁ ଆପଣା ଗୁଣ କହିଲ ତେତେବେଳୁ ଜାଣିଲୁନି ।

 

X X X X X X

 

ଯେଡ଼େ ଗୁଣବନ୍ତ ହେଲେ ଆପଣା ପୁରୁଷାର୍ଥ ନ କହିବ । ୟେରୂପେ ଶୁଣିଥାଇଂ । ଆପଣା ଗୁଣ ଯେବେ ପରକୁ କହଇ ତେବେ ସେ ବିକର୍ମ ଗୁଣରେ ଲେଖା । ତେଣୁକରି ଆପଣାରଗୁଣ ପରକୁ ନ କହିବ । ୟେମାନ ଉତ୍ତମ ଜନମାନଙ୍କର-। କହିଲେ ତେଡ଼େ ନୀଚତାହିଂ ।’’

 

[ବତ୍ରିଶ ସିଂହାସନ କଥା- ଶିବଦାସ- ପ୍ରା.ଗ.ପ.-ପୃ ୪୮]

 

“ଶୁଣ ଦେବୀ ପାର୍ବତି ମାଳବ ବୋଲି ଦେଶ, ତହିଁ ପାଟଳ ବୋଲି ନଗ୍ର, ତହିଁ ବୀରବିକ୍ରମାଜିତ ବୋଲି ରାଜା । ସେ ରଜା ମହାପ୍ରତାପୀ । ସେ କଟକର ଅନେକ ମହିମା । ଘରେ ଘରେ ସୁବର୍ଣ୍ଣ କଳସ ବସାନ୍ତି । ଧବଳମୟେ ପୁର, ଅତି ସୁନ୍ଦର ।’’

 

[ସୋମନାଥ ବ୍ରତ କଥା- ପ୍ରା.ଗ.ପ.- ପୃ୪୯-୫୦]

 

“ଏହା ଶୁଣି ସେ ଗର୍ଭପୁରୁଷ ବୋଇଲା । ଯେମନ୍ତ ଓଝା ଏକାବେଳକେ ଚାଟକୁ ପଢ଼ାଇ ନ ପାରଇ ସେହିମତି ଏକାବେଳକେ ବୋଧେ ଉଦେ କରାଇ ନୁହଇ । ଗଡ଼ମାନ ଯେମନ୍ତ ରାଜାମାନେ ଅଙ୍କେ ଅଙ୍କେ କରି ସାଧନ୍ତି ତେମନ୍ତ କରି ସେ ସାଧନା କରି ହୋଇ । ଏବେ ତୁ ନିଷ୍କାମ କରି ପୁଣ୍ୟ କର । ବାସୁଦେବଙ୍କୁ ପରମ ଭକ୍ତି କର ।’’

 

[ରୁଦ୍ର ସୁଧାନିଧି - ନାରାୟଣ ନନ୍ଦ ଅବଧୂତ ସ୍ୱାମୀ- ଓଡ଼ିଶା ସାହିତ୍ୟ ଏକାଡେମୀ-୧୯୬୫-ପୃ୭୭]

 

“ଏହା ଶୁଣି ନାପିତ କହିଲା ହେ ଗୋସାଇଁ ଯାହାକୁ ଯଉଁ ଯୋଗ ଥାଏ, ଅବଶ୍ୟ ହୁଅଇ । ହିତ ହେଲେ ପରଲୋକ ଆପଣାର, ଅହିତ ହେଲେ ଆପଣା ଲୋକ ପର । ଅମୃତ ସମାନ ଆହାର ଖାଇ, ସେ ଅପାକ ହେଲେ ପେଟରେ ଥାଇ ପ୍ରାଣ ନିଅଇ । ଦେହରେ ବ୍ୟାଧି ହେଲେ ଶଏ କୋଶ ଅରଣ୍ୟରୁ ତାଳ ମୂଳିକା ଆଣି ଖାଇଲା ବେଳେ ପିତା କଷା ଲାଗୁଥାଇ । ବେଳକୁ ପ୍ରାଣଦାନ ଦିଅଇ ।’’

 

[ଚତୁର ବିନୋଦ- ବ୍ରଜନାଥ ବଡ଼ଜେନା- ପ୍ରୀତି ବିନୋଦ- ପୃ୬୭]

 

ପଞ୍ଚଦଶ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ଗଦ୍ୟ ସାହିତ୍ୟର ସ୍ୱରୂପଗତ ପରିଚୟ ଉକ୍ତ ଉଦ୍ଧୃତିମାନଙ୍କରୁ ଲକ୍ଷ୍ୟକଲେ ସାବଲୀଳତା, ପରିଚ୍ଛନ୍ନତା ଓ ଆତ୍ମିକ ବଳିଷ୍ଠତା ଦୃଷ୍ଟିରୁ ଚତୁର ବିନୋଦର ଗଦ୍ୟ ଯେ ଉନ୍ନତ ଏହା ସ୍ପଷ୍ଟ ହୋଇଥାଏ । ଅନ୍ୟ ଏକ ବିଶେଷ ଲକ୍ଷଣ ଏ ଗଦ୍ୟ ଭାଷାରେ ଉତ୍କୀର୍ଣ୍ଣ ହୋଇଥିବାର ଯାହା ଜଣାପଡେ, ତାହା ହେଉଛି ଆବୃତ୍ତିଧର୍ମିତା । ଏ ଗଦ୍ୟ ଭାଷାର ଆତ୍ମିକ ସୌନ୍ଦର୍ଯ୍ୟ ଓ ଆଙ୍ଗିକ ମାଧୁର୍ଯ୍ୟ ନୀରବ ପଠନରେ ନୁହେଁ ସରବ ଉଚ୍ଚାରଣରେ ସମଧିକ ଅନୁଭବବେଦ୍ୟ । ଆଜିର ପୁରାଣ ପଣ୍ଡାଙ୍କ ଭଳି ସେକାଳରେ ଗଳ୍ପକଥକ ବା ଗଳ୍ପସାଗର ନାମରେ ପରିଚିତ ଯେଉଁ ବୃତ୍ତିଧାରୀ ଥିଲେ ସେହିମାନଙ୍କ କଣ୍ଠରେ ଏହି ଗଦ୍ୟଭାଷା ଆବୃତ୍ତ ହୋଇ ଭାବ ଓ ରସର ଯଥାଯଥ ଉଦ୍‌ବୋଧନ ଘଟାଉଥିଲା । ବ୍ରଜନାଥଙ୍କ ‘ଚତୁର ବିନୋଦ’ର ଗଦ୍ୟ କେବଳ ନୁହେଁ, ତାଙ୍କର ବହୁ ପରବର୍ତ୍ତୀ ବ୍ରଜମୋହନ ( ଫକୀରମୋହନ)ଙ୍କ ଗଦ୍ୟର ଥିଲା ଆବୃତ୍ତ ହେବାର ଯୋଗ୍ୟତା । ଆଶ୍ଚର୍ଯ୍ୟ ବିଷୟ, ପୃଥିବୀର ଜଣାଶୁଣା ବିଶିଷ୍ଟ ସାହିତ୍ୟ ରାଜ୍ୟରେ ଆବୃତ୍ତିଯୋଗ୍ୟ ଗଦ୍ୟ ଏହି ସମୟ ଅର୍ଥାତ୍‌ ଊନବିଂଶ ଶତାବ୍ଦୀର ଶେଷ ପ୍ରାନ୍ତ ପର୍ଯ୍ୟନ୍ତ ପ୍ରାୟ ନ୍ୟୂନାଧିକ ଭାବରେ ସୁପ୍ରତିଷ୍ଠ ଥିଲା । ତେଣୁ କେବଳ ଓଡ଼ିଆ ସାହିତ୍ୟର ମାନଦଣ୍ଡରେ ନୁହେଁ, ଆନ୍ତର୍ଜାତିକ ସାହିତ୍ୟର ତୁଳନାତ୍ମକ ବିଚାରରେ ‘ଚତୁର ବିନୋଦ’ର ଗଦ୍ୟରୀତି ଯେ ଦୁର୍ବଳ ନ ଥିଲା, ଏଥିରେ ଅତ୍ୟୁକ୍ତି କିଛି ନାହିଁ । ଅଧିକନ୍ତୁ ପଦ୍ୟର ସର୍ବମୟ ଗ୍ରାହକତା ଓ ପ୍ରାଧାନ୍ୟଦ୍ୱାରା ସୁପ୍ରଭାବିତ ପ୍ରାଚୀନ ଗଦ୍ୟକାରମାନଙ୍କ ଲେଖନୀରୁ ପଦ୍ୟାତ୍ମକ ଗଦ୍ୟର ନିଃସରଣ ଥିଲା ଏକାନ୍ତ ସ୍ୱାଭାବିକ । ‘ରୁଦ୍ରସୁଧାନିଧି’ରେ ଏହାର ଆତ୍ୟନ୍ତିକତା ଯେପରି ଉପଲବ୍ଧ ହୁଏ, ‘ଚତୁର ବିନୋଦ’ ସେଥିରୁ ମୁକ୍ତ ନ ହେଲେ ମଧ୍ୟ ଏହାର ଗଦ୍ୟ ଅନାବଶ୍ୟକ ଭାବରେ ପଦ୍ୟସୁଲଭ ଅଳଙ୍କରଣରେ ଦୁର୍ଭାରଗ୍ରସ୍ତ ବୋଧହୁଏ ନାହିଁ । ଓଡ଼ିଆ ଗଦ୍ୟ ପରିବେଷଣରେ ‘ଚତୁର ବିନୋଦ’ ନିଜସ୍ୱ ପ୍ରାଣସତ୍ତା ଲାଭ କରିଥିବାର ଜଣାଯାଏ । ଏହା ଯଥାର୍ଥତଃ ଫକୀରମୋହନଙ୍କ ଗଦ୍ୟର ଅଗ୍ରଜ ।

 

[୧. ୧୯୨୨ ଓ ୧୯୪୪ ସଂସ୍କରଣରେ ଅଛି: “ ଚଞ୍ଚଳାକ୍ଷୀ ଶୁଣି ମହାଆନନ୍ଦ ହେଲା । ଚଞ୍ଚଳାକ୍ଷୀ ଓ ମୋହନାଙ୍ଗ ଏ ଦୁହିଁଙ୍କର ପ୍ରୀତିହେଲା । ଏହାଙ୍କ କେଳି ବର୍ଣ୍ଣନା କରାଯାଇ ନ ପାରେ । ଏଠାରେ ଚତୁର ବିନୋଦ ସମାପ୍ତ ହେଲା ।’’]

 

ଚତୁର ବିନୋଦର କାହାଣୀ କଳା

 

ଆଜିର କ୍ଷୁଦ୍ରଗଳ୍ପ ଓ ଅତୀତର କାହାଣୀ ବିଷୟ, ବ୍ୟାଖ୍ୟାନ ଓ ଆବେଦନରେ ସମମର୍ମୀ ନ ହେଲେ ହେଁ ଅନେକାଂଶରେ ସମଧର୍ମୀ ପ୍ରତୀୟମାନ ହୁଅନ୍ତି । ପାଶ୍ଚାତ୍ୟ ସାହିତ୍ୟର ନିବିଡ଼ ସଂସ୍ପର୍ଶରେ ନ ଆସିବା ପର୍ଯ୍ୟନ୍ତ ଭାରତୀୟ କାହାଣୀ ରାଜ୍ୟରେ ପଞ୍ଚତନ୍ତ୍ର ଓ ମିତ୍ରଲାଭ ପ୍ରାଧାନ୍ୟ ଲାଭ କରି ଆସିଥିଲେ । ‘କାଦମ୍ବରୀ’ ଓ ‘ଦଶକୁମାର ଚରିତ’ରେ କାହାଣୀ ବୟାନର ଏକ ବିଦଗ୍ଧ ସମ୍ଭ୍ରାନ୍ତ ରୂପ ପ୍ରକଟିତ ହେବା ପରେ ସଂସ୍କୃତ ସାହିତ୍ୟରଚନାର ମାନଦଣ୍ଡ ନିରୂପଣକାରୀ ଅଳଙ୍କାର ଗ୍ରନ୍ଥରେ କୁହାଗଲା - “କଥାୟା ସରସଂବସ୍ତୁ ଗଦ୍ୟୈରେବ ବିନିର୍ମିତଂ ।’’ ରସଯୁକ୍ତ ଗଦ୍ୟ ବୋଲି କୁହାଯାଇ କାବ୍ୟ ସନ୍ନିହିତ ପ୍ରାଣଧର୍ମ ରସକୁ ମୁଖ୍ୟ ବୋଲି ନିର୍ଦ୍ଧାରଣ କରାଗଲା । କିନ୍ତୁ କଥା ସାହିତ୍ୟରେ ରସଚର୍ଯ୍ୟା ଯେ ଏକ ଅପ୍ରଧାନ ବିଷୟ ଏହା କଥାର କ୍ରମପ୍ରବହମାନ ଉପଜୀବ୍ୟରୁ ସୁସ୍ପଷ୍ଟ । କଥାକୁ ସମୁଦାୟ ନୀରସ କୁହାଯାଇ ପାରିବ ନାହିଁ । କାରଣ କଥାର ପ୍ରତ୍ୟେକ ସ୍ତରର ଆବେଦନରେ ରସର ଅଧିଷ୍ଠାନ ଘଟିଥାଏ । ମାତ୍ର ଏହା ଅନ୍ତର୍ଲୀନ, ସ୍ଥୂଳ ପ୍ରକାଶ୍ୟ ନୁହେଁ । ଯେତେଦୂର ମନେହୁଏ, କଥାକୁ ଏକାନ୍ତ ରସାବିଷ୍ଟ ରଚନାରୂପେ ଗ୍ରହଣ ନକରି ହାସ୍ୟ ଓ କୌତୁକଜନକ ମିଥ୍ୟା ବାଚନଭାବେ ସଂଜ୍ଞାସହ ପ୍ରତିପନ୍ନ କରି ଗଢ଼ିତୋଳିବା ବ୍ୟକ୍ତିଭାବେ ବ୍ରଜନାଥ ବଡ଼ଜେନା ସମଗ୍ର ଭାରତୀୟ ସାହିତ୍ୟରେ ପଥିକୃତ୍‌ । କଥାସାହିତ୍ୟର ସର୍ବପ୍ରଥମ ସଂଜ୍ଞା ନିରୂପଣପୂର୍ବକ ସେ କହିଛନ୍ତି- “ଗ୍ରନ୍ଥରେ ପ୍ରବନ୍ଧିତ ହୋଇଥିବା ନାନାଦି କୌତୁକ ଓ ହାସ୍ୟ ସମ୍ମିଶ୍ରିତ ମିଥ୍ୟାବାଚନାବଳୀ ଯେବେ ମନୋହରଣ କରିବାର ଯୋଗ୍ୟତା ଅର୍ଜନ କରନ୍ତି, ତେବେ ତାହାକୁ କଥା ବୋଲି କହିବା ।’’

 

ଏଥିରୁ ଦୁଇଟି ବିଷୟ ସ୍ପଷ୍ଟ ହୁଏ । ପ୍ରଥମତଃ ବ୍ରଜନାଥ ସଂସ୍କୃତାଦି ଭାଷାରେ ରଚିତ ଓ ପ୍ରଚଳିତ କଥାଗ୍ରନ୍ଥମାନ ଅଧ୍ୟୟନ କରିବା ପରେ ଦେଶ ଭାଷାରେ ‘ଚତୁର ବିନୋଦ’ ରଚନାରେ ପ୍ରବୃତ୍ତ ହୋଇଛନ୍ତି ଓ ଦ୍ୱିତୀୟତଃ ସ୍ୱକୃତ ସଂଜ୍ଞାର ଦୃଢ଼ ଅନୁସରଣରେ ପ୍ରତ୍ୟେକଟି କଥାର ପରିକଳ୍ପନା ଓ ଗଠନ କରିଛନ୍ତି । ମାତ୍ର ବ୍ରଜନାଥ ଆତ୍ମସଚେତନ ଓ ନିର୍ଭୀକ ସ୍ରଷ୍ଟା ହୋଇଥିବାରୁ ତାଙ୍କ କଥାକୃତିରେ ଗୁମ୍ପିତ କଥାମାନଙ୍କରେ ସମସାମୟିକ ସମାଜ ଜୀବନର ଜୀବନ୍ତ ପ୍ରତିଫଳନ ଘଟିଛି । ଇଂରାଜୀ ସାହିତ୍ୟରେ ଚସରଙ୍କର ‘କ୍ୟାଣ୍ଟରବରୀ ଟେଲ୍‌ସ’ ଭଳି ଆଧୁନିକ ଜନଜୀବନର ଭାଷ୍ୟରୂପେ ପରବର୍ତ୍ତୀ କାଳରେ ଗଢ଼ି ଉଠିଥିବା କଥା ସାହିତ୍ୟର ଅରୁଣାଲୋକରେ ଉଦ୍ଭାସିତ ଏହି ‘ଚତୁର ବିନୋଦ’ ଯଥାର୍ଥ ଓଡ଼ିଆ ଗଳ୍ପ ସାହିତ୍ୟର ଯେ ଆଦିକୃତି- ଏହା ନିଃସଂଶୟରେ ଗ୍ରହଣ କରାଯାଇପାରେ ।

 

ସୂକ୍ଷ୍ମ ଦୃଷ୍ଟିରେ ବିଚାର କଲେ ‘ଚତୁର ବିନୋଦ’ କ୍ଷୁଦ୍ରଗଳ୍ପ ନୁହେଁ, କଥାଧର୍ମ ପ୍ରାଣିତ ରଚନା ବୋଲି ଚିହ୍ନିତ ହେବ । ବ୍ରଜନାଥଙ୍କ ନିର୍ଦ୍ଧାରଣ ଅନୁସାରେ ଏହାର କଥାସ୍ୱରୂପ ସଂସିଦ୍ଧ । ‘ଚତୁର ବିନୋଦ’ ପ୍ରବନ୍ଧିତ ଅର୍ଥାତ୍‌ ସୁଗ୍ରଥିତ ଏକ କଥା ସାହିତ୍ୟ । ଏଥିରେ କୌତୁକପ୍ରଦ, ହାସ୍ୟରସାତ୍ମକ ଆଖ୍ୟାନମାନ ରହିଅଛି । କଥାରସାମୋଦୀ ଗ୍ରାହକମାନଙ୍କର ମନୋହରଣ କରିବାର ସାମର୍ଥ୍ୟ ଏଥିରେ ବିଦ୍ୟମାନ ।

 

ଚତୁର ବିନୋଦ-ଏହି ନାମକରଣର ଯାଥାର୍ଥ୍ୟ ବ୍ରଜନାଥ ଆପଣା ଭାଷାରେ ବ୍ୟକ୍ତ କରିଯାଇ ଅଛନ୍ତି । ପ୍ରଥମତଃ ହାସ, ରସ, ନୀତି ଓ ପ୍ରୀତି ଏହି ଚାରିଗୋଟି ବିନୋଦର ସମାହାରରେ ରଚିତ ହୋଇଥିବାରୁ ଓ ଦ୍ୱିତୀୟତଃ ଚତୁର ଗ୍ରାହକମାନଙ୍କର ବିନୋଦନରେ ଏକାନ୍ତ ସମର୍ଥ ହୋଇଥିବାରୁ ଏହାକୁ ଚତୁର ବିନୋଦରୂପେ ଅଭିହିତ କରାଯାଇଛି ବୋଲି ବ୍ରଜନାଥ ଯାହା ଦର୍ଶାଇଛନ୍ତି, ସେଥିରୁ ଦ୍ୱିତୀୟ ଅଭିମତ ସମ୍ପର୍କରେ ଆଲୋଚନା କଲେ ଏହି କଥାଗ୍ରନ୍ଥର ଶିଳ୍ପ ସୌଷ୍ଠବ ପ୍ରତି ଦୃଷ୍ଟିପାତ କରିବା ଆବଶ୍ୟକ ହୋଇଥାଏ । କଥା ଗୁମ୍ପନର ଚାତୁର୍ଯ୍ୟ ପ୍ରତି ବ୍ରଜନାଥ ଏତଦ୍ଦ୍ୱାରା ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ‘କଥାସରିତ୍‌ ସାଗର’,‘ପଞ୍ଚତନ୍ତ୍ର’, ‘ହିତୋପଦେଶ’ ଏପରିକି ‘ଆରବ୍ୟ ରଜନୀର କାହାଣୀ’ କିମ୍ବା ‘ପାରସ୍ୟ କାହାଣୀ’ କେଉଁଥିରେ ଆମ୍ଭେ ଏଭଳି କଥା ସ୍ଥାପତ୍ୟର ପରିଚୟ ପାଉ ନାହିଁ । କଥା ବ୍ୟାଖ୍ୟାନ ରୀତିରେ ସମଧର୍ମିତା ହୁଏତ ରହିଛି ମାତ୍ର ଭିତ୍ତି ରଚନାରେ କିମ୍ବା କଳେବର ନିର୍ମାଣରେ ସ୍ୱତନ୍ତ୍ର ଶିଳ୍ପରୂପ ‘ଚତୁର ବିନୋଦ’ର ଅନ୍ୟତମ ଲକ୍ଷଣୀୟ ଐଶ୍ୱର୍ଯ୍ୟ । ଏହାର ସୌନ୍ଦର୍ଯ୍ୟ ଓ ଆବେଦନଗତ ଆସ୍ୱାଦ ସ୍ୱତନ୍ତ୍ର ।

 

‘ଚତୁର ବିନୋଦ କଥା’ର ପ୍ରାରମ୍ଭ ଜନୈକ ରାଜପୁତ୍ରର ପ୍ରଣୟ ମିଳନାକାଙ୍‌କ୍ଷାକୁ ଆଶ୍ରୟ କରି ଘଟିଛି । ପ୍ରତ୍ୟେକ ଶ୍ରେଣୀର ଶ୍ରୋତା ବା ପାଠକଙ୍କର ଚିତ୍ତ ଆକର୍ଷଣ କରିବାରେ ଏହି ଉପକ୍ରମଣିକା ଚୁମ୍ବକ ସଦୃଶ ହେବା ଆଶା କରାଯାଇପାରେ । ଷୋଡ଼ଶ ବା ସପ୍ତଦଶ ଶତାବ୍ଦୀର ସମାଜ ଜୀବନ ପରିପ୍ରେକ୍ଷୀରେ ରାଜପୁତ୍ର ମୋହନାଙ୍ଗର ବୈଶ୍ୟ କନ୍ୟା ଚଞ୍ଚଳାକ୍ଷୀ ପ୍ରତି ପ୍ରଣୟ ନିବେଦନରେ ଅସ୍ୱାଭାବିକତା କିଛି ନାହିଁ । ଅଧିକନ୍ତୁ ବ୍ରଜନାଥଙ୍କ ବର୍ଣ୍ଣନ ପାଟବରେ ଏହା ଜୀବନ୍ତ ପ୍ରତୀୟମାନ ହୁଏ । ଏକ ଶୋଭାଙ୍ଗୀ, ଉନ୍ନତ ଯୌବନା ତରୁଣୀ ନିକାଞ୍ଚନ ନଦୀତଟରେ ସ୍ନାନରତା ଥିବାର ଦୃଶ୍ୟ ରସିକ ଓ ତରୁଣ ରାଜପୁତ୍ର ମୋହନାଙ୍ଗଠାରେ ବଳବତୀ ସମ୍ଭୋଗ କାମନା ଜାଗ୍ରତ କରିବା ଏକ କୃତ୍ରିମ ପରିକଳ୍ପନା ମାତ୍ର ନୁହେଁ, ବରଂ ଏକ ସ୍ୱଭାବସୁନ୍ଦର ସଂଯୋଜନ । ମୋହନାଙ୍ଗ ଦୃଷ୍ଟି ସମକ୍ଷରେ ଉଦ୍‌ଘାଟିତ ଚଞ୍ଚଳାକ୍ଷୀର ଅଙ୍ଗଶୋଭା ବ୍ରଜନାଥଙ୍କ ଲେଖନୀରେ କାବ୍ୟିକ ଅଭିବ୍ୟକ୍ତି ଲାଭ କରିଥିଲେ ହେଁ ଅତିରଞ୍ଜନରେ ଭାରାକ୍ରାନ୍ତ ହୋଇ ନାହିଁ । ସାଙ୍ଗ ଲୋକଙ୍କୁ ଏଡ଼ାଇ ମୋହନାଙ୍ଗ ଯେପରି ଏକାକୀ ଚଞ୍ଚଳାକ୍ଷୀର ସମୀପବର୍ତ୍ତୀ ହୋଇ ଆପଣା ପ୍ରଣୟାର୍ତ୍ତ ଚିତ୍ତକୁ ତା ନିକଟରେ ମୁକ୍ତ କରିଦେଇଛି, ସେଥିରେ ଛଳନା, ପ୍ରବଞ୍ଚନା ବା ଆବରଣର ଛାୟାପାତ ମଧ୍ୟ ଘଟି ନାହିଁ । ଦେହଧର୍ମୀ ହେଉ ପଛକେ ଏହା ରସିକ ରାଜପୁତ୍ରର ତରୁଣ ସୁଲଭ ଦୁର୍ବାର ଚିତ୍ତ ବିକ୍ଷୋଭର ଏକ ନିଷ୍କପଟ ଆତ୍ମନିବେଦନରୂପେ ସମବେଦନା ଜାତ କରାଇଥାଏ । ସେହି ମୁହୂର୍ତ୍ତରେ ସେଭଳି ଆଚରଣ ବିନା ତାର ଉପାୟାନ୍ତର ନ ଥିଲା । ରାଜମାର୍ଗରେ କୌଶଳ କ୍ରମେ ଲୋକ ଦୃଷ୍ଟିକୁ ଏଡ଼ାଇ ଆପଣା ମନର କଥା ଚଞ୍ଚଳାକ୍ଷୀକୁ ନ କହିଥିଲେ, ସେ କଥା ବୋଧହୁଏ, ଆଉ କୁହାଯାଇ ପାରି ନ ଥାନ୍ତା ବା କୁହାଯାଇ ପାରିଥିଲେ ତାହାର ପ୍ରତିକ୍ରିୟା ଭିନ୍ନ ହୋଇଥାନ୍ତା ଚଞ୍ଚଳାକ୍ଷୀ ହୁଏତ ସ୍ୱପୁରରେ ପ୍ରବେଶ କରିଥାନ୍ତା ଏବଂ ତାର ରୂପାନଳରେ ଦଗ୍ଧହୃଦୟ ରାଜପୁତ୍ର ବିଷମ ଦୁଃଖ ଭୋଗ କରିଥାନ୍ତା । ରାଜ ମାର୍ଗରେ ମୋହନାଙ୍ଗର ପ୍ରଣୟ ପ୍ରାର୍ଥନା ଭଳି ଚଞ୍ଚଳାକ୍ଷୀର ବିସ୍ମୟ-ବିମୂଢ଼ତା ଓ ସଖୀ ସୁହାଗୀର ପ୍ରତ୍ୟୁତ୍ତର ଯେଭଳି ସମୟୋଚିତ ସେଭଳି କାର୍ଯ୍ୟକାରଣ ଦୃଷ୍ଟେ ଯଥାର୍ଥ ପରିକଳ୍ପନା । ମଧ୍ୟଯୁଗୀୟ ସମ୍ଭ୍ରାନ୍ତ ମୋହନାଙ୍ଗକୁ ଲମ୍ପଟ ବାତାବରଣରେ ଏଭଳି ଏକ ପ୍ରଣୟ ଯାଚଞ୍ଜା କେବଳମାତ୍ର କାହାଣୀ ଓ ଚଞ୍ଚଳକ୍ଷମକ ସ୍ୱେରିଶୀରୂପେ ଗ୍ରହଣ ନୁହେଁ, ଏକ କ୍ଷୁଦ୍ର ଗଳ୍ପର ସୂତ୍ରପାତ କଲାଭଳି ବୋଧ ହୋଇଥାଏ । ପାଠକ ମୋହନାଙ୍ଗକୁ ଏକ ଲଂପଟ ଓ ଚଞ୍ଚଳାକ୍ଷକୁ ଏକ ସ୍ୱେରିଶୀ ଭାବରେ ଗ୍ରହଣ ନ କରି ପରସ୍ପର ପ୍ରତି ଆକୃଷ୍ଟ ସ୍ୱଭାବ ସିଦ୍ଧ ପ୍ରଣୟୀ-ପ୍ରଣୟିନୀଭାବେ ଗ୍ରହଣ କରିଥାଏ । ଏମାନଙ୍କର ପ୍ରଣୟରେ ସମ୍ଭୋଗର ସ୍ୱୀକୃତି ଅଛି, ମାତ୍ର ଅନ୍ତରର ଆକର୍ଷଣ ଅପେକ୍ଷା ତାହା ନ୍ୟୂନ ଓ ଅପ୍ରଧାନ । ଏ ପ୍ରଣୟରେ ସାମାଜିକ ଅଙ୍ଗୀକାର ନ ଥାଇପାରେ, ମାତ୍ର ହୃଦୟର ସ୍ୱେଚ୍ଛାକୃତ ନୈବେଦ୍ୟ ଅଛି । ଚତୁରୀ ଚଞ୍ଚଳାକ୍ଷୀ ଓ ରସିକ ମୋହନାଙ୍ଗର ମିଳନ ଏକ ସ୍ୱତନ୍ତ୍ର ବ୍ୟାପାର । ତାହାର ସଂଘଟନ ଲାଗି ମୋହନାଙ୍ଗର ଆତୁରତା ଅପେକ୍ଷା ଧୈର୍ଯ୍ୟ ଓ ଚଞ୍ଚଳାକ୍ଷୀର ସହଜ ଆତ୍ମନିବେଦନ ଅପେକ୍ଷା ଅନୁଧ୍ୟାନ ଓ ଅନୁଶୀଳନର ଆବଶ୍ୟକତା ବ୍ରଜନାଥଙ୍କ କାହାଣୀ କଳାର ଉତ୍କର୍ଷତାହିଁ ଜ୍ଞାପନ କରେ । ହାସ, ରସ, ନୀତି ଓ ପ୍ରୀତି ବିନୋଦରେ କଥିତ କାହାଣୀମାନଙ୍କର ବ୍ୟପଦେଶରେ ମୋହନାଙ୍ଗ- ଚଞ୍ଚଳାକ୍ଷୀ ପ୍ରସଙ୍ଗ, ସେଥିପାଇଁ ହଜି ଯାଏ ନାହିଁ, ବରଂ ଚରମ ପରିଣତିର ପ୍ରତୀକ୍ଷା ମଧ୍ୟରେ ପାଠକ ବା ଶ୍ରୋତାର ଉଚ୍ଚକିତ ଚିତ୍ତରେ ଶେଷ ପର୍ଯ୍ୟନ୍ତ ଜାଗ୍ରତ ରହିଥାଏ । ବ୍ରଜନାଥ ଅବଶ୍ୟ ପ୍ରତ୍ୟେକ ବିନୋଦର ପ୍ରାରମ୍ଭରେ ପ୍ରଣୟୀ-ପ୍ରଣୟିନୀଙ୍କୁ ସ୍ମରଣ କରାଇ ଦେଇଛନ୍ତି । ‘ଆରବ୍ୟ ରଜନୀର କାହାଣୀ’ର ଶିଳ୍ପ ରୂପରେ ଅନୁରୂପ ଶୈଳୀ ଲକ୍ଷ୍ୟ କରାଯାଏ ।

 

ବ୍ରଜନାଥ ସର୍ବପ୍ରଥମେ ଆପଣାକୃତି ବୋଲି ଉଲ୍ଲେଖ ନ କରି ସଙ୍କର୍ଷଣ ପଣ୍ଡାଦ୍ୱାରା ଏ ବିନୋଦ ଚତୁଷ୍ଟୟ କଥିତ ହୋଇଥିବାର ଉଲ୍ଲେଖ କରି ଗଳ୍ପଟି ସମୟୋଚିତ, ସ୍ୱାଭାବିକ ଓ ଅନୁଭୂତି ପ୍ରସୂତ ବୋଲି ଚିହ୍ନାଇ ଦେଇଛନ୍ତି । ସ୍ୱୟଂ ଚିହ୍ନା ପଡ଼ିନାହାନ୍ତି । ଗଳ୍ପସାଗରମାନେ ଦରବାରରେ ବା ଶିଷ୍ଟ-ବିଶିଷ୍ଟ ଶ୍ରୋତୃମଣ୍ଡଳୀରେ ନାନା ଶ୍ଳୋକ, ଗୀତ ଗାନପୂର୍ବକ ନାଟକୀୟ ଅଙ୍ଗଭଙ୍ଗୀ ମାଧ୍ୟମରେ ଗଳ୍ପ ଶୁଣାଇ ଆସୁଥିବା ସେ କାଳର ପରମ୍ପରାରେ ପ୍ରଚଳିତ ଥିଲା । ଅଧିକନ୍ତୁ ‘ହିତୋପଦେଶ’ରେ ବିଷ୍ଣୁ ଶର୍ମା ଅମନୋଯୋଗୀ ରାଜପୁତ୍ରମାନଙ୍କୁ ଗଳ୍ପ ଶୁଣାଇବା ଛଳରେ ସମଗ୍ର କଥା ଓ ସେଥିରୁ ଉପଜାତ ଉପକଥାମାନଙ୍କୁ ଶୁଣାଇଥିବା ବିଷୟ ଏ ପ୍ରସଙ୍ଗରେ ଉଲ୍ଲେଖ କରାଯାଇପାରେ । ମାତ୍ର ‘ଚତୁର ବିନୋଦ’କଥା ସଙ୍କର୍ଷଣ ପଣ୍ଡାଙ୍କଠାରୁ ଶୁଣି ବ୍ରଜନାଥ ତାହାକୁ ଲିପିବଦ୍ଧ କରିଥିବା ବିଶ୍ୱାସଯୋଗ୍ୟ ନୁହେଁ । ମନେହୁଏ, ରାଜା, ରାଜପୁତ୍ର ଏବଂ ସମାଜର ବାତାବରଣରେ ଏହିପରି ଏକ ପ୍ରଣୟ ଯାଚଞ୍ଜା କେବଳ ମାତ୍ର କାହାଣୀ ନୁହେଁ, ଏକ କ୍ଷୁଦ୍ରଗଳ୍ପର ସୂତ୍ରପାତ କଲାଭଳି ବୋଧ ହୋଇଥାଏ ।

 

ପରବର୍ତ୍ତୀ ଘଟଣା ପ୍ରବାହର ଶିଳ୍ପ ଗଠନରେ ମଧ୍ୟ ବ୍ରଜନାଥ ଯଥେଷ୍ଟ ଔଚିତ୍ୟବୋଧର ପରିଚୟ ଦେଇଥିବାଜଣାଯାଏ । ନିର୍ଦ୍ଧାରିତ ସମୟକୁ ପ୍ରତୀକ୍ଷମାଣା ସୁହାଗୀ ରାଜପୁତ୍ରର ଆଗମନ ବାର୍ତ୍ତା ଚଞ୍ଚଳାକ୍ଷୀକୁ କେବଳ ଜଣାଇ ନାହିଁ, ତାହା ( ଚଞ୍ଚଳାକ୍ଷୀ) ସହିତ ମିଳିତ ହେବାର ଦୁର୍ନିବାର କାମନା ଓ ପ୍ରବଳ ସମ୍ମୋହିତ ଆକର୍ଷଣ ଯୋଗୁଁ ମୋହନାଙ୍ଗ ଯେ ଅନ୍ନ ସରିକି ଗ୍ରହଣ କରିନାହିଁ, ଏହା ମଧ୍ୟ ଲକ୍ଷ୍ୟ କରିଥିବା ପ୍ରକାଶ କରିଛି । ଅନୁରାଗର ଏତାଦୃଶ ତ୍ୟାଗଶୀଳ ଚରିତ୍ର ଚଞ୍ଚଳାକ୍ଷୀ ହୃଦୟକୁ ଆବେଗସିକ୍ତ କରିବା ପରିଣାମରେ ମୋହନାଙ୍ଗ ନିଦ୍ୱର୍ନ୍ଦ୍ୱରେ ଏକାନ୍ତ ପୁରରେ ତାକୁ ସାକ୍ଷାତ୍‍ କରିବା ସମ୍ଭବପର ହୋଇଛି । ବୈଶ୍ୟପୁରର ସେହି ନିଃଭୃତ ନିଳୟରେ ପ୍ରଣୟାତୁର ମୋହନାଙ୍ଗ ଓ ଦ୍ରବୀଭୂତା ଚଞ୍ଚଳାକ୍ଷୀର ଚାରିଚକ୍ଷୁ ଘଟିବାର ମୁହୂର୍ତ୍ତ ବ୍ରଜନାଥଙ୍କ ଲେଖନୀରେ ଅନବଦ୍ୟ ହୋଇ ଉଠିଛି । ଚତୁରୀ ଚଞ୍ଚଳାକ୍ଷୀ ପ୍ରକୃତରେ ସେଦିନ ଗୌରୀବ୍ରତ ପାଳନ କରୁଥିବା ବିଷୟ ପ୍ରାତଃ କାଳରେ ଶିବ ଦର୍ଶନରେ ଯାଇଥିବାଦ୍ୱାରା ପ୍ରତିପନ୍ନ ହେଉ ବା ନ ହେଉ ଏଥିପାଇଁ ତା’ର ଚରିତ୍ରରେ ଦୁର୍ବଳତାର ରେଖାପାତ ଘଟେ ନାହିଁ । ଦେହାଶ୍ରୟୀ ହେଲେହେଁ ଯଥାର୍ଥ ପ୍ରଣୟ ତରୁଣ ତରୁଣୀଙ୍କର ଅନ୍ୟୁନ୍ୟ ଅନୁକୂଳ ମାନସିକ ଅବସ୍ଥା ଦୃଷ୍ଟେ ମିଳନଗତ ସାର୍ଥକତା ଲୋଡ଼ିଥାଏ-। ଯୁବକ ରାଜପୁତ୍ରର ଉତ୍ସୁକତା ଓ ବ୍ୟାକୁଳତାର ଶରବ୍ୟା ହୋଇ ଚଞ୍ଚଳାକ୍ଷୀ ତାକୁ ଦେହଦାନ କରିବାରେ ସେ ସାର୍ଥକତା ସମ୍ପନ୍ନ ହୋଇନଥାନ୍ତା । ଅଧିକନ୍ତୁ ରାଜପୁତ୍ରର ଚରିତ୍ର ମଧ୍ୟ ଉଦ୍‌ଘାଟିତ ହୋଇପାରି ନ ଥାନ୍ତା- ସେ ପ୍ରଣୟ ହୋଇଥାନ୍ତା ଉଚ୍ଛୃଙ୍ଖଳତାର ଦ୍ୟୋତକ । ମାତ୍ର ଚଞ୍ଚଳାକ୍ଷୀର ଗୌରୀବ୍ରତ ପାଳନ ଉପଲକ୍ଷେ ଉନ୍ନିଦ୍ରରାତ୍ରି ଯାପନ ଏକ ପକ୍ଷରେ ଚଞ୍ଚଳାକ୍ଷୀ ଓ ମୋହନାଙ୍ଗଙ୍କର ଚରିତ୍ରର ବଳିଷ୍ଠତା ଜ୍ଞାପନ କରିବା ସଙ୍ଗେ ସଙ୍ଗେ ହାସ, ରସ, ନୀତି ଓ ପ୍ରୀତି ବିନୋଦର କାହାଣୀ ବୟାନ ଲାଗି ଅବକାଶ ସୃଷ୍ଟି କରିଥିବା ବ୍ରଜନାଥଙ୍କ ପରିକଳ୍ପନାର ଚମତ୍କାରିତାର ପରିଚୟହିଁ ବହନ କରିଥାଏ । ଶ୍ରୋତା ବା ପାଠକ, ସେଥିପାଇଁ, ଜାଣିପାରେ ନାହିଁ ଯେ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କର ଚରିତ୍ର ଓ ଆଚରଣଗତ ଦୁର୍ବଳତାକୁ ଏହି ଗଳ୍ପରେ ଉଦ୍‌ଭିନ୍ନ କରି ଦେଇଥିବା ହେତୁ ବ୍ରଜନାଥ ସଙ୍କର୍ଷଣ ପଣ୍ଡାଙ୍କ ନାମ ଉଚ୍ଚାରଣ କରି ଆପେ ଆତ୍ମଗୋପନ କରିବାକୁ ଶ୍ରେୟ ମଣିଛନ୍ତି ।

 

ଲକ୍ଷ୍ୟ କରିବାର କଥା, ବ୍ରଜନାଥ ଏହି କଥା ଗ୍ରନ୍ଥରେ ବହୁ ଚାରିତ୍ରିକ ସ୍ଖଳନ ଓ ଅସାମାଜିକ ଏବଂ ସେଥିପାଇଁ ଦୁଷ୍ୟ କାର୍ଯ୍ୟକଳାପର ବର୍ଣ୍ଣନା କରିଥିଲେ ହେଁ ଏହା ଯେ ସାମୟିକ ଚିତ୍ତବିନୋଦନ ପାଇଁ ଉଦ୍ଦିଷ୍ଟ ଏବଂ ଜୀବନରେ ଆଚରଣୀୟ ନୁହେଁ, ଏହା ମୋହନାଙ୍ଗ ମୁଖରେ ସର୍ବପ୍ରଥମେ ସୂଚାଇ ଦେଇଛନ୍ତି । କଥା ଶ୍ରବଣ ଲାଗି ଏକାନ୍ତ ବ୍ୟଗ୍ରା ଓ ଉତ୍ସୁକା ଚଞ୍ଚଳାକ୍ଷୀକୁ ଚେତାବନୀ ଶୁଣାଇ ‘ମୋହନାଙ୍ଗ ବୋଇଲା ରେ ବାଳା, ଏତେକ ହେଲେ ସିନା କଥା ଶୁଣିବୁ - ଆନ ଇଚ୍ଛା ଛାଡ଼ିବ, ନିଦ୍ରା ନ ମାଡ଼ିବ, ପଲକ ନ ପଡ଼ିବ, ଚରିତ୍ର ନ ହୁଡ଼ିବ ।’ ବ୍ରଜନାଥଙ୍କ କଥା ଶିଳ୍ପର ଏ ଦର୍ଶନ ଅନ୍ୟ ସମସାମୟିକ କଥାକୃତିରେ ଅଭିବ୍ୟକ୍ତ ହୋଇନାହିଁ । ଏଥିରୁ କଥାଶିଳ୍ପୀ ବ୍ରଜନାଥଙ୍କର ମାନସ ଓ ବ୍ୟକ୍ତିତ୍ୱର ସ୍ୱରୂପ ଅବଧାରଣ କରି ହୁଏ ।

 

ହାସ, ରସ ଆଦି ଚାରିଟି ବିନୋଦ ମଧ୍ୟରୁ ପ୍ରଥମେ ହାସ ବିନୋଦର ଓ କ୍ରମଶଃ ରସ, ନୀତି ଓ ପ୍ରୀତିବିନୋଦର ଅବତାରଣାରେ ପ୍ରାସଙ୍ଗିକତା ଓ ଯଥାର୍ଥତା ଦର୍ଶାଇ ଏହି ଗ୍ରନ୍ଥର ବିଶିଷ୍ଟ ସମ୍ପାଦକ ସୁଧାକର ପଟ୍ଟନାୟକ ଲେଖିଛନ୍ତି - “ଚାରି ବିନୋଦର ଏହି କ୍ରମାନୁବର୍ତ୍ତିତା ମନୋବିଜ୍ଞାନ ଦୃଷ୍ଟିରୁ ସ୍ୱାଭାବିକ ଓ ଅନୁମୋଦନୀୟ । ନାୟିକାକୁ ନିଜର ଅନୁବର୍ତ୍ତିନୀ କରିବା ନିମିତ୍ତ ନାୟକ ପ୍ରଥମେ ହାସ୍ୟ ଓ ଅଦ୍ଭୁତ ରସ ପ୍ରସଙ୍ଗରେ ନାୟିକାର ମନକୁ ତରଳ ଚଞ୍ଚଳ କରିଦେଇ ତତ୍ପରେ ରସାଳ କଥାଦ୍ୱାରା ତାକୁ ନିଜର ସମ୍ପୂର୍ଣ୍ଣ ବଶବର୍ତ୍ତିନୀ କରିପକାନ୍ତି ଏବଂ ପରେ ନୀତି ଓ ପ୍ରୀତିମୟ ପ୍ରସଙ୍ଗଦ୍ୱାରା ବଶତାର ସ୍ଥିରତା ସମ୍ପାଦନ କରନ୍ତି । ଏହା ଚିରାଚରିତ ପ୍ରଥା । ଚତୁର ବିନୋଦରେ ତାହାହିଁ ଅବଲମ୍ବିତ ହୋଇଛି ।’’ ଡଃ ନଟବର ସାମନ୍ତରାୟ ନାୟିକାର ଆଚରଣ ଓ ବିଭିନ୍ନ ବିନୋଦର କଥାବସ୍ତୁକୁ ବିଚାର ପରିସର ମଧ୍ୟକୁ ନେଇ ମନୋବିଜ୍ଞାନସମ୍ମତ ତଥା ଚିରାଚରିତ ବୋଲି ଏହି ଅଭିମତକୁ ଖଣ୍ଡନ କରିଛନ୍ତି ।

 

ପ୍ରକୃତ ପକ୍ଷେ ବିଚାର କରିବାକୁ ଗଲେ ଏଥିରେ ସ୍ୱାଭାବିକ ଶିଳ୍ପ ପରିପାଟୀହିଁ ଦ୍ୟୋତିତ ହୋଇଛି । ପ୍ରଥମରୁ ହାସ, ରସ ଆଦି ଯେଉଁ କ୍ରମରେ ବିନୋଦଗୁଡ଼ିକ ସଙ୍କର୍ଷଣ ପଣ୍ଡାଙ୍କଦ୍ୱାରା ରାଜସଭାରେ କଥିତ ହୋଇଥିବା ବିଷୟ ମୋହନାଙ୍ଗ କହିଛି, ସେହି କ୍ରମରେ ପ୍ରକୃତ କଥାଗୁଡ଼ିକ ବିବୃତ ହୋଇଛି । ପୁନଶ୍ଚ ଚଞ୍ଚଳାକ୍ଷୀର ଇଚ୍ଛା ଉପରେ ବିନୋଦମାନଙ୍କର ଅବତାରଣା ନିର୍ଭର କରିଥିବାରୁ ଏଥିରେ ମନସ୍ତାତ୍ତ୍ୱିକ ବା ଚିରାଚରିତ ପ୍ରଥାର ସନ୍ଧାନ ଅତିରଞ୍ଜିତ ଅନୁଶୀଳନ । ହାସ ସହିତ ରସ ଓ ନୀତି ସହିତ ପ୍ରୀତିର କର୍ଣ୍ଣସୁଖଦାୟୀ ଧ୍ୱନ୍ୟାତ୍ମକ ସଂଯୋଗକୁ ମଧ୍ୟ ଏଡ଼ି ଦିଆଯାଇ ନ ପାରେ । ଏପରି ଶବ୍ଦ ନିର୍ବାଚନରେ ତଦ୍‌ବିଷୟକ କଥାର ଅବତାରଣା ନିର୍ଭର କରୁଥିବାରୁ ପ୍ରଥମେ ନିକୃଷ୍ଟରୁ ଉତ୍କୃଷ୍ଟ ପର୍ଯ୍ୟାୟକୁ କଥାର ବ୍ୟାଖ୍ୟାନ ଧାରାକୁ ଗଡ଼ାଇ ନେବା ଉଦ୍ଦେଶ୍ୟ ରଖି ହାସ, ରସ, ନୀତି ଓ ପ୍ରୀତି ଏପରି ଚତୁର୍ବିଧ ବିନୋଦର ପରିକଳ୍ପନା କରାଯିବା ପରେ କଥାର ସର୍ଜନରେ ଭାରସାମ୍ୟର ବିଚଳନ ହୁଏତ ସ୍ରଷ୍ଟାଙ୍କର ନିୟନ୍ତ୍ରଣ ବହିର୍ଭୂତ ହୋଇଯାଇଛି । ତେଣୁ ଚତୁର ବିନୋଦର ମୌଳିକ ଶିଳ୍ପରୂପ ଗଠନର ଏ କୌଶଳ ବ୍ରଜନାଥଙ୍କର ନିଜସ୍ୱ ଓ ସେଥିପାଇଁ ସୌନ୍ଦର୍ଯ୍ୟବୋଧକ ।

 

ଚତୁର୍ବିଧ ବିନୋଦ ମଧ୍ୟରୁ ପ୍ରଥମ ବିବୃତ ହାସବିନୋଦ ବ୍ରଜନାଥଙ୍କର କାହାଣୀ କଳ୍ପନାର ଦୁର୍ବଳତାକୁ ହିଁ ସମଧିକ ବ୍ୟଞ୍ଜିତ କରେ । ଚରମ ଅସଙ୍ଗତି ଓ ବିକୃତି ମାଧ୍ୟମରେ ମାର୍ଜାରମୁଖା ଓ ବିଳାପ ମୁଖୀର ପରିଣୟ ପ୍ରସଙ୍ଗ ବୀଭତ୍ସତାର କୋଟୀକୁ ସ୍ପର୍ଶ କରିଛି । ଏଥିରେ ହାସ୍ୟରସ ଯଥାର୍ଥରେ ରସାଭାସରେ ପରିଣତ ହୋଇଛି । ଏହି ବିନୋଦର ଅନ୍ୟ ଏକ ଉପକଥା ଅତିହାସ ବିନୋଦରେ କଥିତ ପଣ୍ଡିତ ଲିଙ୍ଗ ବ୍ରାହ୍ମଣ, ବ୍ୟାଧିବର୍ଦ୍ଧନ ବୈଦ୍ୟ, ଜ୍ୟୋତିଷ ମର୍ଦ୍ଦନ ଜ୍ୟୋତିଷ ଓ ରକ୍ତହିଣ୍ଡୋଳ ନାପିତମାନଙ୍କର ଜାତିକୁଳ ପ୍ରତିରୂପ ଆଚରଣ ବର୍ଣ୍ଣନରୁ ବ୍ରଜନାଥଙ୍କ ଶାସ୍ତ୍ରଦର୍ଶିତା ଓ ବ୍ୟାବହାରିକ ଜ୍ଞାନର ଭୂୟସୀ ପରିଚୟ ମିଳିଥାଏ । ଏଥି ସହିତ ରାଜ ସଭାର ପୃଷ୍ଠଭୂମି ଜଡ଼ିତ କରି ବ୍ରଜନାଥ ଉତ୍କୃଷ୍ଟ ଶିଳ୍ପ ପାଟବତାର ନିଦର୍ଶନ ଦେଇନାହାନ୍ତି ।

 

ରସବିନୋଦରେ ହେମାଙ୍ଗୀ-ତରୁଣକାନ୍ତଙ୍କର ପ୍ରଣୟ ପ୍ରସଙ୍ଗ ମୁଖ୍ୟ ଆଖ୍ୟାନ ବସ୍ତୁ ଓ ତାହାକୁ ସମଧିକ ରସାଳ ତଥା ପରିପୁଷ୍ଟ କରିବା ଲକ୍ଷ୍ୟରେ ନର୍ମଦା-କିଶୋର ଚନ୍ଦ୍ର ଓ ମଞ୍ଜରୀ-ଗିରିଧାରୀ ଦତ୍ତଙ୍କର ପ୍ରଣୟ କାହାଣୀ ଉପ ଆଖ୍ୟାନରୂପେ ବିବୃତ ହୋଇଛି । ‘ଛୋଟାଦ୍ୱାରୀ’ କଥା ଏକ ଉପଲକ୍ଷମାତ୍ର । ଯୁବକ ଯୁବତୀଙ୍କର ପ୍ରଥମ ସାକ୍ଷାତରେ ପରସ୍ପର ପ୍ରତି ଆକର୍ଷଣ, ମିଳନ-ମଧ୍ୟସ୍ଥିଙ୍କର ସହଯୋଗ ବଳରେ ବହୁ ଇପ୍‌ସିତ ସମ୍ଭୋଗ ସୁଖ ପ୍ରାପ୍ତି ଓ ତା’ର ଆନନ୍ଦ ବା ବିଷାଦମୟ ପରିଣତିର କାହାଣୀ ରସବିନୋଦରେ ‘ରସ’ର ଅଭିବ୍ୟକ୍ତିଗତ ଯଥାଯଥ ସଂଘଟନ ଦୃଷ୍ଟିରୁ ଦୁର୍ବଳ ପ୍ରତୀୟମାନ ହୁଏ । ଏଠାରେ ରସ କହିଲେ ଶୃଙ୍ଗାର । ତାହା ସମ୍ଭୋଗମୂଳକ । ଏହି ବିନୋଦରେ, କାହାଣୀ ଆଖ୍ୟାନରେ ବୈଚିତ୍ର୍ୟ ନ ଥିଲେ ମଧ୍ୟ ବ୍ରଜନାଥଙ୍କର ବର୍ଣ୍ଣନ ଚାତୁର୍ଯ୍ୟ ଯୋଗେ ଆମୋଦଦାୟକ ହୋଇ ଉଠିଛି ମାତ୍ର ।

 

ନୀତିବିନୋଦ ବ୍ରଜନାଥଙ୍କ କାହାଣୀ କଳା ଓ ଶିଳ୍ପ ଗଠନ ପରିପାଟୀର ଶ୍ରେଷ୍ଠ ନିଦର୍ଶନ ବହନ କରେ । ଆରମ୍ଭ, କ୍ରମପ୍ରବାହ ଓ ପରିଣତିରେ ଏହି ବିନୋଦରେ ଭାରସାମ୍ୟ କେବଳ ରକ୍ଷିତ ହୋଇନାହିଁ, ମୂଳରୁ ଚୂଳ ପର୍ଯ୍ୟନ୍ତ ପାଠକ ବା ଶ୍ରୋତାଙ୍କର ଆବେଗ ଓ ଉତ୍କଣ୍ଠାକୁ ଧରି ରଖିବାରେ ଓ ସୁବିନ୍ୟସ୍ତ କଳାକୌଶଳ ପ୍ରୟୋଗରେ ଅନ୍ତଃସ୍ୱରଗତ ସାର୍ଥକତା ସମ୍ପାଦନରେ ଅନବଦ୍ୟ ହୋଇଉଠିଛି । ପୁଣ୍ଡରୀକ-କୁନ୍ଦରେଖା ପ୍ରସଙ୍ଗ ଉତ୍‌ଥାପନ କରାଯାଇ ସେଥି ସହିତ ଏଭଳି ଏକ ଘଟଣା-ପ୍ରବାହର ସଂଯୋଗ ଘଟାଯାଇଛି, ଯାହା ସ୍ୱତଃ ସମସ୍ୟାକୈନ୍ଦ୍ରିକ ହୋଇଉଠିଛି । ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ । ଏହି ଦ୍ୱନ୍ଦ୍ୱର ସମାଧାନ ବା ଘଟଣାଚକ୍ରର ଗ୍ରନ୍ଥିମୋଚନ ଲାଗି ଯେଉଁ କଳା କୌଶଳର ପ୍ରୟୋଗ ଘଟିଛି, ତାହା ବ୍ରଜନାଥଙ୍କର ସର୍ଜନ ଦକ୍ଷତାର ବିଶେଷ ପରିଚୟ ବହନ କରେ । ମଞ୍ଜୁଳ ରୂପ ବୈଶ୍ୟର ଧନ ଅପହୃତ ହେବା ଘଟଣାକୁ କେନ୍ଦ୍ରକରି ଅନ୍ୟ ଏକ ଉପଗଳ୍ପର ଗୁମ୍ପନ ମାଧ୍ୟମରେ କୌତୂହଳପ୍ରଦ ଘଟଣାଗୁଡ଼ିକୁ ଏକ ପରେ ଏକ ସଂଯୋଜନ କରାଯାଇଛି ଏଥି ସହିତ ତିନିମିତ୍ର-ଚିତ୍ରାଙ୍ଗୀ ଉପଗଳ୍ପର ସୂତ୍ର ଗ୍ରଥନ କରାଯାଇଛି । ଶେଷରେ ମୂଳ ଗଳ୍ପୋତ୍‌ଥିତ ସମସ୍ୟାର ଦ୍ରୁତ, ପ୍ରତ୍ୟକ୍ଷ ଓ ଚୂଡ଼ାନ୍ତ ସମାଧାନର ଇଙ୍ଗିତବାହୀ ବିମ୍ବା-ଉଦ୍ଧାର ପ୍ରସଙ୍ଗ ଉଲ୍ଲେଖ କରାଯାଇ କୁନ୍ଦରେଖା ଯେ ପୁଣ୍ଡରୀକକୁ ପ୍ରାପ୍ତ ହେବା ନ୍ୟାୟୋଚିତ ଓ ନୀତିସମ୍ମତ-ଏହା ପ୍ରତିପାଦନ କରାଯାଇଛି । ନୀତିବିନୋଦର ବୈଶିଷ୍ଟ୍ୟ ହେଉଛି- ଏହା ଏକ ବହୁତଳବିଶିଷ୍ଟ ସୁଦୃଶ୍ୟ ପ୍ରାସାଦ ଭଳି । ଦୂରରୁ ଏକ ପ୍ରକାର ଆଭାସୁଥିଲେ ହେଁ ପ୍ରତ୍ୟେକ ମହଲାର କାରୁକାର୍ଯ୍ୟ ସ୍ୱତନ୍ତ୍ର ।

 

ପ୍ରୀତିବିନୋଦ କେତେକ ଏକକ କାହାଣୀର ସମବାୟରେ ନିର୍ମିତ । ପ୍ରୀତିର ପ୍ରକାର ଭେଦ ନିର୍ଣ୍ଣୟରେ ବ୍ରଜନାଥଙ୍କ ଦୃଷ୍ଟିଭଙ୍ଗୀ ଭାବୋଦ୍ଦୀପକ । ଏଥିରେ ସୂକ୍ଷ୍ମ ପର୍ଯ୍ୟବେକ୍ଷଣ ଶୈଳୀ ସନ୍ନିହିତ । ଦୁଷ୍ଟ, ନୀଚ, କାର୍ଯ୍ୟଘେନା, ପ୍ରବଳଶଠ, ଅଭେଦ, ପରସ୍ପର ଓ ନିଜସୁଖ ଭେଦରେ ପ୍ରୀତିର ସ୍ୱରୂପମୂଳକ ଦୃଷ୍ଟାନ୍ତ ଉପସ୍ଥାପନ କ୍ରମରେ ଶେଷୋକ୍ତ ପ୍ରୀତିତ୍ରୟ ଉପେକ୍ଷିତ ହୋଇଥିବା ଲକ୍ଷ୍ୟ କରାଯାଏ । ଏକ ଏକ କାହାଣୀ ମାଧ୍ୟମରେ ପ୍ରୀତିର ପରିଚୟ ପ୍ରଦାନ କରିବାକୁ ଯାଇ ବ୍ରଜନାଥ ଅନୁଭୂତି ଓ କଳ୍ପନାର ସମନ୍ୱୟ ସାଧନ କରିଛନ୍ତି; ମାତ୍ର ନୀତି ବିନୋଦର ଭୂୟୋଦର୍ଶିତା ଓ ସମାହିତତା (blending) ଏଥିରେ ସ୍ପୁଟିତ ହୋଇନାହିଁ । ସମାଜ ଚେତନାର କେତେକ ଅନ୍ତରଙ୍ଗ ଚିତ୍ର ବହନ କରିଥିବାରୁ ପ୍ରୀତିବିନୋଦର ମୂଲ୍ୟମାନଗତ ସ୍ୱାତନ୍ତ୍ର୍ୟ ଉପଲବ୍ଧ ହୋଇଥାଏ ମାତ୍ର ।

 

ଚାରିଗୋଟି ବିନୋଦର କଥା ଶେଷ ହେବା ପରେହିଁ ଗ୍ରନ୍ଥଟିର ପରିସମାପ୍ତି ଲାକ୍ଷଣିକ ଭାବରେ ଘଟା ଯାଇଛି । ୧୯୨୨ ଓ ୧୯୪୪ ମସିହାରେ ପ୍ରକାଶିତ ଚତୁର ବିନୋଦରେ ଏହି ସମାପ୍ତି ଅଂଶଟି ଯେପରି ଶିଳ୍ପଗତ ସ୍ଥୂଳତା ଓ ଅପଟୁତାର ପରିଚୟ ବହନ କରେ, ତାହା ଚତୁର ବିନୋଦର ସାମଗ୍ରିକ ଶିଳ୍ପ-ସୌଷ୍ଠବର ପ୍ରତିରୂପତାହିଁ ସୂଚାଇଥାଏ । (୧) ୧୯୪୬ ମସିହାରେ ସୁଧାକର ପଟ୍ଟନାୟକଙ୍କର ସମ୍ପାଦନାରେ ପ୍ରକାଶିତ ଏହି ଗ୍ରନ୍ଥର ସମାପ୍ତି ଅଂଶଟି କଳାବୋଧକ ଓ ସୌନ୍ଦର୍ଯ୍ୟସମ୍ପନ୍ନ ମନେହେବାର ଯଥାର୍ଥ କାରଣ ରହିଛି । ଶେଷାଂଶଟିରେ ଅଛି - “ଏହା ମୋହନାଙ୍ଗ କହନ୍ତେ ଚଞ୍ଚଳାକ୍ଷୀ ମହାଆନନ୍ଦ ହେଲା । ଏରୂପେ କଥା ସରିଲା, ରାତ୍ର ପ୍ରକାଶ ହେଲା-।’’ ଗୌରୀବ୍ରତ ଉଦ୍‌ଯାପନ ଅନ୍ତେ ଚଞ୍ଚଳାକ୍ଷୀ ମୋହନାଙ୍ଗକୁ ଯେ ଦେହଦାନ କରିବ ଓ ସେମାନେ ଉଭୟେ ମିଳନସୁଖ ଅନୁଭବ କରିବେ, ଏହା ପୂର୍ବରୁ ସୂଚାଇ ଦେଇଥିବା ସତ୍ତ୍ୱେ ବ୍ରଜନାଥଙ୍କ ଭଳି ପ୍ରଚଣ୍ଡ ଅନୁପାତଜ୍ଞାନସମ୍ପନ୍ନ ସାହିତ୍ୟିକ ତାର ପୁନରାବୃତ୍ତି କରିବସିବା ଆଶା କରାଯାଇ ନ ପାରେ-। ତା’ ଛଡ଼ା ପରସ୍ପର ସଙ୍ଗମପ୍ରତ୍ୟାଶୀ ଯୁବକ ଯୁବତୀଙ୍କର ପ୍ରଣୟଲୀଳା କଥାଗ୍ରନ୍ଥଟିର ବିଭିନ୍ନ ସ୍ଥଳୀରେ ଏପରି ନିପୁଣ ଓ ପୁଙ୍ଖାନୁପୁଙ୍ଖ ଭାବରେ ଦର୍ଶାଇ ଦିଆଯାଇଛି ଯେ ସହୃଦୟ ରସିକ ଶ୍ରୋତା ବା ପାଠକଙ୍କ ପକ୍ଷରେ ଚଞ୍ଚଳାକ୍ଷୀ- ମୋହନାଙ୍ଗଙ୍କର ମିଳନ ବ୍ୟାପାର ଯେ ଅଜ୍ଞେୟ ବା ଆବୃତ ହୋଇ ରହିବ ନାହିଁ, ଏହା ଚତୁର ବ୍ରଜନାଥଙ୍କ ପକ୍ଷରେ ନିଶ୍ଚିତ ସୁବୋଧ୍ୟ ଥିବ । “ଏରୂପେ କଥା ସରିଲା- ରାତ୍ର ପ୍ରକାଶ ହେଲା-’’ ଏଥିରୁ ଯଥେଷ୍ଟ ସୂଚନା ଫୁଟି ଉଠୁଛି ଯେ କଥା ଆରମ୍ଭର ସର୍ତ୍ତ ପୂରଣର ପ୍ରଥମ ପର୍ଯ୍ୟାୟ ଶେଷ ହେଲା । ଚତୁର ବିନୋଦ କଥା କହିଯିବାହିଁ କଥାକାରଙ୍କ ସର୍ବପ୍ରଧାନ ଉଦ୍ଦେଶ୍ୟ । ସେ ଉଦ୍ଦେଶ୍ୟ ଚରିତାର୍ଥ ହେବା ପରେ ପୁନର୍ବାର ସେହି ଚର୍ବିତ ଚର୍ବଣ ସୁରତି ଲୀଳାର ବର୍ଣ୍ଣନ ଗଳ୍ପକଳାର ବାଧକ ହୋଇଥାନ୍ତା । ରାତ୍ର ପ୍ରକାଶ ହେଲା ଅର୍ଥ ପ୍ରଭାତ ହେଲା; ମନେହୁଏ ଓଡ଼ିଆ ଗଳ୍ପ ସାହିତ୍ୟର ଅନ୍ଧକାର ଗର୍ଭରୁ ‘ଚତୁର ବିନୋଦ’ ଭଳି କଥାର ପ୍ରକାଶ ଘଟି ଯଥାର୍ଥରେ ଓଡ଼ିଆ କଥା ସାହିତ୍ୟର ପ୍ରଥମ ପ୍ରାତଃରଶ୍ମି ସାହିତ୍ୟ ଗଗନକୁ ବହୁ ସମ୍ଭାବନାର ଲୋହିତ ରଙ୍ଗରେ ରଞ୍ଜିତ କଲା । ପ୍ରାୟଶଃ ପରମ୍ପରା ହୀନ ଓଡ଼ିଆ ଗଳ୍ପ ସାହିତ୍ୟର ସର୍ବାଦ୍ୟରୂପ ଏହି ‘ଚତୁର ବିନୋଦ’ର ଗଠନ ପରିପାଟୀ, କଳାକୌଶଳ ଓ ଶିଳ୍ପରୂପ ଆରମ୍ଭ, ପ୍ରବାହ ଓ ପରିଣତି-ସର୍ବତ୍ର ଉପଲବ୍ଧ ଓ ଉପଭୋଗ୍ୟ ହୋଇ ବ୍ରଜନାଥଙ୍କର ବିସ୍ମୟପ୍ରଦ ସାହିତ୍ୟିକ ସିଦ୍ଧିର ଜୈତ୍ର ଘୋଷଣା କଲା ।

 

ଚତୁର ବିନୋଦରେ ହାସ ଓ ବିନୋଦ

 

“ସାହିତ୍ୟିକ ଆଜିକାଲି ସେ ଯାହାହେଉନା କାହିଁକି, ଅତୀତରେ ସମାଜର ଫଟୋଗ୍ରାଫର ନ ଥିଲା

X X X X X X

ଭବିଷ୍ୟତକୁ ସମାଜର ନୃତାତ୍ତ୍ୱିକ ଅଧ୍ୟୟନ ପାଇଁ ଐତିହାସିକ ଉପାଦାନସ୍ୱରୂପ ବ୍ୟବହାର ହୋଇପାରିବ ବୋଲି କବି ସାହିତ୍ୟ କରୁନଥିଲା

X X X X X X

ବାସ୍ତବ ଜୀବନର ମୂଲ୍ୟବୋଧ ଓ ସାହିତ୍ୟର ମୂଲ୍ୟବୋଧ ମଧ୍ୟରେ ବିଶେଷ ଫାଙ୍କାଥିଲା । ସାହିତ୍ୟ ପ୍ରଚାରର ଦୁଇଟି ମୁଖ୍ୟପୀଠ ମଧ୍ୟରୁ ପୁରାଣପଣ୍ଡାଙ୍କ ଚୌପାଢ଼ୀ / ଭାଗବତ ଟୁଙ୍ଗୀ ମୁଖ୍ୟତଃ ଧର୍ମପ୍ରଚାର ପାଇଁ ଓ ରାଜସଭା ଆଦିରସ ଶୃଙ୍ଗାରର ଲେହନ ପାଇଁ ଆଗ୍ରହୀ ଥିଲା-। ପ୍ରଥମଟି ମେହନତୀ ଅଶିକ୍ଷିତ ସମାଜକୁ ଆଶ୍ୱାସନା ଦେଇ ପଲ୍ଲୀରେ ଓ ଦ୍ୱିତୀୟଟି ସମ୍ଭ୍ରାନ୍ତ ସମାଜକୁ ବିଳାସ ଯୋଗାଇବା ପାଇଁ ନଗରରେ କାର୍ଯ୍ୟ କରୁଥିଲା । ପୁରାଣପଣ୍ଡା ପାଇଁ ସବୁ ରସଗୁଡ଼ିକ ଗୌଣ, ବିଳାସ ପାଇଁ ଶୃଙ୍ଗାରୋତର ରସ ଗୌଣ । ତେଣୁ ପ୍ରାଚୀନ ସାହିତ୍ୟରେ ହାସ୍ୟାଦି ରସ ବିଶେଷ ଆଦର ପାଇ ପାରିନାହାନ୍ତି । କିନ୍ତୁ ପ୍ରାଚୀନ ସାହିତ୍ୟରେ ହାସ୍ୟରସର ସ୍ୱଳ୍ପତା ଦୃଷ୍ଟିରୁ ପ୍ରାଚୀନ ସମାଜରେ ହାସ୍ୟରସ ଆଦୃତ ହେଉନଥିଲା ଭାବିଲେ ଭୁଲ ହେବ ।’’ (ପ୍ରାଚୀନ ହାସ୍ୟ ସମୁଚ୍ଚୟ, ଲେଖକ ସହଯୋଗ ସମିତି, ଭୁବନେଶ୍ୱର-୧୯୮୦ ସମ୍ପାଦକ ସଚ୍ଚିଦାନନ୍ଦ ମିଶ୍ରଙ୍କ ମୁଖବନ୍ଧ ପୃକ-ଖ) ସେଥିପାଇଁ ଲୋକ ଓ ଅଭିଜାତ ଉଭୟ ସାହିତ୍ୟରେ ହାସ୍ୟରସର ପ୍ରବାହ ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ କ୍ଷୀଣ ଓ ଅପ୍ରଧାନ ପ୍ରତୀତ ହୋଇଥାଏ । ସାରଳା ମହାଭାରତର ମେଳକା ଅଳସୁଆ କଥା, ନରସିଂହ ସେଣଙ୍କର ‘ମଦନ ବେହା’, କୃଷ୍ଣଦାସଙ୍କର ‘ବୁଢ଼ାନାଉରୀ’, ଅଜ୍ଞାତନାମା କବିଙ୍କର ବିଭିନ୍ନ କଳସାଗୀତ, ସୁଆଦଖିଆ ଗୀତ, ବଳରାମ ଦାସଙ୍କର ‘ଅଖାଈ ନାନୀ ଚରିତ’, ଓ ‘ ବାଘବୋଲି’ ଇତ୍ୟାଦି ବହୁ ହାସ୍ୟରସାତ୍ମକ ରଚନାର ପରିଚୟ ମିଳୁଥିଲେ ହେଁ ବ୍ରଜନାଥ ବଡ଼ଜେନା (୧୭୩୦ -୧୮୦୦) ‘ଚତୁର ବିନୋଦ’ରେ ଏହି ରସକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିବାରେ ପ୍ରାଚୀନ ଓଡ଼ିଆ ସାହତ୍ୟରେ ଅଗ୍ରଣୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ମାତ୍ର ହାସ୍ୟାତ୍ମକ ବିଷୟର ସ୍ୱତନ୍ତ୍ର ବର୍ଣ୍ଣନା ପ୍ରଥମ କରି ପରିବେଷଣ କରିବାକୁ ଯାଇଥିବାରୁ, ରାଜଦରବାରରେ ପଢ଼ି ଶୁଣାଇବାକୁ ପଡ଼ିଥିବାରୁ, ଶିଷ୍ଟ-ଅଶିଷ୍ଟ ଲୋକରୁଚି ପରମ୍ପରାକ୍ରମେ ଶୃଙ୍ଗାରାନୁକୂଳ ଥିବାରୁ ମନେହୁଏ, ବ୍ରଜନାଥ ତତ୍‌କୃତ ହାସବିନୋଦର ମୁଖ୍ୟ ଗଳ୍ପକୁ ଶୃଙ୍ଗାରାତ୍ମକ କରି ଗଢ଼ି ତୋଳିଛନ୍ତି । କେଳିନଟ ନଗ୍ରର ରାଜା ଅଙ୍ଗଧରଙ୍କ କୁମ୍ଭକାର ଜାମାତା ସେନାପତି ଚଣ୍ଡଚକ୍ରର କନ୍ୟା ବିଳାପମୁଖୀ ସହିତ ମାର୍ଜାରମୁଖାର ପ୍ରଥମ ସାକ୍ଷାତ୍‍, ପରିଣୟ, ପ୍ରଣୟ ବ୍ୟାପାରର ହାସ୍ୟସ୍କର ବର୍ଣ୍ଣନା ଏହି ‘ବିନୋଦ’ର ମୁଖ୍ୟ ଉପଜୀବ୍ୟ । ପାତ୍ର ପାତ୍ରୀମାନଙ୍କର ଅଙ୍ଗବିକୃତି, ଚିତ୍ତବୈକଲ୍ୟ ଓ ଅବସ୍ଥା ପ୍ରତିକୂଳ କାର୍ଯ୍ୟକଳାପର ବିବୃତି ହାସ ଉଦ୍ରେକ ଲାଗି ଅଭିପ୍ରେତ । ଏଥିରେ ଉଦ୍ଦେଶ୍ୟ ସହିତ ଉପାୟର ଅସଙ୍ଗତି କଥାଭାଗକୁ ସମଧିକ ହାସ୍ୟଜର୍ଜର କରି ତୋଳିଛି । ପ୍ରତ୍ୟେକଟି ଶବ୍ଦ ଭିତର ଦେଇ ଉଚ୍ଚହାସ୍ୟର ଛଳନାଦ ଯେପରି ଝରିପଡୁଛି । ଏଥିରେ ସେପରି ଅନ୍ତରଙ୍ଗ ଉଲ୍ଲାସ ନାହିଁ, ମାତ୍ର କୌତୁକ ହାସ୍ୟର ଉଗ୍ରବ୍ୟଞ୍ଜନା ଭରି ରହିଛି । ରୀତି ପ୍ରାଧାନ୍ୟର ସତ୍ତାଗ୍ରାସୀ ପ୍ରଭାବରୁ ହାସବିନୋଦ ମୁକ୍ତ ହୋଇପାରିନାହିଁ । କଥାକାର ସ୍ୱକୀୟ ଅନ୍ତରଙ୍ଗ ଅନୁଭୂତି ବା ଭାବାବେଗ ମାଧ୍ୟମରେ ଏ ବିନୋଦ ପରିବେଷଣ କରିନାହାନ୍ତି । ସ୍ୱକୀୟ ବୁଦ୍ଧି, ଚାତୁର୍ଯ୍ୟ ଓ ବ୍ୟାବହାରିକ ଜ୍ଞାନର ପ୍ରଚଣ୍ଡ ପ୍ରୟୋଗ କରି ସେ ଗଢ଼ି ତୋଳିଛନ୍ତି ଅଭିଜାତ ହାସ୍ୟରସର ଉପାଦାନ । ଲୌକିକ ବ୍ୟଞ୍ଜନାର ଆବରଣ ଦେବାକୁ ଯାଇ ସେ ଶୃଙ୍ଗାର ନାମରେ ବୀଭତ୍ସତାର ଚିତ୍ର ଉତ୍ତୋଳନ କରିଛନ୍ତି । ଏହି ତଥାକଥିତ ବୀଭତ୍ସତାରେ ହାସ୍ୟର ଅଧିଷ୍ଠାନ; ଅନ୍ୟତ୍ର ନୁହେଁ; ଅନ୍ତତଃ କଥାକାରଙ୍କ ନିର୍ଦ୍ଧାରଣ ଅନୁସାରେ ନୁହେଁ । ଅତିହାସ ବିନୋଦର ‘ଅତି’ ଶବ୍ଦ ବୌଦ୍ଧିକତା ରସାଣିତ । ଏହି ଭାବରେ ଗଳ୍ପ କଥନର ଚମତ୍କାରିତା କିମ୍ବା ସଂଯୋଜନଗତ ବିଶେଷତା ପରିଦୃଷ୍ଟ ହୁଏ ନାହିଁ । ବ୍ରାହ୍ମଣ, ଜ୍ୟୋତିଷ, ବୈଦ୍ୟ ଓ ନାପିତଙ୍କର ଜାତିଗତ କାର୍ଯ୍ୟକଳାପର ବୈପରୀତ୍ୟସୂଚକ କଥନୀ ହାସ୍ୟ ସଞ୍ଚାର ଲାଗି କଷ୍ଟକଳ୍ପିତ ବୋଧହୁଏ । ଆଧୁନିକ ସାହିତ୍ୟିକ ନିର୍ଦ୍ଧାରଣ ଅନୁସାରେ ଏଥିରେ ବିମଳ ହାସ୍ୟ (Humour)ର ମାତ୍ରା ନ୍ୟୂନ । ଏହା ଏକ ବ୍ୟଙ୍ଗବ୍ୟଞ୍ଜନା, ହାସ୍ୟରଚନା ନୁହେଁ ।

 

ପ୍ରାଚୀନ ସାହିତ୍ୟିକ ଦୃଷ୍ଟିଭଙ୍ଗୀର ପରିପ୍ରେକ୍ଷୀରେ ଆଙ୍ଗିକ ଦୃଷ୍ଟିରୁ ହାସବିନୋଦର ହାସ୍ୟ ସାର୍ଥକ ଓ ଉପଭୋଗ୍ୟ । ବିଶେଷତଃ ଗଦ୍ୟକଥନୀର ମଧ୍ୟେ ମଧ୍ୟେ ପଦ୍ୟ, ସଂସ୍କୃତ ଶ୍ଳୋକ ଓ ଢମାଳୀର ପ୍ରୟୋଗ ଶ୍ରୋତା ଓ ପାଠକର ଓଷ୍ଠାଧରରେ କୌତୁକୋଚ୍ଛଳ ହାସ୍ୟଚ୍ଛଟା ଫୁଟାଇବାରେ ସକ୍ଷମ ହୋଇପାରିଛି । ମାର୍ଜରମୁଖା ପ୍ରଥମ ସାକ୍ଷାତରେ ବିଳାପମୁଖୀକୁ ପ୍ରୀତି ସମ୍ଭାଷଣ ଜଣାଇ ତା’ର ମନୋହରଣ କରିବାକୁ ଯେତେବେଳେ କହିଛି –

 

“ଦଉଡ଼ିରେ ଗୁନ୍ଥି ଦେବି କଉଡ଼ିର ମାଳା

ଗେଣ୍ଡାର ସୁନ୍ଦର ନୋଥ ନାକେ ଦେବି ବାଳା,

 

ଖପରା ପଦକ ଚକି ମୃତ୍ତିକାର ବଳା,

ବଡ଼ ବଡ଼ ଗରଗଡ଼ ହାର ଦେବି ଗଳା,

 

ନେତ୍ରେ ଗେରୁ ଗୋଳି ଦେବି ରାତ୍ରିଚର ମୁଖି,

ଜୁଣ କାଟି ବାସ ବୁଣି ପିନ୍ଧାଇବି ସଖି ... ’’

 

ତାହା ପାଠକରି ସେଥିରେ ଧ୍ୱନ୍ୟାତ୍ମକ ରୀତିରେ ଫୁଟି ଉଠିଥିବା ନିମ୍ନରୁଚି, କୁତ୍ସିତ-କର୍କଶ ବେଶଭୂଷଣର ପରିପାଟୀ ଲକ୍ଷ୍ୟକରି ପାଠକ ନ ହସି ରହିପାରେ ନାହିଁ । କିନ୍ତୁ ନାୟକଙ୍କୁ ସମ୍ବର୍ଦ୍ଧନା କରିବାକୁ ଯାଇ ବିଳାପମୁଖୀ ଗୁଆଭ୍ରମରେ ଆପଣା ସ୍ତନ ଛିଣ୍ଡାଇବା, ନାୟକ ନାୟିକାର ଗଣ୍ଡମଣ୍ଡଳ ଭୂଷଣ କରିବାକୁ ଯାଇ ଚାପୋଡ଼ ମାରି ତାର ଦାନ୍ତ ଝଡ଼ାଇ ଦେବା, ବିବାହ ପରେ ଆପଣାର ନେତ୍ର ଉତ୍ପାଟନ କରାଇବା ଓ କାନ୍ତ କାନ୍ତା ପରସ୍ପର ବୀଭତ୍ସ ରୀତିରେ ସଙ୍ଗମ ସୁଖ ଭୋଗ କରିବା ବିଷୟର ବର୍ଣ୍ଣନା ହାସ ପରିବର୍ତ୍ତେ ଜୁଗୁପ୍‌ସାହିଁ ଉଦ୍ରେକ କରିଥାଏ ।

 

ଆତ୍ମିକ ବିଚାରରେ ହାସବିନୋଦର ହାସ୍ୟ ଦୁର୍ବଳ ବୋଲି ପ୍ରତିପନ୍ନ ହୁଏ । ଏହି ବିନୋଦରେ ସାହିତ୍ୟିକ ହାସ୍ୟରସ ବ୍ୟାବହାରିକ ହାସ୍ୟଠାରୁ ପୃଥକ୍‌ ହୋଇ ପଡ଼ିବାରେ ବିଚିତ୍ରତା କିଛି ନାହିଁ । କାରଣ ଶୃଙ୍ଗାରିକତାର ଊଲମ୍ଫ ଝଙ୍କାର ମଧ୍ୟରେ ବିମଳ ହାସ୍ୟନିର୍ଝର ଏଠାରେ ଆତ୍ମସତ୍ତା ହରାଇ ବସିଛି । ବ୍ରଜନାଥଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ଏହା ଅଶ୍ଳୀଳ ଓ ବୀଭତ୍ସ ହୋଇପଡ଼ିବା ସଙ୍ଗେ ସଙ୍ଗେ ତାଙ୍କର ସର୍ଜନଗତ ଦୁର୍ବଳତାକୁ ବ୍ୟଞ୍ଜିତ କରିଛି । ବ୍ରଜନାଥ ବଡ଼ଜେନାଙ୍କ ଭଳି ଔଚିତ୍ୟବୋଧସମ୍ପନ୍ନ, କଳାବିଳାସ ଚତୁର ଶକ୍ତିଶାଳୀ ସ୍ରଷ୍ଟାଙ୍କ ଲେଖନୀରୁ ରସ ନାମରେ ରସାଭାସ ସୃଷ୍ଟି ହେବାର ଦେଖିଲେ କାଳିଦାସଙ୍କ ଶ୍ଳୋକ “ଏକୋହି ଦୋଷୋ ଗୁଣ ସନ୍ନିପାତେ...’’ ମନେପଡ଼େ । ଅଧ୍ୟାପକ ଦାଶରଥି ଦାସଙ୍କ ଉକ୍ତି ଏ ସମ୍ପର୍କରେ ପ୍ରଣିଧାନ୍ୟ ମନେହୁଏ । ସେ ଲେଖିଛନ୍ତି, ‘ଏସବୁ ପଢ଼ି ମନେହୁଏ ଆମର କବି ବ୍ରଜନାଥ ରାଜସଭାର ଭାଣ୍ଡପୁଣ୍ଡରୀକ ନ ଥିଲେ ତ ? ସେ ମଣିଷ ଓ ତାହାର ପ୍ରେମ ଓ ଯୌବନକୁ ନିଷ୍ଠୁର ପରିହାସରେ ବିକୃତ କରିଦେଇଛନ୍ତି । ରୀତିକାବ୍ୟର ମଣିଷ ଯେଉଁଠି ରୂପଲାବଣ୍ୟରେ ତଥା ପ୍ରେମ ଓ ଶୌର୍ଯ୍ୟରେ ସର୍ବତ୍ର ସ୍ୱର୍ଗର ଈର୍ଷା ଉପୁଜାଏ, ସେହି ଯୁଗର କଥା ସାହିତ୍ୟରେ ତାହାର ଏ ପରାଭବ ଦେଖିଲେ କବିଙ୍କୁ ବୁଝିବା କଷ୍ଟକର ହୋଇଉଠେ । ଏ କ’ଣ ଚିତ୍ତବୈକଲ୍ୟ ? ନିରର୍ଥକ ଭାଣ୍ଡାମି ? ଏ କ’ଣ ରୀତି ପ୍ରେମ ପ୍ରତି କ୍ରୂର ଉପହାସ ? ଏ କ’ଣ ସମଗ୍ର ମଣିଷ ଜାତି ପ୍ରତି ଅସୂୟାପ୍ରଣୋଦିତ ଏକ ବ୍ୟଙ୍ଗ ଚିତ୍ର ? ଯାହା ହେଉନା କାହିଁକି ସେ ଯୁଗରେ ଏପରି ହାସ୍ୟରସ ଯଥେଷ୍ଟ ଉତ୍ସାହ ଓ ଉତ୍ତେଜନା ସୃଷ୍ଟି କରିଥିବ ।’’ (ବଡ଼ଜେନା ପରିକ୍ରମା- ବିଦ୍ୟାପୁରୀ- ୧୯୭୨- ପୃ୧୫୮)

 

ବ୍ରଜନାଥଙ୍କର ହାସ୍ୟ ପରିବେଷଣରେ ଦୁର୍ବଳତା ବୌଦ୍ଧିକ ବିଚାର ମାନଦଣ୍ଡରେ ଧରାପଡ଼ୁଥିଲେ ହେଁ ସାହିତ୍ୟ-ରସାସ୍ୱାଦନ ଦୃଷ୍ଟିରୁ ଏହାକୁ ବିନୋଦଭାବେ ଗ୍ରହଣ କରାଯାଇପାରିବ-। ବସ୍ତୁତଃ ବ୍ରଜନାଥ ଚତୁର ବିନୋଦ କଥା ଗ୍ରନ୍ଥଟି ଲେଖିଛନ୍ତି ସାହିତ୍ୟାମୋଦୀଙ୍କର ବିନୋଦ ସମ୍ପାଦନା ଲକ୍ଷ୍ୟରେ । ସେଥିପାଇଁ ପ୍ରତ୍ୟେକ ବିନୋଦରେ ସେ ଏକ ପରେ ଏକ ଆମୋଦଦାୟକ କଥା ଖଞ୍ଜି ଯାଇଛନ୍ତି । କଥା କହିବାର ଭଙ୍ଗୀରେ, ଶବ୍ଦ ଯୋଜନାରେ, ପରିସ୍ଥିତିର ସମାବେଶରେ ଏହି ବିନୋଦ ଭାବର ସର୍ବମୟ ଅଭିବ୍ୟକ୍ତି ବ୍ରଜନାଥଙ୍କୁ ଆମ ନିକଟରେ ପ୍ରିୟତର କରାଇ ପାରିଛି ।

 

ବିନୋଦ ଚତୁଷ୍ଟୟ ନିର୍ମାଣ କରିବା ମୂଳରେ ବିନୋଦ ପରିବେଷଣ ଯେ ମୁଖ୍ୟ ଉଦ୍ଦେଶ୍ୟ, ଏହା ବ୍ରଜନାଥ ସୁହାଗୀ ମୁଖରେ ସ୍ପଷ୍ଟ କରି ଦେଇଛନ୍ତି, ଯଥା- ‘ଏହା ଶୁଣି ସୁହାଗୀ କହିଲା ହେ ମୋହନାଙ୍ଗ, ତେବେ କିଛି ହାସରସ କଥାଟିଏ କହ ଯେମନ୍ତେ ଚଞ୍ଚଳାକ୍ଷୀ ଶୁଣି ଉନ୍ନିଦ୍ର ହେବ, ବ୍ରତ ଫଳ ମିଳିବ ।’’ ଏଠାରେ ହାସରସ ବୋଲି ଚିତ୍ତବିନୋଦନୀୟ କଥାକୁ ଇଙ୍ଗିତ କରାଯାଇଛି । ତା ନ ହୋଇଥିଲେ କେବଳ ହାସ ବିନୋଦ ହିଁ ଅଭିବ୍ୟକ୍ତ ହୋଇଥାନ୍ତା- ଅନ୍ୟ ତିନୋଟି ବିନୋଦର ଆବଶ୍ୟକତା ପଡ଼ି ନ ଥାନ୍ତା । ଅନ୍ତର୍ଦୃଷ୍ଟିରେ ଲକ୍ଷ୍ୟ କଲେ ଜାଣି ହେବ ଯେ ହାସ ବିନୋଦରେ ପ୍ରତ୍ୟକ୍ଷ ଭାବରେ ହାସ୍ୟରସ ପରିବେଷଣ କରିବାକୁ ଚେଷ୍ଟା କରିଥିଲେହେଁ ଅନ୍ୟ ତିନୋଟି ବିନୋଦର ବହୁସ୍ଥଳରେ ବ୍ରଜନାଥ ହାସ୍ୟସ୍କର ପ୍ରସଙ୍ଗ ବୟାନ କେବଳ କରିନାହାନ୍ତି, ସ୍ଥୂଳ ଓ ସୂକ୍ଷ୍ମ ବ୍ୟଙ୍ଗ ମାଧ୍ୟମରେ ପାଠକର କୌତୂହଳକୁ ଉଚ୍ଚକିତ ଓ ଜାଗ୍ରତ କରି ଦେଇଛନ୍ତି । ଏହା ତାଙ୍କର ଅସାମାନ୍ୟ କୃତିତ୍ୱ । କେତେକ ଉଦାହରଣଦ୍ୱାରା ଉପରୋକ୍ତ ମନ୍ତବ୍ୟକୁ ସୁସ୍ପଷ୍ଟ ଓ ପ୍ରାଞ୍ଜଳ କରାଯାଉଛି । ‘ରସବିନୋଦ’ର ନର୍ମଦା କିଶୋରଚନ୍ଦ୍ର ଗୁପ୍ତ ପ୍ରଣୟ କାଳରେ ସ୍ୱୈରିଣୀ ନର୍ମଦା ଗଳାରୁ ମୁକ୍ତାମାଳା କିଶୋରଚନ୍ଦ୍ରଦ୍ୱାରା ଅପହୃତ ହେବା ପରେ ତା’ର ପ୍ରତିକ୍ରିୟା ଏକାନ୍ତ କୌତୁକପ୍ରଦ । ନାଟକୀୟ ଭାଷାରେ ବ୍ରଜନାଥ ଏହାର ଚିତ୍ର ବାଢ଼ିଛନ୍ତି -‘ରାତ୍ର ପାହାନ୍ତେ ନର୍ମଦା ଦେଖିଲା କଣ୍ଠରେ ମୁକ୍ତାମାଳା ନାହିଁ, ବିଚାରିଲା କିଶୋରଚନ୍ଦ୍ର ନେଲା । ମର୍ମକଥା ଅବା କାହାକୁ କହିବ । ଏମନ୍ତେ ଅତି ବିମୁଖରେ ଚକ୍ଷୁରେ ଲୋତକ ଠକାଇଲା ପରି କରି ପୁରଜନମାନଙ୍କ ଆଗକୁ ଯାଇ କହିଲା କି ଆଜି ମୋ ଧନ ଜୀବନ ଉପରେ ବ୍ୟାଘାତ ପଡ଼ିଲା । ‘କି କଥା ଗୋ’ ବୋଲି ପଚାରନ୍ତେ କହିଲା, ଏ ରାତ୍ରରେ ମୁଁ ପଲଙ୍କରେ ଶୋଇ ମୁକ୍ତାମାଳା କାଢ଼ି ଶେଯ ଉପରେ ଥୋଇଥିଲି । ମତ୍ତ ମୂଷିକେ ଆସି କେତେବେଳେ ମୁକ୍ତାମାଳା ନେଇଗଲା ମୁଁ ତାହା ନ ଜାଣେ ।’ ଏତଦ୍ଦ୍ୱାରା ନର୍ମଦାର ଦୁର୍ଦ୍ଦଶାରେ ଆମେ ହାୟ ହାୟ ନ କରି ଦାନ୍ତ ଚିପି ଚିପି ହସୁ ଓ ସ୍ୱୈରିଣୀ ଯେ ଆପଣାର ଉତ୍ସୃଙ୍ଖଳତାର ଉପଯୁକ୍ତ ଶାସ୍ତି ପାଇଛି, ଏହା ଜାଣି ଆମେ କୌତୁକ ଅନୁଭବ କରୁ - ବ୍ରଜନାଥଙ୍କର ଏକାନ୍ତ ଉଦ୍ଦେଶ୍ୟ ତାହାହିଁ । ସେହି କ୍ରମରେ ମଞ୍ଜରୀ-ଗିରିଧାରୀ ଦତ୍ତ ପ୍ରଣୟ ଆଖ୍ୟାନ, ତରଙ୍ଗନୟନୀ-ଭ୍ରମଣସିଂହ ଓ ରତ୍ନପ୍ରଭା-ବିନୋଦକନ୍ଦମାନଙ୍କର ଚୋରାପ୍ରୀତି ଜନିତ ଦୁର୍ଦ୍ଦଶା ଏକ ପକ୍ଷରେ ପ୍ରଚଣ୍ଡ ବ୍ୟଙ୍ଗ ଓ ଅନ୍ୟପକ୍ଷରେ କୌତୁକ ବା ବିନୋଦର ସଞ୍ଚାର କରିଥାଏ । ପ୍ରୀତିବିନୋଦର ଶଠପ୍ରୀତି ସନ୍ନିହିତ ଖର୍ବରୂପ ଜ୍ୟୋତି ପୁଞ୍ଜ ଓ ନୀଚପ୍ରୀତିର ଚନ୍ଦ୍ରଜ୍ୟୋତି-କୃଶପାଦ ଆଖ୍ୟାନର ସୁକ୍ଷ୍ମବ୍ୟଙ୍ଗ ପାଠକର ମନୋହରଣ କରିଥାଏ । ପ୍ରବଳ ଶଠ ପ୍ରୀତିରେ ମନୋହର ବଣିଆର ଲୋଭାସକ୍ତି ସହିତ ତା’ର ପତ୍ନୀ ସ୍ୱଚକ୍ଷୁରେ ରାଜୋପଭୁକ୍ତା ହେବା ଲକ୍ଷ୍ୟ କରିବା ପରେ ତାର ଅସହାୟ ଉକ୍ତିରେ ପାଠକର ମନ କରୁଣାର୍ଦ୍ର ହୋଇ ଉଠୁଥିଲେ ହେଁ ତାହା କମ୍‌ ଉପଭୋଗ୍ୟ ହୋଇନାହିଁ ।

 

ତେଣୁ କୁହାଯାଇପାରେ ଯେ ହାସ୍ୟରସର ପରିବେଷଣଦ୍ୱାରା ବ୍ରଜନାଥ ଆମକୁ ହସାଇ ନ ପାରିଲେ ମଧ୍ୟ ଚତୁର ବିନୋଦ କଥାରେ ପ୍ରାୟ ସର୍ବତ୍ର ସେ ଆମକୁ ହସାଇ ଲାଗିଛନ୍ତି । ଏଭଳି ହସାଇବାର ଉପାଦାନ ସେହି କାହାଣୀମାନଙ୍କର ଯୋଗ୍ୟତାରେ ଯେତେ ନିହିତ ନାହିଁ ସେତେ ଅଛି ବ୍ରଜନାଥଙ୍କ ପ୍ରୟୋଗକୁଶଳତାରେ ।

 

ଚତୁର ବିନୋଦରେ ବ୍ରଜନାଥଙ୍କ କବିତ୍ୱ ଓ ଚାତୁର୍ଯ୍ୟ

 

ବ୍ରଜନାଥଙ୍କ ସମଗ୍ର ସାହିତ୍ୟକୃତି ପ୍ରତି ଦୃଷ୍ଟିପାତ କଲେ ଜଣାଯାଏ, ତାଙ୍କର ସାହିତ୍ୟିକ ବ୍ୟକ୍ତିତ୍ୱ କାବ୍ୟ ପରମ୍ପରାରେ ସମ୍ବର୍ଦ୍ଧିତ କେବଳ ହୋଇନଥିଲା, ସାଧନା, ନିଷ୍ଠା ଓ ଅନ୍ତର୍ନିହିତ ଆସକ୍ତି ଯୋଗୁଁ ନିର୍ଜିତ ହୋଇଥିଲା । ସେଥିପାଇଁ ତାଙ୍କ ଲେଖନୀରୁ ‘ଚତୁର ବିନୋଦ’ ଭଳି କଥା ସାହିତ୍ୟର ଉଦ୍ଭବ ଯେତିକି ବିସ୍ମୟକର, ସେତିକି ଅସାମାନ୍ୟ ବୋଧହୁଏ । ନବନବୋନ୍ମେଷଶାଳିନୀ ପ୍ରଜ୍ଞାକୁ ପ୍ରତିଭା ବୋଲି ଯାହା କୁହାଯାଇଛି, ବ୍ରଜନାଥଙ୍କ ସାରସ୍ୱତ କୃତିତ୍ୱ ତାହା ପ୍ରମାଣିତ କରେ ।

 

ଚତୁର ବିନୋଦ କଥାର ପ୍ରାୟ ଏକ ଚତୁର୍ଥାଂଶ ପଦ୍ୟ ରଚନା ସମ୍ବଳିତ । ପରମ୍ପରାର ମୋହ, ଆବୃତ୍ତିଗତ ସୌକର୍ଯ୍ୟ ଅଥବା ସରସତାର ସଂଯୋଗ କଳ୍ପେ ଗଦ୍ୟ ରଚନାରେ ପଦ୍ୟର ବ୍ୟବହାର ସେ ଘଟାଇଥିବା ସମ୍ଭବ ହୋଇପାରେ । ମାତ୍ର ସେହି ପଦ୍ୟ ରଚନା ଓ ସେଗୁଡ଼ିକର ପ୍ରୟୋଗ କୁଶଳତାର ସ୍ୱତନ୍ତ୍ର ମୂଲ୍ୟମାନ ଯେ ଅସାଧାରଣ -ଏହା ସ୍ୱୀକାର୍ଯ୍ୟ । ସ୍ନାନରତା ଚଞ୍ଚଳାକ୍ଷୀର ଆବରଣମୁକ୍ତ ଓ ପରେ ଆଭରଣଯୁକ୍ତ ଅଙ୍ଗ ସୁଷମା ମୋହନାଙ୍ଗକୁ ଯେପରି ପ୍ରଲୁବ୍ଧ କରିଛି ତା’ର ବିବରଣୀ ଗଦ୍ୟରେ ପ୍ରକାଶ ପାଇଥିଲେ ସୌନ୍ଦର୍ଯ୍ୟର ଭାବଚେତନା ପ୍ରସ୍ତୁତ ପଦ୍ୟ ଅନୁରୂପ ଯେ ହୋଇଥାନ୍ତା, ଏହା ସନ୍ଦେହଜନକ । ନୀଳାଧରୀ ରାଣୀର ରୂପବର୍ଣ୍ଣନା ଯେ ଆବୃତ୍ତି ସୌକର୍ଯ୍ୟ ଯୋଗୁଁ ଉପଭୋଗ୍ୟ ହୋଇଥାଏ, ଏହା ପାଠକଲେ ଜାଣିହୁଏ । ପ୍ରଥମରୁ ମନେରଖିବାକୁ ହେବ ଯେ ଚତୁର ବିନୋଦ କଥା ପଢ଼ିବା ପାଇଁ ନୁହେଁ ଆବୃତ୍ତି ଧର୍ମିତାକୁ ଦୃଷ୍ଟିରେ ରଖି ଲେଖା ଯାଇଥିଲା । ଶ୍ରୋତାର ମନୋରଞ୍ଜନ କରିବା (ମନୋହରତି ଯା ଭୃଶଂ) ଲକ୍ଷ୍ୟରେ ରଚିତ ହୋଇଥିବାରୁ ଶ୍ରୁତିସୁଖକର ପଦଯୋଜନା ଓ ସୂକ୍ଷ୍ମ ଭାବ ସମ୍ବଳିତ ପଦ୍ୟରଚନା ପ୍ରତି ଏଥିରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଗଳ୍ପସାଗର ଯେପରି ଅନର୍ଗଳ ଗଦ୍ୟବାଚନର ମଧ୍ୟେ ମଧ୍ୟେ ସ୍ୱର, ଲୟ ଓ ଭଙ୍ଗୀ ସହିତ ପଦ୍ୟ ଆବୃତ୍ତି କରି ଏକତାନିକତା (monotony) ଭଙ୍ଗ କରିପାରିବେ, ସେଥିପାଇଁ ପଦ୍ୟ ଅଂଶଗୁଡ଼ିକ ପ୍ରତି ସତର୍କ ଦୃଷ୍ଟି ଦିଆଯାଇଛି । ଗଦ୍ୟ ମଧ୍ୟରେ ସ୍ୱତନ୍ତ୍ରଭାବରେ କେତେକ ବ୍ୟତିକ୍ରମ ସତ୍ତ୍ୱେ ଯଥାଯଥ ସ୍ଥଳରେ ସ୍ୱଭାବସୁନ୍ଦର ଧ୍ୱନିମଞ୍ଜୁଳ ସୁବିନ୍ୟସ୍ତ ପଦ୍ୟ ରଚନାର ସଂଯୋଜନ ଗଦ୍ୟସାହିତ୍ୟ ଭାବରେ ‘ଚତୁର ବିନୋଦ’କୁ ‘ରୁଦ୍ରସୁଧାନିଧି’ଠାରୁ ଉଚ୍ଚତର ବୋଲି ଚିହ୍ନାଇଥାଏ ।

 

‘ଚତୁର ବିନୋଦ’ରେ ସଂଯୋଜିତ ଗୀତଗୁଡ଼ିକ ନାଟକୀୟ ସଂଳାପ ଭଳି ଏକାନ୍ତ ଉପଭୋଗ୍ୟ । ଏଗୁଡ଼ିକର ଲଳିତ ଓ ସ୍ୱଭାବସୁନ୍ଦର ଆଙ୍ଗିକ ଓ ଭାବୋଦ୍ଦୀପକ ଆତ୍ମିକ ‘କଥା’ର ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟ ବର୍ଦ୍ଧନ କରିଛନ୍ତି ବୋଲି କହିବାକୁ ହେବ । ନୀତିବିନୋଦ କଥାରେ ଚିତ୍ରାଙ୍ଗୀ ମନ୍ତ୍ରୀପୁତ୍ରକୁ ଶୁଣାଇଥିବା ଗୀତଟିକୁ ଉଦାହରଣରୂପେ ଗ୍ରହଣ କରାଯାଇପାରେ- ଗତାନୁଗତିକ ରୂପକଳ୍ପର ବ୍ୟବହାର ସତ୍ତ୍ୱେ ଏହାର ଗୀତିସର୍ବସ୍ୱ ଆବେଦନ ଲକ୍ଷ୍ୟଣୀୟ ।

 

“କୁମୁଦ ଚନ୍ଦ୍ରମା ପ୍ରୀତି

ହେକେ କରିଛି ପ୍ରାଣପତି ହେ

ରବି ପଦ୍ମଭାବ କେ ଭାଙ୍ଗି ପାରିବ

ଯୁଗେ ଯୁଗେ ଅଛି କୀର୍ତ୍ତି ହେ । ୧।

ସମାନ କାମକୁ ରତି ହେ

ସମ ଶଚି ଦେବପତି ହେ

ଘନକୁ ବିଜୁଳି କମଳକୁ ବାରି

ନିଶି ଚନ୍ଦ୍ର ଏହି ମତି ହେ।୨।

 

 

ରସେ ଯାହା ମନ ଯହିଁ ହେ

ସେ ତାହା ଛାଡ଼ିବ କାହିଁ ହେ

ମଳୟ ପବନ ଛାଡ଼େ କି ଚନ୍ଦନ

ତରୁ ତହିଁ ଥିଲେ ଅହି ହେ ।୩।

ଯା ମନ ନ ରସେ ଯହିଁ ହେ

କେ ତା ମିଳାଇ ପାରଇ ହେ,

ଚମ୍ପାଫୁଲ ତହିଁ କଉଁ ଗୁଣ ନାହିଁ

ତାକୁ ଭୃଙ୍ଗ କରେ ଦ୍ରୋହୀ ହେ ।୪।

ସରସୀକି ଶୋଭା କଞ୍ଜ ହେ

ଗଗନକୁ ଦ୍ୱିଜରାଜ ହେ

ପୁରୁଷକୁ ଗୁଣ ତନୁକୁ ଭୂଷଣ

ଯୁବତୀମାନଙ୍କୁ ଲାଜହେ ।୫।

ସଦା ମୁଁ ଦାସୀ ତୁମ୍ଭର ହେ

ତୁମ୍ଭେ ମୋର ପ୍ରାଣେଶ୍ୱର ହେ

ମନମାଳା ଦେଇ ବରୁଅଛି ମୁହିଁ

ସଂଶୟ କିଛି ନ କର ହେ । ୬।’’

 

ବିଦଗ୍ଧ ପଦ ଯୋଜନାରେ କେବଳ ନୁହେଁ ଲୋକ ସାହିତ୍ୟର ପ୍ରଧାନ ଅଙ୍ଗ ଢଗ ଢମାଳି ରଚନାରେ ମଧ୍ୟ ବ୍ରଜନାଥଙ୍କର କବିତ୍ୱ ଓ ଭାବଚୟନ ମାଧୁରୀ ଏକାନ୍ତ ଉପଭୋଗ୍ୟ । ପ୍ରୀତି ବିନୋଦର ଶଠ ପ୍ରୀତିରେ ସନ୍ନିବେଶିତ ଢଗଟିରେ ଚାହାଁଣିଗତ ଚମତ୍କାରିତା ଲକ୍ଷ୍ୟଣୀୟ-

 

“ଅଜଣା ଲୋକ ସଙ୍ଗ

ପ୍ରଭାତ ରବି ରଙ୍ଗ

ଭୋକ ଆତୁର ବ୍ରତ

ଲୋଭୀ ସାମନ୍ତ ସତ, (ସତ୍ୟ)

ମୂର୍ଖ ନାୟକ ଚାଟ

ଆମବାତୁଆ ନାଟ

କୃପଣ ଜନ ଭୋଗ

ମୁଣ୍ଡବୋଝିଆ ପାଗ,

ସଦା ଋଣିଆ ଚାଷ

ନଈକୂଳିଆ ବାସ

ଅମଳଖିଆ ମନ

ପାପ ଅର୍ଜିତ ଧନ

ବିଧବା ନାରୀ ବେଶ

ଦାନ୍ତୁରୀ ମୁଖୀ ହାସ

ବୃଦ୍ଧ ନାୟକ ବାଳା

ଦରିଦ୍ର ପୁଅ ଲୀଳା

କିଣା ସେବକ କୋପ

ପୁରୁଣା ଗୁଣ ଚାପ

ସିଂହ ଦୁଆର ତେଲି

ଗୁହାଳ ପାଖ ବଲ୍ଲୀ

କଉଡ଼ି ଦିଆ ରତି

କପଟୀ ମିତ୍ର ପ୍ରୀତି

ବାଟ ଚଢ଼ାଇ ବସା

ଯେତେ କଥା କହିଲିରେ ମନ ମନୁଆଁ

ଏ ବେଳ ବେଳକୁ ହୋଏ ଲେକ ହସା ।’’

 

‘ଚତୁର ବିନୋଦ’ରେ ବ୍ରଜନାଥଙ୍କ ସ୍ରଷ୍ଟାପୁରୁଷ ଯେପରି ଆତ୍ମପ୍ରକାଶ କରିଛି, ସେଥିରୁ ଜଣାଯାଏ ସେ ପ୍ରଥମେ କବି ଓ ପରେ କଥକର ଭୂମିକା ଗ୍ରହଣ କରିଛନ୍ତି । କାରଣ ଚତୁର ବିନୋଦର ଛତ୍ରେ ଛତ୍ରେ ଚରିତ୍ରର ଅନ୍ତରଙ୍ଗ ପରିଚିତି ମଧ୍ୟରେ, ପରିବେଶର ସୂକ୍ଷ୍ମ ଅନୁଧ୍ୟାନ ପାଟବତାରେ ଏବଂ ଘଟଣାର ରସୋଚ୍ଛଳ ଅଭିବ୍ୟକ୍ତି ଭିତରେ ଆମେ କବି ବ୍ରଜନାଥଙ୍କୁ ପ୍ରତ୍ୟକ୍ଷ କରୁ । ଏପରିକି କଥକତାକୁ ହୃଦ୍ୟ ଓ ବ୍ୟଞ୍ଜନାତ୍ମକ କରି ତୋଳିବାରେ କାବ୍ୟିକ ଅପରିହାର୍ଯ୍ୟତାର ସ୍ଥୂଳ ପ୍ରୟୋଗ ମଧ୍ୟରେ ଆମେ କବି ବ୍ରଜନାଥଙ୍କୁ ସନ୍ଧାନ କରିଥାଉ । ଅଙ୍ଗସଙ୍ଗ ପ୍ରୟାସୀ ଆତୁର ମୋହନାଙ୍ଗକୁ ଏଡ଼ାଇବାକୁ ଯାଇ ଚଞ୍ଚଳାକ୍ଷୀ କହିଛି- ‘ଅମୃତ ଯେ ସ୍ୱର୍ଗରେ ଅଛି ସେ କେଡ଼େ ସ୍ୱାଦ ତାହା କେହି ପାଇନାହିଁ, ସମସ୍ତେ କହନ୍ତି ସେ ବଡ଼ ମଧୁର, ଏମନ୍ତ କହିବାରୁ ତାହା ଖାଇବାକୁ ଲୋଭ ବଢ଼ୁଥାଇ । ଖାଇଲାଠାରୁ, ଏରୂପେ ମଧୁର ସିନା,- ଏମନ୍ତ ଜାଣି ଆଉ ତା ଠାରେ କି ତେତେ ଲୋଭ ହେବ ? ସେଠାରୁ ଆଶା ତୁଟିବ । ଆଶା ତୁଟିଲେ ଅମୃତ ଅନାସ୍ଥ ହେବ ।’’

 

ଚଞ୍ଚଳାକ୍ଷୀର ଯୌବନ ଏଠାରେ ଅମୃତ ବୋଲି ବ୍ୟଞ୍ଜିତ ହୋଇଥିଲେହେଁ ବ୍ୟଞ୍ଜନାଟି କବିତ୍ୱ ଓ ଚାତୁର୍ଯ୍ୟମଣ୍ଡିତ । ଅନ୍ୟତ୍ର ରସବିନୋଦରେ ତରୁଣକାନ୍ତ ସୌନ୍ଦର୍ଯ୍ୟରେ ବିମୁଗ୍ଧା ହେମାଙ୍ଗୀର ହୃଦ୍‌ଗତ ଭାବକୁ ଜାଣିବା ପାଇଁ ହର୍ଷମତି ଯେତେବେଳେ ତରୁଣକାନ୍ତର ଚିତ୍ରପଟ ତାକୁ ଦେଖାଇଲା ‘ସେ ପଟ ଦେଖି ତାହାର ଯେଉଁ ଆନନ୍ଦ ଉପୁଜିଲାଟି ତାହା ବଚନେ କେ କହିବ । ଦରିଦ୍ର ଧନ, ଭୋଖୀ ଭୋଜନ; ରସିକ ଚିରପ୍ରବାସୀ ନବୀନ କାନ୍ତାକୁ ଦେଖିଲେ ଯେମନ୍ତେ ହୁଅନ୍ତି ତହିଁରୁ ସହସ୍ର ଗୁଣେ ଆନନ୍ଦ ହେଲା ତା ମନ ।’’- ଅନୁଭୂତିର ତୀବ୍ରତାକୁ ଅବସ୍ଥାଗତ ବିବିଧ ଦୃଷ୍ଟାନ୍ତ ମାଧ୍ୟମରେ ସୁସ୍ପଷ୍ଟ କରିବାକୁ ଯାଇ ବ୍ରଜନାଥ ଗଦ୍ୟରେ କବିତାର ସ୍ପର୍ଶ ଦେଇଛନ୍ତି ।
 

ଅବୟବର ସୌନ୍ଦର୍ଯ୍ୟ ପ୍ରଖ୍ୟାପନରେ, ପରିବେଶରସ୍ୱରୂପ କଥନରେ କିମ୍ବା ନିର୍ଦ୍ଦିଷ୍ଟ ଦୃଶ୍ୟର ଚିତ୍ତଗ୍ରାହୀ ଆଲେଖ୍ୟ ପ୍ରଦାନରେ କଥାକାରଙ୍କର କବିଚିତ୍ତତାର ଭୂୟସୀ ପରିଚୟ ଚତୁର ବିନୋଦରେ ପ୍ରକୀର୍ଣ୍ଣ । ରସ, ନୀତି ଓ ପ୍ରୀତିର ସଂଜ୍ଞା ନିରୂପକ ଶ୍ଳୋକାବଳୀ ବ୍ରଜନାଥଙ୍କ କବି ଲେଖନୀର ଶକ୍ତିମତ୍ତାକୁ ଦ୍ୟୋତିତ କରେ ।

 

ଚତୁର ବିନୋଦ-ଏହି ନାମକରଣରୁ ବ୍ରଜନାଥଙ୍କ ଚାତୁର୍ଯ୍ୟର ପରିଚୟ ମିଳେ । ଯଥାର୍ଥ ଭାବଗ୍ରାହୀ ଚତୁର ଗ୍ରାହକଙ୍କ ଲାଗି ବିନୋଦ ଚତୁଷ୍ଟୟର ଉପଯୋଗିତା ପ୍ରତି ସେ କେବଳ ଅଙ୍ଗୁଳି ନିର୍ଦ୍ଦେଶ କରିନାହାନ୍ତି, ଗ୍ରନ୍ଥ ସନ୍ନିହିତ କାହାଣୀ, ଉପକାହାଣୀ ଓ ଶାଖା କାହାଣୀମାନଙ୍କରେ ଏଥିପାଇଁ ପ୍ରଭୂତ ଶ୍ରମ ଓ ସାଧନାର ବିନିଯୋଗ କରିଛନ୍ତି । ପ୍ରତ୍ୟେକଟି ଚରିତ୍ର ଓ ପ୍ରତ୍ୟେକଟି ସ୍ଥାନର ନାମକରଣରୁ ତାଙ୍କର ଚାତୁର୍ଯ୍ୟ ପ୍ରବଣତାର ଦୃଷ୍ଟାନ୍ତ ଫୁଟି ଉଠିଛି । ଲକ୍ଷ୍ୟ କରିବାର ବିଷୟ ଯେ କର୍ମ ଅନୁରୂପ ନାମ ଯେପରି ହୁଏ, ପ୍ରଥମରୁ ଏ ଗ୍ରନ୍ଥରେ ସେଥିପ୍ରତି ଗୁରୁତ୍ୱ ପ୍ରଦାନ କରାଯାଇଛି । ପାତ୍ର-ପାତ୍ରୀ ବା ସ୍ଥାନ ବିଶେଷର ପରିଚୟ ଘଟଣାରୁ ଜଣାଯିବା ପୂର୍ବରୁ ନାମକରଣରୁ ଅନେକ ବିଷୟ ଅନୁମାନ କରିହୁଏ । ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଜ୍ଞାତ ହେବାପରେ ନାମଗୁଡ଼ିକୁ ଅନୁଧ୍ୟାନ କଲେ ନାମକରଣରେ ନିହିତ ଥିବା ପ୍ରତୀକଧର୍ମୀ ଇଙ୍ଗିତ ସ୍ପଷ୍ଟ ହୋଇ ଉଠେ-। ମଧ୍ୟଯୁଗୀୟ ଓଡ଼ିଆ କାଳ୍ପନିକ କାବ୍ୟମାନଙ୍କରେ ନାମକରଣ ବୈଚିତ୍ର୍ୟ ଯେପରି ସମ୍ପାଦିତ ହୋଇଥିଲା ବ୍ରଜନାଥ ସେହି ପରମ୍ପରାର ବିଶ୍ୱସ୍ତ ଓ ନିପୁଣ ଉତ୍ତର ସାଧକରୂପେ ‘ଚତୁର ବିନୋଦ’ରେ ସେହି ବିଧିସମ୍ମତ ସର୍ଜନ (classical) କଳାର ଚୂଡ଼ାନ୍ତ ସ୍ପର୍ଶ କରିଥିବା ମନେହୁଏ-। କାରଣ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ଅନ୍ୟ କୌଣସି କୃତିରେ ଏତେଗୁଡ଼ିଏ ଚରିତ୍ର ଓ ସ୍ଥାନର ସମାବେଶ ଘଟିବାର ଦେଖାଯାଏ ନାହିଁ । ଅଧିକନ୍ତୁ କ୍ଳାସିକ୍‌ ସୃଷ୍ଟିରେ ଯେପରି ସାଧାରଣତଃ ପ୍ରତ୍ୟେକଟି ଶବ୍ଦ ନିର୍ଦ୍ଦିଷ୍ଟ ଅର୍ଥ ବହନ କରିଥିବାର ଲକ୍ଷ୍ୟ କରାଯାଏ, ଚରିତ୍ର ଓ ସେମାନଙ୍କ ବିଚରଣ ସ୍ଥଳୀର ବିବିଧତା ଓ ବିପୁଳତା ସତ୍ତ୍ୱେ ଚତୁର ବିନୋଦରେ ତାହାର ସାମାନ୍ୟତମ ବ୍ୟତିକ୍ରମ ଘଟି ନ ଥିବା ଜଣାଯାଏ । ଏଥିରେ ନାମକରଣ ଲାଗି ବ୍ୟବହୃତ ପ୍ରତ୍ୟେକଟି ଶବ୍ଦ ରୂପ, ଗୁଣ ଓ କର୍ମ ଦୃଷ୍ଟିରୁ ତାତ୍ପର୍ଯ୍ୟପୂର୍ଣ୍ଣ । ଏଠାରେ ପ୍ରେମିକମାନଙ୍କର ନାମ ମୋହନାଙ୍ଗ, ତରୁଣକାନ୍ତ, କିଶୋର ଚନ୍ଦ୍ର, ଗିରିଧାରୀ ଓ ବିନୋଦକନ୍ଦ । ପ୍ରେମିକାଗଣ ଚଞ୍ଚଳାକ୍ଷୀ, ହେମାଙ୍ଗୀ, ନର୍ମଦା, ମଞ୍ଜରୀ, ରତିପ୍ରିୟା, ବିନୋଦିନୀ, ତରଙ୍ଗନୟନୀ ନାମରେ ନାମିତ ହୁଅନ୍ତି । କୁଟ୍ଟିନୀଙ୍କର ନାମ କାମମତ୍ତା ଓ ହର୍ଷମତୀ । ରାଜ୍ୟମାନଙ୍କର ନାମ ରସାଳ କାଞ୍ଚନ, କେଳିନଟ, ମୋତିମାଳା, କାଞ୍ଚନବତୀ, ତମାଳକାନ୍ତ, କୀର୍ତ୍ତିମଣ୍ଡନ, ବିଚିତ୍ର ତୁଙ୍ଗ, ଚନ୍ଦ୍ର ବିମ୍ବ, ବିଦ୍ରୁମମାଳୀ, ରାସରଙ୍ଗ, ଧର୍ମପାଳ, ହେମବତୀ । ରାଜାମାନଙ୍କୁ ଅଙ୍ଗଧର, ପୂର୍ଣ୍ଣକାମ, ଅମରକନ୍ଦ, ଚନ୍ଦ୍ରାଲୋକ, ଗୁଣଗୌର, ଚଣ୍ଡବାହୁ, ବୀରତୁଙ୍ଗ, ଭୁଜବଳ, କେଳିଗୁପ୍ତ ନାମରେ ଅଭିହିତ କରାଯାଇଛି । ବ୍ରାହ୍ମଣମାନଙ୍କର ନାମ ଦିଆଯାଇଛି କୁଶଳକର୍ମା, ପୁଣ୍ଡରୀକ, ଗୋପକଦମ୍ବ, ଚକ୍ରରାଶି । ଜ୍ୟୋତିପୁଞ୍ଜ, ଖର୍ବରୂପ, ମାର୍ଜାରମୁଖା, ବିଳାପମୁଖୀ, ରସପୁର, ମନୋହର, ଖଞ୍ଜନୀ, ବଳିମୁଖା, ଗନ୍ଧର୍ବକୁଳ, ନେତ୍ରାମୋଦ, ମଞ୍ଜୁଳରୂପ, ଭୀମମୁଖା, ଭ୍ରମଣସିଂହ ଇତ୍ୟାଦି ନାମ, ଜାତି, କୁଳ, ବୃତ୍ତି ଓ ରୀତିଗତି ଦୃଷ୍ଟିରୁ ଲାକ୍ଷଣିକ ପ୍ରତୀୟମାନ ହୁଅନ୍ତି ।

 

ପ୍ରତ୍ୟେକଟି କାହାଣୀ ଓ ତତ୍‌ସମ୍ପୃକ୍ତ ଉପକାହାଣୀର ସଂଯୋଜନରେ ବ୍ରଜନାଥଙ୍କର ଶିଳ୍ପ ଚାତୁର୍ଯ୍ୟ ସୁପ୍ରେକ୍ଷ । ପରିମିତ ଭାଷା ପ୍ରୟୋଗରେ ଭାବ ପ୍ରକାଶନ ସଂହତି ଚତୁର ବିନୋଦ କଥାରେ ବ୍ରଜନାଥଙ୍କର ନିରୁପମ ସିଦ୍ଧି । ଏଥିରେ ବର୍ଣ୍ଣନ ବିଳାସ ରହିଛି, ମାତ୍ର ତାହା ଅତିରଞ୍ଜନମୁକ୍ତ । ପାଣ୍ଡିତ୍ୟର କର୍ଷଣ ଥାଇ ବି ଏହା ଲୋକସାହିତ୍ୟ ଭଳି ହୃଦ୍ୟ ଓ ସର୍ବଜନଗ୍ରାହୀ । ସମଗ୍ର କଥାଗ୍ରନ୍ଥଟି ଦେହାଶ୍ରୟୀ ଶୃଙ୍ଗାରାତ୍ମକ ଘଟଣାବଳୀରେ ଆପ୍ଳୁତ ହୋଇଥିଲେହେଁ ଶୃଙ୍ଗାରିକତା ଏହାର ଶେଷ କଥା ବା ଚୂଡ଼ାନ୍ତ ଆବେଦନ ନୁହେଁ । ଗତାନୁଗତିକତାର ଅନୁସରଣରେ ଏହା ଗଢ଼ି ଉଠିଥିଲେ ମଧ୍ୟ ଚାହାଁଣୀର ଚମତ୍କାରିତା ଓ ମୌଳିକ ସର୍ଜନଶୀଳତାର ସ୍ପର୍ଶରେ ଏହା ସ୍ୱକୀୟ ଓ ଅନବଦ୍ୟ ।

 

ଚତୁର ବିନୋଦରେ ସମାଜ ଚେତନା ଓ ଚରିତ୍ର ଚିତ୍ର

 

ସାମରିକତା ପରିବର୍ତ୍ତେ ଧର୍ମପ୍ରବଣତାର ପ୍ରାଧାନ୍ୟ ଯୋଗୁଁ ହେଉ କିମ୍ବା ପରାଧୀନତା-ଜନିତ ଆତ୍ମଗ୍ଳାନିର ପ୍ରଭାବାଚ୍ଛନ୍ନ ହେବାରୁ ହେଉ ସାରଳା ମହାଭାରତ ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ ଓଡ଼ିଆ ସମାଜ ଜୀବନ ପ୍ରାୟଶଃ ଉପେକ୍ଷିତ ହୋଇଥିଲା । ବନମାଳୀ ଦାସଙ୍କର ‘ଚାଟ ଇଚ୍ଛାବତୀ’ ବା ପୁରୁଷୋତ୍ତମ ଦାସଙ୍କ ‘କାଞ୍ଚିକାବେରୀ’ରେ ପରିଦୃଶ୍ୟମାନ ସମାଜ ଚେତନାର ସୁଦୃଶ୍ୟ ପ୍ରବାହ ଆଳଙ୍କାରିକ ହଠକାରିତା ମଧ୍ୟରେ ପରବର୍ତ୍ତୀ କାଳରେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସତ୍ତା ହରାଇ ବସିଥିଲା ବେଳେ ‘ଚତୁର ବିନୋଦ’ରେ ତା’ର ଉତ୍ତରଳ ଧାରା ଜାତୀୟ ସାହିତ୍ୟରସ୍ୱରୂପ ଉଦ୍‌ଘାଟନ କରିଥିବାର ଲକ୍ଷିତ ହୁଏ । ଏପରିକି ଲେକାୟତ କାବ୍ୟମାନଙ୍କରେ ସମାଜ ଚେତନାର ସ୍ୱରୂପ ଯେତେବେଳେ ଥିଲା ଅପୂର୍ଣ୍ଣ ଓ ଖଣ୍ଡିତ, ବାସ୍ତବତା ପରିବର୍ତ୍ତେ କଳ୍ପନା ବିଳାସ ନିର୍ଭର ଶାସ୍ତ୍ରସମ୍ମତ ଆଳଙ୍କାରିକ ମଣ୍ଡନ ବିଶେଷ, ସେତେବେଳେ ‘ଚତୁର ବିନୋଦ’ରେ ବାସ୍ତବତା ସମ୍ବଳିତ ସମାଜ ଚରିତ୍ରର ଅଭିବ୍ୟକ୍ତି ଅନବଦ୍ୟ ବୋଧ ହୁଏ; ହେବା ସ୍ୱାଭାବିକ ।

 

ହାସ ବିନୋଦର ମାର୍ଜାରମୁଖା-ବିଳାପମୁଖୀ ପରିଣୟ, ନୀତିବିନୋଦର ଚିତ୍ରାଙ୍ଗୀକନ୍ୟା ପ୍ରସଙ୍ଗ,ବିମ୍ବୋଷ୍ଠ ଶୁକ ଓ ଚିତ୍ରକଣ୍ଠିକା ଶାରୀଙ୍କର ନ୍ୟାୟ ବିଚାର, ପ୍ରୀତିବିନୋଦର ନୀଚ ପ୍ରୀତି ଓ ସହଜ ପ୍ରୀତିରେ ବର୍ଣ୍ଣିତ ଆଖ୍ୟାନ ବ୍ୟତୀତ ଚତୁର ବିନୋଦର ଅନ୍ୟ ସମସ୍ତ ଆଖ୍ୟାନରେ ବାସ୍ତବତାଧର୍ମୀ ସମାଜ ଓ ବ୍ୟକ୍ତି-ଜୀବନ ଚିତ୍ର ଉତ୍ତୋଳିତ ହୋଇଛି । ଚିତ୍ରକୁ ସୁଦୃଶ୍ୟ ଓ ଉପଭୋଗ୍ୟ କରିବା ଲକ୍ଷ୍ୟରେ କଥାକାର ସ୍ଥଳବିଶେଷରେ କଳ୍ପନାର ରଙ୍ଗ ବୋଳି ଦେଇଛନ୍ତି ମାତ୍ର । ମୋହନାଙ୍ଗର ଚଞ୍ଚଳାକ୍ଷୀକୁ ପ୍ରଣୟ ଯାଚଜ୍ଞାଠାରୁ କେଳିଗୁପ୍ତ ରାଜାର ଖଞ୍ଜନୀ ଉପଭୋଗ ପର୍ଯ୍ୟନ୍ତ ପ୍ରତ୍ୟେକଟି କାହାଣୀ ବା ଆଖ୍ୟାନରେ ତତ୍କାଳୀନ ସାମାଜିକ ଜୀବନଚର୍ଯ୍ୟାର ପ୍ରତିଫଳନ ଘଟିଛି । ରାଜା, ରାଜପୁତ୍ର ଓ ରାଜାଶ୍ରୟୀ ବ୍ୟକ୍ତିମାନଙ୍କର ଲାମ୍ପଟ୍ୟ ଓ ରସିକତା ସେକାଳର ବହୁ ଆଚରିତ ପ୍ରତ୍ୟକ୍ଷ ଉପଲବ୍‌ଧିର ବିଷୟ । ଇତିହାସ ଓ ଐତିହାସିକ ସାହିତ୍ୟ ଏହାର କେତେକ ସାକ୍ଷ୍ୟ ବହନ କରେ । ତେଣୁ କଥାର ଆମୁଖ ରାଜପୁତ୍ର ମୋହନାଙ୍ଗର ବୈଶ୍ୟକନ୍ୟା ଚଞ୍ଚଳାକ୍ଷୀ ପ୍ରତି ଆକର୍ଷଣ ଓ ତା’ର ଅନୁଗମନର କାହାଣୀରେ କୃତ୍ରିମ ଭାବବିଳାସ ପରିବର୍ତ୍ତେ ସ୍ୱାଭାବିକ ଜୀବନ ଯାତ୍ରାର ଏକ ଆଲେଖ୍ୟ ଫୁଟି ଉଠେ । ହାସ ବିନୋଦ ଏକ ଗାଲୁଗଳ୍ପ ହେଲେ ମଧ୍ୟ ବ୍ୟଙ୍ଗ ବ୍ୟଞ୍ଜନା ମାଧ୍ୟମରେ ବ୍ୟଷ୍ଟି ଭିତର ଦେଇ ସମଷ୍ଟିର ସଙ୍କେତ ଏଠାରେ ବିଦ୍ୟମାନ । ବ୍ରାହ୍ମଣ, ବୈଦ୍ୟ, ଜ୍ୟୋତିଷ ଓ ନାପିତମାନଙ୍କର ଉକ୍ତିରେ ଅତି ହାସ ବିନୋଦର ସମାଜ ଚେତନା ସୂଚିତ । ରସବିନୋଦ କତିପୟ ସମ୍ଭୋଗକାମୀ ଯୁବକ-ଯୁବତୀଙ୍କର ସଂଗୁପ୍ତ ପ୍ରଣୟ ଅଭିସାରର ବାସ୍ତବଧର୍ମୀ ଆଲେଖ୍ୟ ବହନ କରେ । ନୀତିବିନୋଦରେ ପରମ୍ପରାର ଅନୁସରଣ ଏହାର ସାମାଜିକ ଆଭିମୁଖ୍ୟ ସ୍ପଷ୍ଟ ଚିହ୍ନାଇ ଦିଏ । ମନେହୁଏ, ଏ କାହାଣୀର ବ୍ୟଖ୍ୟାନ ମୁଖ୍ୟତଃ ଜନଶ୍ରୁତିରୁ ଆହୃତ । ସାକ୍ଷୀଗୋପାଳଙ୍କ ଆବିର୍ଭାବ ସମ୍ବନ୍ଧୀୟ ଜନଶ୍ରୁତିମୂଳକ ‘କାଞ୍ଚିକାବେରୀ’ କାବ୍ୟବର୍ଣ୍ଣିତ ଗାଥାର ଅନୁରୂପତା ଏଥିରେ ଲକ୍ଷ୍ୟ କରାଯାଏ । ପ୍ରୀତିବିନୋଦର ଶଠପ୍ରୀତି, କାର୍ଯ୍ୟଘେନାପ୍ରୀତି ଓ ପ୍ରବଳ ଶଠ ପ୍ରୀତିର ଦୃଷ୍ଟାନ୍ତମୂଳକ କାହାଣୀମାନଙ୍କରେ ବାସ୍ତବ ଜୀବନ ଚିତ୍ର ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଭଳି ପ୍ରତୀୟମାନ ହୁଏ । ବସ୍ତୁତଃ ରସ, ନୀତି ଓ ପ୍ରୀତି ବିନୋଦମାନଙ୍କରେ ଚରିତ୍ର ବିଶେଷଙ୍କର ଅସହାୟତା, ସଙ୍କଟବୋଧ, ପ୍ରଣୟ ଅଭିସାର, ନ୍ୟାୟବିଚାର, ଚୌର୍ଯ୍ୟାପରାଧ, ପ୍ରବଞ୍ଚନା ଓ ସ୍ୱାଭିମାନର କାହାଣୀରେ ସମାଜ ଦୃଷ୍ଟ ଚିତ୍ର ସର୍ବତୋଭାବେ ପ୍ରତିଫଳିତ । ମାତ୍ର ଏଭଳି ଉଦ୍ୟମର ପ୍ରାଥମିକ ଫଳଶ୍ରୁତି ହେତୁ ଏ ପ୍ରତିଫଳନ ଆଶାନୁରୂପ ସ୍ପଷ୍ଟ, ଉଗ୍ର, ମାର୍ଜିତ ଓ ଉଦବୋଧକ ହୋଇନାହିଁ । ଏକ ପକ୍ଷରେ କାବ୍ୟ ଜଗତର ବଳିଷ୍ଠ ପ୍ରଭାବ ଓ ଅପର ପକ୍ଷରେ ସମାଜ ଚେତନାର ସ୍ୱତଃସ୍ପୂର୍ତ୍ତ ଆବେଦନର ମଧ୍ୟସ୍ଥଳରେ ଆନ୍ଦୋଳିତ ବ୍ରଜନାଥ ମାନସର ସନ୍ତାନରୂପେ ‘ଚତୁର ବିନୋଦ’ ର ଆବିର୍ଭାବ ଘଟିଥିବାରୁ ସମାଜ ଚେତନା ସୁପ୍ରକଟ ହେଲେ ମଧ୍ୟ ଦୁର୍ବଳ ପ୍ରତୀତ ହୁଏ । ଆପଣା ବ୍ୟକ୍ତିଗତ ଅବସ୍ଥାନର ଊଦ୍ଧ୍ୱର୍କୁ ବ୍ରଜନାଥ ଉଠିପାରି ନ ଥିଲେହେଁ ସୀମିତ ପରିସର ମଧ୍ୟରେ ସ୍ଥାନକାଳପାତ୍ରର ସମମାତ୍ରିକ ବ୍ୟବହାର ‘ଚତୁର ବିନୋଦ’ରେ ତାଙ୍କର ଅଭୂତପୂର୍ବ ସଫଳତା ବୋଲି ସ୍ୱୀକାର କରିବାକୁ ହେବ ।

 

ଇଂରାଜୀ ସାହିତ୍ୟରେ ‘କ୍ୟାଣ୍ଟର୍‌ବରି ଟେଲ୍‌ସ୍‌’ ପାଇଁ ଚସ୍‌ର ଓ ଫରାସୀ ସାହିତ୍ୟରେ ‘ଡେକାମେରନ୍‌’ ପାଇଁ ଗିଓଭାନି ବୋକ୍‌କାସିଓ ଯେପରି ସମାଜ ସଚେତନ ଆଦ୍ୟ କଥାକାରରୂପେ ସମ୍ମାନିତ ହୁଅନ୍ତି, ଓଡ଼ିଆ ସାହିତ୍ୟରେ ବ୍ରଜନାଥ ବଡ଼ଜେନା ସେହିପରି ‘ଚତୁର ବିନୋଦ’ରେ ସର୍ବପ୍ରଥମ ସମାଜ ଓ ସେଥିରେ ଆତଯାତ ବିବିଧ ବ୍ୟକ୍ତିଙ୍କର ଚରିତ୍ର ଓ କାର୍ଯ୍ୟକଳାପକୁ ମୁଖ୍ୟ ସ୍ଥାନ ଦେଇ ଥିବାରୁ ଅଗ୍ରପୂଜ୍ୟ କଥାକାରର ସମ୍ମାନ ଲାଭ କରିପାରନ୍ତି । ଅବଶ୍ୟ ଏହା ସ୍ୱୀକାର୍ଯ୍ୟ ଯେ ବ୍ରଜନାଥ ଚସର ବା ବୋକ୍‌କାସିଓଙ୍କ ଭଳି ବ୍ୟାପକ ସାମାଜିକ ଦୃଷ୍ଟିକୋଣର ପରିଚୟ ଦେଇନାହାନ୍ତି । କେବଳ ପ୍ରଣୟ ବ୍ୟାପାରର ବ୍ୟାଖ୍ୟାନରେ ସେ ସମଗ୍ର କଥାଗ୍ରନ୍ଥଟି ସମାପ୍ତ କରିଛନ୍ତି । ମାତ୍ର ତୁଳନାତ୍ମକ ବିଚାରରେ ସମାଜ ଚେତନାର ପ୍ରତ୍ୟକ୍ଷ, ବାସ୍ତବ ଓ ଅନୁଭୂତ ପ୍ରାୟ ଘଟଣାର ଆଶ୍ରୟରେ ଓଡ଼ିଆ ସାହିତ୍ୟରେ କଥା ସାହିତ୍ୟର ସେ ଆଦି ନିର୍ମାତା ।

 

କାବ୍ୟ ସାହିତ୍ୟର କ୍ଷୟମାଣ ଯୁଗରେ ଚତୁର ବିନୋଦର ସୃଷ୍ଟି ଘଟିଥିଲେହେଁ ବ୍ରଜନାଥ ସଶଙ୍କ ଚିତ୍ତରେ ଏହି ଗଦ୍ୟକୃତିଟିକୁ ନିର୍ମାଣ କରିଥିବା ମନେହୁଏ । କାଳ୍ପନିକ କାବ୍ୟମାନଙ୍କର ଉପଜୀବ୍ୟରୂପେ ଯେଉଁ ପ୍ରଣୟ ବ୍ୟାପାର ଦୀର୍ଘ ଦୁଇ ଶତାବ୍ଦୀ ଧରି ପାଠକ ସାଧାରଣଙ୍କର ରୁଚି ଓ ଆଗ୍ରହକୁ ଆଚ୍ଛନ୍ନ କରିଥିଲା ବ୍ରଜନାଥ ହୁଏତ ଜାଣିଶୁଣି ସେହି ପରମ୍ପରା ଅନୁସରଣରେ ଆପଣାର କଥାଗ୍ରନ୍ଥଟିର ଆଖ୍ୟାନ ବସ୍ତୁକୁ ଶୃଙ୍ଗାରାଭିମୁଖୀ କରାଇଛନ୍ତି । ସେ ଇଚ୍ଛା କରିଥିଲେ ଏଥିରୁ ନିଜ କଥାଗ୍ରନ୍ଥଟିକୁ ଯେ ମୁକ୍ତ କରିପାରିଥାନ୍ତେ, ଏହାର ବଳିଷ୍ଠ ସୂଚନା ସେ ଏଥିରେ ଛାଡ଼ିଯାଇ ଅଛନ୍ତି । ତା ସତ୍ତ୍ୱେ ଏହି କଥାଗ୍ରନ୍ଥଟିରେ ପ୍ରଣୟ ରୂପାୟନର ସର୍ବବ୍ୟାପୀ କୋଳାହଳ ମଧ୍ୟରେ ପ୍ରଣୟେତର ଭାବ ଭାବନାର ଗୁଞ୍ଜନ ଯେପରି ଅସ୍ପଷ୍ଟ ହୋଇ ପଡ଼ିଛି, ଏହା ସେହି ଗ୍ରନ୍ଥ ରଚନାର ଏକ ଉଲ୍ଲେଖନୀୟ ଦୁର୍ବଳତା ବୋଲି ଗ୍ରହଣ କରିବାକୁ ହୋଇଥାଏ ।

 

ସମ୍ବେଦନହୀନ ଭାବରେ ଦେଉ ପଛକେ ସର୍ବ ପ୍ରଥମେ ଓଡ଼ିଆ ସାହିତ୍ୟ ରାଜ୍ୟରେ ସମାଜର ତଥାକଥିତ ନିମ୍ନଶ୍ରେଣୀ ଚରିତ୍ରମାନଙ୍କୁ ଅବହେଳାର ରାଜମାର୍ଗରୁ ସାଉଁଟି ଆଣି ବ୍ରଜନାଥ ସ୍ୱକୃତ କଥାଗ୍ରନ୍ଥରେ ସ୍ଥାନ ଦେଇଛନ୍ତି । ସେମାନଙ୍କୁ ସାହିତ୍ୟ ସଂସାରର ଅଙ୍ଗୀଭୂତ କରାଇଛନ୍ତି । ସଂକ୍ଷିପ୍ତ ଓ ସୀମିତ ପରିସର ମଧ୍ୟରେ ସେମାନଙ୍କର କାର୍ଯ୍ୟକଳାପ ଓ ଗତିଭଙ୍ଗୀକୁ ଆଖ୍ୟାୟିତ ଓ ତଦ୍ଦ୍ୱାରା ସମ୍ମାନିତ କରିଛନ୍ତି । ରାଜା, ରାଜପୁତ୍ର, ବୈଶ୍ୟ, ସାଧବ, ବ୍ରାହ୍ମଣ, ବୈଦ୍ୟ, ବୈଶ୍ୟକନ୍ୟା, ମନ୍ତ୍ରୀକନ୍ୟା, ମାଲ୍ୟାଣୀ, ସଖୀ, ବ୍ରାହ୍ମଣୀ, କୁଟ୍ଟିନୀ, କଟୁଆଳ, ଶବର, ଦ୍ୱାରୀ, ଗୁରୁ ଗୋସାଇଁ, ଶୁଣ୍ଢୀ, ମାଦଳିଆ, ଗୋପାଳ, ନାପିତ ଇତ୍ୟାଦି ପର୍ଯ୍ୟାୟରୁ ଚରିତ୍ରଗଣ ସଂଗୃହୀତ ହୋଇ ‘ଚତୁର ବିନୋଦ’ର କଥା ଭାଗରେ ଅଂଶ ଗ୍ରହଣ କରିଛନ୍ତି । ମାତ୍ର ଅଳ୍ପ କେତେକ ସ୍ଥଳରେ ମନମନୁଆଁ ନାପିତର ଶଠତାରେ ବଶୀଭୂତ ହୋଇ ସରଳମନା କର୍ମପୂର ଭଳି ତୀର୍ଥଯାତ୍ରୀ ବ୍ରାହ୍ମଣ ସଞ୍ଚିତ ଅର୍ଥ ହରାଇବସିବା କିମ୍ବା କୁନ୍ଦରେଖା ବ୍ରାହ୍ମଣ କୁମାରୀର ପାଣି ଗ୍ରହଣ ପାଇଁ ତିନି ଜଣ ବ୍ରାହ୍ମଣ ଯୁବକଙ୍କ ଦାବି ଯୋଗେ ନ୍ୟାୟ ପ୍ରମାଣର ଅନୁଷ୍ଠାନ ବ୍ୟତୀତ ଏ କଥାଗ୍ରନ୍ଥରେ ସର୍ବତ୍ର ଆସଙ୍ଗଲିପ୍‌ସୁ ଯୁବକ ଓ କାମୋନ୍ମାଦିନୀ ଯୁବତୀମାନଙ୍କର ଚରିତ୍ର ଓ ଆଚରଣ ହିଁ ଅଭିବ୍ୟକ୍ତି ଲାଭ କରିଛି । ମୋହନାଙ୍ଗ-ଚଞ୍ଚଳାକ୍ଷୀଙ୍କର ଦେହାଶ୍ରୟୀ ପ୍ରଣୟ କାମନାରୁ କଥାଗ୍ରନ୍ଥଟିର ଯେପରି ପ୍ରାରମ୍ଭ ଘଟିଛି, କେଳିଗୁପ୍ତ ରାଜାର ଖଞ୍ଜନୀ ଉପଭୋଗ ଜନିତ ଉତ୍କଟ କାମୋପଭୁକ୍ତିରେ ତାର ପରିସମାପ୍ତି ମଧ୍ୟ ସେହିପରି ସଂଘଟିତ ହୋଇଛି । ମାତ୍ର ଏ ସମସ୍ତ ବର୍ଣ୍ଣନାର ସ୍ଥୂଳତାକୁ ଭେଦ କରି ପ୍ରଣୟୀ ପ୍ରଣୟିନୀଙ୍କର ଚରିତ୍ର କୁତ୍ରାପି ଊଦ୍ଧ୍ୱର୍କୁ ଗତି କରି ପାରି ନାହିଁ । ମନେହୁଏ, ଏହି କାମାସକ୍ତ ଚରିତ୍ରଗଣ କୁଞ୍ଜଗଳୀ ଶାରୀ ପଢ଼ୁଥିବା

 

“ଚୁଁ ଚୁଁ ଝମ୍‌ ଝମ୍‌, ଝଣ ଝଣ କିଣି କିଣି

ହୁଁ ହୁଁ ନାଁ ନାଁ ଦେ ଦେ ମଣି ମଣି ’’ –

 

ଏହି ନିନାଦ ମଧ୍ୟରେ ଆପଣାର ସମସ୍ତ ପ୍ରତିକ୍ରିୟାକୁ ସୀମିତ ରଖିଛନ୍ତି । କାହାଣୀ ବୟାନର ମନୋହାରିତା ମଧ୍ୟରେ ଏହି ଚରିତ୍ରମାନଙ୍କର ପ୍ରଭାବ କ୍ଷୀଣରୁ କ୍ଷୀଣତର ହୋଇପଡ଼ିଛି । କଥାବସ୍ତୁ ଚରିତ୍ରମାନଙ୍କୁ ଗ୍ରାସ କରିଥିବା ଯୋଗୁଁ ଚରିତ୍ରଗଣ ଆପଣା ଆପଣାର ଔଜଲ୍ୟ ହରାଇ ବସିଛନ୍ତି । ନୀତି ବିନୋଦରେ ଚରିତ୍ରମାନଙ୍କର ପ୍ରାଧାନ୍ୟ ଅନୁଭୂତ ହେଉଁ ନ ହେଉଁଣୁ ଘଟଣାର ଘନଘଟା ମଧ୍ୟରେ ସେମାନେ ଆତ୍ମସତ୍ତା ହରାଇ ବସିଛନ୍ତି । ଅର୍ଥାତ୍‌ କୁନ୍ଦରେଖା ବ୍ୟତୀତ ଅନ୍ୟ କୌଣସି ଚରିତ୍ରର ଯଥାର୍ଥ ଅନ୍ତରଙ୍ଗ ଚିତ୍ର ପରିବେଷିତ ହୋଇପାରିନାହିଁ । ସେଥିପାଇଁ ଚତୁର ବିନୋଦ ଗଳ୍ପର ଆଭାସ ମାତ୍ର ବରଣ କରି ଗତାନୁଗତିକ କାହାଣୀରେ ପର୍ଯ୍ୟବସିତ ହୋଇଯାଇଛି ।

 

ଓଡ଼ିଆ ସାହିତ୍ୟରେ ଚତୁର ବିନୋଦର ସ୍ଥାନ

 

ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ଅଙ୍ଗୀଭୂତ କେବଳ ଗଦ୍ୟ ରଚନା ନୁହେଁ, ବହୁବିଧ ଆଙ୍ଗିକ ବୈଚିତ୍ର୍ୟ ସମ୍ପନ୍ନ ପଦ୍ୟରଚନାବଳୀ ମଧ୍ୟରେ ‘ଚତୁର ବିନୋଦ’ଭାଷା, ଭାବ, ଚରିତ୍ରଚିତ୍ର ଓ ପରିବେଷଣ ରୀତି ଦୃଷ୍ଟିରୁ ଅନନ୍ୟ ସୃଷ୍ଟି ଭାବରେ ବିବେଚିତ ହୁଏ । ବିଶିଷ୍ଟତାବ୍ୟଞ୍ଜକ କଥା ସାହିତ୍ୟର ଏହା ଆଦି ଶଙ୍କୁ । ଶୃଙ୍ଗାରୀ ଭାବ ଭାବିତ ଉଚ୍ଚାଟନ ଧର୍ମୀ ରଚନା ହେଲେହେଁ ସମଭାବ ସମ୍ବଳିତ କାବ୍ୟ ସାହିତ୍ୟର ଗତାନୁଗତିକ ଆତ୍ମିକ ବୈଭବଠାରୁ ସାମାଜିକ ଭାବଚେତନାର ପ୍ରତିଫଳନରେ, ବାସ୍ତବ ଜୀବନ କ୍ଷେତ୍ରରୁ ଆହୃତ ଚରିତ୍ରମାନଙ୍କର ସ୍ୱଭାବସୁନ୍ଦର ଆଲେଖ୍ୟ ଅଙ୍କନରେ, ପରିବେଷଣଗତ ଚାତୁର୍ଯ୍ୟରେ ଲକ୍ଷଣୀୟ ଭିନ୍ନତା ‘ଚତୁର ବିନୋଦ’କୁ ଆଧୁନିକ ଓଡ଼ିଆ ଗଳ୍ପ ସାହିତ୍ୟର ସର୍ବାଦ୍ୟ ସ୍ଫୁରଣରୂପେ ଚିହ୍ନିତ କରିଦିଏ । ସୀମିତ ପରିସର ମଧ୍ୟରେ ହେଉ ପଛକେ ‘ଚତୁର ବିନୋଦ’ରେ ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପର ପ୍ରାଣଧର୍ମ ସର୍ବପ୍ରଥମ ଅଭିବ୍ୟକ୍ତି ବରଣ କରିଥିବା ହେତୁ ଏ ଗ୍ରନ୍ଥଟିର ସମ୍ମାନ ଅତୁଳନୀୟ । ‘ସୋମନାଥ ବ୍ରତ କଥା’ ବା ‘ରୁଦ୍ର ସୁଧାନିଧି’ କେହି ହେଲେ ସେ ସମ୍ମାନ ଦାବି କରିନପାରନ୍ତି । ଏହା କହିବା ଭ୍ରାନ୍ତିଜନକ ହେବ ନାହିଁ ଯେ ‘ଚତୁର ବିନୋଦ’ ଓଡ଼ିଆ ଗଦ୍ୟ ସାହିତ୍ୟର ଯୁଗୋପଯୋଗୀ ଉତ୍ତରଣର ସାର୍ଥକ ପ୍ରତିନିଧି । ନିଚ୍ଛକ କାଳ୍ପନିକତାର ବନ୍ଧନରୁ ସାହିତ୍ୟ ସୃଷ୍ଟିକୁ ମୁକ୍ତ କରି ବାସ୍ତବ ଜୀବନର ଯୋଗସୂତ୍ରତାରେ ଗ୍ରଥିତ କରିବା କ୍ଷେତ୍ରରେ ଏହା ହେଉଛି ପ୍ରଥମ ବଳିଷ୍ଠ ଉଦ୍ୟମର ଫଳଶ୍ରୁତି । ଜୀବନ ସହିତ ସାହିତ୍ୟର ଯେ ନିବିଡ଼ ସମ୍ବନ୍ଧ ରହିଛ ଓ ତାହା କେବଳ କଳ୍ପନାସର୍ବସ୍ୱ ଆବେଗପ୍ରବଣତାର ଆଧେୟ ନ ହୋଇ ବାସ୍ତବ ଆନନ୍ଦ ବିଷାଦର ଧୂପଚ୍ଛାୟାକୁ ରୂପାୟିତ କରିବା ସଙ୍ଗେ ସଙ୍ଗେ ସାହିତ୍ୟିକ ଆମୋଦ ଓ ବିନୋଦ ପ୍ରଦାନରେ ସମର୍ଥ- ଓଡ଼ିଆ ସାହିତ୍ୟରେ- ‘ଚତୁର ବିନୋଦ’ରେ ସର୍ବପ୍ରଥମ ଏହା ପ୍ରଦର୍ଶିତ ଓ ଉଦଘୋଷିତ ।

 

‘ଚତୁର ବିନୋଦ’ ଗଦ୍ୟରଚନା ଭାବରେ ଆଧୁନିକ ଓଡ଼ିଆ ଗଦ୍ୟ ବିଶେଷତଃ କଥା ସାହିତ୍ୟର ଗଦ୍ୟରଚନାର ନିକଟବର୍ତ୍ତିତ୍ୱର ବଳିଷ୍ଠ ସୂଚନା ପ୍ରଦାନ କରୁଥିବାରୁ ଏହାର ସାହିତ୍ୟିକ ମୂଲ୍ୟ ବହୁଗୁଣିତ ବୋଧହୁଏ । ବ୍ରଜନାଥଙ୍କ ପରେ ବ୍ରଜମୋହନ (ଫକୀରମୋହନଙ୍କ ବାଲ୍ୟନାମ)ଙ୍କ କଥା ସାହିତ୍ୟର ଆଙ୍ଗିକ ଆଧୁନିକ ଓଡ଼ିଆ ଗଦ୍ୟ ଭାଷା ଓ ପ୍ରକାଶଭଙ୍ଗୀକୁ ଜୀବନ୍ୟାସ ଦେଇଥିବାର ଜଣାଯାଏ । ଉଭୟଙ୍କ ଗଦ୍ୟ ରଚନାର ପ୍ରକାଶ ଭଙ୍ଗୀରେ କେତେକ ସୌସାଦୃଶ୍ୟ ସ୍ପଷ୍ଟତଃ ପରିଦୃଷ୍ଟ ହୁଏ । ନିମ୍ନୋଦ୍ଧୃତ ଗଦ୍ୟାଂଶ ଦୁଇଟି ଲକ୍ଷ୍ୟ କରାଯାଇପାରେ–

 

“ସେ ଯେ ରସସାଗର ନାମେ ଏକ ନଗର ଅଛି । ସେ ରାଜ୍ୟ ରାଜା ନାମ ଅମରକନ୍ଦ, ତାହାଙ୍କ ନବରରେ ରତିପ୍ରି୍ରୟା ବୋଲି ଏକ ପାଳତୀ ଥିଲା; ସେ ରତିପ୍ରିୟା ସଙ୍ଗେ ସେହି ନଗ୍ର କଟୁଆଳିପୁଅ ସୁବଳ ସିଂହ ପ୍ରୀତି କରିଥାଏ । କିରୂପେ କି ? ନା ସେ ରାଜା ରାତ୍ରରେ ବାହାର ଅବକାଶ ହେଲାବେଳେ ସ୍ତ୍ରୀ ବେଶ ଧରି ନହରରେ ପଶଇ...’’

 

(ଚତୁର ବିନୋଦ- ରସ ବିନୋଦ )

 

“କଟକ ଜିଲ୍ଲାର ହରିହରପୁର ପ୍ରଗନା ମଧ୍ୟରେ ଗୋଟିଏ ମଫସଲ ଗ୍ରାମ, ନାମ ପାଟପୁର ।

X X X X X

ଶ୍ୟାମବନ୍ଧୁ ମହାନ୍ତି ଜମିଦାର ତରଫରୁ ଗ୍ରାମର କରଣ, ମାସକୁ ଦରମା ଦୁଇ ଟଙ୍କା

X X X X X

ସଂସାର ଏକରକମ ଚଳେ । ଏକରକମ କିଆଁ ? ବୋଇଲେ ଭଲ ଚଳେ ।’’

 

(ରେବତୀ- ଫକୀରମୋହନ)

 

ବ୍ରଜନାଥ ଓ ବ୍ରଜମୋହନଙ୍କ ମଧ୍ୟରେ ସାହିତ୍ୟ ସାଧନା କ୍ଷେତ୍ରରେ ଅନ୍ୟୂନ ଶତାଧିକ ବର୍ଷର ବ୍ୟବଧାନକୁ ଦୃଷ୍ଟିରେ ରଖି ଗଦ୍ୟଶୈଳୀର ଅନୁଧ୍ୟାନ କରିବାକୁ ହେବ । ବ୍ରଜନାଥଙ୍କ ପରଠାରୁ ଯେଉଁ କେତେକ ଗଦ୍ୟରଚନା ଫକୀରମୋହନଙ୍କ ପର୍ଯ୍ୟନ୍ତ ଦେଖାଯାଏ, ସେଥିରେ ବିବର୍ତ୍ତନର ପଦଧ୍ୱନି ସ୍ପଷ୍ଟ ନ ହେଲେ ହେଁ ସେ ସବୁକୁ ଉପେକ୍ଷା କରାଯାଇନପାରେ । ବ୍ରଜନାଥଙ୍କ ପରବର୍ତ୍ତୀ କବି ବଳଦେବ ରଥଙ୍କ ‘ହାସ୍ୟ କଲ୍ଲୋଳ’ ଏ ପ୍ରସଙ୍ଗରେ ସ୍ମରଣୀୟ । ବ୍ରଜନାଥ ‘ହାସବିନୋଦ’ରେ ଯେଉଁ ଆଙ୍ଗିକ ଓ ଆତ୍ମିକର ସୂତ୍ରପାତ କରିଥିଲେ ‘ହାସ୍ୟକଲ୍ଲୋଳ’ ସେହି ଶୈଳୀର ଏକ ବିଦଗ୍ଧ ପ୍ରତିରୂପ । ‘ହାସବିନୋଦ’ରେ ହାସ୍ୟ ଉଦ୍ରେକ ପାଇଁ ବ୍ରଜନାଥ ଯେପରି ବ୍ୟଙ୍ଗାତ୍ମକ ପଦବିନ୍ୟାସ ମାଧ୍ୟମରେ ନୀଳାଧରୀ ରାଣୀର ରୂପବର୍ଣ୍ଣନା ସହିତ ସଂସ୍କୃତ ଭାଷାରେ ଲାଳିକା ବ୍ୟବହାର କରିଛନ୍ତି ବଳଦେବ ସେହିପରି ରାଜ୍ୟ, ରାଜା, ରାଜପାରିଷଦ, ନଗ୍ରଜନମାନଙ୍କର ସ୍ୱଭାବ-ଚରିତ୍ରର ବ୍ୟଙ୍ଗାତ୍ମକ ବିବରଣୀ ସହିତ ଆଶୀର୍ବାଦ ଶ୍ଳୋକାଦିର ଲାଳିକା ରଚନା କରିଅଛନ୍ତି, ଯଥା : “ଭଲ୍ଲାତକର୍ଣ୍ଣ ବୋଲି ସେ ରାଜ୍ୟର ମହାରାଜା X X X ତାଙ୍କର ନୀତି କିପରି ? X X ସୂର୍ଯ୍ୟୋଦୟକୁ ଘେନି ବେଳ ଦୁଇଘଡ଼ି ପର୍ଯ୍ୟନ୍ତେ ଅନ୍ତଃପୁରେ ବିଜେ ହୁଅନ୍ତି । ଏହି ସମୟରେ ଖନ୍ଦା ଫରମାସି ହୁଅଇ - ଚୁଚୁନ୍ଦ୍ରା ମାଂସ ପଲଉକୁ ପେଚା ପକ୍ଷୀ ଝୋଳ । ନ ଅଣ୍ଟିଲାପରି ମହାସୁଆରକୁ ଖନ୍ଦା ଫରମାସି ହୁଅଇ । X X X ସୁକୁମାର ମଣୋହି ବଢ଼ିଲା ଶେଷରେ ଅନାଚାର ଆଚମନ ବଢ଼ଇ । X X ପୁରୋହିତ ଅକଲ୍ୟାଣ ମହାପାତ୍ର ଗୋସାଇଁ ଆସି ଅମଙ୍ଗଳାରୋପଣ ସାରି ଏପରି ଆଶୀର୍ବାଦ ଦିଅନ୍ତି । କିରୂପେ କି –

 

ରାସଭ ସ୍କନ୍ଧ ମାରୂଢ଼ୌ ଗୃଧ୍ର ଗୋମାୟୁ ଭକ୍ଷତାମ୍‌ ।

କୁଟୁମ୍ବଃ କ୍ଷୀଣତାଂ ଯାତୁ ଯୋଷିତ୍‌ ଭ୍ରଷ୍ଟା ତବାସ୍ତୁହି ।’’ *

 

ବ୍ୟଙ୍ଗ ଓ ହାସ୍ୟର ଏହି ପରମ୍ପରା ଫକୀରମୋହନଙ୍କ ଲେଖନୀରେ ରୂପାୟଣ ବରଣ କରିଛି । ଭବ୍ୟ ଓ ମାର୍ଜିତ ‘ଛ’ମାଣ ଆଠଗୁଣ୍ଠ’ରେ ଚମ୍ପାର ରୂପବର୍ଣ୍ଣନା ଭିତରେ ହାସବିନୋଦର ନୀଳାଧରୀ ରାଣୀର ଛାୟା ଦେଖାଯାଏ, ଯଥା :

 

“ନୀଳାଧରୀ ନାମେ ସେ ରଜାଙ୍କର ରାଣୀ

ସୁନ୍ଦର ପଣରେ ରମ୍ଭା ବୃକ୍ଷର ଠାଣି,

ତାଙ୍କର ତ ଲମ୍ବ ଲମ୍ବ କୁଚ

ଭାଲପଟ ଉଚ୍ଚ

ମନ୍ଦାର ଫୁଲ ନେତ୍ର

ହୀରା ସମାନ ଗାତ୍ର

ଶଙ୍ଖ ସୁନ୍ଦର ନାସା,

ମୟୂରକଣ୍ଠ ଭାଷା

ବିପୁଳ ଚାରୁ ପାଦ

ଗମନେ ଟେକ ନାଦ,

ମୃଦଙ୍ଗ ମୋଟ କଟି

ଦଶମାସ ଗର୍ଭ ହେଲାପରି

ବନ୍ଧ୍ୟାରାଣୀର

ସର୍ବଦା କାଳେ

ଆଗକୁ ବାହାରି ଥାଇ ଥନ୍ତୋଲ ପେଟ ଗୋଟି ।’’

 

ଚମ୍ପାର ରୂପ ବର୍ଣ୍ଣନା ଲକ୍ଷ୍ୟଣୀୟ :

 

“କଜ୍ଜ୍ୱଳ ପୂରିତ ଲୋଚନ ଭାଲେ

ଗୁଣ୍ଡି ମିଶାଖିଲ୍ଲୀ ଗୁଞ୍ଜିତ ଗାଲେ

ତୈଳ ଦରିଦ୍ରା ରଞ୍ଜିତ ଦେହେ

କୁକ୍‌କୁରୀବ ଶୀଘ୍ରଂ ଧାବତି ଗେହେ

ଷୋଳହାତୀ ଶାଢ଼ୀ ବିସ୍ତୃତ କଚ୍ଛେ

ଥୋପଭିଡ଼ା ଜୁଡ଼ା ଶୋଭିତ ଉଚ୍ଚେ ।

ଦୁମୁଦୁମୁ ଗୁମୁଗୁମୁ ଚଳନଂ ତସ୍ୟା

ଚଳତି ବା ଧାବତି ବିଷମ ସମସ୍ୟା ’’

 

X X X X X

 

ବ୍ୟଙ୍ଗୋକ୍ତିରେ ମଧ୍ୟ ଫକୀରମୋହନ ଓ ବ୍ରଜନାଥଙ୍କ ମଧ୍ୟରେ ସୌସାମ୍ୟ ପରିଦୃଷ୍ଟ ହୁଏ । ବ୍ରାହ୍ମଣବଂଶୋଦ୍ଭବ ବ୍ୟକ୍ତିଙ୍କର ଅବ୍ରାହ୍ମଣ କାର୍ଯ୍ୟକଳାପକୁ ଉଭୟେ ବ୍ୟଙ୍ଗ କରିଛନ୍ତି ।

 

ବ୍ରଜନାଥଙ୍କ ଉକ୍ତିରେ :

 

“ବଙ୍କଟ କେଙ୍କଟ ମଣ୍ଡୁକ ତୁଣ୍ଡା

ବିକଟ ମୁହାଁ ଅତି ଝାମ୍ପୁରା ମୁଣ୍ଡା

ଲୋହିତ ଈକ୍ଷଣ ଶୋଭିତ ଆବୁ

ବୈଦିକ ବ୍ରାହ୍ମଣ ଚିହ୍ନେ ଏ ବାବୁ ।

ପାହାନ୍ତି ଖାଇ, ଯେ ବାହାନ୍ତି ଗାଈ,

ଚାହାଁନ୍ତି କେବଳ ମାଉସୀ ମାଇଁ

ମାହାନ୍ତି ସାଇଜ୍ଞା ଥାଆନ୍ତି ବହି ସେ,

କାହାନ୍ତି ଏମନ୍ତ ପଣ୍ଡିତ ମହୀରେ ।’’

ଫକୀରମୋହନ ଲେଖିଛନ୍ତି :

 

“ଶୁଣ ପରୀକ୍ଷ ନରନାଥ

ତାମ୍ପଡ଼ା ଶୁଖୁଆ ପଖାଳ ଭାତ ।

ସି-ଅକ୍ଷର ବିବର୍ଜିତ

ଚିତା ପଇତାଦି ଶୋଭିତ ।

ବିଲ ବାଛିବାକୁ ଆଗ

ଦହିଚୁଡ଼ାକୁ ବାଘ ।

ସନ୍ଧ୍ୟାଗାୟତ୍ରୀ ହୀନ

ବିଲରୁ ଚିପନ୍ତି ମୀନ ।

ପୋଥିରୁ ନ ଫିଟେ ଡୋରି

ଯଜମାନ ଚାଉଳ ଚୋରୀ ।

ସଭାରେ ନ ଫିଟେ ପାଟି

ନାମଟି ସୁନ୍ଦର ତ୍ରିପାଠୀ ।’’

 

ଯେତେଦୂର ଜଣାଯାଏ ସଂସ୍କୃତ ଶ୍ଳୋକର ହାସ୍ୟସ୍କର ଲାଳିକା ରଚନାରେ ବ୍ରଜନାଥ ଓଡ଼ିଆ ସାହିତ୍ୟରେ ପ୍ରଥମ ଆତ୍ମପ୍ରକାଶ କରିଛନ୍ତି । ଏଥିରେ ମଧ୍ୟ ଫକୀରମୋହନଙ୍କର ତାଙ୍କ ସହିତ ସାଦୃଶ୍ୟଗତ ଆଭାସ ଲକ୍ଷ୍ୟଣୀୟ ହୋଇ ପଡ଼ିଛି ।

 

ବ୍ରଜନାଥଙ୍କ‘ହାସବିନୋଦ’ରେ ବ୍ରାହ୍ମଣର କଲ୍ୟାଣ ଶ୍ଳୋକ :

 

“ଅଷ୍ଟଚଣ୍ଡୀ କରାଳୀଚ

ଚାମୁଣ୍ଡା ଭ୍ରଦକାଳିକା

ଖାଇ ବଂଶ ତୁଚ୍ଛା ତୋର

କରନ୍ତୁ ନିଜ ମନ୍ଦିର ।

ସନ୍ନିପାତ ତ୍ରିଦୋଷଂଚ

ଉଦରୀ ଗ୍ରହଣୀ ହଗା

ତାଳୁକା କାମଳ ବ୍ୟାଧି

ପାଇ ସର୍ବେ ସୁଖୀ ହୁଅ ।’’

 

‘ଛ’ ମାଣ ଆଠଗୁଣ୍ଠ’ରେ ବୁଢ଼ୀମଙ୍ଗଳାଙ୍କ ବନ୍ଦନା :

 

‘ଯା ଦେବୀ ବୃକ୍ଷମୂଳେଷୁ ଶିଳାରୂପେଣ ସଂସ୍ଥିତା

ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ

ମୃତ୍ତିକାଶ୍ୱଗଜାରୂଢ଼ା ବନ୍ଧ୍ୟାୟା ପୁତ୍ର ଦାୟିନୀ

ବାଡ଼ି ସଂହାରିଣୀ ଦେବୀ ନାରାୟଣୀ ନମୋସ୍ତୁତେ ।’’

 

ଉପରୋକ୍ତ ଉଦ୍ଧୃତିମାନଙ୍କର ଅନୁଧ୍ୟାନରୁ ଏତିକି ଅନ୍ତତଃ ସୁସ୍ପଷ୍ଟ ଜଣାଯାଏ ଯେ ହାସ୍ୟ ଓ ବ୍ୟଙ୍ଗ ରଚନାର ଭାବସ୍ପନ୍ଦନ ଦୃଷ୍ଟିରୁ ବ୍ରଜନାଥ ଓଡ଼ିଆ ସାହିତ୍ୟରେ ଅଗ୍ରସୂରୀ । ଯୁଗୋପଯୋଗୀ ଭାଷାବିନ୍ୟାସ ଓ ଚରିତ୍ର ଚିତ୍ରଣ ଫକୀର ମୋହନଙ୍କ ବୈଶିଷ୍ଟ୍ୟ । ସଚେତନ ଭାବରେ ହେଉ ବା ସ୍ୱତଃସ୍ପୂର୍ତ୍ତ ଭାବରେ ହେଉ ଫକୀରମୋହନଙ୍କ ଗଳ୍ପ-ଉପନ୍ୟାସରେ ଯେ ପାରମ୍ପରିକ ଓଡ଼ିଆ ଗଦ୍ୟଶୈଳୀର ଅନୁବର୍ତ୍ତନ ଘଟିଛି, ଏହା ବ୍ରଜନାଥଙ୍କ ‘ଚତୁର ବିନୋଦ’ ମାଧ୍ୟମରେ ଅନୁଧ୍ୟାନ କଲେ ଅଧିକ ସ୍ପଷ୍ଟ ହୋଇଉଠେ । ଆପଣା ଦେଶର ଭାଷା ଓ ସମାଜ ସମ୍ପର୍କରେ ଘନିଷ୍ଠ ଅବହିତ ଆତ୍ମସଚେତନ ଏହି ସ୍ରଷ୍ଟାଦ୍ୱୟ ଅନୁଭୂତି ସମ୍ବଳିତ କଥା ସାହିତ୍ୟ ଗଢ଼ିଥିବାରୁ ଉଭୟଙ୍କ ରଚନାରେ ଆତ୍ମିକ ସାମଞ୍ଜସ୍ୟ, ସୌନ୍ଦର୍ଯ୍ୟ ଓ ବୈଶିଷ୍ଟ୍ୟ ଫୁଟି ଉଠିଛି ।

 

‘ଚତୁର ବିନୋଦ’ ୧୯୨୨ ଓ ୧୯୪୪ ମସିହାରେ ମୁଦ୍ରିତ ପ୍ରକାଶନ ଲାଭ କରିଥିଲେ ହେଁ ୧୯୪୬ ମସିହାରେ ସୁଧାକର ପଟ୍ଟନାୟକଙ୍କର ସମ୍ପାଦନାରେ ଯଥାସମ୍ଭବ ଶୁଦ୍ଧ ଓ ମୌଳିକସ୍ୱରୂପ ସହ ପୁନଃପ୍ରକାଶ ଲାଭ କରିବା ପରେ ଓ ପ୍ରାଚୀ ସମିତିଙ୍କ ପୃଷ୍ଠପୋଷକତା ବରଣ କରିବା ଯୋଗୁଁ ସୁଧୀ ସାହିତ୍ୟ-ସମୀକ୍ଷକଙ୍କର ଦୃଷ୍ଟି ଏଥିପ୍ରତି ଆକର୍ଷିତ ହୋଇ ଆସିଛି । ଅଧିକାଂଶ ଆଲୋଚକ ଏହି ଗ୍ରନ୍ଥଟିର ଅଶ୍ଳୀଳତା ଦୋଷ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି; ମାତ୍ର ହୀନପ୍ରଭ ବିବେଚନା କରିପାରି ନାହାନ୍ତି । ବ୍ରଜନାଥଙ୍କର ରଚନାଗତ ସିଦ୍ଧି ଓ ସାମର୍ଥ୍ୟ ଯୋଗେ ତଥାକଥିତ ଅଶ୍ଳୀଳତା ସତ୍ତ୍ୱେ ଓଡ଼ିଆ ସାହିତ୍ୟର ସର୍ବାଦ୍ୟ ଏହି ଗଳ୍ପ ଗ୍ରନ୍ଥଟିର ସାହିତ୍ୟିକ ବିଶିଷ୍ଟତା ଅମ୍ଳାନ ରହିଥିବା ଯୋଗୁଁ ଏହା ସମ୍ଭବପର ହୋଇପାରି ନାହିଁ ।

 

ମୋହନାଙ୍ଗ-ଚଞ୍ଚଳାକ୍ଷୀ ପ୍ରଣୟ ପ୍ରସଙ୍ଗ ‘ଚତୁର ବିନୋଦ’ ଗଳ୍ପ-ମଞ୍ଜୁଷାର କଞ୍ଚିକାଠି ବୋଲି ବିବେଚିତ ହୋଇପାରେ । ସାମାଜିକ ଶୁଚିବାୟୁଗ୍ରସ୍ତ ଦୃଷ୍ଟିକୋଣରୁ ଏହା ନିନ୍ଦନୀୟ ବୋଧ ହେଲେହେଁ କଳାତ୍ମକ ବିଚାର-ଧାରାରେ ବିଶେଷତଃ ସାମ୍ପ୍ରତିକ ଓଡ଼ିଆ କଥା ସାହିତ୍ୟର ଉପଜୀବ୍ୟଗତ ସାଧାରଣ ଆଦର୍ଶ ଓ ଆଚରଣ ଦୃଷ୍ଟିରୁ ଚଞ୍ଚଳାକ୍ଷୀ-ମୋହନାଙ୍ଗ ପ୍ରସଙ୍ଗ ସର୍ବାଂଶରେ ବନ୍ଦନୀୟ । ଗଦ୍ୟ ଭାଷାରେ ଭାବ ପ୍ରକାଶନ ରୀତି ସମୃଦ୍ଧ ହୋଇ ନଥିବା କାଳରେ ବ୍ରଜନାଥଙ୍କର ଅକୃତ୍ରିମ ଭାଷାବିନ୍ୟାସରେ ବିମଣ୍ଡିତ ଓ ସାର୍ଥକ ‘ଚତୁର ବିନୋଦ କଥା’ ଉଦ୍ଦେଶ୍ୟ, ଉପାୟ ଓ ପରିଣତିରେ ସ୍ୱତନ୍ତ୍ରତାର ମୁଦ୍ରାଙ୍କ ଚିହ୍ନିତ କୃତି ଭାବରେ କାଳୋତ୍ତୀର୍ଣ୍ଣ । ଏହି କଥାକୃତିର ଆତ୍ମିକ ଆବେଦନରେ ଦେହ ମାଧ୍ୟମରେ ବିଦେହର ଜୟଗାନ ପ୍ରତିଧ୍ୱନିତ । ସେଥିପାଇଁ ସମଗ୍ର ଓଡ଼ିଆ ସାହିତ୍ୟରେ ଏହା ଏକ ଭାସ୍ୱର ସାରସ୍ୱତ କୀର୍ତ୍ତି ।

 

ସମରତରଙ୍ଗର ସୃଜନ ବୈଚିତ୍ର୍ୟ

 

ଏଯାବତ୍‌ ଓଡ଼ିଆ ସାହିତ୍ୟ ଇତିହାସର ଅଙ୍ଗୀଭୂତ ଅଜସ୍ର ସାହିତ୍ୟକୃତି ମଧ୍ୟରେ ବ୍ରଜନାଥଙ୍କର ‘ସମର ତରଙ୍ଗ’ ଅନନ୍ୟ ଔଜଲ୍ୟରେ ଦୀପ୍ୟମାନ ରହିଛି । ସମର ବର୍ଣ୍ଣନା କୃତିସମ୍ବଳିତ ରସୋତ୍ତୀର୍ଣ୍ଣ କାବ୍ୟ ଭାବରେ କେବଳ ନୁହେଁ, ଇତିହାସ ସଚେତନ ବୁଦ୍ଧିଦୀପ୍ତ କବି ମାନସର ସାରସ୍ୱତ ସନ୍ତାନ ଭାବରେ ଏହି କାବ୍ୟଟି ବ୍ରଜନାଥଙ୍କୁ ଅବିସ୍ମରଣୀୟ କରିଦେଇଛି । ପ୍ରତିଭାଧର କବି ବ୍ରଜନାଥଙ୍କ ପକ୍ଷରେ ଅପରିହାର୍ଯ୍ୟ ରାଜପ୍ରଶସ୍ତିର ମୁଦ୍ରାଙ୍କ ବହନ କରିଥିଲେହେଁ ‘ସମର ତରଙ୍ଗ’ ଏହାର ନିଜସ୍ୱ ଗୁଣରେ ଓଡ଼ିଆ ଜାତିର ଅନ୍ୟତମ ଜାତୀୟ କାବ୍ୟଭାବେ ସମ୍ମାନିତ ହେବାର ଗୌରବ ଅର୍ଜନ କରିଛି । ସାରଳା ମହାଭାରତ ପରେ କେବଳ ‘ସମର ତରଙ୍ଗ’ରେହିଁ ଓଡ଼ିଆ ସମର ଭିତ୍ତିକ ବୀରରସାଶ୍ରିତ ପ୍ରାଣବତ୍ତାର ପରିଚୟ ଲାଭ କରାଯାଏ । ମନେହୁଏ, ସତେ ଯେପରିକି ସାରଳା ଦାସଙ୍କ ତିରୋଧାନଠାରୁ ବ୍ରଜନାଥଙ୍କ ଆବିର୍ଭାବ ପର୍ଯ୍ୟନ୍ତ ‘ଚାଟଇଚ୍ଛାବତୀ’ ଓ ‘କାଞ୍ଚିକାବେରୀ’ କାବ୍ୟ ବ୍ୟତୀତ ଅନ୍ୟତ୍ର ଓଡ଼ିଆ ଜାତିର ଆତ୍ମା ଅନବହିତ ଓ ଅବହେଳିତ ଥିଲା । ‘ସମତରଙ୍ଗ’ରେ ସେ ଆତ୍ମାର ଦୀପ୍ତି ଝଲସି ଉଠିଥିବା ଯେକୌଣସି ସହୃଦୟ ପାଠକ ଲକ୍ଷ୍ୟ କରିପାରନ୍ତି ।

 

ପରିବାର ପ୍ରତିପୋଷଣ ଲାଗି ରାଜାନୁଗ୍ରହ ପ୍ରାର୍ଥୀ କବି ‘ସମର ତରଙ୍ଗ’ ଲେଖି ଥାଇପାରନ୍ତି ; ମାତ୍ର ଯେଉଁ ଯୁଗରେ କାବ୍ୟ ରୀତିଧର୍ମିତା ଆବରଣରେ ଅବଗୁଣ୍ଠିତ ଓ ଶବ୍ଦ ଅର୍ଥର କର୍ଷଣ ମଧ୍ୟରେ ଥିଲା ସମ୍ବର୍ଦ୍ଧିତ, ସେହି ସମୟରେ ଏପରି ଏକ ବାସ୍ତବଧର୍ମୀ ସମର ବର୍ଣ୍ଣନାଙ୍କିତ କାବ୍ୟ ରଚନା ଯେ ଏକ ସ୍ୱତନ୍ତ୍ର ରୁଚିବୋଧର ଜାଗରଣ ଘଟାଇଥିଲା ଏବଂ ଏ କ୍ଷେତ୍ରରେ ବ୍ରଜନାଥ ଯେ ଥିଲେ ଯଥାର୍ଥ ପଥିକୃତ୍‌ ଏହା ଅନସ୍ୱୀକାର୍ଯ୍ୟ । ତେଣୁ ‘ସମର ତରଙ୍ଗ’ କାବ୍ୟର ପରିକଳ୍ପନା ଓ ସଫଳ ସଂଯୋଜନା ବ୍ରଜନାଥଙ୍କ କବି ପ୍ରତିଭାର ଅନୁପମ ନିଦର୍ଶନ, ଏହା ଅବିସମ୍ବାଦିତ ।

 

ସମରକାବ୍ୟ ‘ସମରତରଙ୍ଗ’

 

ତୁଳନାତ୍ମକ ଭାବରେ ଲକ୍ଷ୍ୟ କଲେ ଜଣାଯାଏ ଯେ ଅନ୍ୟାନ୍ୟ ସମୃଦ୍ଧ ସାହିତ୍ୟମାନଙ୍କର ସମରକାବ୍ୟ ବା ବୀରରସାଶ୍ରିତ କାବ୍ୟମାନଙ୍କରେ ଯେଉଁ ଯେଉଁ ସାଧାରଣ ଓ ବିଶେଷ ଲକ୍ଷଣ ପ୍ରକଟିତ ହୋଇଥାଏ ସମରତରଙ୍ଗ ତହିଁର ବ୍ୟତିକ୍ରମ ନୁହେଁ; ଅଧିକନ୍ତୁ ପ୍ରତ୍ୟକ୍ଷଦର୍ଶୀ ସତ୍ୟମୂଳକ ଐତିହାସିକ ଘଟଣାର କାବ୍ୟିକ ବିବୃତି ବହନ କରିଥିବାରୁ ଏ ଗ୍ରନ୍ଥଟିର ଉପାଦେୟତା ବହୁଗୁଣିତ ମନେ ହୁଏ ।

 

ଆମେ ଜାଣୁ ଯେ ପୃଥିବୀରେ ସଭ୍ୟତାର ଆଦିପତ୍ତନ କାଳରୁ ଜ୍ଞାନ ବିଜ୍ଞାନରେ ସମୃଦ୍ଧ ଅଧୁନାତନ କାଳ ପର୍ଯ୍ୟନ୍ତ ଆପଣାର ବ୍ୟକ୍ତିଗତ ବା ସାମୂହିକ ଶକ୍ତିର ପ୍ରତିଷ୍ଠା ଓ ତଜ୍ଜନିତ ପ୍ରଭୁତ୍ୱ ବିସ୍ତାର ଲକ୍ଷ୍ୟରେ ମାନବ ଅଗଣିତ ସମରାନୁଷ୍ଠାନ ଘଟାଇ ଆସୁଅଛି । ସମସ୍ତ ବିଜେତା ଓ ବିଜିତଙ୍କର ବିଜୟ ଓ ପରାଜୟ ଇତିହାସ ବା ପୁରାଣ ପୃଷ୍ଠାରେ ରୂପାୟିତ ହୋଇ ନ ଥିଲେହେଁ ଦେଶ, ଜାତି, ଧର୍ମ ଓ ସମୟକୁ ପ୍ରଭାବିତ କରିଥିବା ବହୁ ସମରାନୁଷ୍ଠାନର ବିବରଣୀ ସାହିତ୍ୟ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି । ପ୍ରାଚୀନ ଓ ମଧ୍ୟଯୁଗରେ ପ୍ରଚାର ମାଧ୍ୟମର ସାମୂହିକ ବିକାଶ ଘଟିନଥିବା ସ୍ଥଳେ ଚାରଣ କବିମାନଙ୍କ ମୁଖରେ ଏହି ସମର ବିଜୟ ବା ପରାଜୟର ଇତିବୃତ୍ତି ଆବୃତ୍ତ ହୋଇ ଆସୁଥିଲା । ପୃଥିବୀର ବିଭିନ୍ନ ସମୃଦ୍ଧ ଦେଶମାନଙ୍କୁ କେନ୍ଦ୍ର କରି ଗଢ଼ି ଉଠିଥିବା ସଭ୍ୟତା ଯଥା, ଆସିରିୟା, ଭାରତୀୟ ଆର୍ଯ୍ୟ, ଗ୍ରୀକ୍‌, ରୋମ ଓ ଚୀନୀୟ ପ୍ରଭୃତି ମାନଙ୍କର ପ୍ରଭାବ ଓ ପ୍ରତିଷ୍ଠାର ସର୍ବପ୍ରଧାନ ନିୟାମକ ସମରବିଗ୍ରହ ଥିବାରୁ ଆମେ ସେହି ସେହି ଦେଶମାନଙ୍କରେ ସାହିତ୍ୟର ସମରାଶ୍ରୟୀ ଶାଖାର ଭୂୟସୀ ପରିଚୟ ପାଇ ଥାଉଁ । ଗିଲ୍‌ ଗାମେଶ୍‌, ରାମାୟଣ, ମହାଭାରତ, ଇଲିୟାର୍ଡ଼, ଓଡେସୀ, ଶାନ୍‌-ହାଇ-ଚିଙ୍ଗ୍‌, ଏଲ୍‌ଡାରଏଡ୍‌ଡା, କାଲେଭାଲା ପ୍ରଭୃତି ପ୍ରାଚୀନ ରଚନାମାନଙ୍କରେ ଯୁଦ୍ଧବିଗ୍ରହ, ବିଜେତାର ପ୍ରଶସ୍ତି ଓ ବିଜିତର ଆକୁତି ଯାହା ସବୁ ଲିପିବଦ୍ଧ ହୋଇଛି, ସେଗୁଡ଼ିକ କାଳକ୍ରମେ ବିଭିନ୍ନ ଚାରଣକବିମାନଙ୍କ ମୁଖରେ ଆବୃତ୍ତ ହୋଇଆସୁଥିବା ସମର ଗାଥାମାନଙ୍କରେ ସମ୍ମିଳିତ ସମନ୍ୱିତ ଓ ସଂଯୋଜିତ ରୂପ ବୋଲି ବହୁ କୃତବିଦ୍ୟ ଆଲୋଚକ ନିର୍ଦ୍ଦେଶ କରିଛନ୍ତି । ଉପରୋକ୍ତ ସୁପ୍ରସିଦ୍ଧ ସାହିତ୍ୟକୃତିମାନଙ୍କ ବ୍ୟତୀତ କ୍ଷୁଦ୍ର କ୍ଷୁଦ୍ର ଗଦ୍ୟ ମାନଙ୍କରେ ଯେଉଁ ସବୁ ସମରସାହିତ୍ୟ ସୃଷ୍ଟି ହୋଇଛି ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ହୁଏତ ବୀର ପ୍ରଶସ୍ତିମୂଳକ ସ୍ତୁତିଗୀତିକା (Panegyric) ଅଥବା ଶୋକୋଚ୍ଛ୍ୱାସ ସମ୍ବଳିତ ବୀରଗାଥା (Laments) ।

 

ଯେଉଁ କେତେକ ସ୍ୱତନ୍ତ୍ର ଲକ୍ଷଣାକ୍ରାନ୍ତ ହେଲେ କୌଣସି ପଦ୍ୟ ରଚନାକୁ ସମର କାବ୍ୟ ବା କବିତା ବୋଲି ଚିହ୍ନିତ କରାଯାଇପାରିବ, ଓଡ଼ିଆ ସାହିତ୍ୟରେ ସମରତରଙ୍ଗ ପୂର୍ବରୁ ଅନ୍ୟକୌଣସି ରଚନା ସେ ଯୋଗ୍ୟତା ଅର୍ଜନ କରିଥିବାର ଲକ୍ଷ୍ୟ କରାଯାଏ ନାହିଁ । ସମର କାବ୍ୟ ବା କବିତା ବିବରଣାତ୍ମକ ଓ ବସ୍ତୁସାପେକ୍ଷ (Objective) ସୃଷ୍ଟି । ଏଥିରେ କଳ୍ପନା ବିଳାସ ବା ବ୍ୟକ୍ତି ଧର୍ମିତା (Subjectivity) ପ୍ରାୟଶଃ ଅନୁପସ୍ଥିତ । ସମର ଉପଯୋଗୀ କଳ୍ପନାର ଆଶ୍ରୟ ଗ୍ରହଣ କରାଗଲେ ମଧ୍ୟ ଗୃହୀତ ଚରିତ୍ରଗଣ ସହଜବୋଧ୍ୟ ପାରମ୍ପରିକ ନୀତିରେ ଚାଳିତ ହୋଇଥାନ୍ତି । ସ୍ୱକୀୟ ମହାନ୍‍ତା ଯୋଗୁଁହିଁ ମହାନ୍‍ ସମରାନୁଷ୍ଠାନ ଏଥିରେ ବର୍ଣ୍ଣିତ ହୋଇଥାଏ । ସମର କାବ୍ୟ କେବଳ ଜନୈକ ବା କତିପୟ ବ୍ୟକ୍ତିବିଶେଷଙ୍କ ପ୍ରଶସ୍ତିଗାନ ପାଇଁ ରଚିତ ହୋଇନଥାଏ । ଏଥିରେ ବର୍ଣ୍ଣିତ ଚରିତ୍ରଗଣ ଆପଣାକୁ ଆପଣାର କାର୍ଯ୍ୟକୁଶଳତା ମାଧ୍ୟମରେ ଅଭିବ୍ୟକ୍ତ କରିଥାନ୍ତି ମାତ୍ର । ସମରକାବ୍ୟ ବର୍ଣ୍ଣିତ ଯୋଦ୍ଧୃବୃନ୍ଦ ନିଜ ନିଜର କୃତିତ୍ୱ ଓ ପାରଦର୍ଶିତା ଯୋଗୁହିଁ ଯାହା କିଛି ପ୍ରଶଂସା ଭାଜନ ହୋଇଥାନ୍ତି । ଅନ୍ୟଥା ନୁହନ୍ତି । ସେଥିପାଇଁ କେବଳ ଯୁଦ୍ଧ ବିଷୟକ କହାଣୀର ପଦ୍ୟରୂପ ଦେବାକୁ ଯାଇ ସମରକାବ୍ୟକାର ଉପଦେଶ ବାଢ଼େ ନାହିଁ କିମ୍ବା ନୈତିକ ଆଦର୍ଶ ଉପସ୍ଥାପନ କରେନାହିଁ । ସେ ଏକାନ୍ତ ସ୍ୱାଧୀନ ଭାବରେ, ତଟସ୍ଥ ଚିତ୍ତରେ ସମର ସମ୍ଭର୍ବର ଆଦ୍ୟୋପାନ୍ତ ଲିପିବଦ୍ଧ କରିଯାଏ ନିଷ୍ପକ୍ଷପାତ ଭାବରେ । ପୌରୁଷ ଓ ତଜ୍ଜନିତ ସମ୍ମାନନୀୟତାର ଦାବିକୁ ଯେଉଁ ଜାତି ନିୟତ ବିପଦର ଦାଢ଼ରେ ଘଷିମାଜି ସୁରକ୍ଷା କରିବାରେ ଆଗ୍ରହୀ ସେହି ଜାତି ଗଢ଼ି ଥାଏ ସମରକାବ୍ୟ ବା ଗୀତିକା । ଏହି ଆଦର୍ଶଗତ ଜୀବନଚର୍ଯ୍ୟା ଯେ କୌଣସି କାଳରେ ଯେ କୌଣସି ଜାତିଠାରେ ଆତ୍ମପ୍ରକାଶ କରୁ ନ ଥିବାରୁ ସମରକାବ୍ୟ ସୃଷ୍ଟିର ବିପୁଳତା ଅତ୍ରତତ୍ର ଲକ୍ଷ୍ୟ କରାଯାଏ ନାହିଁ । (Heroic Poetry-C.M. Bowra) ।

 

ଓଡ଼ିଆ ସାହିତ୍ୟରେ ସାରଳା ଦାସଙ୍କ ମହାଭାରତରେ ଅନ୍ୟାନ୍ୟ ବିଷୟ ଚିତ୍ରର ଉପସ୍ଥାପନା ମଧ୍ୟରେ ସମର ବର୍ଣ୍ଣନା ଅତ୍ୟନ୍ତ ଚିତ୍ତାକର୍ଷକ ଅଭିବ୍ୟକ୍ତି ଲାଭ କରିଛି । ଆଲୋଚକଗଣ ଏହି ସମର ବିବୃତିରେ ତତ୍କାଳୀନ ଓଡ଼ିଶାର ଦୁର୍ଜୟ ସାମରିକତାର ପ୍ରତିବିମ୍ବନ ପରିଲକ୍ଷିତ ହେଉଥିବା ସପ୍ରମାଣ ନିର୍ଦ୍ଦେଶ କରିଛନ୍ତି । ମାତ୍ର ଏ ମହାଭାରତ ଯଥାର୍ଥରେ ଓଡ଼ିଆ ଜାତିର ମହାକାବ୍ୟ, ସ୍ୱତନ୍ତ୍ର ଭାବରେ ଏକ ସମର କାବ୍ୟ ନୁହେଁ । ଦାଣ୍ଡି ରାମାୟଣ ସମ୍ପର୍କରେ ମଧ୍ୟ ତାହାହିଁ କୁହାଯାଇପାରେ । ଅନ୍ୟାନ୍ୟ କାବ୍ୟକୃତି ମଧ୍ୟରେ ‘କାଞ୍ଚିକାବେରୀ’ କାବ୍ୟରେ ପୁରୁଷୋତ୍ତମ ଦାସ କାଞ୍ଚି ଅଭିଯାନର ଚିତ୍ର ଦେବାକୁ ଯାଇ ସଶସ୍ତ୍ର ଯୁଦ୍ଧର ଯେଉଁ ବର୍ଣ୍ଣନା ପ୍ରଦାନ କରିଛନ୍ତି ତାହା କେତେକାଂଶରେ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ପରି ବୋଧ ହେଉଥିଲେ ହେଁ ମାଣିକୀ ଗଉଡ଼ୁଣୀର ଗୌରବ, ଜଗନ୍ନାଥଙ୍କର ଭାବଗ୍ରାହିତା ଓ ମାହାତ୍ମ୍ୟ ପ୍ରଦର୍ଶନ ଏଥିରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବାରୁ ଏହାକୁ ସମର କାବ୍ୟ ବୋଲି ଅଭିହିତ କରାଯାଇ ପାରିବ ନାହିଁ । ଅନ୍ୟାନ୍ୟ ରୀତି ଯୁଗୀନ ବା ତତ୍‌ପୂର୍ବବର୍ତ୍ତୀ କାବ୍ୟମାନଙ୍କରେ ସ୍ଥାନେ ସ୍ଥାନେ ବିଷୟ ଅନୁରୋଧରେ ଯୁଦ୍ଧ ବର୍ଣ୍ଣନା ପ୍ରଦତ୍ତ ହୋଇଥିଲେହେଁ ଏଗୁଡ଼ିକରେ କଳ୍ପନା ବିଳାସିତାର ପ୍ରଭାବ ସମଧିକ ପ୍ରଦର୍ଶିତ ହୋଇଅଛି । ମହାଭାରତ ଯୁଦ୍ଧ ସମୟକୁ ଗ୍ରହଣ ନ କଲେ ବି ମହାମେଘବାହନ ଐର ଖାରବେଳଙ୍କଠାରୁ ସୂର୍ଯ୍ୟବଂଶୀ କପିଳେନ୍ଦ୍ର ଦେବଙ୍କ ପର୍ଯ୍ୟନ୍ତ ଓଡ଼ିଆ ଜାତି ବିଭିନ୍ନ ରଣକ୍ଷେତ୍ରରେ ଆପଣାର ସମର ଦୁର୍ଦ୍ଧର୍ଷତା ପ୍ରତିପାଦନ କରି ଗୌରବର ଶିଖର ଆରୋହଣ କରିଥିଲେହେଁ ସାରଳଦାସଙ୍କ କୃତି ବ୍ୟତୀତ ଅନ୍ୟ ସମରାଶ୍ରୟୀ ସାହିତ୍ୟ ଆଦୌ ଦେଖାଯାଏ ନାହିଁ । ବୋଧହୁଏ ଧର୍ମୀୟ ପ୍ରଭାବ ଓ ସଂସ୍କତ କାବ୍ୟାଳଂକାର ପ୍ରଭାବିତ ରୀତି ସାହିତ୍ୟ ଧାରାର ଭୂୟସୀ ଅନୁସୃତି ଯଥାର୍ଥ ସମରକାବ୍ୟ ସୃଜନ କ୍ଷେତ୍ରକୁ ସାହିତ୍ୟିକର ଚିତ୍ତକୁ ପ୍ରସାରିତ କରାଇ ନାହିଁ । ପ୍ରତିଭାବାନ ବ୍ରଜନାଥ ନିଜଦେଶ ବ୍ୟତୀତ ଅନ୍ୟାନ୍ୟ ଦେଶ ଭ୍ରମଣ କରିଥିବାରୁ ଅଥବା ହିନ୍ଦୀ ପ୍ରଭୃତି ଭାଷା ସହିତ୍ୟ ଅନୁଧ୍ୟାନ କରିଥିବାରୁ ସମରତରଙ୍ଗ ଭଳି ଏକ ନିରୋଳ ସମରକାବ୍ୟ ରଚନା ଲାଗି ପ୍ରେରଣା ପାଇଥିବେ । ଅଧିକନ୍ତୁ ତାଙ୍କ ସ୍ପଷ୍ଟ ଗୋଚରରେ ଓ ଦୃଷ୍ଟି ସମକ୍ଷରେ କ୍ଷୁଦ୍ର ଢେଙ୍କନାଳ ବାହିନୀ ତତ୍କାଳୀନ ଢେଙ୍କାନାଳ ନରେଶ ତ୍ରିଲୋଚନ ମହୀନ୍ଦ୍ର ବାହାଦୁରଙ୍କ ଅଧିନାୟକତ୍ୱରେ ସାଗର ସଦୃଶ ଅକଳନୀୟ ମରହଟ୍ଟା ଥାଟଙ୍କୁ ଦୁର୍ଦ୍ଧର୍ଷ ସମରରେ ପରାଭୂତ କରିଥିବା ଭଳି ଚମକପ୍ରଦ ଘଟଣାକୁ ସ୍ମରଣୀୟ ରଖିବା ଓ ଲୋକ ସମାଜରେ ପ୍ରଚାରିତ କରାଇବା ଏବଂ ପ୍ରବଳ ପ୍ରତାପୀ ରାଜାଙ୍କର ଦୃଷ୍ଟି ଆକର୍ଷଣ କରାଇବା ପାଇଁ ଏପରି ଏକ କାବ୍ୟ ରଚନା କରିଥିବେ । ଢେଙ୍କାନାଳ ଓ ମରହଟ୍ଟା ଯୁଦ୍ଧ ଭଳି ଏକ ଘଟଣାକୁ ଯଥାର୍ଥ କାବ୍ୟରୂପ ପ୍ରଦାନ କରିବାରେ ବ୍ରଜନାଥଙ୍କ ରଚନା ଶକ୍ତି ଓ ପ୍ରତିଭାର ମଣିକାଞ୍ଚନ ସଂଯୋଗ ଜନ୍ମ ଦେଇଛି ଅଦ୍ୱିତୀୟ ଓଡ଼ିଆ ସମରକାବ୍ୟ ‘ସମରତରଙ୍ଗ’କୁ ।

 

ସମରତରଙ୍ଗ ସର୍ବାଂଶରେ ଏକ ସମରକାବ୍ୟ । ଏଥିରେ ସମରପ୍ରସଙ୍ଗ ମୁଖ୍ୟ; ଶେଷ ଦୁଇଛାନ୍ଦର ରାଜପ୍ରଶସ୍ତି ବା ଆତ୍ମ ପ୍ରଖ୍ୟାପନ ଗୌଣ ବା ପରବର୍ତ୍ତୀ ସଂଯୋଜନ। । ଗ୍ରନ୍ଥଟିର ପ୍ରାରମ୍ଭ ଯେପରି ସମରାନୁକୂଳ ପରିସ୍ଥିତିର ସୂଚନା ଗର୍ଭିତ, କ୍ରମ ପ୍ରବାହ ଯେପରି ସମର ବର୍ଣ୍ଣନାରେ ଜର୍ଜରିତ ପରିଣତି ମଧ୍ୟ ସେହିପରି ଚମକପ୍ରଦ । ପ୍ରବଳ ପରାକ୍ରାନ୍ତ ମରହଟ୍ଟା ବାହିନୀର ସମ୍ମୁଖୀନ ହେବାକୁ ଯାଇ ଢେଙ୍କନାଳ ରାଜା ତ୍ରିଲୋଚନ ମହୀନ୍ଦ୍ର ବାହାଦୁର ଯେଉଁ ଅସମ ସାହସିକତାର ପରିଚୟ ଦେଇ ଜୟଲକ୍ଷ୍ମୀଙ୍କର ପ୍ରସାଦ ଲାଭ କରିଛନ୍ତି ତାହା ଏକାନ୍ତ ପ୍ରଣିଧାନ ଯୋଗ୍ୟ ଓ ବିସ୍ମୟକର । ସଂଖ୍ୟାରେ ସ୍ୱଳ୍ପ ହେଲେହେଁ ସାହସିକତା, ନିଷ୍ଠା ଓ ସୈନ୍ୟଚାଳନାର କୌଶଳ ଏବଂ ସର୍ବୋପରି ଯୋଦ୍ଧାମାନଙ୍କର ନୈତିକ ମନୋବଳକୁ ଆୟତ୍ତ କରି ତ୍ରିଲୋଚନ ବିପୁଳ ମରହଟ୍ଟା ଶକ୍ତିର ସମ୍ମୁଖୀନ ହୋଇଥିଲେ । ତାଙ୍କର ବୀରତ୍ୱ ବ୍ୟଞ୍ଜକ ଉଦ୍‌ବୋଧନ, ବିପଦକୁ ବରଣ କରିବା ଲାଗି ସୈନ୍ୟ, ସେନାପତିଙ୍କ ମଧ୍ୟରେ ଭରି ଦେଇଥିଲା ଯେଉଁ ନୈତିକ ସାହସ ସେ ସବୁ ବ୍ରଜନାଥଙ୍କ ଲେଖନୀରେ ସଫଳତାର ସହିତ ରୂପାୟିତ ହୋଇପାରିଥିବାରୁ ଗ୍ରନ୍ଥଟିର ସାମଗ୍ରିକ ଆବେଦନ ବଳିଷ୍ଠତର ହୋଇଛି ।

 

‘ସମରତରଙ୍ଗ’ ରୀତିକାବ୍ୟ ସୁଲଭ କଳ୍ପନା ବିଳାସ ବା ଅତିଶୟୋକ୍ତି ବର୍ଜିତ ଏକ ରଚନା ନୁହେଁ । ଭାଷା ପ୍ରୟୋଗରେ ଲକ୍ଷ୍ୟଣୀୟ ନବୀନତା ସତ୍ତ୍ୱେ ‘ସମରତରଙ୍ଗ’ ରଚନାର ପ୍ରାଣଧର୍ମ ଗୀତି କାବ୍ୟାନୁରୂପ ଛନ୍ଦ ଓ ପଦବନ୍ଧରେ ଗଠିତ । ଉପମା ଓ ରୂପକ ଆଦି ପ୍ରୟୋଗରେ ବ୍ରଜନାଥ ପରମ୍ପରାର ବ୍ୟତିକ୍ରମ ଏ ଗ୍ରନ୍ଥରେ ପ୍ରାୟଶଃ କରି ନାହାନ୍ତି । ‘ସମରତରଙ୍ଗ’ରେ ତିନିଗୋଟି ଯୁଦ୍ଧର ବିବୃତି ପ୍ରଦତ୍ତ । ମରହଟ୍ଟାମାନଙ୍କୁ ଧାର୍ଯ୍ୟ ପେସ୍‌କାସ୍‌ ନ ଦେଇ ସେମାନଙ୍କର ବୈରତା ଅର୍ଜନ କରିଥିବା ଢେଙ୍କାନାଳ ନରେଶ ତ୍ରିଲୋଚନଙ୍କୁ ସମୁଚିତ ଶିକ୍ଷା ଦେବା ପାଇଁ ପ୍ରଥମବାର ଓଡ଼ିଶାର ମରହଟ୍ଟା ପ୍ରଶାସକ ରାଜାରାମ ଓ ବିଶିଷ୍ଟ ଧନୀକ ମଞ୍ଜୁ ଚୌଧୁରୀଙ୍କ ନେତୃତ୍ୱରେ କେତେକ ସୈନ୍ୟ ଢେଙ୍କାନାଳ ଆକ୍ରମଣ କରିଥିଲେ । ତ୍ରିଲୋଚନଙ୍କ ସୈନ୍ୟଗଣ ଗରିଲା ଯୁଦ୍ଧ ଚଳାଇ ସେ ଆକ୍ରମଣକୁ ପ୍ରଥମବାର ଯୁଦ୍ଧରେ ପ୍ରତିହତ କରିଥିଲେ । ପେଶବାଙ୍କର ପ୍ରତିନିଧି ଚିମ୍ନାଜୀ ବଙ୍ଗଳା ଆକ୍ରମଣ କରିବାକୁ ଆସି ରାଜାରାମଙ୍କ ପରାମର୍ଶ ଓ ଅନୁରୋଧକ୍ରମେ ଅସାଧ୍ୟ ଢେଙ୍କାନାଳ ରାଜାଙ୍କୁ ବଶୀଭୂତ କରିବା ପାଇଁ ବିରାଟ ସୈନ୍ୟବାହିନୀ ସହ ଦ୍ୱିତୀୟବାର ଢେଙ୍କାନାଳ ଆକ୍ରମଣ କଲେ । ସ୍ୱୟଂ ତ୍ରିଲୋଚନ ଏହି ଯୁଦ୍ଧରେ ନେତୃତ୍ୱ ଦେଇ ଅଭୂତପୂର୍ବ ସାହସିକତା ବଳରେ ସମୁଦ୍ର ପରି ଶତ୍ରୁପକ୍ଷର ସୈନ୍ୟବାହିନୀକୁ ପରାସ୍ତ ଓ ଲଣ୍ଡଭଣ୍ଡ କରିଦେଇ ପାରିଲେ । ମରହଟ୍ଟା ପକ୍ଷର ସନ୍ଧିପ୍ରସ୍ତାବ ଅନୁସାରେ ତ୍ରିଲୋଚନ ନାମକୁ ମାତ୍ର ପେସ୍‌କାସ୍‌ ଦେଇ ଦୁଇଦିନ ପାଇଁ ନିଜ ଗଡ଼ ଛାଡ଼ି ଦେଇଥିଲେ । ବିପୁଳ କ୍ଷତି ଓ ଲଜ୍ଜାକର ପରାଜୟ ସତ୍ତ୍ୱେ ଯତ୍‌ସାମାନ୍ୟ ମନୋବଳ ନେଇ ଚିମ୍ନାଜୀ ଢେଙ୍କାନାଳ ଅବରୋଧ ଉଠାଇ ନେଲେ । ଏହି ଦ୍ୱିତୀୟ ଯୁଦ୍ଧଟିର ଅତ୍ୟନ୍ତ ଆକର୍ଷଣୀୟ ବର୍ଣ୍ଣନା ‘ସମରତରଙ୍ଗ’ର ମୁଖ୍ୟ ବା କୈନ୍ଦ୍ରିକ କଥାବସ୍ତୁ । ମରହଟ୍ଟାମାନଙ୍କୁ ସନ୍ତୁଷ୍ଟ କରିବାକୁ ହେଉ କିମ୍ବା ଢେଙ୍କାନାଳ ରାଜାଙ୍କ ଆସ୍ପାଳନ ଓ ଦମ୍ଭୋକ୍ତିର ପ୍ରତ୍ୟୁତ୍ତର ଦେବାକୁ ଯାଇ ହେଉ କେନ୍ଦୁଝର ରାଜା ଢେଙ୍କାନାଳ ଆକ୍ରମଣ କରିବାରୁ ତୃତୀୟବାର ଯୁଦ୍ଧ, ହୋଇଥିଲା । ଏଥିରେ ମଧ୍ୟ ଢେଙ୍କାନାଳ ପକ୍ଷ ସମ୍ପୂର୍ଣ୍ଣ ବିଜୟୀ ହୋଇଥିବା ବିଷୟ ଯାହା ବ୍ରଜନାଥ ବିବୃତ କରିଛନ୍ତି ତାହା ସମକାଳୀନ ନଥିପତ୍ର ଓ କେନ୍ଦୁଝର ମାଦଳାର ବିବରଣ ଅନୁସାରେ ସତ୍ୟ ନୁହେଁ । ଢେଙ୍କାନାଳ ପକ୍ଷର ତୃତୀୟବାର ଯୁଦ୍ଧରେ ପ୍ରବଳ କ୍ଷତି ସାଧିତ ହୋଇଥିବା ବିଷୟ ପ୍ରମାଣିତ ।

 

 

Unknown

‘ସମର ତରଙ୍ଗ’ ବର୍ଣ୍ଣିତ ସମରପ୍ରସଙ୍ଗର ଐତିହାସିକତା

 

ସମକାଳୀନ ବିଭିନ୍ନ ଐତିହାସିକ ଉପାଦାନମାନଙ୍କ ଅବଲମ୍ବନରେ ସମରତରଙ୍ଗ ବର୍ଣ୍ଣିତ ଯୁଦ୍ଧ ଘଟଣାର ଆନୁପୂର୍ବିକ ଇତିହାସ ନିର୍ମାଣ କରାଯାଇଅଛି । ସେଥିରୁ ଜଣାଯାଏ ଯେ ତ୍ରିଲୋଚନ ମହୀନ୍ଦ୍ର ବାହାଦୁରଙ୍କ ପୂର୍ବବର୍ତ୍ତୀ ଢେଙ୍କନାଳ ରାଜା ଜୟନାରାୟଣ ମଧ୍ୟ ଧାର୍ଯ୍ୟ ପେସ୍‌କାସ୍‌ ମରହଟ୍ଟାମାନଙ୍କୁ ଦେବା ବନ୍ଦ କରି ଦେଇ ମରହଟ୍ଟା ମାନଙ୍କର ବିରାଗ ଭାଜନ ହୋଇଥିଲେ । ତ୍ରିଲୋଚନ ଢେଙ୍କାନାଳ ସିଂହାସନ ଆରୋହଣ କରିବା ପରେ ବ୍ରିଟିଶମାନଙ୍କର କୂଟନୈତିକ ପ୍ରରୋଚନାରେ ନିଜର ସ୍ୱାଧୀନଶାସନ ସ୍ଥାପନ ଅଭିପ୍ରାୟରେ ବା ମରହଟ୍ଟା ଶାସନକୁ ଦୁର୍ବଳ ମନେକରି ସେମାନଙ୍କୁ ପେସ୍‌କାସ୍‌ ଦେବା ବନ୍ଦ କରିଦେଲେ । ରାଜାରାମ ପଣ୍ଡିତ ଓଡ଼ିଶାରେ ମରହଟ୍ଟା ଗଭର୍ଣ୍ଣର ନିଯୁକ୍ତ ହେବା ପରେ ସେ ଢେଙ୍କାନାଳ ରାଜାଙ୍କଠାରୁ ଷାଠିଏ ହଜାର କଉଡ଼ି ପେସ୍‌କାସ୍‌ରୂପେ ଦାବି କଲେ । ବାରମ୍ବାର ତାଗିଦ୍‌ କରିବା ସତ୍ତ୍ୱେ ଢେଙ୍କାନାଳରୁ ପେସ୍‌କାସ୍‌ ତ ମିଳିଲା ନାହିଁ; ବରଂ ଏତଦ୍ଦ୍ୱାରା ମରହଟ୍ଟା ଶାସନର ଦୁର୍ବଳତା ପ୍ରମାଣିତ ହେଉଥିବାରୁ କୁଜଙ୍ଗରାଜା ଓ ହରିହରପୁର ରାଜା ବିଦ୍ରୋହ ଆରମ୍ଭ କରି ପେସ୍‌କାସ୍‌ ଦେବା ବନ୍ଦ କରିଦେଲେ । ତହୁଁ ମରହଟ୍ଟା ଶାସନର ମର୍ଯ୍ୟାଦା ରକ୍ଷା କରିବା ସଙ୍ଗେ ସଙ୍ଗେ ଢେଙ୍କାନାଳ ରାଜାଙ୍କୁ ଦମନ କରି ଶିକ୍ଷା ଦେବା ଅଭିଳାଷରେ ରାଜାରାମ ପଣ୍ଡିତ କଟକର ସେଠ ମଞ୍ଜୁ ଚୌଧୁରୀଙ୍କ ସହ ସୈନ୍ୟ ସାମନ୍ତ ଘେନି ୧୭୭୯ ସାଲରେ ଢେଙ୍କାନାଳ ବିରୁଦ୍ଧରେ ଅଗ୍ରସର ହେଲେ । ରାଜାରାମ ମୋଟରୀ ନିକଟରେ ତମ୍ବୁ ପକାଇଲେ । ଢେଙ୍କନାଳ ପକ୍ଷରୁ ସନ୍ଧିସର୍ତ୍ତ ଦିଆଗଲେହେଁ ମରହଟ୍ଟା ସୁବାଦାର ତାକୁ ଗ୍ରହଣ ନ କରି ଯୁଦ୍ଧ କଲେ । ‘ସମରତରଙ୍ଗ’ର ବିବୃତି ଅନୁସାରେ ଏହି ପ୍ରଥମ ଯୁଦ୍ଧରେ ମରହଟ୍ଟା ପକ୍ଷ ପରାସ୍ତ ହୋଇ ଢେଙ୍କାନାଳ ସୀମାରୁ ଅପସରି ଗଲେ ।

 

ବ୍ରିଟିଶ ଶାସିତ ବଙ୍ଗଳା ସରକାରଠାରୁ ବାକିଆ ଚୌଥ ଆଦାୟ କରିବାକୁ ଆସି ନାଗପୁର ରାଜାଙ୍କ ପୁତ୍ର ଚିମ୍ନାଜୀ ଭୋନ୍‌ସ୍‌ଲା ସୈନ୍ୟ ସାମନ୍ତ ସହ ବଙ୍ଗଳାକୁ ନ ଯାଇ ଓଡ଼ିଶାରେ ପହଞ୍ଚିଲେ । ରାଜାରାମଙ୍କ ପରାମର୍ଶକ୍ରମେ ଏକ ବିରାଟ ସୈନ୍ୟବାହିନୀ ସହ ଚିମ୍ନାଜୀ ତା ୩୦.୫.୧୭୮୦ରେ ଢେଙ୍କାନାଳ ସୀମାରେ ପହଞ୍ଚିଲେ । ଢେଙ୍କାନାଳର ଅପେକ୍ଷାକୃତ ସ୍ୱଳ୍ପ ସଂଖ୍ୟକ ସୈନ୍ୟ ବ୍ରାହ୍ମଣୀ ନଦୀଠାରୁ ୪/୫ କୋଶ ଦୂରବର୍ତ୍ତୀ ମୋଟରୀ ଗଡ଼ଦ୍ୱାରରେ ବିଶାଳ ମରହଟ୍ଟା ବାହିନୀର ପ୍ରତିରୋଧ କଲେ । ଫଳରେ ଯେଉଁ ଭୟଙ୍କର ଯୁଦ୍ଧ ଓ ତା’ର ଶୋଚନୀୟ ପରିଣତି ଘଟିଲା, ତାହା ବ୍ରଜନାଥଙ୍କ ଭାଷାରେ ଉତ୍ତମରୂପେ ଅଭିବ୍ୟକ୍ତ ହୋଇଛି । ‘ସମରତରଙ୍ଗ’ର ତୃତୀୟ ଛାନ୍ଦରେ ଏହି ସମର ସଂଘର୍ଷର ଚାକ୍ଷୁଷ ବିବରଣୀ ଆଲେଖ୍ୟଭୂତ ହୋଇଅଛି ।

 

‘ସମରତରଙ୍ଗ’ରେ ବିବୃତ ଏହି ଯୁଦ୍ଧର ଫଳାଫଳ ମୋଟାମୋଟି ଇତିହାସ ସମର୍ଥିତ ହୋଇଥିଲେ ହେଁ ମରହଟ୍ଟା ବାହିନୀ ବିପୁଳ କ୍ଷୟକ୍ଷତିର ସମ୍ମୁଖୀନ ହୋଇ ମଧ୍ୟ ୧୭୮୦ ସାଲ ଜୁଲାଇ ମାସରେ ମୋଟରୀ ଗଡ଼ଦ୍ୱାର ଅଧିକାର କରିଥିବା ବିଷୟ ବ୍ରଜନାଥ ଉଲ୍ଲେଖ କରିନାହାନ୍ତି । ଅଠର ଦିନ ବ୍ୟାପୀ ଏହି ଯୁଦ୍ଧରେ ଢେଙ୍କାନାଳ ପକ୍ଷ ସମ୍ପୂର୍ଣ୍ଣ ବିଜୟ ଲାଭ କରିଥିବା ବିଷୟ ବ୍ରଜନାଥ କବିତ୍ୱ ପୂର୍ଣ୍ଣ ବ୍ୟଞ୍ଜନାତ୍ମକ ଭାଷାରେ ଯେପରି ଲିପିବଦ୍ଧ କରିଛନ୍ତି, ଇତିହାସଦ୍ୱାରା ତାହା ଦୃଢ଼ ପ୍ରତିପନ୍ନ ହୋଇନାହିଁ । ଜଣାଯାଏ ଯେ ଢେଙ୍କାନାଳ ସହ ଯୁଦ୍ଧରେ ବ୍ୟାପୃତ ଥିଲାବେଳେ ମରହଟ୍ଟା ବାହିନୀ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଥିଲେ । ଅଧିକନ୍ତୁ ଢେଙ୍କାନାଳ ଜଙ୍ଗଲରୁ କେତେକ ସଅର ଆସି ମରହଟ୍ଟା ସୈନ୍ୟଙ୍କଠାରୁ ଖାଦ୍ୟ ସାମଗ୍ରୀ ପ୍ରଭୃତି ପଦାର୍ଥ ଛଡ଼ାଇ ନେଇଯାଇଥିଲେ । କିନ୍ତୁ ଚିମ୍ନାଜୀ ଏଥିରେ ଭାଙ୍ଗି ନ ପଡ଼ି କୂଟନୀତିକ ବିଚାର ପ୍ରୟୋଗ କରି ଢେଙ୍କନାଳକୁ ଅନ୍ୟାନ୍ୟ ନିକଟବର୍ତ୍ତୀ ରାଜ୍ୟର ରାଜାମାନଙ୍କଠାରୁ ଅଲଗା ରଖିବାକୁ ଚେଷ୍ଟା ଚଳାଇଥିଲେ । ଏହି ଉଦ୍ୟମର ସଫଳତାସ୍ୱରୂପ ସେ କେନ୍ଦୁଝର ରାଜାଙ୍କଠାରୁ ଢେଙ୍କାନାଳ ବିପକ୍ଷରେ ସୈନ୍ୟ ଓ ଯୁଦ୍ଧ ସରଞ୍ଜାମ ପାଇପାରିଥିଲେ। ବ୍ରଜନାଥ ଏହାକୁ ଲକ୍ଷ୍ୟ କରି ସେଥିପାଇଁ ଲେଖିଛନ୍ତି –

 

“ଚେମଣା ବାବୁଙ୍କ ଦୁଃଖ ଦେଖୁଁ ଦେଖୁଁ ବଇରୀ ଯାହା ହେଲେ ସେ ।’’ କେନ୍ଦୁଝର ରାଜାଙ୍କଠାରୁ ସୈନ୍ୟ ଓ ୱାରେନ୍‌ ହେଷ୍ଟିଙ୍ଗସ୍‌ଙ୍କଠାରୁ ଖାଦ୍ୟ ସଂରଜାମ ପାଇ ଚିମ୍ନାଜୀ ଦୀର୍ଘକାଳ ଢେଙ୍କନାଳ ବିରୁଦ୍ଧରେ ଯୁଦ୍ଧ ଚଳାଇ ପାରିଥିଲେ । ଶେଷରେ ସମସ୍ତ ବାଧାବିଘ୍ନ ଅତିକ୍ରମ କରି ମରହଟ୍ଟା ବାହିନୀ ୧୯.୧୨.୧୭୮୦ବେଳକୁ ଢେଙ୍କନାଳ ଅବରୋଧ କଲେ । ବ୍ରଜନାଥଙ୍କ ବିବରଣ ଅନୁସାରେ ଏ ଯୁଦ୍ଧ ଅଠର ଦିନ ଧରି ସଂଘଟିତ ହୋଇଥିଲା । ଶେଷରେ ଢେଙ୍କାନାଳ ରାଜା ପରାସ୍ତ ହୋଇ ଦୁଇଦିନ ପାଇଁ ଗଡ଼ ଛାଡ଼ି ଚାଲି ଯାଇଥିଲେ । ମରହଟ୍ଟା ସୈନ୍ୟ ସେଠାରେ ରହି ଢେଙ୍କାନାଳ ରାଜାଙ୍କଠାରୁ ପେସ୍‌କାସ୍‌ ଆଦାୟ କରି ୧୭୮୧ ସାଲ ମାର୍ଚ୍ଚ ମାସ ଆଡ଼କୁ ଢେଙ୍କାନାଳରୁ ଫେରି କଟକ ଆଡ଼େ ଯାଇଥିବାର ପ୍ରମାଣ ମିଳେ ।

 

“ସମରତରଙ୍ଗ’’ର ଷଷ୍ଠ ଛାନ୍ଦରେ ଢେଙ୍କନାଳ- କେନ୍ଦୁଝର ଯୁଦ୍ଧ ପ୍ରସଙ୍ଗର ବର୍ଣ୍ଣନାରୁ ଜଣାଯାଏ ଯେ ଏହି ଯୁଦ୍ଧରେ ଢେଙ୍କାନାଳ ପକ୍ଷ ବିଜୟୀ ହୋଇଥିଲେ । ମାତ୍ର ଏହି ବିବରଣ ଇତିହାସର ପୂର୍ଣ୍ଣ ସମର୍ଥନ ଲାଭ କରି ନାହିଁ । କେନ୍ଦୁଝର ରାଜ ପ୍ରଶସ୍ତି ‘ଭଞ୍ଜ ମହୋଦୟମ୍‌’ରେ ଏହି ଯୁଦ୍ଧର ଯେପରି ବର୍ଣ୍ଣନା ପ୍ରଦତ୍ତ ଅଛି, ସେଥିରୁ ଢେଙ୍କାନାଳ ପରାଜିତ ହୋଇଥିବା ସୂଚିତ ହୁଏ । ଯୁଦ୍ଧର ପକ୍ଷମାନଙ୍କ ତରଫରୁ ସ୍ୱସ୍ୱ ପକ୍ଷର ଜୟ ହୋଇଥିବା ଦାବି ସ୍ୱାଭାବିକ । ତେବେ History of Freedom Movement in Orissa Vol-I ର ୪୨ ପୃଷ୍ଠାରେ ଉଲ୍ଲଖିତ ଅଛି ଯେ ଢେଙ୍କାନାଳ ଯୁଦ୍ଧ ପରେ ମରହଟ୍ଟାମାନେ କେନ୍ଦୁଝରକୁ ଶାସନ କରିବାକୁ ଅଗ୍ରସର ହେଲେ ଓ କେନ୍ଦୁଝର ରାଜା ମରହଟ୍ଟାମାନଙ୍କର ଅଧୀନତା ସ୍ୱୀକାରପୂର୍ବକ ବିଦ୍ରୋହୀ ରାଜାମାନଙ୍କ ଦମନରେ ମରହଟ୍ଟାମାନଙ୍କର ସହାୟତା ଲାଗି ଅଙ୍ଗୀକାର କରିବାରୁ ସେମାନେ ତାଙ୍କୁ କ୍ଷମା ଦେଲେ ।

 

ଐତିହାସିକ ତଥ୍ୟମାନଙ୍କରୁ ଯାହା ପ୍ରତିପାଦିତ ହୁଏ, ସେଥିରୁ ଜଣାଯାଏ ଯେ ମରହଟ୍ଟା ଆକ୍ରମଣର ପ୍ରବଳ ପ୍ରତିରୋଧ କରିବାରେ ଆତ୍ମରକ୍ଷାର ଦୃଢ଼ ସଂକଳ୍ପ, ଅସାମାନ୍ୟ ସାହସିକତା ଓ ସମରକୌଶଳ ଯୋଗୁଁ ଢେଙ୍କାନାଳ ପକ୍ଷ ଦିନ ଦିନ ଧରି ଯୁଦ୍ଧ ଚଳାଇବାକୁ ସମର୍ଥ ହୋଇଥିଲେ । ରାଜାନୁଗତ୍ୟ ଓ ଦେଶପ୍ରୀତିର ବଶବର୍ତ୍ତୀ କବି ବ୍ରଜନାଥ ଏହି ଘଟଣାକୁ ‘ସମରତରଙ୍ଗ’ରେ ରୂପାୟିତ କରିବାକୁ ଯାଇ ବହୁସ୍ଥଳରେ ଅତିରଞ୍ଜିତ କରିଛନ୍ତି । କବି ଏଥିରେ ଇତିହାସ ସମର୍ଥିତ ସତ୍ୟର ଅପଳାପ ଘଟାଇବା ବିସ୍ମୟକର ବା ଅନପେକ୍ଷିତ ବିବେଚିତ ହେବ ନାହିଁ ।

 

‘ସମରତରଙ୍ଗ’ରେ କବିତ୍ୱ ଓ ଚାତୁର୍ଯ୍ୟ

 

ବ୍ରଜନାଥଙ୍କ ପୂର୍ବବର୍ତ୍ତୀ ଓଡ଼ିଆ ସାହିତ୍ୟରେ ଅତ୍ରତତ୍ର ବୀର ରସର ଅଭିବ୍ୟଞ୍ଜନା ଯେ ପ୍ରକଟିତ ନହୋଇଛି, ତାହା ନୁହେଁ; ମାତ୍ର ବୀରରସାଶ୍ରିତ କାବ୍ୟରୂପେ ‘ସମରତରଙ୍ଗ’ ଯେପରି ଆତ୍ମପ୍ରକାଶ କରିଛି, ତାହାକୁ ଅଭିନବ ସାହିତ୍ୟିକ ଉଦ୍ୟମବୋଲି ଗ୍ରହଣ କରିବାକୁ ହେବ । ଯେଉଁ ବ୍ୟକ୍ତିଙ୍କ ଲେଖନୀରୁ ‘ଚତୁର ବିନୋଦ’ ସୃଷ୍ଟି ଲାଭ କରିଛି, ତାଙ୍କଠାରୁ ‘ସମରତରଙ୍ଗ’ର ସୃଷ୍ଟି ଅପ୍ରତ୍ୟାଶିତ ବା ବିସ୍ମୟକର ପ୍ରତୀୟମାନ ନ ହେବା ସ୍ୱାଭାବିକ । “ଅମ୍ବିକା ବିଳାସ’’, ‘ଶ୍ୟାମ ରାସୋତ୍ସବ’’ବା ‘ବିଚକ୍ଷଣା’ର କବି ଯେ ‘ସମରତରଙ୍ଗ’ ରଚନା କରିପାରନ୍ତି, ଏହା ଚିନ୍ତା କଲେ ବ୍ରଜନାଥଙ୍କ କବି ପ୍ରତିଭାର ବହୁରଙ୍ଗୀ ଆଭା ସ୍ୱତଃ ଉକୁଟି ଉଠେ । କାରଣ ଉପେନ୍ଦ୍ର ଭଞ୍ଜଙ୍କଦ୍ୱାରା ବହୁଚର୍ଚ୍ଚିତ କାବ୍ୟିକ ଧାରାର ଅନୁସୃତିଜନିତ ସୃଷ୍ଟି ‘ସମରତରଙ୍ଗ’ ନୁହେଁ ବରଂ ଏକ ସ୍ୱତନ୍ତ୍ର କାବ୍ୟାଭିବ୍ୟକ୍ତିର ପଥିକୃତ୍‌ ସାହିତ୍ୟିକ କୃତିରୂପେ ଏହା ସମ୍ମାନ ଦାବି କରିଥାଏ ।

 

‘ସମରତରଙ୍ଗ’- ଏହି ନାମକରଣରୁହିଁ ସର୍ବପ୍ରଥମେ କବିଙ୍କ କବିତ୍ୱ ଅବଧାରଣ କରିହୁଏ । ଏଠାରେ ତରଙ୍ଗ ଏକ ରୂପକଳ୍ପ, ସମର ସହିତ ତାହା ସମ୍ବନ୍ଧାନ୍ୱିତ । ସାଗରର ତରଙ୍ଗ ଯେପରି ଏକ ପରେ ଏକ ଆସି ବେଳାଭୂମିକୁ ସ୍ପର୍ଶ କରି ପୁଣି ବିଲୀନ ହୋଇଯାନ୍ତି, ଠିକ୍‌ ସେହିପରି ସମର -ସାଗରର ବେଳାଭୂମିକୁ ସ୍ପର୍ଶ କରି ରାଜାରାମ-ତ୍ରିଲୋଚନ, ଚିମ୍ନାଜୀ-ତ୍ରିଲୋଚନ ଓ କେନ୍ଦୁଝର-ତ୍ରିଲୋଚନଙ୍କ ସମର ତରଙ୍ଗ ଭଳି ଗୋଟିଏ ପରେ ଗୋଟିଏ ଏ କାବ୍ୟରେ ବର୍ଣ୍ଣିତ ହୋଇଛି । କେବଳ ସେତିକି ନୁହେଁ, ତରଙ୍ଗର ଉଚ୍ଛ୍ୱାସ,ଏହାର ଅନବଛିନ୍ନ ପ୍ରବାହ ଯେପରି ଏକ ଭାବାତିଶୟୀ କମ୍ପନ ଜାତ କରାଏ, ଶଂସିତ କାବ୍ୟ ବର୍ଣ୍ଣିତ ସମର ସମ୍ଭର୍ବ ସେହିପରି ଭାବୁକର ଚିତ୍ତକୁ ଆଲୋଡ଼ନ କରିବାରେ ସମର୍ଥ ହେଉଥିବାରୁ କବି ଏହାର ନାମ ଯଥାର୍ଥତଃ ‘ସମରତରଙ୍ଗ’ ରଖିଛନ୍ତି । ୧୯୦୪ ମସିହାରେ ସର୍ବପ୍ରଥମ ଏ ଗ୍ରନ୍ଥଟିକୁ ସମ୍ପାଦନପୂର୍ବକ ମୁଦ୍ରଣ କରାଇ ସଙ୍ଗୀତଜ୍ଞ, କବି ଓ ପ୍ରଶାସକ ଦାମୋଦର ପଟ୍ଟନାୟକ ଯେଉଁ ମନ୍ତବ୍ୟ ପ୍ରକାଶ କରିଛନ୍ତି, ତାହା ପ୍ରଣିଧାନ ଯୋଗ୍ୟ ମନେ ହୋଇଥାଏ । ସେ ଲେଖିଛନ୍ତି, “ସମରତରଙ୍ଗର ଭାଷା କିପରି ସୁଲଳିତ ଓ ଉତ୍ତେଜକ, ଶବ୍ଦ ବିନ୍ୟାସ କିପରି ଗୋଟାକୁ ଗୋଟା ଗୁଳି ଫଏର ଶବ୍ଦ ପରି ହୃଦୟକୁ ଦାଏଁ ଦାଏଁ କରେ ପାଠକମାନେ ପଠନ କଲେ ଜାଣିପାରିବେ ।’’ ‘ସମରତରଙ୍ଗ’ର ଯେକୌଣସି ପଂକ୍ତି ଉପରୋକ୍ତ ମନ୍ତବ୍ୟର ସାର୍ଥକତା ବହନ କରେ । ବିକଚ ପଦ୍ମର ବରାଟକ ପରି ଏହି କାବ୍ୟର ଦ୍ୱିତୀୟ ଛାନ୍ଦ ସର୍ବାଧିକ ମନୋହର ଓ କବିତ୍ୱ ରସାଣିତ । ପାହାଡ଼ିଆ କେଦାର ରାଗରେ ବର୍ଣ୍ଣିତ ଯୁଦ୍ଧାଭିଯାନ, ଯୁଦ୍ଧ ପ୍ରସ୍ତୁତି ଓ ଯୁଦ୍ଧର ଉନ୍ମାଦନାବାହୀ ଉଦବୋଧନ ବ୍ରଜନାଥଙ୍କ ସିଦ୍ଧ ଲେଖନୀର ଗୌରବକୁହିଁ ଦର୍ଶାଇଥାଏ ।

 

ଦେଖିଥିବା ଦୃଶ୍ୟ ଓ ଶୁଣିଥିବା ଶବ୍ଦକୁ ବାଙ୍‌ୟ ଅଭିବ୍ୟକ୍ତି ପ୍ରଦାନ କରିବାରେ ବ୍ରଜନାଥଙ୍କର ସିଦ୍ଧହସ୍ତତା ଓ ଚାହାଁଣିର ବୈଶିଷ୍ଟ୍ୟ ନିମ୍ନୋଦ୍ଧୃତ ପଂକ୍ତିରୁ ସ୍ପଷ୍ଟ ବାରି ହୋଇପଡ଼େ ।

 

“ଦୁଇଦଳ ହୋଇଲେ ମିଶାମିଶି

ଷଣ୍ଢେ ଷଣ୍ଢେ କି ମେଣ୍ଢ ହେଲେ ଆସି । ୪୫

 

ଆଡ଼ି ଭୁଷି ଢଙ୍କୁଣକୁ ଢଙ୍କୁଣ

ତଡ଼ି ଛାଡ଼ି ଦିଅନ୍ତି ନେଇ ପୁଣ ।୪୬

 

ପିଟି ପିଟି ଛିଟିକାଇ ଭୁଷନ୍ତି

କଟି ପାରି ଆଣ୍ଠୁଆଇ ବସନ୍ତି

 

ଯୋଖି ରଖିଥାନ୍ତି ଆଖି ଆଖିରେ

ଦେଖି ଦେଖି କେ ଡାକି ହାକି ମାରେ ।୪୮

 

ଲାଖିପଡ଼େ କାହା ହୃଦେ ଢଙ୍କୁଣ

ଆଖି ବାଟେ ଛାଡ଼ିଯାଏ ପରାଣ । ୪୯

 

କେହୁ ଦୋରା ଦୋରା ବୋଲି ଡାକିଲା

ଡେଇଁ ଢଙ୍କୁଣ ମହୀରେ ଠୁକିଲା । ୫୦

 

ଆଡ଼େ ତେରଛ ଭୁଷି ଦେଲା ନେଇ

ଫୁଟି କଙ୍କାଳ ପଡ଼ିଗଲା ମହୀ । ୫୧’’

 

ଯୁଦ୍ଧ ସଜ୍ଜା, ପ୍ରତ୍ୟକ୍ଷ ଯୁଦ୍ଧ, ଯୁଦ୍ଧ ପର ହତାହତମାନଙ୍କର ଅବସ୍ଥା ବ୍ରଜନାଥ ଯେପରି ସ୍ୱଭାବ ସୁନ୍ଦର ଭାଷାରେ ଅଭିବ୍ୟକ୍ତ କରିଛନ୍ତି ତାହା ତାଙ୍କର କବିତ୍ୱର ପରାକାଷ୍ଠା ବହନ କରିଛି । ଦ୍ୱିତୀୟ ଛାନ୍ଦରେ ଅକଳନ ବର୍ଗୀସୈନ୍ୟ ଓ ସେମାନଙ୍କର ଯୁଦ୍ଧ ସଜ୍ଜାରେ ଛନ୍ନଚିତ୍ତ ସ୍ୱପକ୍ଷ ସୈନ୍ୟ ସେନାପତିମାନଙ୍କୁ ତ୍ରିଲୋଚନଙ୍କ ଅଭୟ ଦାୟୀ ଉଦବୋଧନ ବ୍ରଜନାଥଙ୍କ ଲେଖନୀରେ ଯେତିକି ପ୍ରଭାବାନ୍ୱିତ ସେତିକି ସ୍ୱାଭାବିକ ଓ ବଳିଷ୍ଠ ହୋଇପାରିଛି ।

 

ସମରବର୍ଣ୍ଣନାତ୍ମକ ଏକ ଭାବଗମ୍ଭୀର କାବ୍ୟରେ ବ୍ରଜନାଥ ସ୍ଥଳେ ସ୍ଥଳେ ଯେପରି ହାସ୍ୟରସର ଅବତାରଣା କରିଛନ୍ତି ସେଥିରେ କବିଚିତ୍ତର ବର୍ଣ୍ଣିଳ ଦିଗନ୍ତ ଉଦ୍‌ଭାସିତ ହୋଇଛି । ସେ ଉଭୟ ଶିଷ୍ଟ ଓ ଲୋକ ଭାଷା ତଥା ଭାବର ଆଶ୍ରୟନେଇଥିବାରୁ ତାଙ୍କର ହାସ୍ୟ ଓ ବ୍ୟଙ୍ଗକୃତିରେ ଉଚ୍ଚାଙ୍ଗ କବିତ୍ୱ ତଥା ନିମ୍ନରୁଚିସମ୍ପନ୍ନ ଗ୍ରାମୀଣ ଅଭିବ୍ୟକ୍ତି ଯୁଗପତ୍‌ ପରିଦୃଷ୍ଟ ହୁଏ । ସମରତରଙ୍ଗରେ ତାଙ୍କର କବିତ୍ୱ କୃତିଯୋଗୁଁ ପାଠକ ସମରବର୍ଣ୍ଣନାମୂଳକ କାବ୍ୟ ପାଠରେ ଆମୋଦ ଅନୁଭବ କରିଥାଏ । ଯେତେବେଳେ ଯୁଦ୍ଧଯାତ୍ରାମୂଳକ ଗମ୍ଭୀର ପରିବେଶର ଆସ୍ୱାଦ କରୁ କରୁ ସେ ପଢ଼େ

 

“କାହା ଘୋଡ଼ା

ଘୋଡ଼ୀକି ଦେଖି ଆଗରେ ଯେ

ମତ୍ତେ ମିଶି ଆସନ୍ତେ

ଅତି ବେଗରେ ଯେ

ବାଗହାଥକୁ ଅଳପ

ମୋଡ଼ି, ଆଡ଼େ ସଳଖି ଲଗାନ୍ତେ ଲେଡ଼ି

ପବନ ପରି ଗଲା

ସେ ଉଡ଼ି ସେହି ଲାଗରେ ଯେ ।’’

-(ସ.ତ.-୨ୟ ଛା-୩ୟପଦ)

ଲଘୁଚପଳତା ବ୍ୟଂଜିତ ଅଥଚ ସ୍ୱଭାବ ସୁନ୍ଦର ଯୁଦ୍ଧଯାତ୍ରାର ଏହି ଆଲେଖ୍ୟ, ସେ ଆମୋଦ ଅନୁଭବ କରେ ।

 

ସମର ବ୍ୟାପାର ବର୍ଣ୍ଣନା ପ୍ରସଙ୍ଗରେ ବ୍ରଜନାଥ କେବଳ ସେହି ବ୍ୟାପାରଟିର ବର୍ଣ୍ଣନା ଯେ ନିଖୁଣ ଭାବରେ କରିଛନ୍ତି ତାହା ନୁହେଁ ସେ ତଦନୁସଙ୍ଗିକ ପରବର୍ତ୍ତୀ ପରିଣାମର ମଧ୍ୟ ପୁଙ୍ଖାନୁପୁଙ୍ଖ ବିବରଣୀ ଲିପିବଦ୍ଧ କରିଛନ୍ତି । ଆପଣାର ଅନୁଭୂତି ଓ ଅଭିଜ୍ଞତାକୁ ବର୍ଣ୍ଣୋଜ୍ୱଳ ରୀତିରେ ଚିତ୍ରଣ କରିବା କବିତ୍ୱର ଏକ ଦୃଢ଼ ନିଦର୍ଶନବୋଲି ଯେବେ କୁହାଯାଏ, ତେବେ ‘ସମର ତରଙ୍ଗ’ରେ ତା’ର ଦୃଷ୍ଟାନ୍ତ ଅପ୍ରଚୁର ନୁହେଁ । ଯୁଦ୍ଧ ବିରତି ପରେ ଆହତମାନଙ୍କର ଶୁଶùଷା, ଆର୍ତ୍ତନାଦ, ପଶ୍ଚାତ୍ତାପ ଓ କରୁଣ ବିଳାପ ମୁଖରିତ ଯୁଦ୍ଧକ୍ଷେତ୍ରର ଦୃଶ୍ୟ ଅଙ୍କନ କରିବାରେ ବ୍ରଜନାଥଙ୍କର ଚାହାଁଣୀର ଚମତ୍କାରିତା ଉପଲବ୍ଧ ହୁଏ । ଚିମ୍ନାଜୀଙ୍କ ପକ୍ଷ ସୈନ୍ୟମାନଙ୍କ ମୁଖରେ ଖୋରଠା ଭାଷାର ସଂଯୋଜନ କାବ୍ୟର କାବ୍ୟ ମୂଲ୍ୟକୁ ହ୍ରାସ କରିନାହିଁ ବରଂ କାବ୍ୟକୁ ନାଟକୀୟ ବିନ୍ୟାସରେ ସମୃଦ୍ଧ କରିଛି । ବ୍ରଜନାଥ ଚାହିଁଥିଲେ ଓଡ଼ିଆ ଭାଷାରେ ଚମତ୍କାର ରୀତିରେ ସେହି ସେହି ଭାବକୁ ଅଭିବ୍ୟକ୍ତ କରିପାରିଥାନ୍ତେ । ପାଠକ, ସେଥିଯୋଗୁଁ, ତାଙ୍କର କବିତ୍ୱଗତ ଆମୋଦ ଲାଭରୁ ବଞ୍ଚିତ ହୋଇଥାନ୍ତା । ଲକ୍ଷ୍ୟ ମଧ୍ୟ କରିବାର କଥା ସେହି ସେହି ବୈଦେଶିକ ଭାଷା ସମ୍ବଳିତ ପଦ ପଦାଂଶମାନ ଧ୍ୱନି, ସ୍ୱର ଓ ଛନ୍ଦ ଦୃଷ୍ଟିରୁ ଛାନ୍ଦ କଳ୍ପିତ ଛନ୍ଦ ମଧ୍ୟରେ ଅବିକୃତ ରହିପାରିଛି । ପାଠକ ପଢ଼ିଲାବେଳେ ଓଡ଼ିଆ ଭାଷାର ପଦମାନଙ୍କ ପରି ଏହି ପଦ ଗୁଡ଼ିକୁ ଆବୃତ୍ତି କଲା ବେଳେ ଅସୁବିଧାର ସମ୍ମୁଖୀନ ହୁଏ ନାହିଁ । ତେଣୁ ଭାଷା ମଧ୍ୟରେ ବିଭାଷାର ବ୍ୟବହାର କରି ବ୍ରଜନାଥ ସ୍ୱସୃଷ୍ଟିର ମୂଲ୍ୟକୁ ହ୍ରାସ କରିଛନ୍ତି ବୋଲି କୁହାଯିବ ନାହିଁ ।

 

ବ୍ରଜନାଥଙ୍କର ‘ସମର ତରଙ୍ଗ’ର ଯୁଦ୍ଧ ସମ୍ପର୍କୀୟ ବର୍ଣ୍ଣନାକୁ ଲକ୍ଷ୍ୟକଲେ ଦେଖାଯାଏ ଯେ କବି ହୃତ୍‌କମ୍ପକାରୀ, ନିଷ୍ଠୁର ଓ ନିର୍ମମ କାର୍ଯ୍ୟଗୁଡ଼ିକୁ ଏପରି ରସିକତାର ପୁଟ ଦେଇ ବାଢ଼ିଛନ୍ତି ଯେ ପାଠକର ଜୁଗୁପ୍ସା ଦୂରେଥାଉ ବରଂ ବିନୋଦ ଭାବହିଁ ଉତ୍ତରୋତ୍ତର ବର୍ଦ୍ଧିତ ହେବାର ସୁଯୋଗ ପ୍ରସ୍ତୁତ ହେଲାପରି ଜଣାଯାଉଛି । ଯେକୌଣସି ପଦକୁ ଏଥିପାଇଁ ଦୃଷ୍ଟାନ୍ତରୂପେ ଗ୍ରହଣ କରାଯାଇପାରେ । କବି ସ୍ୱୟଂ ପାଠକମାନଙ୍କୁ ତାଙ୍କର କାବ୍ୟଗୁଣ ଓ ଏହାର ଉପଯୋଗିତା ସମ୍ପର୍କରେ ସୂଚାଇ କହିଛନ୍ତି ।

 

“ସମରତରଙ୍ଗ ଏ ଗୀତର ନାମ

ଯେ ମରଦ ଲୋକ ସେ ଏହା ଘେନିମ ଯେ ।’’

 

ଉପମା, ରୂପକ ଆଦି ପ୍ରୟୋଗରେ ସ୍ୱଭାବ ସୌନ୍ଦର୍ଯ୍ୟର ଦୀପ୍ତି ମଧ୍ୟ ଲକ୍ଷ୍ୟଣୀୟ-

 

“ପାଂଉଜ ଭିତରେ ଘୋଡ଼ା ପକାଇ

ମାରେ ବରଛି ଯେ ନିର୍ଭୟ ହୋଇ

ସତୀ ପରାଏ ପଶି ଝାସି ଯିବ

ଫେରି ଅଇଲେ ତ ସକଳ ଲାଭ

ନୋହିଲେ ସେ ମଲେ

ବାସବ ସଙ୍ଗତେ ବସଇ ଭଲେ ।୧୮।

X X X X

ବୋଳି ଅଙ୍ଗରେ କର୍ପୂର ଚନ୍ଦନ

ମଣ୍ଡି ହୋଇଥିବ ହେମ ରତନ

ଘରେ ଥିବ ଶଚୀପତି ସମ୍ପତ୍ତି

ରକତ ଦେଖି ଦୁଲୁକିବ ଛାତି

ସେ ମନୁଷ୍ୟ ହୀନ

ଭୋଗ ନୋହେ ସେ ତା ରୋଗ ସମାନ ।

-୨୦-(୫ମ ଛାନ୍ଦ)

 

‘ସମରତରଙ୍ଗ’ର ଶେଷ ଦୁଇ ଛାନ୍ଦ ପରବର୍ତ୍ତୀ ସଂଯୋଜନ ବୋଲି ଏକାଧିକ ଆଲୋଚକ ସ୍ଥିର କରି ଏହା ରାଜପ୍ରଶସ୍ତି ମୂଳକ ହୋଇଥିବାରୁ କବିଙ୍କର ବ୍ୟକ୍ତିତ୍ୱକୁ ନ୍ୟୂନ ଦୃଷ୍ଟିରେ ଦେଖିଛନ୍ତି । ଏ ସମ୍ପର୍କରେ ପୁନର୍ବିବେଚନା କରିବାର ଅବକାଶ ଅଛି । ଢେଙ୍କାନାଳ ଓ କେନ୍ଦୁଝର ରାଜାଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧରେ ଯେ କୌଣସି ପକ୍ଷ ବିଜୟୀ ହେଉ ପଛକେ ଢେଙ୍କାନାଳ ବାହିନୀ ଯେ ତ୍ରିଲୋଚନ ମହୀନ୍ଦ୍ର ବାହାଦୁରଙ୍କ ଅଧିନାୟକତ୍ୱରେ ସାହସର ସହିତ ଯୁଦ୍ଧ ଚଳାଇଥିବେ, ଏଥିରେ ସନ୍ଦେହ ନାହିଁ । କବି ଷଷ୍ଠ ଛାନ୍ଦର ଶେଷରେ ଯାହା କହିଛନ୍ତି –

“ପରଜା ହେଲେ ଉଚ୍ଛନ୍ନ ରାଜ୍ୟ ହେଲା ଖିନ୍ନ ଭିନ୍ନ

ବୋଲେ ବ୍ରଜନାଥ ବଡ଼ଜେନା ଏଥୁ କି କାର୍ଯ୍ୟ ଅଛି ଟି ଘେନ ।’’

 

ତାହା ତାଙ୍କ ଅନ୍ତର୍ଗତ ଭାବକୁହିଁ ବ୍ୟକ୍ତ କରିଥାଏ । ଏହି ଏକାନ୍ତ ମାନବବାଦୀ ସମ୍ବେଦନଶୀଳତା ଓ ଜନସାଧାରଣଙ୍କ ଦୁଃଖରେ ବ୍ୟଥାକାତରତାର ଅଭିବ୍ୟକ୍ତି ଜଣାଇଦିଏ ଯେ କବି ଜାତୀୟ ସମ୍ମାନ ରକ୍ଷାର୍ଥ ସମରର ବିବରଣୀ ବାଢ଼ି ପାରିଥାନ୍ତି, ମାତ୍ର ସମର ସଂଘର୍ଷର ପ୍ରଭାବ କି ଭୀଷଣ, ପୀଡ଼ାଦାୟକ ଓ ତାର ପ୍ରଭାବ କିପରି ସୁଦୂର ପ୍ରସାରୀ ତାହା ସେ ମର୍ମେ ମର୍ମେ ଅନୁଭବ କରିଛନ୍ତି ।

 

ମରହଟ୍ଟା ବର୍ଗୀଙ୍କ ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳନ କରି ତ୍ରିଲୋଚନ ଯେଉଁ କୃତିତ୍ୱର ପରିଚୟ ଦେଇଛନ୍ତି କବି ବ୍ରଜନାଥ ତାର ଚାକ୍ଷୁଷ ଅଥଚ କବିତ୍ୱପୂର୍ଣ୍ଣ ରସାଳ ବିବୃତି ଯେଉଁ ଗ୍ରନ୍ଥରେ ଲିପିବଦ୍ଧ କରିଛନ୍ତି, ତାକୁ ରାଜାଙ୍କୁ ନଶୁଣାଇ ସେ ସ୍ଥାନ, କାଳ, ପାତ୍ରର ଅବମାନନା ହିଁ କରିଥାନ୍ତେ । ପରିଣତ ବୟସରେ ଆପଣା ପିଲା, କୁଟୁମ୍ବ, ଘରଦ୍ୱାର ଓ ଆପଣା ରାଜ୍ୟ ଛାଡ଼ି ପରରାଜ୍ୟରେ ବୁଲି ଅର୍ଥାଗମର କ୍ଳେଶ ବରଣ କରିବା ସମ୍ଭବପର ନଥିବାରୁ କବି ଯେ ଏହି କାବ୍ୟଟିକୁ ଜୀବନ୍ତ କାବ୍ୟନାୟକଙ୍କୁ ଭେଟି ଦେଇ ଆପଣାର ଉଦ୍ଦେଶ୍ୟ ଚରିତାର୍ଥ କରିଛନ୍ତି, ସେହି ବିଷୟଟିକୁ ସେ ଶଂସିତ କାବ୍ୟଟିରେ ଅକପଟ ଚିତ୍ତରେ ପ୍ରକାଶ କରିବାକୁ ଯାଇ ସପ୍ତମ ତଥା ଶେଷ ଛାନ୍ଦଟିର ସଂଯୋଜନ କରିଛନ୍ତି । ସେଥିରେ ମଧ୍ୟ ତାଙ୍କର ଚାତୁର୍ଯ୍ୟପ୍ରବଣତା ଓ ଚାହାଁଣୀର ଚମତ୍କାରିତା ମଧ୍ୟରେ ବିନୋଦ ଭାବଟି ହିଁ ସମଧିକ ଫୁଟି ପଡ଼ିଛି । ରାଜାଙ୍କର ବ୍ୟକ୍ତିତ୍ୱର ପରିଚୟ ଦେବାକୁ ଯାଇ ସେ ଯେତେବେଳେ ଲେଖିଛନ୍ତି -

 

“କେଉଁ ରାଜା ସୁନ୍ଦର ନଥାଇ ଗୁଣ

କେ ଗୁଣ ଥିଲେ ନୋହିଥାନ୍ତି ଘଟଣ ଯେ ।

X X X X

କେ ଗୁଣ ଘେନିଲେ ତା ପାତ୍ର ପ୍ରବଳ

ଦୁଇଶ ଦେଲେ ଶଏ କରଇ ମୂଳ ଯେ ।

 

ଅମଳ ବଶ କେହୁ ନାରୀରେ ବଶ

ଆହାରେ ବଶ କେହୁ ନିଦ୍ରା ଆବେଶ ଯେ ।

 

କେ ପାତ୍ର ବଶ କେହୁ ବଶ ଲୋକରେ

କେ ଖେଳ ବଶ କେହୁ ଗୀତ ନାଟରେ ଯେ ।’’ ୩୦

 

ତାହା ସମସାମୟିକ ରାଜା ରାଜୁଡ଼ା ପ୍ରକୃତିର ଏକ ଅକୁତୋଭୟ ସମାଲୋଚନାବୋଲି ଗୃହୀତ ହୁଏ ନାହିଁକି ? ପ୍ରଶଂସ୍ୟମାନ ରାଜା ପ୍ରଶସ୍ତିକାରୀଠାରୁ ଏ ବାଣୀ ଶୁଣିଲାବେଳେ ଆପଣାର ଦୋଷ ଦୁର୍ବଳତାମାନଙ୍କର ମଧ୍ୟ ପରିଚୟ ପାଇଥିବେ । ରାଜସ୍ତୁତି ମଧ୍ୟରେ ଯେ ବ୍ରଜନାଥଙ୍କ କବି ପୌରୁଷ ଆତ୍ମଖ୍ୟାପନ କରିନାହିଁ, ଏହା ବୋଲାଯାଇ ନ ପାରେ ।

 

‘ସମର ତରଙ୍ଗ’ର ରଚନା ଶିଳ୍ପ

 

‘ଅମ୍ବିକା ବିଳାସ’, ‘ବିକ୍ଷେଣା’, ‘ଶ୍ୟାମ ରାସୋତ୍ସବ’ ଭଳି ‘ଅ’, ‘ବ’ ଓ ‘ଶ’ ପଦାଦ୍ୟରେ ରଖି କାବ୍ୟ ରଚନା କରିବା ବ୍ରଜନାଥଙ୍କ ସମସାମୟିକ ଯୁଗରେ ହୁଏତ ବିଶେଷ ଆଶ୍ଚର୍ଯ୍ୟଜନକ କୃତିତ୍ୱବୋଲି ଅବଧାରିତ ନ ହୋଇପାରେ, ଏପରିକି ‘ସମରତରଙ୍ଗ’ ଓ ‘ଚତୁର ବିନୋଦ’ର ଅନୁରୂପ ସୃଷ୍ଟି ମଧ୍ୟ ସମକାଳୀନ ଭାରତୀୟ ସାହିତ୍ୟରେ କାହିଁ କାହିଁ ଖୋଜିଲେ ମିଳିପାରେ । ମାତ୍ର ଜଣେ କବି ଏକାଧାରରେ ରୀତି ସୌଷ୍ଠବ ସମ୍ପନ୍ନ କାବ୍ୟ ଓ ପ୍ରତ୍ୟକ୍ଷ ଅଭିଜ୍ଞତା ବ୍ୟଞ୍ଜିତ ଗାଥାକାବ୍ୟ ତଥା ଚାତୁର୍ଯ୍ୟ ଓ ବିନୋଦ ପରିପୂର୍ଣ୍ଣ ଏକ କଥା ସାହିତ୍ୟ ସୃଷ୍ଟି କରିଯିବା ଏକ ଅନନ୍ୟ ସାଧାରଣ ନୈପୁଣ୍ୟ ବୋଲି ସେ ଯୁଗର ସାହିତ୍ୟିକ ମାନଦଣ୍ଡରେ ନିର୍ଣ୍ଣୀତ ହୋଇପାରେ । ସ୍ୱରଚନାର ବିବିଧତା ସମ୍ପର୍କରେ ସ୍ୱୟଂ କବି ‘ସମରତରଙ୍ଗ’ରେ ଯେଉଁ ବିବୃତି ଦେଇଛନ୍ତି, ତାହା ଲକ୍ଷଣୀୟ । ସେ ଲେଖିଛନ୍ତି :

 

“ସଂସ୍କୃତ ପରାକୃତ ଖୋରଠା ବୋଲି

ନାନା ଭାଷାରେ ଗୀତ କବିତ୍ୱ କଲି ଯେ ।

 

ବିବିଧ ଚଉପଦୀ ଚଉତିଶା ହିଁ

ବୋଲି ଛାନ୍ଦ ପ୍ରବନ୍ଧେ ବୋଲିଛି ମୁହିଁ ଯେ ।

 

ଶକାର ଛାନ୍ଦ ମାତ୍ର ବୃତ୍ତ ଚୂର୍ଣ୍ଣକ

କଥାକଥନ ନାନା ହାସ କୌତୁକ ଯେ ।

 

ଢଗଢମାଳୀମାନ ଚାଳକ ଗୀତ

ବ୍ରଜମୋହନ କେଳିଯୁକ୍ତ କବିତ୍ୱ ଯେ ।’’

-୭ମ ଛାନ୍ଦ

 

ବ୍ରଜନାଥ ଥିଲେ ବହୁ ଭାଷାଭିଜ୍ଞ ସାହିତ୍ୟିକ । ଯେତେଦୂର ଜଣାଯାଏ, ସେ ହେଉଛନ୍ତି ଓଡ଼ିଆ ସାହିତ୍ୟରେ ପ୍ରଥମ ବ୍ୟକ୍ତି, ଯେ ଓଡ଼ିଆ ଶବ୍ଦ ସହିତ ହିନ୍ଦୁସ୍ତାନୀ ଓ ଖୋରଠା ଭାଷାର ଶବ୍ଦାବଳୀର ଏକତ୍ର ବସାଣ କରି ସାର୍ଥକ ପଦ ନିର୍ମାଣ କରିଥିଲେ । କବିସୂର୍ଯ୍ୟ ବଳଦେବ ରଥ ଓ ସମକାଳୀନ ଅନ୍ୟାନ୍ୟ ସାହିତ୍ୟିକମାନଙ୍କଦ୍ୱାରା ଏ ରୀତି ପରେ ପ୍ରଚଳିତ ଓ ଗୃହୀତ ହୋଇଥିଲା । ‘ସମରତରଙ୍ଗ’ରେ ସମର ବର୍ଣ୍ଣନା ମୁଖ୍ୟ ହୋଇଥିବାରୁ ସେକାଳର ଯୁଦ୍ଧ ବାଦ୍ୟ, ଅସ୍ତ୍ରଶସ୍ତ୍ରାଦି, ସେଗୁଡ଼ିକର ପ୍ରୟୋଗ ବିଧି ଓ ହାତୀ, ଘୋଡ଼ାମାନଙ୍କର ଯୁଦ୍ଧସାଜ ଇତ୍ୟାଦି ବୈଦେଶିକ ଶବ୍ଦ ନାମରେ ବ୍ୟବହୃତ ଓ ପ୍ରଚଳିତ ଥିଲା । ତେଣୁ ଶଂସିତ କାବ୍ୟରେ ସେଗୁଡ଼ିକ ଅପରିହାର୍ଯ୍ୟ ହୋଇଛି । ଯେଉଁଠି ଭାବପ୍ରକାଶ ତଥା ପଦ ସଂହତି ରକ୍ଷାକରିବା ପାଇଁ ଆବଶ୍ୟକ ହୋଇଛି ବ୍ରଜନାଥ ନିଃସଙ୍କୋଚରେ ଓଡ଼ିଆ ଶବ୍ଦ ସହିତ ବୈଦେଶିକ ଶବ୍ଦର ବ୍ୟବହାର କରି ପଦ ପଦାଂଶମାନଙ୍କୁ ସ୍ୱଭାବ ସୁନ୍ଦର କରି ଗଢ଼ି ତୋଳିଛନ୍ତି । ଭାବର ସ୍ୱଚ୍ଛନ୍ଦ ତଥା ଧ୍ୱନ୍ୟାତ୍ମକ ପରିପ୍ରକାଶ ଲାଗି କବି ଦେଶ ଭାଷାର ଶବ୍ଦ ଭଣ୍ଡାର ମଧ୍ୟରେ ନିଜକୁ ସୀମାବଦ୍ଧ ରଖିନାହାନ୍ତି । ଏଥିପାଇଁ ସେ ରକ୍ଷଣଶୀଳ ଆଲୋଚକମାନଙ୍କଦ୍ୱାରା ପ୍ରଶଂସିତ ହୋଇ ନଥିଲେହେଁ ଏତଦ୍ଦ୍ୱାରା ସେ ଯେ ଭାଷା ପାଇଁ ଭାବକୁ ବଳି ଦେଇ ନାହାନ୍ତି, ଏହା କମ୍‌ ଆଶ୍ୱାସନାର ବିଷୟ ନୁହେଁ ।

 

“ସମରତରଙ୍ଗ’’ ଗତାନୁଗତିକ ରୀତିରେ ତୃତୀୟ ପୁରୁଷ ସମ୍ବୋଧିତ ଏକ ଶୁଷ୍ମ ସମର ବିବୃତି ନୁହେଁ, ଏହା ନାଟକୀୟ ପଦବିନ୍ୟାସରେ ସମୃଦ୍ଧ ଏକ ରସାଳ ଗାଥାକାବ୍ୟ । ଚିମ୍ନାଜୀଙ୍କ ମୁଖରେ ଖୋରଠା ଭାଷାର ଉଦବୋଧନ କବିଙ୍କ ନବ ପ୍ରସୂତ ଭାବୋଦ୍ରେକକାରୀ ପ୍ରୟୋଗ ବୈଶିଷ୍ଟ୍ୟର ପରିଚାୟକ । ଏହାଦ୍ୱାରା ବର୍ଣ୍ଣନାଟି ପ୍ରାଣବନ୍ତ ପ୍ରତୀତ ହୋଇଥାଏ । ଓଡ଼ିଆ ଭାଷାରେ ସେହି ଅଂଶଟି ପ୍ରକାଶିତ ହୋଇଥିଲେ କାବ୍ୟ ଗୌରବ ହୁଏତ ଅବ୍ୟାହତ ଥାନ୍ତା କିନ୍ତୁ ଏହାର ଉପଭୋଗ୍ୟତା ଯେ କ୍ଷୁଣ୍ଣ ହୋଇଥାନ୍ତା ଏହା ସହଜରେ ଅନୁମାନ କରାଯାଇପାରେ ।

 

‘ସମରତରଙ୍ଗ’ର ରଚନାଶୈଳୀ ଏହାର ଅନନ୍ୟତା ଯୋଗୁଁ ଦୃଷ୍ଟି ଆକର୍ଷଣ କରେ । ବିଷୟ ବର୍ଣ୍ଣନାକ୍ରମରେ କବିଙ୍କର ଅନୁପାତ ଜ୍ଞାନ ଏକାନ୍ତ ବିସ୍ମୟକର । କାବ୍ୟ ଆରମ୍ଭରେ କବି ଇଷ୍ଟ ‘ରାଧାବର’ଙ୍କୁ ସ୍ମରଣ କରି ଶ୍ରୀଜଗନ୍ନାଥଙ୍କର ଓ ତାଙ୍କର ବିଜେସ୍ଥଳୀର ଯଥାସମ୍ଭବ ସଂକ୍ଷିପ୍ତ ବର୍ଣ୍ଣନା ମାତ୍ର ଦେଇ ଢେଙ୍କାନାଳ ରାଜ୍ୟର ଅତିଶୟ ପ୍ରଶସ୍ତି ଓ ତାହାର ଶାସକ ରାଜନ୍ୟବର୍ଗଙ୍କର ଯତ୍‌ସାମାନ୍ୟ ପରିଚୟ ଦାନ ପରେ ପରେ ହିଁ ବସ୍ତୁ ନିର୍ଦ୍ଦେଶ କରିଛନ୍ତି । ଏହାପରେ ଗୋଟିଏ ପରେ ଗୋଟିଏ ଘଟଣା ଯଥାକ୍ରମେ ବର୍ଣ୍ଣିତ ହୋଇଛି । ସରଳ, ଅଥଚ ଭାବାତ୍ମକ ପଦ ବିନ୍ୟାସ ମାଧ୍ୟମରେ କବି ଶ୍ରୋତା ଓ ପାଠକର ଉତ୍କଣ୍ଠା ଧରି ରଖିବାର ସମସ୍ତ ପ୍ରୟାସ ଏଥିରେ କରିଛନ୍ତି ।

 

ବିଶେଷତଃ ସମର ସମ୍ଭର୍ବର ଆଡ଼ମ୍ବରପୂର୍ଣ୍ଣ ଅଭିବ୍ୟକ୍ତି ପାହାଡ଼ିଆ କେଦାର ରାଗରେ ପ୍ରଦାନ କରି କବି ସ୍ୱୀୟ ରଚନା ଶକ୍ତିର ସୁଷ୍ଠୁ ପରିଚୟ ପ୍ରଦାନ କରିଛନ୍ତି । ଏହି ରାଗରେ ୩ +୨ କିମ୍ବା ୨+୩ ଏହିପରି ପାଞ୍ଚଟି ଅକ୍ଷର ଦ୍ରୁତ ଉଚ୍ଚାରିତ ହୋଇ ଛନ୍ଦର ସାମଗ୍ରିକ ରୂପରେ ଯେଉଁ ସ୍ପନ୍ଦନ ଆଣିଦିଏ, ତାହା ସ୍ୱାଭାବିକ ଗତି ସମ୍ପନ୍ନ ସମରବର୍ଣ୍ଣନାର ଏକାନ୍ତ ଉପଯୋଗୀ । ଏଥିପୂର୍ବରୁ ‘ରସକଲ୍ଲୋଳ’ ଓ ‘ବୈଦେହୀଶ ବିଳାସ’ ଆଦିରେ ପାହାଡ଼ିଆ କେଦାର ଛନ୍ଦ ବ୍ୟବହୃତ ହୋଇଥିଲେ ହେଁ ବ୍ରଜନାଥ ସମରବର୍ଣ୍ଣନା ନିମିତ୍ତ ଏହାକୁ ବ୍ୟବହାର କରି ଏହାର ଧ୍ୱନ୍ୟାତ୍ମକ ବୈଶିଷ୍ଟ୍ୟ ବର୍ଦ୍ଧିତ କରିଅଛନ୍ତି । ‘ସମରତରଙ୍ଗ’ର ପରବର୍ତ୍ତୀ ଯୁଦ୍ଧ ଗାଥା ବର୍ଣ୍ଣିତ କାବ୍ୟମାନଙ୍କରେ ଏହି ଛନ୍ଦଟି ପ୍ରାୟଶଃ ବ୍ୟବହୃତ ହେବାର ଦେଖାଯାଉଥିବାରୁ ବ୍ରଜନାଥଙ୍କ ଦ୍ୱାରା ଏହା ଯେ ଲୋକପ୍ରିୟ ହୋଇ ପାରିଛି, ସ୍ୱୀକାର କରିବାକୁ ହେବ ।

 

“ସମରତରଙ୍ଗ’ରେ ବ୍ୟବହୃତ ‘ରସକୋଇଲା’, ‘ଚକ୍ରକେଳି’,‘ଆହାରୀ’, ‘ଆଷାଢ଼ଶୁକ୍ଳ’, ବା ‘ଘଣ୍ଟାରବ’ ଓ ‘କେଦାର କାମୋଦୀ’ ଛନ୍ଦଗୁଡ଼ିକ ସମରବର୍ଣ୍ଣନାର ଅନୁକୂଳ ହୋଇଛି । ଛନ୍ଦ ଓ ତହିଁର ପଦ ବିନ୍ୟାସ ଭାବର ସ୍ପନ୍ଦନ ଆଣିଥାଏ । ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ସାହିତ୍ୟର ସିଦ୍ଧି ବ୍ରଜନାଥଙ୍କ ଲେଖନୀରେ ପୂର୍ଣ୍ଣ ଗୌରବରେ ପ୍ରତିଷ୍ଠିତ ।

 

‘ସମରତରଙ୍ଗ’ର ସ୍ଥଳ ବିଶେଷରେ ପ୍ରଦତ୍ତ ଶେଷୋକ୍ତି ବ୍ରଜନାଥଙ୍କ ଲେଖନୀର ବଳିଷ୍ଠତା ପ୍ରମାଣ କରିଥାଏ । ‘ଦେଖିଯିବା’, ‘ବହୁତ ମନେ ସେବା’, ‘କୋଶେ ଅନୁସରି’,‘ସାହେବେ’, ‘ଦହିମାଛ ହେବା’,‘ଦିଗମ୍ବର ବେଶେ ଚଳିଲେ’ ପ୍ରଭୃତି ପଦ ପଦାଂଶମାନ କବିଙ୍କ ପ୍ରୟୋଗ ଚାତୁରୀରେ ତୀବ୍ରତର ନିନ୍ଦାରେ ପରିଣତ ହୋଇଅଛି ।

ଅନ୍ନଦାତା ପ୍ରଭୁର ଯଶକୀର୍ତ୍ତନ କରିବାକୁ ଯାଇ ବ୍ରଜନାଥ କାବ୍ୟିକ ଅତିଶୟୋକ୍ତି ପ୍ରକାଶରେ ଯେ ମୁଖର ହୋଇଛନ୍ତି, ‘ସମରତରଙ୍ଗ’ର ଶେଷ ଛାନ୍ଦ ଦୁଇଟି ତାହାର ସାକ୍ଷ୍ୟ ବହନ କରେ । କବିଙ୍କର ବିନୟୋକ୍ତି ତୋଷାମୋଦରେ ପରିଣତ ହୋଇଥିବା ଅନସ୍ୱୀକାର୍ଯ୍ୟ । ଏଥିରେ ମଧ୍ୟ ବ୍ରଜନାଥଙ୍କର ଦ୍ରଷ୍ଟୃସୁଲଭ କବିତ୍ୱ ଲକ୍ଷ୍ୟ କରାଯାଇଥାଏ । ସେ ଲେଖିଛନ୍ତି :

 

“ଯେ ଯାହାକୁ ପ୍ରତି ବଳବତ୍ତର

ତା ସଙ୍ଗେ ଅପ୍ରୀତି ନୋହେ ବିଚାର

ଯେବେ ହୋଏ ଦ୍ୱନ୍ଦ

ପ୍ରୀତି କଲେ ପୁଣି ହୋଏ ଆନନ୍ଦ ’’। ୬।୫ ଛନ୍ଦ

 

ବର୍ଣ୍ଣନ ବାହୁଲ୍ୟ କାବ୍ୟ କୃତିକୁ ଅଳଙ୍କାର ମଣ୍ଡିତ କରିଥାଏ । ଅନେକତ୍ର ଦେଖାଯାଏ ଯେ ଏହି ବର୍ଣ୍ଣନର ଆତିଶଯ୍ୟ ମଧ୍ୟରେ କାବ୍ୟର ମୁଖ୍ୟ ବିଷୟବସ୍ତୁ ନିଷ୍ପ୍ରଭ ଓ ଗୌଣ ହୋଇ ପଡ଼େ-। ମାତ୍ର ବ୍ରଜନାଥ ତାଙ୍କର ଏହି ଅସାଧାରଣ କାବ୍ୟକୃତିରେ ବର୍ଣ୍ଣନ ବିଳାସକୁ ପରିହାର କରିଛନ୍ତି । ସମର ଓ ସେହି ସମ୍ପର୍କିତ ବିଷୟର ଯଥାସମ୍ଭବ ସଂକ୍ଷିପ୍ତ ଅଥଚ ଭାବୋଦ୍ଦୀପକ ରୂପାୟଣ ଘଟାଇଥିବା ଯୋଗୁଁ ‘ସମରତରଙ୍ଗ’ କେବଳ ସୁଖପାଠ୍ୟ ହୋଇନାହିଁ, ଏହା ଏକ ଗଣସାହିତ୍ୟରେ ପରିଣତ ହୋଇଛି, କହିବାକୁ ହେବ ।

 

 

“ସମରତରଙ୍ଗ’’ର ସାହିତ୍ୟିକ ପ୍ରଭାବ

 

ନିଜସ୍ୱ ଆବେଦନ ଯୋଗୁଁ ବ୍ରଜନାଥଙ୍କର ଏ କୃତିଟି ସମସାମୟିକ ପଲ୍ଲୀ ଜନପଦରେ ମୁଖେ ମୁଖେ ଆବୃତ୍ତ ହୋଇ ଗୀତ ହେଉଥିବାରୁ ପରବର୍ତ୍ତୀ କେତେକ ସମର ଗାଥାକାବ୍ୟରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ଓ ଅନୁସୃତି ସ୍ପଷ୍ଟ ହୋଇ ପଡ଼ିଛି । ଯେତେଦୂର ମନେହୁଏ, ‘ସମରତରଙ୍ଗ’ ଲୋକପ୍ରିୟତା ଅର୍ଜନ କରିବା ପରେ ବିଭିନ୍ନ ରାଜକବିମାନଙ୍କ ସମକ୍ଷରେ କାବ୍ୟ ରଚନାର ଏକ ଅଭିନବ ଆଦର୍ଶ ଉନ୍ମୋଚିତ ହୋଇଯିବାରୁ ବିଭିନ୍ନ ରାଜସଭାର କବିବୃନ୍ଦ ସମ୍ପୃକ୍ତ ରାଜାଙ୍କର ଯୁଦ୍ଧ ବିଗ୍ରହ ଘଟଣାକୁ କାବ୍ୟରୂପଦାନ କରିବାରେ ପ୍ରବୃତ୍ତ ହୋଇଛନ୍ତି । ଯେତେଗୁଡ଼ିଏ ସମରଗାଥା ପୁସ୍ତକ ବା ପୋଥି ପାଣ୍ଡୁଲିପି ଆକାରରେ ପ୍ରାପ୍ତ ହେଉଅଛି ସେଗୁଡ଼ିକର ରଚନାକାଳ ‘ସମରତରଙ୍ଗ’ପରବର୍ତ୍ତୀ । ଏଥିରୁ ମନେହୁଏ ଯେ ସମର ଗାଥାର କାବ୍ୟିକ ରୂପାୟନ କ୍ଷେତ୍ରରେ ବ୍ରଜନାଥ ହେଉଛନ୍ତି ଓଡ଼ିଆ ସାହିତ୍ୟରେ ଯଶସ୍ୱୀ ପଥିକୃତ୍‌ ।

 

ସମରଗାଥାମାନଙ୍କ ମଧ୍ୟରେ ୧୨୪୨ ସାଲ ବା ୧୮୩୪।୩୫ ମସିହାରେ ପୁରୀ ଜିଲ୍ଲା ଅନ୍ତର୍ଗତ ସାନପୁଟ ଗଡ଼ର ମଧୁସୂଦନ ବିପ୍ରଙ୍କ ରଚିତ ‘ଫିରିଙ୍ଗିକଳି ଭାରତ’, ପ୍ରାୟଶଃ ସେହି ସମୟଆଡ଼କୁ କାଶୀନାଥ ନାମକ ବ୍ୟକ୍ତିଙ୍କଦ୍ୱାରା ରଚିତ ସମବିଷୟକ ଯୁଦ୍ଧଗାଥା ‘ବୀରପ୍ରଭା’, ୧୮୫୦ ମସିହାବେଳକୁ ରଚିତ ‘ଖଲିକୋଟ ଯୁଦ୍ଧ ବା ଖଲ୍ଲିକୋଟ ରାଜାଙ୍କ ଯଶ’ ଶୀର୍ଷକ କବି ଚୈତନ୍ୟ ଦାସଙ୍କ ରଚନା, ୧୮୩୬ ମସିହାରେ ବିପ୍ର କୃପାସିନ୍ଧୁଙ୍କ ରଚିତ ଯୁଦ୍ଧଗାଥା, ସେହି ଯୁଦ୍ଧ ସମ୍ପର୍କୀୟ ଅନ୍ୟ ଏକ ରଚନା ‘ଭଞ୍ଜବିହାର’, ଅଜ୍ଞାତନାମା ସଂସ୍କୃତାଭିଜ୍ଞ କବିଙ୍କ ରଚିତ ନୂଆଗଡ଼ ଓ ଘୁମୁସର ଯୁଦ୍ଧ ସମ୍ପର୍କୀୟ ଗାଥା ‘ଯୁଦ୍ଧଗୀତ’, ୧୮୨୫ -୩୦ ମଧ୍ୟରେ ସୃଷ୍ଟି ଲାଭ କରିଥିବା ଅନୁଗୁଳର କବି ଭାଗ୍ୟରଥି ବା ଭାଗୀରଥିଙ୍କ ‘ରଣତରଙ୍ଗ’, ସମକାଳୀନ ଓ ସମବିଷୟକ ଯୁଦ୍ଧ କୈନ୍ଦ୍ରିକ ନୃସିଂହ ରାୟଗୁରୁଙ୍କ ‘ବୁଢ଼ାପଙ୍କ ଯୁଦ୍ଧ ପୋଥି’ ପ୍ରଭୃତି ଯେ ‘ସମରତରଙ୍ଗ’ ଅନୁସୃତ ରଚନା, ଏହା ଜଣାପଡ଼େ ।

 

ଶେଷୋକ୍ତ ଗ୍ରନ୍ଥ ଦ୍ୱୟ ‘ରଣତରଙ୍ଗ’ ଓ ‘ବୁଢ଼ାପଙ୍କ ଯୁଦ୍ଧପୋଥି’ରେ ‘ସମରତରଙ୍ଗ’ର ସ୍ପଷ୍ଟ ପ୍ରଭାବ ବାରି ହୋଇଯାଏ । ଢେଙ୍କାନାଳର ରାଜା ଶ୍ୟାମସୁନ୍ଦର ଭ୍ରମରବରଙ୍କ ସହିତ ଅନୁଗୁଳର ଶେଷ ରାଜା ସୋମନାଥ ସିଂହ ଜଗଦେବଙ୍କର ବୁଢ଼ା ପଙ୍କଠାରେ ହୋଇଥିବା ଯୁଦ୍ଧରେ ଅନୁଗୁଳର କୃତିତ୍ୱ ପୂର୍ଣ୍ଣ ବିଜୟ ଓ ବୈରୀ ବିତାଡ଼ନର ଗୌରବାବହ ଗାଥା ‘ରଣତରଙ୍ଗ’ ଓ ‘ବୁଢ଼ାପଙ୍କ ଯୁଦ୍ଧ ପୋଥି’ର ଉପଜୀବ୍ୟ । ‘ସମରତରଙ୍ଗ’ ଅନୁରୂପ ଘଟଣାବୟାନର ଧାରା ଏହି ଦୁଇଟିଯାକ ଗ୍ରନ୍ଥରେ ଲକ୍ଷ୍ୟ କରାଯାଏ ।

 

ସଶସ୍ତ୍ର ସୈନ୍ୟ ବାହିନୀର ରଣଯାତ୍ରାକୁ ବ୍ରଜନାଥ ସାଗର ସହିତ ଯେପରି ଉପମିତ କରାଇଛନ୍ତି, ଉଭୟ ଭାଗ୍ୟରଥି ଓ ନୃସିଂହ ରାୟଗୁରୁ ତଦ୍ଦ୍ୱାରା ପ୍ରଭାବିତ ହୋଇଥିବାର ଲକ୍ଷ୍ୟ କରାଯାଉଛି । ଲକ୍ଷଣୀୟ –

 

“ରଣତରଙ୍ଗ’’-

“ଏମନ୍ତ ଶୁଣି ସଜ ସଇନ ସକଳେ ବୀରବେଶ ହୋଇଣ

ଆସନ୍ତି ଯେଝା ସହସ୍ରମାନ କରେ ଧରିଣ ହେ

ନନ୍ଦୀ ସାବେଳୀ ଲଞ୍ଜା ବରଛି ଢାଲ ଢଙ୍କୁଣ ଧନୁ ଆମଞ୍ଚି

ବିବିଧ ବେଶ ହୋଇଣ ତହିଁ ସେ ଫରିକାରେ ହେ

ଗଡ଼ି ଶଗଡ଼େ ଗୁଣ୍ଡମାନ ଲଦିଣ ହେ

ଗଜଅଶ୍ୱ ନିଯୋତ ସଜ କରିଣ ହେ

ରାଉତ ମାହୁନ୍ତ ପଏକାର ଭେଟିଆ ହାଟୁଆ ବଣିକାର

ବଡ଼ ସମ୍ଭରେ ହେଲେ ବାହାର ବହୁତ ସନ୍ୟ ହେ ।’’

-(୩ୟ ଛନ୍ଦ)

(O.MS 187-ଓଡ଼ିଶା ରାଜ୍ୟ ସଂଗ୍ରହାଳୟ)

 

ବୁଢ଼ା ପଙ୍କ ଯୁଦ୍ଧ ପୋଥି –

 

“କେ ବୋଲେ ଭାଇ ହୋଇଲ ବାଇ ସପ୍ତସାଗର ଘୋଟି ଆସଇ

ଲଂଘିକି ଯିବା ହୋଇଛି ନଈ କେ ପାରେ ଯାଇରେ

ଅଛନ୍ତି ମଚ୍ଛକଚ୍ଛ ରାଘବ ସର୍ପନକ୍ରାଦି ଗଣ୍ଡଭୈରବ

ଝାସ ଦେବାକୁ ଯେବେ ବୋଲିବ ହେବ କି ଡେଇଁରେ

କେହୁ ବୋଲଇ କଥା ଅଛି କି ଭାଇ

ବୋଇତେ ବସି ବସି ଯିବା ଚଳାଇ

ଜଳନୃପତି ବରୁଣ ରାଜା ଏ ଜଳଜନ୍ତୁ ତାଙ୍କ ପରଜା

ତାଙ୍କ ପାଦରେ କଲେକ ପୂଜା ହୁଅନ୍ତା ଯାଇରେ ।

-(ଚତୁର୍ଥ ଛାନ୍ଦ)

-(ପ୍ରଥମ ପ୍ରକାଶ-୧୯୫୬)

-(ସମ୍ପାଦକ- ସୁଧାକର ପଟ୍ଟନାୟକ)

 

ପାହାଡ଼ିଆ କେଦାର ଛନ୍ଦରେ ଉପରୋକ୍ତ ସୈନ୍ୟ ସଜ୍ଜାର ବର୍ଣ୍ଣନା ଯେ, ସମରତରଙ୍ଗର ଅନୁସରଣ ଜନିତ ଏହା ସୁସ୍ପଷ୍ଟ । ଏହି ଦୁଇଟିଯାକ ଗ୍ରନ୍ଥର ଗ୍ରନ୍ଥକାର ବ୍ରଜନାଥଙ୍କ ଭଳି ରାଜାନୁଗତ୍ୟ ଅକୁଣ୍ଠ ଭାବରେ ପ୍ରକାଶ କରିଛନ୍ତି । ଏପରିକି ନୃସିଂହ ରାୟଗୁରୁ ତାଙ୍କ ଗ୍ରନ୍ଥର ସ୍ଥଳ ବିଶେଷରେ ‘ଆରେ ତୁମ୍‌ କ୍ୟା ନବାବ୍‌ ହେ । ଅନୁଗୁଳ ରାଜା ବଡ଼ା’’ ବୋଲି ଲେଖି ବ୍ରଜନାଥଙ୍କ ଅନୁରୂପ ବୈଦେଶିକ ଭାଷାର ଆଶ୍ରୟରେ ନାଟକୀୟତା ଆଣିବାକୁ ଚେଷ୍ଟା ମଧ୍ୟ କରିଛନ୍ତି । ସେ ‘ବୁଢ଼ାପଙ୍କ ଯୁଦ୍ଧ ପୋଥି’ର ପ୍ରଥମ ଛଅଟି ଛାନ୍ଦ ଲେଖି ଅନୁଗୁଳ ରାଜା ସୋମନାଥ ସିଂହଙ୍କୁ ଶୁଣାଇ କବିଚନ୍ଦ୍ର ଉପାଧି ପ୍ରାପ୍ତ ହୋଇଥିଲେ । ଇଂରେଜ ପ୍ରଶାସକଙ୍କ ସହିତ ସୋମନାଥଙ୍କର ବିବାଦ ଓ ଫଳରେ ହଜାରିବାଗ ଜେଲ୍‌ରେ ତାଙ୍କର ବନ୍ଦୀ ଜୀବନର ଅବସାନ ବିଷୟ ପ୍ରଭୃତି ପରବର୍ତ୍ତୀ ଏଗାରଟି ଛାନ୍ଦରେ ଏହି ଗ୍ରନ୍ଥରେ ବିବୃତ ହୋଇଅଛି ।

 

ଏଥିରୁ ଜଣାଯାଏ ଯେ ବ୍ରଜନାଥଙ୍କର ‘ସମରତରଙ୍ଗ’ ଭଳି ପରବର୍ତ୍ତୀ ସମରଗାଥାକୃତି ରାଜପୃଷ୍ଠପୋଷକତା ସମାଶ୍ରିତ ସୃଷ୍ଟି । ପ୍ରକୃତ ବାସ୍ତବ ଘଟଣାର ପଲ୍ଲବିତ ରୂପାୟଣ ଏହିସବୁ ଗ୍ରନ୍ଥମାନଙ୍କରେ ଘଟିଥିବା ଏକାନ୍ତ ସମ୍ଭବ । ରାଜାଙ୍କୁ ଭେଟି ଦେଇ ତାଙ୍କର କର୍ଣ୍ଣଗୋଚର କରାଇ ପୁରସ୍କାର ପ୍ରାପ୍ତ ହେବାର କାମନା ରଖି ଏଭଳି ଗ୍ରନ୍ଥ ରଚନା କରିଥିବାରୁ ଗ୍ରନ୍ଥକାର ଅତ୍ୟନ୍ତ ସାବଧାନତା ଅବଲମ୍ବନ କରିବା ସ୍ୱାଭାବିକ । ‘ସମରତରଙ୍ଗ’ ମରହଟ୍ଟା ଅଧିନାୟକ ଚିମ୍ନାଜୀଙ୍କ ସମ୍ମୁଖରେ ବ୍ରଜନାଥଙ୍କଦ୍ୱାରା ଗୀତ ହେବା ଓ ‘ଯେତେହେଲେ ସେ ଲଡ଼କା କିନା’ ଶୁଣି ଚିମ୍ନାଜୀ ବ୍ରଜନାଥଙ୍କ ପ୍ରତି ଉତ୍‌କ୍ଷିପ୍ତ ଓ ବିମୁଖ ହୋଇଥିବା ବିଷୟ ଯାହା ଜନଶ୍ରୁତିରୁ ଜଣାଯାଏ, ତାହା ବିଶ୍ୱାସ୍ୟ ନୁହେଁ । କାରଣ ସମଗ୍ର ‘ସମରତରଙ୍ଗ’ରେ ମରହଟ୍ଟା ସୈନ୍ୟ ବାହିନୀକୁ ସାଗର ସହିତ ତୁଳନା କରିବା ବ୍ୟତୀତ ଅନ୍ୟ କୌଣସି ଠାରେ ସେମାନଙ୍କର କୃତିତ୍ୱର ଆଖ୍ୟାନ ବିବୃତ ହୋଇନାହିଁ । ଅଧିକନ୍ତୁ ତ୍ରିଲୋଚନଙ୍କୁ ସାଗରମନ୍ଥନକାରୀ ମନ୍ଦରଗିରି ବୋଲି ଅଭିହିତ କରାଯାଇ ମରହଟ୍ଟାଙ୍କର ଗୌରବକୁ କ୍ଷୁଣ୍ଣ କରାଯାଇଛି । ଏଣୁ ଚତୁର ବ୍ରଜନାଥ ଆପଣାର ଜୀବନକୁ ବିପନ୍ନ କରି ପ୍ରତିପକ୍ଷର ଅଧିନାୟକ ସମକ୍ଷରେ ସ୍ୱଜାତି, ସ୍ୱଦେଶ ଓ ଆପଣା ରାଜ୍ୟର ରାଜାଙ୍କର ଗୌରବ ଗାଥା ଗାନ କରି ଇନାମ ପାଇବାର ଦୁରାଶା କୁତ୍ରାପି ପୋଷଣ କରିନଥିବେ । ତ୍ରିଲୋଚନଙ୍କ ପାଇଁ ଲିଖିତ ଏ ଗ୍ରନ୍ଥଟି ସେ ତାଙ୍କୁହିଁ ଭେଟି ଦେଇ ଯାହା ପୁରସ୍କାର ପାଇଛନ୍ତି ତହିଁର ଟିକିନିଖି ବିବରଣୀ ଲିପିବଦ୍ଧ କରିବାକୁ ମଧ୍ୟ ବିସ୍ମୃତ ହୋଇ ନାହାନ୍ତି । ରାଜସ୍ତୁତି ପ୍ରଖ୍ୟାପନରେ ତାଙ୍କର କୁଣ୍ଠା ନାହିଁ, ସଙ୍କୋଚ ନାହିଁ; ବରଂ ସେ ସେଥିପାଇଁ ଆପଣାକୁ ଗୌରବାନ୍ୱିତ ବୋଧ କରିଛନ୍ତି ।

 

ଯଥାର୍ଥରେ ପାଶ୍ଚାତ୍ୟ ଅପ୍ରଭାବିତ ଯୁଗରେ ଦେଶପ୍ରୀତିର ସାହିତ୍ୟିକ ରୂପାୟନ କେବଳ ବ୍ରଜନାଥଙ୍କଦ୍ୱାରା ସର୍ବପ୍ରଥମେ ଘଟିଛି । ସେ ଯୁଗର ଜାତୀୟତା ବା ଦେଶପ୍ରୀତିକୁ ଆଧୁନିକ ଯୁଗର ମାନଦଣ୍ଡରେ ମୂଲ୍ୟାୟିତ କରିବା ସ୍ପୃହଣୀୟ ନୁହେଁ । କାରଣ ଜ୍ଞାନ ବିଜ୍ଞାନ ଆଲୋକିତ ଆଧୁନିକ ଯୁଗ ଚେତନା ଭାଗ୍ୟ, ଭଗବାନ ବିଶ୍ୱାସୀ, ରାଜନୁରାଗପ୍ରବଣ ମଧ୍ୟଯୁଗୀୟ ଭାବ ଧାରା ସହିତ ତୁଳନୀୟ ହୋଇନପାରେ । ତଥାପି ସେ ଯୁଗରେ ଯେ ବ୍ରଜନାଥ ‘ସମରତରଙ୍ଗ’ ଭଳି ଏକ ଜାତୀୟ ଗାଥାକାବ୍ୟ ରଚନା କରି ଆପଣାର ବିଲକ୍ଷଣ ସମାଜ ସଚେତନତାର ସ୍ମାରକୀ ରଖି ଯାଇଛନ୍ତି ଓ ତାହା ପୁଣି କାବ୍ୟ ଗୌରବରେ ରୁଦ୍ଧିମନ୍ତ ହୋଇଛି, ଏହା ଯେପରି ବିସ୍ମୟକର, ସେହିପରି ଗୌରବାବହ, ସ୍ୱୀକାର କରିବାକୁ ହେବ । ‘ସମରତରଙ୍ଗ’ର ଅନ୍ୟତମ ଅବିସମ୍ବାଦିତ କୃତିତ୍ୱ ହେଉଛି, ଏହା ହିନ୍ଦୀ ସାହିତ୍ୟର ‘ପୃଥ୍ୱୀରାଜ ରାସୋ’, ‘ପର୍‌ମଲ୍‌ ରାସୋ’ ସହିତ ଏକ ଚମତ୍କାର ତୁଳନୀୟ ଗ୍ରନ୍ଥ ।

 

ବ୍ରଜନାଥ ଏହି ସମର ଗାଥାକାବ୍ୟଟି ରଚନା କରି ରାଜା ତ୍ରିଲୋଚନ ମହୀନ୍ଦ୍ରଙ୍କୁ ଶୁଣାଇଥିବା ବିଷୟ ସପ୍ତମ ତଥା ଶେଷ ଛାନ୍ଦରେ ଉଲ୍ଲେଖ କରିଛନ୍ତି । ରାଜାଙ୍କର ଯଶ କୀର୍ତ୍ତି ସଦ୍‌ଗୁଣ ଓ କ୍ଷମତା ସମ୍ବନ୍ଧରେ ଅନୁଗତଜନ ସୁଲଭ ବିନମ୍ର ଟିପ୍ପଣୀ ସହିତ କବିଙ୍କର ବଂଶ ପରମ୍ପରା, ସାହିତ୍ୟିକ ତଥା ଶୈଳ୍ପିକ କୃତିତ୍ୱର ପରିଚୟ ପାଠକ ଏହି ଛାନ୍ଦରୁ ପାଇଥାଏ । ଏହି ସମର କାବ୍ୟଟି ରାଜାଙ୍କୁ ଶୁଣାଇ କବି ବ୍ରାହ୍ମଣୀ ନଦୀ ତଟବର୍ତ୍ତୀ ବିସ୍ତୀର୍ଣ୍ଣ ଭୂବୃତ୍ତି ସହିତ ନଗଦ ଦୁଇଶହ ଟଙ୍କା ଓ ପାଟବସ୍ତ୍ର ପୁରସ୍କାର ପାଇଥିବା ବିଷୟ ଏହି ଛାନ୍ଦରୁ ଜଣାଯାଏ ।

 

ଏଭଳି ସୌଭାଗ୍ୟ ଯେ ତାଙ୍କ ପାଇଁ କ୍ଷଣସ୍ଥାୟୀ ଥିଲା,“ରାଜନଙ୍କୁ ଛଳଉକ୍ତି’’ ଶୀର୍ଷକ କବିତାରେ ବ୍ରଜନାଥ ଏହାର ସୂଚନା ଦେଇଛନ୍ତି। ‘ରାଜା ଗୋଜା’- ‘କ୍ଷଣେ ରୁଷ୍ଟ, କ୍ଷଣେ ତୁଷ୍ଟ’ । ‘ସମରତରଙ୍ଗ’ ରଚନା କରି ଯେଉଁ ବ୍ରଜନାଥ ପ୍ରଶଂସା ଓ ପୁରସ୍କାର ଲାଭରେ ଆପଣାକୁ ଭାଗ୍ୟବାନ ମନେକରିଥିଲେ ମାତ୍ର ଛଅ, ସାତ ବର୍ଷ ବ୍ୟବଧାନରେ ରାଜାଙ୍କ କୋପଦୃଷ୍ଟି ହେତୁ ସେ କେବଳ ଦାରିଦ୍ର୍ୟସନ୍ତପ୍ତ ହୋଇନଥିଲେ ଅସହାୟ ବୋଧ କରି ରାଜ୍ୟାନ୍ତର ଗମନର ଅଭିଳାଷ ପୋଷଣ କରିଥିଲେ । ସେ ସମୟର ରାଜାମାନଙ୍କର ଚରିତ୍ର, ଆଚରଣ, ଅବୁଝାମଣା ପ୍ରକୃତି ସମ୍ପର୍କରେ ଏବେ ମଧ୍ୟ ଲୋକ ମୁଖରୁ ଯାହାସବୁ ଶୁଣାଯାଏ ସେଥିରୁ ଢେଙ୍କାନାଳ ରାଜା ବ୍ରଜନାଥଙ୍କଠାରେ ରୁଷ୍ଟ ହେବାରେ ବୈଚିତ୍ର୍ୟ କିଛି ନାହିଁ । ବ୍ରଜନାଥ ସ୍ୱଭାବତଃ ସ୍ପଷ୍ଟବାଦୀ ଓ ଦୃଢ଼ଚେତା ଥିବାରୁ ତାଙ୍କର କୌଣସି କଥା ହୁଏତ ବିକୃତ ଭାବରେ ଖଚକୁହା ଅସହିଷ୍ଣୁ ପାଖ ଲୋକଙ୍କ ଦ୍ୱାରା ରାଜାଙ୍କର କର୍ଣ୍ଣଗୋଚର ହୋଇଥିବ । ସେ ଯାହା ହେଉ, ‘ରାଜନଙ୍କୁ ଛଳଉକ୍ତି’ ଶୀର୍ଷକ ରଚନାରେ ବ୍ରଜନାଥ ପରୋକ୍ଷରେ ରାଜାଙ୍କର ଅନ୍ୟାୟ ଆଚରଣ ବିଷୟ ଜଣାଇ ଦେବା ସଙ୍ଗେ ସଙ୍ଗେ ରାଜ୍ୟ ଛାଡ଼ି ଚାଲିଯିବେ ବୋଲି ଆଦେଶ ପ୍ରାର୍ଥନା କରିବାରୁ ରାଜାଙ୍କ ଆଦେଶରେ ତାଙ୍କୁ ଅର୍ଥ, ଜମି ଓ ହଳ, ବଳଦ ଇତ୍ୟାଦି ମିଳିଥିଲା । ଅଳ୍ପ କେତେଦିନ ନିଶ୍ଚିନ୍ତରେ ବସବାସ କରିବା ଅବସ୍ଥାରେ ରାଜାଙ୍କ ମନସ୍ତୁଷ୍ଟି ଲାଗି ବ୍ରଜନାଥ ଲେଖିଥିଲେ ‘ରାଜସଭା’ ଶୀର୍ଷକ ବର୍ଣ୍ଣନାତ୍ମକ କବିତା । ଏହି କବିତାଟିରେ ତ୍ରିଲୋଚନ ମହୀନ୍ଦ୍ରଙ୍କ ରାଜସଭାର ଏକ ବିଶେଷ ଦିନର ବିବରଣୀ ଲିପିବଦ୍ଧ ଅଛି । ସେଥିରୁ ରାଜାଙ୍କ ରାଜଗୀ, ଚାଟୁକାର ତଥା ସାହାଯ୍ୟ ପ୍ରାର୍ଥୀ ଅଭ୍ୟାଗତମାନଙ୍କର ରୀତି ଗତି ସମ୍ପର୍କୀୟ ଟିପ୍ପଣୀ ଉପଲବ୍ଧ ହୁଏ । ଏହି କବିତାଟି ଲେଖି ରାଜାଙ୍କୁ ଶୁଣାଇ କବି ପୁରସ୍କୃତ ହୋଇଥିବା ଉଲ୍ଲେଖ କରିଛନ୍ତି।

 

ପରିଣତ ବୟସରେ ସଂସାର ଜଞ୍ଜାଳରୁ ଅବ୍ୟାହତି ନେଇ କବି ନୀଳାଚଳ ଧାମକୁ ଶେଷ ଆଶ୍ରୟ ସ୍ଥଳରୂପେ ଗ୍ରହଣ କରି ନେଇଥିଲେ । ପ୍ରତିଭାବାନ ସ୍ରଷ୍ଟା ଏଠାରେ ନୀରବ ଜୀବନ ଯାପନ ନ କରି ସାରସ୍ୱତ ସାଧନାରେ ମଧ୍ୟ ନିବିଷ୍ଟ ରହିଥିଲେ । ଏହିଠାରେ ତାଙ୍କ ଲେଖନୀରୁ ଜନ୍ମ ନେଇଥିଲା ଗୀତିକାବ୍ୟ ‘ଗୁଣ୍ଡିଚାବିଜେ’। ଗନ୍ଥଟି ହିନ୍ଦୀ ଭାଷାରେ ରଚିତ ଏକ ଅନବଦ୍ୟ ସୃଷ୍ଟି । ବ୍ରଜନାଥଙ୍କ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମ୍ବନ୍ଧୀୟ ରଚନା ଭାବରେ ବକ୍ରବାକ ଚକ୍ରପାଣି ପଟ୍ଟନାୟକଙ୍କର ସଂସ୍କୃତ ଭାଷାରେ ‘ଗୁଣ୍ଡିଚା ଚମ୍ପୂ’ ଓ ଦୀନକୃଷ୍ଣ ଦାସଙ୍କର ଓଡ଼ିଆ ‘ଜଗମୋହନ ଛାନ୍ଦ’ ଆତ୍ମ ପ୍ରକାଶ କରିଥିଲା । ମାତ୍ର ପରିବେଷଣ ରୀତିରେ ଅଭିନବତ୍ୱ ବ୍ରଜନାଥଙ୍କର ‘ଗୁଣ୍ଡିଚାବିଜେ’ର ଲକ୍ଷଣୀୟ ବିଶେଷତ୍ୱରୂପେ ଚିହ୍ନିତ । ଏହି ଗ୍ରନ୍ଥର ନାୟକ ନୀଳାଚଳ ନାଥ ଜଗନ୍ନାଥ ସମସ୍ତ ମାନବୀୟ କ୍ରିୟାକଳାପଯୁକ୍ତ ଏକ ଜୀବନ୍ତ ଚରିତ୍ର । ଦେବତ୍ୱର ସମ୍ଭ୍ରମ ସହିତ ମାନବତ୍ୱର ସ୍ୱାଭାବିକତା ରଥଯାତ୍ରାର ଏହି ନାୟକଙ୍କୁ ପାଠକଙ୍କ ନିକଟରେ ଅଧିକତର ଆପଣାର ପ୍ରତୀୟମାନ କରାଇଛି ।

 

ଗୁଣ୍ଡିଚାବିଜେ - ହିନ୍ଦୀ ଭାଷା ବିରଚିତ ବର୍ଣ୍ଣନାତ୍ମକ କାବ୍ୟ

 

ଜଗନ୍ନାଥ ମହାପ୍ରଭୁଙ୍କର ଘୋଷ ଯାତ୍ରାର ପ୍ରଧାନ ପ୍ରଧାନ ବିଧି ସମ୍ପର୍କରେ ବ୍ରଜନାଥ ଏକାନ୍ତ ଅବହିତ କେବଳ ନଥିଲେ, ସେ ମନପ୍ରାଣ ଦେଇ ଏଥିରେ ଯେପରି ମଜ୍ଜିଥିଲେ ‘ଗୁଣ୍ଡିଚା ବିଜେ’ର ପ୍ରତ୍ୟେକ ପଦପଂକ୍ତି ଏହାର ପ୍ରମାଣ ଦିଏ । କବିଙ୍କ ଦୃଷ୍ଟି ଏକାନ୍ତ ଭକ୍ତି ପ୍ରଧାନ ନୁହେଁ, ରସିକ ଜନୋଚିତ, ଏହା ଗ୍ରନ୍ଥଟିରେ ଅଭିବ୍ୟକ୍ତ । ମନ୍ଦିରରୁ ଜଗନ୍ନାଥ ପହଣ୍ଡି ବିଜେ କରି ଆସୁଥିବା ଦୃଶ୍ୟ କବିଙ୍କ ଲେଖନୀରୁ ଧ୍ୱନି ମଞ୍ଜୁଳ ରୂପ ଲାଭ କରି ଯେପରି ପ୍ରକାଶିତ ହୋଇଛି, ତାର ପଟାନ୍ତର ନାହିଁ । ଯଥା –

 

“ଖିଁଚତ କଟି ପାଟି ଡୋର ଜୋର କରକେ ଫେର ଫେର

ତୋଲି ଧରତ ଦେକେ ସୋର ଗୋଲ ବିପୁଲ ବାହା,

ଜାଜା ଲଲକାର ମାର ଠେଲତ କୋଇ ବାର ବାର

ଧୀର ଧୀର ଝୁଲି ଚଲତ ଯୈସେ ହାଥୀ ହା ହା ।’’

 

ରଥଯାତ୍ରାର ବହୁରଙ୍ଗୀ ଶୋଭା ଯଥାଯଥଭାବେ ଚିହ୍ନିତ କରିବା ସହିତ କବିଙ୍କର ଦୃଷ୍ଟି ଆକର୍ଷିତ ହୋଇଛି ସମବେତ ଦର୍ଶକ ଦର୍ଶିକାମାନଙ୍କ ପ୍ରତି । ସେ ଦୃଷ୍ଟିରେ ଯେଉଁମାନେ ଧରା ପଡ଼ିଛନ୍ତି, ସେମାନେ ହେଲେ –

“ଲାଲ ଅପାଙ୍ଗୀ କାଞ୍ଚନ ଅଙ୍ଗୀ ଭଙ୍ଗୀ ତରଙ୍ଗୀ ସଙ୍ଗୀତ ରଙ୍ଗୀ

କଟୀତଟକ୍ଷୀଣା ଜଘନ ବିପୀନା ପୀରତି ପ୍ରବୀଣା ମୂରତ ନବୀନା

କୋକିଲବାଣୀ କାମନିଶାନୀ ସୁରତରୁଜାନି ସୁରତକ ଦାନୀ

ମଞ୍ଜୁଲବେଶୀ ନୀଲସୁକେଶୀ ନାଗରୀପାଶି ନାଗରରାଶି

ଯୌବନଭାରି ମୋହନପ୍ୟାରୀ ହୋକେତୟାରି ହୈ ପଟୁଆରି ।’’

 

ଶ୍ରୀଜୀଉଙ୍କର ଅପୂର୍ବ ଘୋଷଯାତ୍ରା ସନ୍ଦର୍ଶନ ନିମିତ୍ତ ବଙ୍ଗ, କାଶୀ, ନେପାଳ, ମୁଲତାନ, ଲାହୋର, କର୍ଣ୍ଣାଟ, ବୁନ୍ଦେଲଖଣ୍ଡ ଏପରିକି ବିଲାତରୁ ଆଗତ ଯାତ୍ରୀମାନଙ୍କୁ କବି ପରିଚିତ କରାଇ ଦେଇଛନ୍ତି । ରଥମାନଙ୍କର ବିଚିତ୍ର ମଣ୍ଡଣି, ଗଜପତି ମହାରାଜାଙ୍କର ଛେରା ପହଁରା (ବନକର ସେଚନ ଝାଡ଼ ସ୍ୟନ୍ଦନ), ରଥରେ ଦଉଡ଼ି ଭିଡ଼ା ସହିତ ରଥର ଗମନ ଦୃଶ୍ୟର ବର୍ଣ୍ଣନା ‘ଗୁଣ୍ଡିଚା ବିଜେ’ରେ ପ୍ରତ୍ୟକ୍ଷ ଦୃଷ୍ଟପ୍ରାୟ ପ୍ରତୀତ ହୁଏ । ନିମ୍ନୋକ୍ତ ପଦପଂକ୍ତି ଲକ୍ଷ୍ୟ କଲେ ରୂପାୟଣ କିଭଳି ଭାବସ୍ପନ୍ଦନବାହୀ ତାହା ଜଣାପଡ଼େ । ଯଥା –

 

“ଘନ ଘନ ଘନ ସ୍ୟନ୍ଦନବର ଧୀର ଧୀର ଗମନ କରତ

ଟନ ଟନ ଟନ ଟନ କରତ ଘୁଂଘୁର ଘଂଟି ଘଂଟ ଟଙ୍କାରତ

କଟ କଟ କଟ କଟ ଉତ୍କଟ ପ୍ରକଟ ଚକ୍ର ବକ୍ର ଚଳତ ମହୀ ଫୁଟତ

ଘୁଂ ଘୁଂ ଘୁଂ ଘୁଂ ଘନ ଘୋର ଗମ୍ଭୀର ଧ୍ୱନି ଛୁଟତ ।’’

 

ରଥ ଗତିକୁ ନିରୀକ୍ଷଣ କରୁ କରୁ ପୁନଶ୍ଚ କବିଙ୍କ ଦୃଷ୍ଟି ଫେରି ଆସିଛି ଯାତ୍ରୀମାନଙ୍କ ପ୍ରତି । ପ୍ରବଳ ଲୋକ ଗହଳ ମଧ୍ୟରେ କେଉଁଠି କିଏ କି ପ୍ରକାର ଆଚରଣ ପ୍ରକାଶ କରୁଛି, ତାହା କହିବାକୁ ଯାଇ ସେ ଲେଖିଛନ୍ତି :-

 

“ହାଁ ହାଁ ହାଁ ହାଁ କର ଗହଲ ମେ ଠେଲେଦେ କୋଇ ଜାଏ

କୋଇ ଭୀଡ଼ ମେ ରୁଚିର ରମଣୀ କୁଚକୋ ଆଁଚଲିଏ ।

‘ନେଲା ନେଲା’ କହ କହ କୋଇ କାନ କୋ ମୁଁଦ ଧାଏଁ ।

ମା’ଲୋ ମା’ଲୋ ଛୋଡ଼ିପୋ କି କଲା’ ବୋଲ କେ ସୋର କିଏ’’

 

କେଉଁଠି ହରି ହରି ଧ୍ୱନିରେ ଦାଣ୍ଡ ଉଛୁଳି ଉଠୁଛି, କେଉଁଠି ସଂକୀର୍ତ୍ତନ ଚାଲିଛି, ବାଟେ ଘାଟେ କିପରି ଅମୀରଠାରୁ ଫକୀର ଡେରା ପକାଇ, ତମ୍ବୁ ଟାଙ୍ଗି ରହିଛନ୍ତି, କେଉଁଠି ବାରନାରୀମାନେ ପୁରୁଷମାନଙ୍କୁ ନାନା ଭଙ୍ଗୀରେ ଆମନ୍ତ୍ରଣ ଜଣାଉଛନ୍ତି - ଏ ସମସ୍ତ ଦୃଶ୍ୟ କବିଙ୍କ ଲେଖନୀରେ ଜୀବନ୍ତ ରୂପ ନେଇଛନ୍ତି । ମଧ୍ୟେ ମଧ୍ୟେ ନାଟକୀୟ ସଂଳାପର ଯୋଜନା କରି କବି ଶିଳ୍ପ ଚାତୁରୀ ପ୍ରଦର୍ଶନ କରିଛନ୍ତି । ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ କିଏ କିଏ ବୋଲି ସୁନ୍ଦରୀ କାନ୍ତା ତା’ର କାନ୍ତକୁ ପଚାରିବାରୁ ସେ ତିନି ଦେବତାଙ୍କର ରୂପ, ଗୁଣ ଓ ଶୋଭା ସମ୍ପର୍କରେ ଜ୍ଞାତବ୍ୟ ତଥ୍ୟ ପ୍ରଦାନ କରିଛି । ତିନି ଦେବତାଙ୍କର ରୂପ ଛବିକୁ ଦୃଷ୍ଟିଦେଇ ପ୍ରତ୍ୟେକ ଆତ୍ମବିସ୍ମୃତ ହୋଇଛନ୍ତି । କବିଙ୍କ କଳ୍ପନାରେ ବଡ଼ଦାଣ୍ଡ ହେଉଛି ସମୁଦ୍ର । ତିନି ରଥ ହୋଇଛନ୍ତି ଜାହାଜ, ଯଥା –

“ତିନୋ ଜାହାଜ ଚଲି ଆୱତ ତିନି ସ୍ୟନ୍ଦନବର

ଜହାଁ ସାଧବ ଧନୀ ମାଧବ ହଲ ଲାଂଗଲ ଧର ।

ଜାହାଜ କେ ପର ବୈଠକେ ଦୟା-ପସରା ଲେ ହାଥ

ଐସେ ଚୀଜକୋ ବେଚତେ ହୈ ଯୋ ସଓଦାଗର ଜଗନ୍ନାଥ ।’’

 

ପଥ ମଧ୍ୟରେ ଭାନୁ ଅସ୍ତାଚଳଗାମୀ ହେବାରୁ ରଥ ସ୍ଥିର ହେଲା । ରାଜା, ଦେବାନ, ମଠ ମହନ୍ତ ଆଦି ପୁଣ୍ୟଜନମାନେ ଶୁଚିବନ୍ତ ହୋଇ ଜଗଦୀଶଙ୍କୁ ମଣୋହି ଯୋଗାଇଲେ । ନିଶି ଶେଷରେ ପ୍ରଭାତ ଅବକାଶ ଆଦି ରାଜବିଧାନ ନୀତିରେ ପ୍ରଭୁଙ୍କର ଅର୍ଚ୍ଚନା ବଢ଼ିବା ପରେ ମନମୋହନ ବେଶରେ ସଜ୍ଜିତ ହୋଇ ସେ ଜନମନ ହରଣ କଲେ । ରଥଟଣା ଆୟୋଜନ ପରେ ହରି ହରି ଧ୍ୱନି କରି ଭକ୍ତପ୍ରାଣ ଜନତା ରଥକୁ ଟାଣିବାରେ ଲାଗି ପଡ଼ିଲେ । ମଧ୍ୟେ ମଧ୍ୟେ ରଥ ରହି ରହି ଯାଉଥିଲା । ମନେହେଉଥିଲା ଯେପରି ଭାବ ବିଳାସୀ ପ୍ରଭୁ ସାରଥିର ଗାଳି ଶୁଣିବାକୁ ଅଟକି ଯାଉଛନ୍ତି । ଏହିପରି ପଥ ମଧ୍ୟରେ ଦୁଇଦିନ କଟାଇ ପ୍ରଭୁ ଗୁଣ୍ଡିଚା ମନ୍ଦିର ଦ୍ୱାରରେ ପହଞ୍ଚି ଭିତରକୁ ଯିବାପରେ ଭକ୍ତଗଣ ପ୍ରଭୁଙ୍କୁ ଦର୍ଶନ କରିବାକୁ ରୁଣ୍ଡ ହୋଇ ସ୍ତୁତି ପାଠ କଲେ । ପ୍ରଭୁଙ୍କ ମଣୋହି ଲାଗି ଯେତେ ଯେତେ ପଦାର୍ଥ ନିବେଦିତ ହେଲା ବ୍ରଜନାଥ ସେଥିରୁ ଅନେକର ନାମ ଉଲ୍ଲେଖ କରିଛନ୍ତି । ଅନହୋଳି ଭୋଗ ସହିତ ଅନ୍ନ ବ୍ୟଞ୍ଜନର ଚମତ୍କାରିତା ଦର୍ଶାଇବାକୁ ଯାଇ କବି ପ୍ରତ୍ୟେକର ରୂପଗୁଣର ବିଶେଷତ୍ୱ ନିର୍ଦ୍ଦେଶ କରିଛନ୍ତି ଯଥା :-

 

“ଧବଲ କର ମେ ଧବଲ ବରନ

ଘୃତ ଜରଜର କୋମଲ ଅରନ

କମଲ ଫୁଲ ସୁବାସ ପୂରଣ

ଅବଲ ଜିସ କୋ ବୋଲି ।

ହିଂଗ ମରିଚ ତେଜ ପାତ

ବାସ ଜିନିଷ ବହୁତ ଭାଁତ

ବଶ ଭଏ ଜାହାଁ ଜଗତାତ

ବିମଲ ଖିଚିଡ଼ି ଥାଳି ।

ବନି ତସମାଇ ବହୁତ ହାଂଡ

ଘିଉ କର୍ପୂର ମରିଚ ଖଂଡ

ପଡ଼େ ଖୁସବୋ କରତ

ତୁରଂତରସ ଲିଏ ବନମାଲୀ ।’’

 

ଦନ୍ତୀଦନ୍ତ ପଲଙ୍କରେ ତୋଷକ ତକିଆ ସଜଡ଼ା ଯାଇ ପ୍ରଭୁଙ୍କ ଦିବ୍ୟ ଶଯ୍ୟା ପ୍ରସ୍ତୁତ ହେବା, ଦେବତା ଗଣ ସ୍ତୁତିଗାନ କରିବା ବିଷୟର ସୂଚନା ଦେବା ପରେ କବିଙ୍କ ଲେଖନୀରେ ରୂପ ପାଇଛି ଘନଘୋର ବର୍ଷା । ବିରହୀମାନଙ୍କ ହୃଦୟରେ ମିଳନ ଲିପ୍‌ସା ଜାଗ୍ରତ ହେବାପରି ଲକ୍ଷ୍ମୀ ଠାକୁରାଣୀଙ୍କର ବିୟୋଗ ଦୁଃଖ ପ୍ରଭୁ ନଅ ଦିନ ଧରି କିପରି ଭୋଗ କରିଛନ୍ତି କବି ଚଟୁଳ ବର୍ଣ୍ଣ ବିନ୍ୟାସ ମାଧ୍ୟମରେ ତାହାର ଇଙ୍ଗିତ ପ୍ରଦାନ କରିଛନ୍ତି ।

 

ପ୍ରଭୁଙ୍କର ବାହୁଡ଼ା ଯାତ୍ରାର ମନୋରମ ଦୃଶ୍ୟ କବିଙ୍କ ଲେଖନୀରେ ସ୍ପୂର୍ତ୍ତି ଆଣି ଦେଇଛି-। ଜଗନ୍ନାଥ ଆନନ୍ଦ ଚିତ୍ତରେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲାବେଳେ ଭକ୍ତଗଣଙ୍କ ସହ କବି ଆନନ୍ଦ ପ୍ରମତ୍ତ ହୋଇ ଉଠିଛନ୍ତି ।

 

“ନୟନ ମେ ଆନନ୍ଦର ନୀର ଝରେ ଭବ ପୁଲକ ସେ ତନୁ ଫୁଲା ।

ୟସମୟ ବ୍ରଜନାଥ ହୀ ନା ଜଗନ୍ନାଥ ହୁଜୁର ମେ ମିଲା ।’’

 

ପ୍ରଭୁ ସିଂହଦ୍ୱାର ଠାରେ ଉପସ୍ଥିତ ହେଲାବେଳକୁ ଲକ୍ଷ୍ମୀଙ୍କ ଆଦେଶରେ ଦ୍ୱାରର କବାଟରେ ମୁଦ ପକାଇ ଦିଆଯାଇଛି । ଦୂତୀ ଯାଇଛି ପ୍ରଭୁଙ୍କ ଅନୁନୟ ବାର୍ତ୍ତା ଘେନି । ଦ୍ୱାର ତଥାପି ଫିଟିନାହିଁ । ସ୍ୱୟଂ ଦେବୀ ଆସି ଅଭିମାନ ଭରା ବାକ୍ୟ ବାଣ ପ୍ରଭୁଙ୍କପ୍ରତି ନିକ୍ଷେପ କରିଛନ୍ତି।

 

“ନୀଲାଚଲ ବାସୀ ହୋ ଅବ ତବ ମୁଖେ ନହିଁ ଲାଜ

ବିନ ଅପରାଧ ଘରଣୀ ଘର ଛୋଡକେ ନାମ ଲିଏ ଦେବରାଜ ।

X X X X X X

ବିରହିଣୀ ପୁରକୋ କାହେକୋ ଆବତ ଜହାଁ ନହି ବଲିଭୋଜା

ତାହାଁ ଚଲୋ ବ୍ରଜନାଥ କହେ ଅବ ଜହାଁ କିଓ ନୋ ରୋଜା ।’’

 

ଦାସବତ୍ସଳ ପ୍ରଭୁ ଠାକୁରାଣୀଙ୍କର ଝିଙ୍ଗାସ ବଚନ କେବଳ ସହି ନେଲେ ନାହିଁ, କାକୁତି ମିନତି କରି ତାଙ୍କର ମାନ ଭଞ୍ଜନ କରିବା ପରେ ଦ୍ୱାର ଉଦ୍‌ଘାଟିତ ହେବାରୁ ପ୍ରଭୁ ଠାକୁରାଣୀଙ୍କ ପାଶରେ ମିଳିତ ହେବାରୁ ଜଣାଗଲା “ବଂଧ୍ୟାସୁତ ପାୟା କି ଅଂଧା ଆଁଖ ଖୋଲା ।’’ ପ୍ରବାସୀ ପତି ବିରହିଣୀ ପ୍ରିୟା ସହ ମିଳନ ସୁଖ ଅନୁଭବ କଲା ଭଳି ଠାକୁର ଠାକୁରାଣୀ ପରସ୍ପରକୁ ପାଇ କେଳି କୌତୁକ ବିଧାନରେ ମଜ୍ଜିତ ହେବା ବିଷୟ ବ୍ରଜନାଥ ଉଲ୍ଲେଖ କରି ପ୍ରଭୁଙ୍କ ଲୀଳା ବର୍ଣ୍ଣନା ସମାପ୍ତ କରିଛନ୍ତି ।

 

ଏ ଗ୍ରନ୍ଥଟି କବି ସ୍ୱୟଂ ‘ସଚଳ ଜଗନ୍ନାଥ ବୋଲି ତ୍ରିଲୋକଖ୍ୟାତ’ ଗଜପତି ଦିବ୍ୟସିଂହ ଦେବଙ୍କ ସମକ୍ଷରେ ଆବୃତ୍ତି କରି ଆପଣାକୁ କୃତକୃତ୍ୟ ମନେକରିଥିବା ଉଲ୍ଲେଖ କରିଛନ୍ତି । ଗ୍ରନ୍ଥଟିର ଶେଷରେ ଗଜପତିଙ୍କର ପ୍ରଶସ୍ତିବାଚକ ଏକ ଚୂର୍ଣ୍ଣକ ସନ୍ନିବେଶିତ ହୋଇଅଛି ।

 

ଅନ୍ୟାନ୍ୟ ରଚନା

 

ବ୍ରଜନାଥ ଚଣ୍ଡୀମାଳଶ୍ରୀ ଓ କେତେକ ଭଜନଚଉପଦୀ ମଧ୍ୟ ରଚନା କରିଛନ୍ତି । ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଭିଲିଙ୍ଗୀ ଗ୍ରାମର ପର୍ଶୁରାମ ପାତ୍ରଙ୍କ ଗୃହରୁ ବ୍ରଜନାଥଙ୍କ ସ୍ୱହସ୍ତ ଅଙ୍କିତ ସଚିତ୍ର ଭାଗବତ ପୋଥି ମିଳିଥିବାରୁ ଓ ସେ ତୈଲଙ୍ଗ ଭାଷା ଆୟତ୍ତ କରିଥିବା ବିଷୟ ଲେଖି ଯାଇଥିବାରୁ ଅନୁମିତ ହୁଏ, ସେ ହିନ୍ଦୀ ଭାଷାରେ ‘ଗୁଣ୍ଡିଚା ବିଜେ’ ଭଳି ତୈଲଙ୍ଗ ଭାଷାରେ ମଧ୍ୟ କତିପୟ ରଚନା ଛାଡ଼ି ଯାଇଛନ୍ତି । ଏ ପର୍ଯ୍ୟନ୍ତ ତାହା ଆବିଷ୍କୃତ ହୋଇପାରିନାହିଁ । ସଂସ୍କୃତ ଭାଷାରେ ‘ମନୋଦୂତମ୍‌’ ଶୀର୍ଷକ କାବ୍ୟ ତାଙ୍କଦ୍ୱାରା ରଚିତ ହୋଇଥିବାର ଜଣାଯାଏ । ଏହି ଗ୍ରନ୍ଥଟିର ପୋଥି ଆନ୍ଧ୍ର ଅଞ୍ଚଳରୁ ମିଳିଥିବାରୁ ଓ ଆନ୍ଧ୍ର ସହିତ ବ୍ରଜନାଥଙ୍କର ଯୋଗାଯୋଗ ଥିବାର ପ୍ରମାଣ ମିଳୁଥିବାରୁ ଗ୍ରନ୍ଥଟି ଯେଉଁ ବ୍ରଜନାଥଙ୍କ କୃତି ବୋଲି କୁହାଯାଇଛି, ତାହା ବ୍ରଜନାଥ ବଡ଼ଜେନାଙ୍କର ରଚନା ଭାବରେ ଗୃହୀତ ହେବା ସମୀଚୀନ । ‘ଅମ୍ବିକାବିଳାସ’ ଠାରୁ ‘ଚତୁର ବିନୋଦ’ ପର୍ଯ୍ୟନ୍ତ ବିଭିନ୍ନ ଗ୍ରନ୍ଥରେ ସେ ସ୍ୱକୃତ ସଂସ୍କୃତ ଶ୍ଳୋକ ସନ୍ନିବେଶ କରିଥିବାରୁ ଏହି ଅନୁମାନର ଯଥାର୍ଥତା ଦୃଢ଼ୀଭୂତ ହୁଏ । ଗ୍ରନ୍ଥଟି ସୁପ୍ରସିଦ୍ଧ ‘ମେଘଦୂତମ୍‌’ ଓ ‘ହଂସ ଦୂତମ୍‌’ର ଆଦର୍ଶ ଅନୁପ୍ରାଣିତ ରଚନା ।

 

ରାଜସଭା

 

ବ୍ରଜନାଥଙ୍କର ଦୁଇଟି କ୍ଷୁଦ୍ର ପଦ୍ୟ ‘ରାଜନଙ୍କୁ ଛଳଉକ୍ତି’ ଓ ‘ରାଜସଭା’ ପାଠକଲେ ଏହାର ସୀମିତ ପରିସର ମଧ୍ୟରୁ କବିଙ୍କର ବ୍ୟକ୍ତିତ୍ୱ ସମ୍ପର୍କରେ ସ୍ପଷ୍ଟ ଧାରଣା କରିହୁଏ ‘ରାଜନଙ୍କୁ ଛଳଉକ୍ତି, ଏକ ପଦ୍ୟ-ପତ୍ର । ଆପଣାର ଦୁଃଖ ଜଣାଇ ତହିଁର ପ୍ରତିକାର ପ୍ରାପ୍ତି ଲକ୍ଷ୍ୟରେ ଏହାର ପରିକଳ୍ପନା । ଏଥିରେ ତୋଷାମୋଦର ଭଙ୍ଗୀ ଏକାନ୍ତ ବୈଶିଷ୍ଟ୍ୟ ସମ୍ପନ୍ନ । ରାଜା ସାଧାରଣ ପ୍ରଜା ପକ୍ଷରେ ସେ ଯୁଗରେ ଅସୀମ କ୍ଷମତାଶାଳୀ କେବଳ ନ ଥିଲେ, ଥିଲେ ଭୟ, ସମ୍ଭ୍ରମ ଓ ମର୍ଯ୍ୟାଦାର ପ୍ରତୀକ । ଢେଙ୍କାନାଳର ତତ୍‌କାଳୀନ ରାଜା ତ୍ରିଲୋଚନ ମହୀନ୍ଦ୍ର ବାହାଦୁର ଥିଲେ ଅତ୍ୟନ୍ତ କ୍ଷମତାଭିମାନୀ । ସେଭଳି ଏକ ରାଜାଙ୍କ ନିକଟକୁ ଆକ୍ଷେପ ମୂଳକ ଏ ପଦ୍ୟ ପତ୍ରଟି ପଠାଇ ବ୍ରଜନାଥ ସ୍ୱାଭିମାନରେ ତାଙ୍କୁ ବଳି ଯାଇଥିବା ମନେହୁଏ । ରାଜାଙ୍କର ଅବୁଝାମଣା ଯେ ତାଙ୍କର ଦୁର୍ଦ୍ଦଶାର ମୂଳ କାରଣ ବ୍ରଜନାଥ ରଚନାଟିର ପ୍ରତ୍ୟେକ ସ୍ତରରେ ଏହା ପ୍ରମାଣ କରିଛନ୍ତି । ନିଜକୁ ରାଜାଙ୍କ ସହିତ ସମସ୍ତରରେ ଅବସ୍ଥାପିତ କରିବାକୁ ଯାଇ କବି ବ୍ୟଙ୍ଗୋକ୍ତି ମାଧ୍ୟମରେ ଉଦ୍ଦେଶ୍ୟ ସ୍ପଷ୍ଟ କରି ଦେଇଛନ୍ତି –

 

“ଗୋସାଇଁ ଛ’ହାତୀ

ବାସରେ ରଖିଛ

ଦେଇ ତହିଁ କେତେ ଗଣ୍ଠି

ମୋର ଛ’ ହାତୀବା

-ସରେ ରଖିଅଛି

ଦେଇ ତହିଁ କେତେ ଗଣ୍ଠି ।

X X X X X X

ବିଜେ ହେଲାବେଳେ

ଚନ୍ଦ୍ର ସୂର୍ଯ୍ୟ ତ୍ରାସ

ପ୍ରଭୁଙ୍କ ଗଭାରେ ଶୋହେ,

ଘରେ ବସିଥିଲେ

ଚନ୍ଦ୍ର ସୂର୍ଯ୍ୟ ତ୍ରାସ

ମୋ ଶିରରେ ଶୋଭା ପାଏ ।

ଗୋସାଇଁଙ୍କର ନାଁ

ଚାର ଏ ମଣ୍ଡଳ -

ଯାକେ ଖ୍ୟାତ କରୁଛନ୍ତି,

ମୁହିଁ ନାଁ’ଚାର ଏ

ମଣ୍ଡଳ ଯାକରେ

ମୋତେ ସମସ୍ତେ ଜାଣନ୍ତି ।

ପ୍ରଭୁ ଯେ ମୁକୁତା

ସରି ମଣ୍ଡନରେ

ବିଭୂତି ଭୂଷଣ ମୟେ

ମୁଁ କୁତା ସରି

ମଣ୍ଡନ ହୋଇଅଛି

ବିଭୂତି ଭୂଷଣ କାୟେ ।

 

ଏହିପରି ଶବ୍ଦର ଦ୍ୱୈତ ଅର୍ଥ ସମ୍ପାଦନ କରି କବି ଆପଣାକୁ ରାଜାଙ୍କ ସମବସ୍ଥରୂପେ ଶ୍ଳେଷ କରିଛନ୍ତି । ରାଜାର ଅଭିମାନ ଉପରେ ଆଘାତ ପରେ ଆଘାତ ସେ ଦେଇ ଚାଲିଛନ୍ତି । ଶେଷରେ କହିଛନ୍ତି –

 

“ଗୋସାଇଁ ଈଶ୍ୱର

ଭୃତ୍ୟ ବୋଲି ସିନା

ଦେଲ ନିଜ ଅଧିକାର

ଏହି ରାଜ୍ୟେ ଥିଲେ

କେ ପୁଣି ଦେଖିବ

ଏତେ ବଡ଼ ଭାଗ୍ୟ ମୋର।

ଘାଟ ଚିଠି ଖଣ୍ଡେ

ମିଳିଲେ ସଙ୍ଗେ ମୋ

ଘେନି ସର୍ବ ଦଉଲତ

ରାଜ୍ୟେ ରାଜ୍ୟେ ଫେରି

ଗଲେ ସିନା ଏଡ଼େ

ସମ୍ପଦ ହୁଅନ୍ତା ସାର୍ଥ ।’’

 

ରାଜାଙ୍କ ବ୍ୟବହାରରେ କ୍ଷୁଣ୍ଣମନା କବି ସେ ଅପମାନର ଜ୍ୱାଳା ଭୁଲି ନ ପାରି ଆପଣା ଅନୁଭୂତିମାନଙ୍କର ଉଲ୍ଲେଖ ମାଧ୍ୟମରେ ରାଜାଙ୍କର ଦୋଷକୁ ପ୍ରମାଣିତ କରିଛନ୍ତି । ଏଥିରୁ ବ୍ରଜନାଥଙ୍କ ବ୍ୟକ୍ତିତ୍ୱର ଦୃଢ଼ତା ଅବଧାରଣ କରିହୁଏ । ସେ ଢେଙ୍କାନାଳ ରାଜାଙ୍କ ଅନୁସରଣରେ ସ୍ୱପରିବାରର ଗ୍ରାସାଚ୍ଛାଦନର ବ୍ୟବସ୍ଥା କରିପାରି ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି । ବିଦ୍ରୋହ କରି ନାହାନ୍ତି । ବରଂ ବର୍ଷ ବର୍ଷ ଧରି ଢେଙ୍କନାଳ ରାଜକୋଷରୁ କପର୍ଦ୍ଦକଟିଏ ନପାଇ ମଧ୍ୟ ସେ ରାଜାଙ୍କୁ ନିଜ ଦୁଃଖ ଜଣାଇବା ପାଇଁ ବାରମ୍ବାର ଚେଷ୍ଟା କରି ବିଫଳ ହେବା ପରେ ପ୍ରତିକ୍ରିୟାଶୀଳ ଚିତ୍ତର ନିମ୍ନପ୍ରକାରେ ପରିଚୟ ଦେଇଛନ୍ତି –

 

“ବିଚାରି ଉପାସେ

ଆକ୍ରାନ୍ତେ ନିରାଶେ

ନବରଠାକୁ ଆସଇଁ

ଜଣାଇବି କିଛି

ହଜୁରେ ମଣୋହୀ

ସମୟ ଜଗି ବସଇ ।

ଦୂରୁଁ ଦରଶନ

କରି କୁରୁନିସ

କରି ଶ୍ରୀଛମୁଙ୍କୁ ଚାହିଁ

ଶ୍ରୀପାଲିଙ୍କି କରେ

ଜଣାଇବି ମନେ

ବିଚାରି ଆସନ୍ତେ ଧାଇଁ ।

ତେଡ଼େ ପ୍ରସନ୍ନବ

-ଦନ ଯେ ଶରଦ

ପୂର୍ଣ୍ଣଚନ୍ଦ୍ର ନିନ୍ଦୁଥାଏ

ମୋ ଭେଟ କଟାକ୍ଷ

ପଡ଼ିଲା ମାତ୍ରେ ସେ

ଅରୁଣ ଛବିକି ପାଏ ।

ଉଠାଣି ମାଛ ମୁ

-ହେଁ ବାଡ଼ି ପରାଏ

ଘୁଞ୍ଚି ରହଇ ଭୟରେ

କି ଦୁଃଖ ଜ୍ଞାତକ

-ରିବି ମନ ଦୁଃଖେ

ଜ୍ଞାନ ନ ରହେ ଦେହରେ ।’’

 

ଦାରିଦ୍ର୍ୟ ଜନିତ କଠୋର କଷଣ ଓ ରାଜାଙ୍କର ହତମାନ୍ୟତା, ବ୍ରଜନାଥଙ୍କର ସ୍ୱର୍ଶକାତର କବିମନକୁ ବାରମ୍ବାର ଆହତ କରିବା ଫଳରେ ସେ ବାଧ୍ୟ ହୋଇ ଅନ୍ୟରାଜ୍ୟର ରାଜାମାନଙ୍କର ଦ୍ୱାରସ୍ଥ ହେଉଥିଲେ । ପନ୍ଦରପ୍ରାଣୀ କୁଟୁମ୍ବ ବିଶିଷ୍ଟ ଏକ ପରିବାରର ସମସ୍ତ ପ୍ରକାର ଚଳାଚଳ ପାଇଁ ତାହା ଥିଲା ‘ତତଲା ଖପରାରେ ନୀର ଟୋପାଏ’ । ବୟାଧିକ୍ୟ ଓ କଠୋର ଶ୍ରମ କବିଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକ୍ରିୟା ଆରମ୍ଭ କରିବାରୁ ସେ ଚାହୁଁ ଥିଲେ ବିଶ୍ରାମ । ସେଥିପାଇଁ ସେ ଲେଖିଛନ୍ତି:

 

“ଷାଠିଏ ବରଷ

କାଳରେ ମୋହର

ଉଠିବାକୁ ନାହିଁ ବଳ

ପିଠି ଅଣ୍ଟା ବେକ

ଲାଗି ଗଲାଣି ମୋ

ପୋଥି ଲେଖାରୁ କେବଳ ।’’

X X X X

 

ତଥାପି ତାଙ୍କର ମନୋବଳ ତୁଟି ନ ଥିଲା । ଆତ୍ମ ସମର୍ପଣ ମଧ୍ୟ ତାଙ୍କ ଜାତକରେ ନଥିଲା । ବିନୟ ଅଥଚ ଦମ୍ଭର ସହିତ ପରିଶେଷରେ ସେ ରାଜାଙ୍କୁ ଜଣାଇ ଦେଇଛନ୍ତି ନିଷ୍ପତ୍ତି:

 

“ରଖିଲେ ଅନ୍ନବ

-ସ୍ତ୍ର ଦେଇ ଗୋସାଇଁ

ରଖ ଏବୃଦ୍ଧ ସମୟେ

ନୋହିଲେ ସନ୍ତୋଷେ

ବିଦା ଚିଟି ହୋଉ

ଜୀବଥାଉଁ ଯିବି ଠାଏ ।

ଆପଣାର ଗୁଣ

ଅଛି କିବା ନାହିଁ

ଜୀଇ ପାରିଲେ ଜୀଇବି

ନୋହିଲେ ମହାରା

-ଜାଙ୍କ ଲୋକ ବୋଲି

ଯହିଁ ତହିଁତ ରହିବି ।’’

(୪୯)

 

ରାଜାଙ୍କ ପକ୍ଷରେ ବ୍ରଜନାଥଙ୍କୁ ଏହାପରେ ଏଡ଼ି ଦେବା ଅସମ୍ଭବ ବା ଅସମ୍ମାନ ଜନକ ହୋଇପଡ଼ିବାରୁ ସେ ତାଙ୍କର ଆବଶ୍ୟକତା ଅବଶ୍ୟ ପୂରଣ କରିଥିଲେ। କିନ୍ତୁ ଅଳ୍ପଦିନେ ରାଜା ତ୍ରିଲୋଚନଙ୍କର ମୃତ୍ୟୁ ଘଟିବାରୁ ବୋଧହୁଏ, କବିଙ୍କର ସୌଭାଗ୍ୟ ସ୍ଥାୟୀ ହୋଇନଥିଲା । ସେଥିପାଇଁ ସେ ଜୀବନର ଶେଷ କାଳକୁ ଶ୍ରୀକ୍ଷେତ୍ରରେ ଆସି ବାସ କରିଥିଲେ । ଜନଶ୍ରୁତିରୁ ଜଣାଯାଏ, କବି ଆଉ ଢେଙ୍କାନାଳକୁ ଫେରି ନ ଥିଲେ।

 

‘ରାଜସଭା’ ବ୍ରଜନାଥଙ୍କର ଅନ୍ୟତମ ଉଲ୍ଲେଖନୀୟ ରଚନା । ଏହା ମଧ୍ୟ ଅନ୍ୟଏକ ଐତିହାସିକ ସ୍ମାରକୀ । ଓଡ଼ିଆ ସାହିତ୍ୟରେ ରାଜସଭାମାନଙ୍କରେ ବର୍ଣ୍ଣନା ଦୁର୍ଲ୍ଲଭ ନୁହେଁ । ମାତ୍ର ସେ ସବୁ କଳ୍ପନାବିଳାସ ସମୁଦ୍‌ଭୂତ ଆଳଙ୍କାରିକ ବର୍ଣ୍ଣନା । ବ୍ରଜନାଥଙ୍କର ‘ରାଜସଭା’ ପ୍ରତ୍ୟକ୍ଷ ଅଭିଜ୍ଞତା ପ୍ରସୂତ ବିବରଣାତ୍ମକ ରଚନା । ଏହା ପାଠକଲେ ସେ କାଳର ରାଜାମାନଙ୍କର ରୁଚିବୋଧ, ଆଡ଼ମ୍ବର ପ୍ରିୟତା ଓ ପ୍ରଭାବ- ପ୍ରତିପତ୍ତିର ଏକ ସ୍ପଷ୍ଟ ଚିତ୍ର ପାଠକ ସମ୍ମୁଖରେ ଉନ୍ମୋଚିତ ହୋଇଯାଏ ।

 

‘ରାଜସଭା’ ଏକ ପ୍ରଶସ୍ତି ଗୀତିକା । ପ୍ରାରମ୍ଭରେ ଶୀପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ ଓ ତାହାର ଉତ୍ତର ଦିଗସ୍ଥ ଭୀମନଗର (ଭୀମନଗ୍ରୀ ଦଣ୍ଡପାଟ)ର ରାଜଧାନୀ ଢେଙ୍କାନାଳ ଗଡ଼ ଅବସ୍ଥିତି, ବଳଭଦ୍ର ଠାକୁରଙ୍କ ବିଜେସ୍ଥଳୀ ଓ ବିଶେଷତଃ କପିଳାସ କ୍ଷେତ୍ର ଓ ତହିଁରେ ଅଧିଷ୍ଠିତ ଶ୍ରୀଚନ୍ଦ୍ରଶେଖରଙ୍କ ମହିମା ଗାନ କରି କବି ଔଚିତ୍ୟ ବୋଧର ପରିଚୟ ପ୍ରଦାନ କରିଅଛନ୍ତି । ପୃଷ୍ଠ ପୋଷକ ରାଜା ତ୍ରିଲୋଚନଙ୍କର ଅତିରଞ୍ଜିତ କାବ୍ୟିକ ପ୍ରଶସ୍ତି ମାଧ୍ୟମରେ ରୂପ, ଗୁଣ, ପ୍ରତାପ ଓ ଐଶ୍ୱର୍ଯ୍ୟର ସଂକ୍ଷିପ୍ତ ବର୍ଣ୍ଣନା ପରେ କବି ବିଷୟ ନିର୍ଦ୍ଦେଶ କରି ଅଛନ୍ତି । ଯଥା –

 

“ଶୁଣ ହେ ରସିକ ଜନେ

ନୃପମଣି ଏକ ଦିନେ

ବିଜେ କରିଛନ୍ତି ଖିଲିମତ ଭିତରେ

ଗଜଦନ୍ତ ପଲଙ୍କରେ

ରାଏ ସାହେବ ଅଙ୍କରେ

ଚିତ୍ରାକି ଶୋଭା ମୃଗାଙ୍କ ଅଙ୍କ ଗତରେ

ନନ୍ଦ କୋଳେ କେଶବ କିବା

ଦଶରଥ କୋଳେ ଦାଶରଥି ସେ ଅବା ।’’

 

କୌଣସି ଗୋଟିଏ ଦିନର ରାଜସଭାର ଏ ବିବରଣାତ୍ମକ ଆଲେଖ୍ୟ ସେ କାଳର ସମସ୍ତ ରାଜସଭା ପ୍ରତି ପ୍ରଯୁଜ୍ୟ । ଆଜୀବନ ବ୍ରଜନାଥଙ୍କର ରାଜସଭା ସହିତ ଥିଲା ଘନିଷ୍ଠ ପରିଚୟ । ସେ ଏହି ସଭାର ପ୍ରତ୍ୟେକଟି ଔପଚାରିକତାକୁ କେବଳ ଲକ୍ଷ୍ୟ କରି ନ ଥିଲେ, ଉପଭୋଗ କରିଥିଲେ । ସେଥିପାଇଁ ସଭାର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କର ଉପସ୍ଥିତି କାର୍ଯ୍ୟକଳାପ, ରାଜାଙ୍କର ପ୍ରତିକ୍ରିୟା ଇତ୍ୟାଦିର ବିବରଣୀ ରସାଳ ଭାଷାବିନ୍ୟାସ ମାଧ୍ୟମରେ ସେ ପ୍ରଦାନ କରିଛନ୍ତି ।

 

ରାଜା ସିଂହାସନରେ ଉପବେଶନ କରିବା ପରେ ରାଜ କର୍ମଚାରୀଗଣ ଯେ ଯାହାର କର୍ତ୍ତବ୍ୟ କାର୍ଯ୍ୟରେ ତତ୍ପର ହୋଇ ଉଠିଲେ । ପଢ଼ିଆରୀ ଜଣ ଜଣ ହୋଇ ଖଟଣି ସାମନ୍ତଗଣଙ୍କୁ ଭେଟ କରାଇବା ପରେ ବିଛା ଯାଇଥିବା ବିଛଣାରେ ସେମାନଙ୍କୁ ବସାଇଲେ । ପ୍ରଥମେ ଅନ୍ତଃପୁର ନିଯୋଗଗଣ ରାଜାଙ୍କୁ ଅଭିବାଦନ ଜଣାଇ ଉପସ୍ଥିତ ହେଲେ । ହୁକାବରଦାର ବିଧିମୁତାବକ ଗୁଡ଼ାଖୁ ଭରି ହୁକା ପ୍ରସ୍ତୁତ କରି ସୁନା ସରପୋଷ ଢଙ୍କା ଥାଳି ଏଣ୍ଡୁଆରେ ଥୋଇ ଜରିଯୁକ୍ତ ନଳୀକୁ ଶ୍ରୀହସ୍ତରେ ଧରାଇ ଦେଲା । ନିଯୋଗ ବ୍ରାହ୍ମଣ ପାନବିଡ଼ିଆ ବିଡ଼ା ଦେଲେ । ଚତୁର ଦ୍ୱାରୀ ରାଜାଙ୍କ ଭାବଭଙ୍ଗୀରୁ ତାଙ୍କ ମନ ଜାଣି ବୈଷ୍ଣବ, ବ୍ରାହ୍ମଣ ଓ ସନ୍ନ୍ୟାସୀମାନଙ୍କୁ ପଲଙ୍କ ପାଖକୁ ଲାଗି ଆସନ ଦେଲେ । ସଦ୍‌ବଂଶଜ ବ୍ରାହ୍ମଣଗଣ ରାଜାଙ୍କର କଲ୍ୟାଣ କାମନା କରି ହସ୍ତ ପ୍ରସାରଣ ପୂର୍ବକ ଶ୍ଳୋକ ପାଠ କଲେ । ରାଜବଂଶର ବ୍ୟକ୍ତି ପାତ୍ର, ଅମାତ୍ୟ ଇତ୍ୟାଦି ଯେ ଯାହା କ୍ରମରେ ଆସନ ଗ୍ରହଣ କଲେ । ପାଟଯୋଷୀ ଓ ପ୍ରହରାଜ ରାଜ୍ୟ ସମାଚାର ରାଜାଙ୍କୁ ଜଣାଇଲା ବେଳେ ରାଜା କେତେବେଳେ ଖଣ୍ଡାକୁ ଆଞ୍ଚୁଥିଲେ ତ କେତେବେଳେ ବାମ ହସ୍ତ ଅଙ୍ଗୁଳିରେ ନିଶ ସାଉଁଳୁଥିଲେ । ଜ୍ୟୋତିଷ ତିଥିବାର ନକ୍ଷତ୍ର ଜଣାଇ ରାଜା, ରାଣୀ, ରାଜପୁତ୍ରଙ୍କର ଭୂତ, ଭବିଷ୍ୟତ ଓ ବର୍ତ୍ତମାନର ଦଶା ଗଣନାର ଫଳ ଶୁଣାଇଲେ । ଖୁରିପାଳ (ଜଳଘଣ୍ଟା ରକ୍ଷକ) ଖୁରିରୁ ଦେଖି ଦଣ୍ଡଲିତା ଘୋଷଣା କରୁଥିଲା । ରାଜାଙ୍କ ସମ୍ମତି ଜଣାଯିବା ପରେ ରାଜପୁତ, ପଠାଣ, ଜାଠ, ତେଲେଙ୍ଗା ଓ ମହାରାଷ୍ଟ୍ରୀ ପ୍ରଭୃତି ବିଦେଶୀ ସିପାହୀମାନେ ଯେ ଯାହା ଆଦବକାୟଦା ଅନୁଯାୟୀ କ୍ରମାନ୍ୱୟରେ ଆସି ରାଜାଙ୍କୁ ସଶସ୍ତ୍ର ଅଭିବାଦନ ଜଣାଇଲେ । ସିପାହୀମାନଙ୍କର ବେଶଭୂଷା, ଠିଆଠାଣି ଓ ଅଭିବାଦନ ରୀତି ସମ୍ପର୍କରେ ବ୍ରଜନାଥଙ୍କ ବର୍ଣ୍ଣନା ପ୍ରତ୍ୟକ୍ଷଦର୍ଶୀ ଓ ସେଥିପାଇଁ ନିଖୁଣ ଜଣାପଡ଼େ । ଯଥା-

 

“କୁସୁମୀ ପଗଡ଼ି ଶିରେ

ଛିଟ ଅଙ୍ଗୀ କା ଅଙ୍ଗରେ

ପାଆଜାମା କଟିରୁଆ ଅତି ଲସରେ

ଚିହିଲି ଜଙ୍ଘିଆ ଲାଇ

ବେଢ଼ାଇ ରଙ୍ଗ ଦୁଲାଇ

ଓଢ଼ାଇଛି କେ ଆଦରେ ଖାସା ଚାଦରେ

କେ ପହରେ କଟାର ଜାମା

ସରୁତର ବୁଟାଦାର କାହାର ନୀମା ।

 

 

ମହାବଳୀ ଫରିକାରେ

ଫରି ଝାଡ଼ି ଆଣ୍ଠୁପରେ

ଖଣ୍ଡା ଝଲକାଇ ବନ୍ଧଠାଣିରେ ରହି

ମଣିମା ମଣିମା ଭଣି

ଶିରେ ଟେକି ବେନି ପାଣି

ତାଙ୍କ ବାନାମାନ ଗଣି ହୁଅଇ ନାହିଁ

ବାଘ ଲାଞ୍ଜ ଧଣ୍ଡା ଶିଙ୍କୁଳି

ଜାନୁଘଣ୍ଟ ବାଘତୋଟି ଲେଙ୍କୁଡ଼ି ମାଳୀ ।

 

 

ଏକ କୁଣ୍ଡଳ ଫତୋଇ

ହଳହଳା ଛେଲ ଦୁଇ

ବାହାରେ ବାହୁଟି ଲାଇ କର୍ଣ୍ଣେ ତୋଡ଼ର

ବଦଉରେ ଗଦା ଠିଆ

ମୁନଚିରା ମୁନେ ମୁଆଁ

ଛେଲମୁନେ ଗୁଆ ମେଖ ବାନା କାହାର

ମୁଣ୍ଡେ ଏରାପକ୍ଷୀ କେରାଏ

କେ କଜ୍ଜ୍ୱଳ ସେକ ସାଇ କପୋଳେ ଲାଏ ।’’

 

ଅସ୍ତ୍ରରକ୍ଷକ, ସେନାପତି ବକ୍ସି, ପରିଛା, ଗୋଧନ ଅଧିକାରୀ, ଖନ୍ଦାଘର ଖରଶୋଧା ଇତ୍ୟାଦି ସେବାକାରୀ ବୃନ୍ଦ ସେମାନଙ୍କର ସେବା ନିଯୋଗର ବିବରଣ ପ୍ରଦାନ କଲେ । ଦଳବେହେରା, ଧନବନ୍ତ ପ୍ରଧାନଗଣ, ବୈଦ୍ୟରାଜ, ପଶୁଚିକିତ୍ସକ, ବାଉଁଶରାଣୀ କେଳା,ଐନ୍ଦ୍ରଜାଲିକ, ମାନ୍ତ୍ରିକ, ବୀଣା, ବଂଶୀ, ଅମୃତୀ ତମ୍ବୁରା ଇତ୍ୟାଦିର ବାଦକଗଣ ଯେ ଯାହା ଭଙ୍ଗୀରେ ରାଜାଙ୍କୁ ଭେଟି ଲାଗିଥିଲେ । ଖଜାକାରୀ ମିଷ୍ଟକ ନେଇ, ଗୋପାଳ ଅଧାମ, ଗୋଟିକା, ସର, ଦଧି ଇତ୍ୟାଦି ସହ ଭେଟୁଥିଲେ । ରତ୍ନବିନ୍ଧାଣୀ କମକୂଟ ଅଳଙ୍କାର ଲୌହକାରକ ଲୌହନିର୍ମିତ ପଦାର୍ଥ ଭେଟି ଦେଉଥିଲେ । ତମ୍ବୁପୋତା ନାଗରଚି, ଦରଜୀ, ମାଳୀ, ତାମ୍ବୁଳୀ, ଚିତାବାଘ ପାଳକ, ଚତ୍ରକାରକ, ଅତରସୁଗନ୍ଧକାରୀ, ବଗିଚାପତି, ଘଟୁଆଳ, ଚିତ୍ରକାରକ, ଅତରସୁଗନ୍ଧକାରୀ, ବଗିଚାପତି, ଘଟୁଆଳ, ରଜକ ଆଦି ରାଜାଙ୍କ ଛାମୁରେଉପସ୍ଥିତ ହୋଇ ମଜୁରା କରି ଯାଉଥିଲେ । ଏ ଦୃଶ୍ୟକୁ ସଂକ୍ଷେପରେ ବର୍ଣ୍ଣନା କରି ବ୍ରଜନାଥ ଲେଖିଛନ୍ତି:

 

“ରଜତ ଛଡ଼ିକି କରେ

ଧରି ଉଭା ଚୋପଦାରେ

ଆଗ ବଢ଼ି କୁହା କୁହି କି ସେ ଚାହାନ୍ତି

ସୁଧର୍ମା ପରାୟେ ସଭା

ପୂରି ଦିଶୁଅଛି ଶୋଭା

କି ଉପମା ଦେବା ଅବା ନାହିଁ ଭାରତୀ

ଦେବା ନେବା ଆଣି ରଖିବା

କାରଖାନାରେ ଅଛନ୍ତିଯେ ଯାହା ସେବା ।’’

 

 

ଏ ସମସ୍ତ ଭେଟ, ଭେଟିର

କକକି ସଙ୍ଗେଣ

କେ ସମୁଚା ଶିରୋପା କେ ପତନୀ ଶାଢୀ

ବାଜି ଶିରୋପା କେ ପାଇ

କା ବର୍ତ୍ତନ ଚଢା ହୋଇ

ନଗଦ ଭାବେ କେ ଟଙ୍କା ନେଉଛି ଝାଡ଼ି

କେ ପାଏ ଗ୍ରାମ କେ କାଟେଣି

ବଣିଆ ଘରୁ କେନେଲା କଉଡ଼ି ଗଣି ।

 

 

ପଲଙ୍କ ଚଉକି ମାନେ

ଠିଆ ଆଜ୍ଞା ସାବଧାନେ

କାଠିଆ କୋରଡ଼ା ବରଦାର ହାଜର

କାହା ପାଦେ ଲାଗେ ବେଡ଼ି

କେବା ହରିକାଠେ ପଡ଼ି

କୋରଡ଼ାରେ ଯାଏ ଉଡ଼ି ଚମ କାହାର

ଯୋରି ମେଳିଆକୁ ଏ ଦଣ୍ଡ

କେବା ଶୂଳେ ଢେଙ୍କୀତଳେ କେ ଖଣ୍ଡ ଖଣ୍ଡ ।’’

 

ଶ୍ରୋତ୍ରୀୟ ସଂସ୍କୃତଜ୍ଞ ବ୍ରାହ୍ମଣଙ୍କର ବିଶୁଦ୍ଧ ଶ୍ଳୋକ ଉଚ୍ଚାରଣ ଓ ନିର୍ଲୋଭ ବୈଷ୍ଣବ ମାନଙ୍କର ଧର୍ମତତ୍ତ୍ୱ ରାଜାଙ୍କର ଶ୍ରଦ୍ଧା ଓ ସମ୍ମାନ ଆକର୍ଷଣ କରୁଥିଲା । ଦକ୍ଷିଣ ଦେଶରୁ ଆଗତ ସୁନ୍ଦରୀ ଓ ଶୋଭାଙ୍ଗୀ ନର୍ତ୍ତକୀ ରାଜସଭାରେ ପ୍ରବେଶ କଲା ଉତ୍ତାରୁ ନୃତ୍ୟ ଗୀତର ତାଳେ ତାଳେ ଜନମନ କିପରି ବିଭୋର ହୋଇ ଉଠିଲା ନର୍ତ୍ତକୀର ଅଙ୍ଗଶୋଭା ଓ ଭଙ୍ଗୀ କିଭଳି କାମୋତ୍ତେଜକ ଥିଲା । ତାର ନୃତ୍ୟ ଓ ନୃତ୍ୟ ସହଯୋଗୀ ବାଦ୍ୟର ଧ୍ୱନ୍ୟାତ୍ମକ ସ୍ପଷ୍ଟ ବିବୃତି ବ୍ରଜନାଥଙ୍କ ରସବୋଧର ପରିଚୟ ଦିଏ । ଯଥା:-

 

“ତାଟକ ତାଟକ ଥେଇ

ଧୀ ଧୀଙ୍ଗନ ଧେଇ ଧେଇ

ଧ୍ରୀମିକ ଧ୍ରୀମ ଧେ ଧେଇ ମାଦଳ ସ୍ୱନ

ପ୍ରକଟ ଉକୁଟ କରି

ନାଚି ନାଚି ପୁରଃସରି

ମାନ ମୁଣ୍ଡେ ଦେଇ କରି ରଖଇ ତାନ

ପୁଣି ଗୀତ ଲୟକୁ ଘେନି

ହସ୍ତର ଲୟ କରଇ ଘନଜଘନୀ ।’’

 

ନର୍ତ୍ତକୀର ନୃତ୍ୟ ରଙ୍ଗରେ ସନ୍ତୁଷ୍ଟଚିତ୍ତ ରାଜାଙ୍କର ମନୋଭାବ ଓ ଆଚରଣର କବିତ୍ୱ ପୂର୍ଣ୍ଣ ଇଙ୍ଗିତ ଦେଇ ବ୍ରଜନାଥ ଲେଖିଛନ୍ତି-

 

“ବାଳା ନୃତ୍ୟ ଗୀତ ସ୍ୱର

ନାଗେଶ୍ୱରେ ନରେଶ୍ୱର

ଧୀରମନ ନାଗେଶ୍ୱର ଚଞ୍ଚଳତର

ଗୀତମନ୍ତ୍ରେ ବଶ ହେଲା

ହୃଦବିଳୁଁ ବାହାରିଲା

ରୂପପେଟୀରେ ପଡ଼ିଲା ବନ୍ଦି ସତ୍ୱର’’

ଇନାମ ଯେ ହେଲା ଅଶେଷ

ସୁନାମରକତ ମୋତି ଶାଲ ସୁବାସ ।’’

 

ନର୍ତ୍ତକୀର ନୃତ୍ୟ ପରେ ପରେ ଲୋକଙ୍କୁ ଠେଲି ପେଲି ରାଜାଙ୍କୁ ଛାମୁରେ ପ୍ରବେଶ ହେଲା ଭାଣ୍ଡ ପୁଣ୍ଡରୀକ । ସେ ମଙ୍ଗଳ କଣ୍ଟକ ଗଡ଼ର ରାଜା ଓ ପ୍ରଜାମାନଙ୍କର ହାସ୍ୟସ୍କର ସ୍ୱଭାବ ଆଚରଣ ବିଷୟକୁ ଅଙ୍ଗଭଙ୍ଗୀଦ୍ୱାରା ଗୀତ ମାଧ୍ୟମରେ ପ୍ରକାଶ କରିବାରୁ ସମସ୍ତେ ହସି ହସି ଲୋଚାକୋଚା ହୋଇଗଲେ । ଅଳ୍ପ ହସି ରାଜା ତାକୁ ଦଶଟଙ୍କା ଓ ଯୋଡ଼େ ଲୁଗା ପୁରସ୍କାର ଦେଲେ । ଏହା ପରେ ଭାଟ ଆବୃତ୍ତି କଲା ରାଜସ୍ତୁତି।

 

ପରିଶେଷରେ ଦ୍ୱାର ମୁହଁରେ ଉଭା ହେଲେ କବି ବ୍ରଜନାଥ । ଦ୍ୱାରୀ ଠାରୁ ଯିବାର ନିର୍ଦ୍ଦେଶ ପାଇ ସେ ସଭାରେ ପ୍ରବେଶ କଲେ । ରାଜାଙ୍କୁ କରଯୋଡ଼ି ମଜୁରା ଦେଇ ସେ କିଭଳି ବଂଶାନୁକ୍ରମେ ରାଜାଙ୍କ ଖାନଦାଜ ଥାଇ ମଧ୍ୟ ଅଭାବଗ୍ରସ୍ତ ଜୀବନ କଟାଉଛନ୍ତି ତାହା ଦର୍ଶାଇଲେ । ଏହି ‘ରାଜସଭା’ ପଦ୍ୟଟିରେ କବି ସ୍ୱକୃତିତ୍ୱର ସବିଶେଷ ପରିଚୟ ପ୍ରଦାନ କରିଥିବାରୁ ତାଙ୍କର ବ୍ୟକ୍ତିଗତ ଜୀବନ ସାହିତ୍ୟ ସାଧନା ଓ ଚିତ୍ରବିଦ୍ୟାଗତ ନୈପୁଣ୍ୟ ସମ୍ପର୍କରେ ଏକ ସ୍ଥୂଳ ଧାରଣା କରି ହୁଏ । ବ୍ରଜନାଥ ଏହି ରଚନାଟିକୁ ରାଜସଭାରେ ଗାନ କରି ନଗଦ ଶହେଟଙ୍କା ଓ ଆବେଦନ କ୍ରମେ ଆବଶ୍ୟକ ଖର୍ଚ୍ଚା । ପାଇବାର ଆଦେଶ ଲାଭ କରିଥିଲେ ।

 

ସଙ୍ଗୀତ ଚଉପଦୀ

 

ବ୍ରଜନାଥଙ୍କର ସାହିତ୍ୟିକ-ଜୀବନର ମଧ୍ୟାହ୍ନରେ ଚଉପଦୀ ସଙ୍ଗୀତ ଓଡ଼ିଶାରେ ଲୋକପ୍ରିୟ ହୋଇ ଉଠିଥିଲା । ଶୃଙ୍ଗାରିକ ଭାବ-ଭାବନା ସମ୍ବଳିତ ଓ ଭକ୍ତି ଭାବ ପ୍ରଣୋଦିତ ଏହି ଚଉପଦୀ ସାହିତ୍ୟ ପରବର୍ତ୍ତୀ କବି ବଳଦେବ ରଥ, କବି ଗୋପାଳକୃଷ୍ଣ ଓ ବନମାଳୀ ପ୍ରଭୃତିଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ସାହିତ୍ୟିକ ମର୍ଯ୍ୟାଦା ଲାଭ କରିଥିଲା । ଉପେନ୍ଦ୍ର ଭଞ୍ଜଙ୍କଦ୍ୱାରା କେତେକ ଚଉପଦୀ ରଚିତ ହେବାପରେ ଅନ୍ୟାନ୍ୟ କବିବୃନ୍ଦ ଏଥିରେ ସମଧିକ ଉତ୍କର୍ଷତା ପ୍ରକଟ କରିବାକୁ ଯାଇ କାବ୍ୟ ରଚନା ସହିତ ଚଉପଦୀରେ ମଧ୍ୟ ହସ୍ତଚାଳନା କରିଥିଲେ । ବ୍ରଜନାଥଙ୍କର ସମୁଦାୟ ପନ୍ଦରଟି ଏହି ଶ୍ରେଣୀୟ ରଚନା ସଂଗୃହୀତ ହୋଇ ପାରିଛି । ଏ ପ୍ରକାର କ୍ଷୁଦ୍ରକାୟ ରଚନାରେ ମଧ୍ୟ ବ୍ରଜନାଥ ସ୍ୱକୀୟତାର ସ୍ୱାକ୍ଷର ଆଙ୍କିଦେଇ ଯାଇଛନ୍ତି । ଉଭୟ ବଳଦେବ ଓ ଗୋପାଳକୃଷ୍ଣଙ୍କ ଚୌପଦୀ ଶୈଳୀର ପଦଧ୍ୱନି ବ୍ରଜନାଥଙ୍କ ରଚନାରେ ପ୍ରକଟିତ । ଚତୁର୍ଥ ସଙ୍ଗୀତଟିରେ ଅଛି –

 

“କୁଞ୍ଜ କାନନ କେଳି କୌତୁକ କୌତୁକି ସୁର ନିକର ନାୟକ

ଗର୍ବ ଗଞ୍ଜନ ସର୍ବରଞ୍ଜନ ଗୋପ ଭୂପତି ବାଳହେ ।’’

 

ପଞ୍ଚମ ସଙ୍ଗୀତଟିର ରଚନା ଶୈଳୀ ଲକ୍ଷଣୀୟ-

 

“ସଖି ! ଦେଖିଲି ଆଜ ମୁଁ ବ୍ରଜପତିଙ୍କି ଗୋ

ମନ-ଅଭିରାମ-ନବ-ଚୂତ-କାନ୍ତିକି ଗୋ

ସଜଳ ଜଳଦ ନୀଳ

ମଞ୍ଜୁଳ ତମାଳ ଦଳ

ଦଳିତ-କଜ୍ଜ୍ୱଳ ଶ୍ୟାମ ଦ୍ୟୁତିକି ଗୋ ।୧।’’

 

ସମ୍ଭୋଗ ଓ ବିପ୍ରଲୟ ଶୃଙ୍ଗାରରେ ରମଣୀର ଲୀଳାୟିତ ଗତିଭଙ୍ଗୀର ବିଚିତ୍ର ଉପମିତ ବିବରଣୀ ଦରବାରୀ ରଚନାର ଏକ ବିଶେଷ ରୀତିବିଳାସ ଥିବାରୁ ବ୍ରଜନାଥ ସେଥିରେ ମଧ୍ୟ ଦକ୍ଷତାର ପରିଚୟ ଲିପିବଦ୍ଧ କରି ଯାଇଛନ୍ତି । ଯଥା:

 

“ମୋ ବନ୍ଧୁ ପରାଣ ଧନ କହି ରାଣ ଦେଲେ ଅବା ଚୁମ୍ବ ଦିଏ

ଚାରୁ ସରୁ ଚୁମ୍ବ ଶତ ଶତ ବିମ୍ବ-ଓଷ୍ଠୀ ଦେଲା କେତେ ସ୍ନେହେ

ଚାଟୁକରି ଦିନ ଯାକ ଅବା ପୀନ ଜଂଘରୁ ଖସାଇ ବାସ

ଅଚୀର ସର୍ବାଙ୍ଗେ ଚିରକାଳ ରଙ୍ଗେ ବିହରିଲା ଏ ମୋ ଦୃଶ ।’’

 

ବିପ୍ରଲମ୍ଭ ଭାବର ପରିଚୟ ବହନ କରିଥିବା ଚଉପଦୀର ନିମ୍ନୋଦ୍ଧୃତ ଅଂଶ ଲକ୍ଷଣୀୟ । ଯଥା :-

 

“ପରବାସେ ଯାଇ ପ୍ରିୟ କାହିଁ ରହି ପ୍ରଫୁଲ୍ଲ ସୁମନାକୁଳେ

ଏ ଘନ ସ୍ତନିତ ବରଷିଲେ ଆଗମନ କରିବ ଯେ ବଳେ ହେ ।୨।

ଦରବାର ତେଜି ପୁରକୁ ଆସିବେ ଦିଅ ରସ ସୁରତରେ

ବରଜନ ନିଶା ସୁଆଇ ମୋଦକ ହୋଇଛି ଏ କାମନାରେ ହେ ’’। ୩ ।

 

ମନେହୁଏ ବ୍ରଜନାଥ ବହୁସଂଖ୍ୟକ ଚଉପଦୀ ଲେଖିନାହାନ୍ତି କିମ୍ବା କାଳବକ୍ଷରେ ସେଥିରୁ ଅଧିକାଂଶ ହଜି ନିଶ୍ଚିହ୍ନ ହୋଇ ଯାଇଛନ୍ତି। ଯାହା ଜଣାଯାଏ, ବ୍ରଜନାଥ ତାଙ୍କ ସମୟରେ ପ୍ରଚଳିତ ସାହିତ୍ୟିକ ଧାରାର ପ୍ରଧାନ ପ୍ରଧାନ ବିଭାଗ ମାନଙ୍କରେ ଦକ୍ଷତାର ସହ ଲେଖନୀ ଚାଳନା କରିଛନ୍ତି । କବି ଭାବରେ ନୂତନ ଆଦର୍ଶ ମଧ୍ୟ ସର୍ଜନ କରି ଯାଇଛନ୍ତି ।

 

ସାହିତ୍ୟିକ ବ୍ୟକ୍ତିତ୍ୱ : ଏକ ଆକଳନ

 

ବ୍ରଜନାଥ କେବଳ ପ୍ରତିଭାଧର କବି ନ ଥିଲେ, ସେ ଥିଲେ ବହୁ ଭାଷାଭିଜ୍ଞ ପଣ୍ଡିତ । ‘ଅମ୍ବିକା ବିଳାସ’, ‘ଚତୁର ବିନୋଦ’, ‘ସମର ତରଙ୍ଗ’ ଓ ‘ଗୁଣ୍ଡିଚାବିଜେ’ରେ ସ୍ୱମାତୃଭାଷା ସହିତ ଅନ୍ୟାନ୍ୟ ଭାଷାର ସଂଯୋଜନ ତାଙ୍କର ବହୁଭାଷାଭିଜ୍ଞତା ପ୍ରତିପନ୍ନ କରେ । ତାଙ୍କର ସମସାମୟିକ ସାହିତ୍ୟ ସ୍ରଷ୍ଟାମାନଙ୍କ ମଧ୍ୟରେ ସେ ଥିଲେ ଅନନ୍ୟ । ଏ ଅନନ୍ୟତା ବନ୍ଧନହୀନ ତାଙ୍କ ସ୍ରଷ୍ଟା ପୌରୁଷରେ ଚିହ୍ନିତ । ରୀତିଯୁଗର ପ୍ରବଳ ପ୍ରଭାବ ଏଡ଼ି ପାରି ନ ଥିଲେହେଁ ବର୍ଣ୍ଣନାତ୍ମକ କାବ୍ୟ କବିତା ଚଚନାରେ ସେ ଓଡ଼ିଆ ସାହିତ୍ୟରେ ଅନ୍ୟତମ ପଥିକୃତ୍‌ ସ୍ରଷ୍ଟାରୂପେ ସମ୍ମାନିତ ହୁଅନ୍ତି । ଅନ୍ୟ ପକ୍ଷରେ କୌଣସି ନିର୍ଦ୍ଦିଷ୍ଟ ଧର୍ମମତବାଦଦ୍ୱାରା ତାଙ୍କର ସାହିତ୍ୟ ସୃଷ୍ଟି ନିୟନ୍ତ୍ରିତ ହେବାର ଦେଖାଯାଏ ନାହିଁ । କଳା ଅନୁରୋଧରେ କଳାର ନୀରାଜନା ତାଙ୍କର ସାହିତ୍ୟିକ ବୈଶିଷ୍ଟ୍ୟ । ଆପଣାର ମୁକ୍ତ ସାହିତ୍ୟିକ ଚେତନା ସମ୍ପର୍କରେ ସେ ଥିଲେ ନିଃସନ୍ଦିଗ୍ଧ ଓ କିଛି ପରିମାଣରେ ଦାମ୍ଭିକ ଓ ସ୍ୱାଭିମାନୀ । ‘ରାଜନଙ୍କୁ ଛଳଉକ୍ତି’ ପ୍ରମାଣ କରେ ଯେ ବ୍ରଜନାଥ ରାଜପୃଷ୍ଠପୋଷକତା ଲାଭ କରିବାକୁ ଯାଇ ଆତ୍ମମର୍ଯ୍ୟାଦା ଲୁଣ୍ଠିତ ହେବାକୁ ଦେଇ ନ ଥିଲେ । ଆପଣା ସୃଷ୍ଟି କର୍ମରେ ଦୃଢ଼ ଆସ୍ଥାବାନ ନ ହେଲେ ସେ ସମୟର ରାଜପ୍ରତିପତ୍ତିର ପ୍ରବଳ ପ୍ରଭାବର ଊର୍ଦ୍ଧ୍ୱକୁ ଉଠି କେହି ଏଭଳି ଦୃଢ଼ତା ଓ ଅକୁତୋଭୟତା ପ୍ରକାଶ କରିବା ସମ୍ଭବ ନୁହେଁ । ସେ ଦୃଷ୍ଟିରୁ ବ୍ରଜନାଥ ସ୍ଥାନ କାଳର ପ୍ରଭାବ ଉତ୍ତୀର୍ଣ୍ଣ ଏକ ଅନନ୍ୟ ସ୍ରଷ୍ଟା ପୁରୁଷ । ସେଥିପାଇଁ ସେ ନମସ୍ୟ ଓ ସ୍ମରଣୀୟ । ତାଙ୍କର ସାହିତ୍ୟିକ ବ୍ୟକ୍ତିତ୍ୱର ଆଭାରେ ଉତ୍କଳ ବାଣୀମନ୍ଦିର ଉଦ୍‌ଭାସିତ । ଓଡ଼ିଆ ସାହିତ୍ୟ ଇତିହାସରେ ତାଙ୍କର ସ୍ୱତନ୍ତ୍ର ସାହିତ୍ୟ ସୃଷ୍ଟି ଲାଗି ସେ ଚିର ସମ୍ମାନିତ ସ୍ରଷ୍ଟା । ସେ ଓଡ଼ିଆ ସାହିତ୍ୟର ଏକ ସ୍ୱତନ୍ତ୍ର ପ୍ରତିଭାଶାଳୀ ନିର୍ମାତା ।